ମାରୁତି ଭିସେ କହିଲେ, ‘‘ଗତ ଥର ଆମେ କପିଲ ପତିଙ୍କୁ ଭୋଟ ଦେଇଥିଶୁ। କଣ ହେଲା? ଏବେ ବି ଗାଁରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନାହିଁ। ଆଉ ଏ ସବୁ ରାସ୍ତା ..... ଜିତିବା ପରେ ସେ ଥରେ ବି ଏଠିକୁ ଆସି ନାହାନ୍ତି। ତାଙ୍କୁ ପୁଣି କାହିଁକି ଭୋଟ ଦବୁ?’’
୩୮ ଡିଗ୍ରୀ ସେଲସିଅସ ତାତି। ଉତ୍ତପ୍ତ ଅପରାହ୍ଣରେ ତେମ୍ଭାରି ଗାଁର ରାସ୍ତାଘାଟ ଜନଶୂନ୍ୟ ଲାଗୁଥିଲା। ୬ ଜଣ ପୁରୁଷ ଓ ୩ ଜଣ ମହିଳା ୭୦ ବର୍ଷୀୟ ବିଶେଙ୍କ ପକ୍କା ଘରେ ଏକାଠି ହୋଇଥିଲେ। ସାମ୍ନା ପଟ ଘରେ କିଛି ଲୋକ ମସିଣାରେ ଆଉ କିଛି ଲୋକ ପ୍ଲାଷ୍ଟିକ ଚୌକିରେ ବସିଥିଲେ। ୫ ଏକର ଜମିରୁ ଅମଳ ହୋଇଥିବା ଧାନବସ୍ତା ସବୁ ଘରର ଗୋଟିଏ କଣରେ ରଖାଯାଇଥିଲା। ଏକାଠି ହୋଇଥିବା ସମସ୍ତେ ଜଣେ ଜଣେ ଚାଷୀ। ଏମାନଙ୍କର ୨ ଏକରରୁ ୫ ଏକର ଭିତରେ ଜମି। ସମସ୍ତେ ଧାନ ଆଉ ପରିବାପତ୍ର ଚାଷ କରନ୍ତି। ରଘୁନାଥ ଭୋଏର କହିଲେ, ‘‘ଏଥର କାହାକୁ ଭୋଟ ଦେବା, ସେ ସଂପର୍କରେ ଆମେ ଏକାଠି ବସି ଆଲୋଚନା କରିବା ଆବଶ୍ୟକ।’’
ଆଲୋଚନାରୁ କିଛି ନିର୍ଯାସ ବାହାରିବ ବୋଲି ମହାଦୁ ଭୋଏର ନିଶ୍ଚିତ ନଥିଲେ। ‘‘ବିଜେପିକୁ ଆମେ ପାଞ୍ଚ ବର୍ଷ ଦେଲୁ, କିନ୍ତୁ ସେମାନେ ୫ ବର୍ଷ ନଷ୍ଟ କରିଦେଲେ। କଂଗ୍ରେସକୁ ଆଉ ୫ ବର୍ଷ ଦିଅ ଆଉ ସେମାନେ ବି ନଷ୍ଟ କରନ୍ତୁ। କିଛି ପ୍ରଭେଦ ନାହିଁ। ସମସ୍ତେ ସମାନ।’’











