୫୮ ବର୍ଷ ବୟସ୍କ ରମେଶ ଉକର୍, “୨୮ ନଭେମ୍ବରର ସକାଳେ ଶୀଘ୍ର ଉଠି ପଡ଼ିଲେ । ତାଙ୍କ ମୁଣ୍ଡରେ ଦୁଇଟି ଚିନ୍ତା ଥିଲା । ସେ କହିଲେ, ମତେ ଭୋଟ୍ ଦେବାକୁ ହେବ ଏବଂ ପରଦିନ ଦିଲ୍ଲୀରେ ପହଞ୍ଚିବାକୁ ହେବ ।”
ଉକର୍ ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାର ପେଟ୍ଲାୱାଡ୍ ତାଲୁକାର ମନସ୍ୟା ଗ୍ରାମରେ ରୁହନ୍ତି । ନିକଟତମ ରେଳଷ୍ଟେସନ ଇନ୍ଦୋରରେ ଅଛି- ପ୍ରାୟ ୧୫୦ କିଲୋମିଟର ଦୂରରେ । ଇନ୍ଦୋରରୁ ଟ୍ରେନ୍ରେ ଯାଇ ଦିଲ୍ଲୀରେ ପହଞ୍ଚିବାକୁ ୧୪ଘଣ୍ଟାରୁ ଅଧିକ ସମୟ ଲାଗେ । ନଭେମ୍ବର ୨୯ ତାରିଖରେ ଦିଲ୍ଲୀର ଗୁରୁଦ୍ୱାରା ଶ୍ରୀ ବାଲା ସାହିବଜୀ ପରିସରରେ ଏକ ଯଷ୍ଟି ଧରି ବସିଥିବା ଉକର୍ କହିଥିଲେ, “ମୁଁ ପୂର୍ବ ରାତିରୁ ପୋଷାକ ସଜାଡ଼ି ଦେଇଥିଲି, ସକାଳେ ଟ୍ରେନ୍ ଧରିବା ପାଇଁ ଶୀଘ୍ର ଖାଦ୍ୟ ପ୍ରସ୍ତୁତି କରିଦେବାକୁ ପତ୍ନୀଙ୍କୁ କହିଥିଲି । ମୁଁ ଭୋଟ ଦେବା ପରେ ଅପରାହ୍ନରେ ଘର ଛାଡ଼ିଲି । ବସ୍ରେ ସନ୍ଧ୍ୟା ସୁଦ୍ଧା କୌଣସି ମତେ ଇନ୍ଦୋରରେ ପହଞ୍ଚିଲି । ସେଠାରୁ ଏକ ରାତ୍ରୀ ଟ୍ରେନ୍ ଧରିଲି ।”
ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୨୮ ତାରିଖରେ ମତଦାନ ହୋଇଥିଲା ଏବଂ ନଭେମ୍ବର ୨୯ ତାରିଖରେ ୧୫୦-୨୦୦ କୃଷକ ଗୋଷ୍ଠୀ ଓ ସଂଘର ମିଳିତ ଅନୁଷ୍ଠାନ ଅଖିଳ ଭାରତ କିଷାନ ସଂଘର୍ଷ ସମନ୍ୱୟ କମିଟି ସାରା ଦେଶରୁ ପ୍ରାୟ ୫୦ ହଜାର କୃଷକଙ୍କୁ ରାଜଧାନୀକୁ ଆଣିଥିଲା । ସେମାନେ ୨୧ ଦିନିଆ ଅଧିବେଶନରେ ଦେଶର କୃଷି ବିପର୍ଯ୍ୟୟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଦାବିରେ ଦୁଇ ଦିନିଆ ପ୍ରତିବାଦ ଶୋଭାଯାତ୍ରାରେ ଭାଗ ନେବା ପାଇଁ ଆସିଥିଲେ । ଏହି ବିପର୍ଯ୍ୟୟ ୧୯୯୫ରୁ ୨୦୧୫ ମଧ୍ୟରେ ସାରା ଭାରତରେ ୩୦୦,୦୦୦ରୁ ଅଧିକ କୃଷକଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛି ।




