ହସହସ ମୁହଁରେ ଲୋକଙ୍କୁ ଅଭିବାଦନ ଜଣାଇ ଗାଁର ଗଳିକନ୍ଦି ବାଟରେ ତରତର ହୋଇ ଚାଲନ୍ତି ବୈଶାଳୀ ୟେଡ଼େ ଏବଂ ତାଙ୍କୁ ସମର୍ଥନ କରିବାକୁ ଅନୁରୋଧ କରନ୍ତି । “ମି ତମ୍ଚିଚ୍ ମୁଲ୍ଗି ଆହୋ” (ମୁଁ ଆପଣମାନଙ୍କର ଝିଅ), ହାତଯୋଡ଼ି ସ୍ଥାନୀୟ ବର୍ହାଡ଼ି ଭାଷାରେ ସେମାନଙ୍କୁ କହନ୍ତି ।
ଲୋକଙ୍କଠାରୁ ମିଳୁଥିବା ସମର୍ଥନ ତାଙ୍କୁ ଆନନ୍ଦିତ କରେ। କିନ୍ତୁ ତାଙ୍କ ଅନୁରୋଧ- “ମହ୍ୟାୱାର ଲକ୍ଷ ଅସୁଦ୍ୟା ଜୀ” (ମତେ ଆପଣଙ୍କ ପ୍ରାର୍ଥନା ଓ ଭାବନାରେ ରଖନ୍ତୁ), ଚାଷୀମାନଙ୍କ ବିଧବାମାନଙ୍କୁ ନ ଭୂଲିବା ପାଇଁ ଏକ ଆକୁଳ ଆବେଦନ ମଧ୍ୟ । ସେଥିରେ ଥାଏ ସ୍ୱାମୀମାନେ ଆତ୍ମହତ୍ୟା କରିବା ପରେ ସେମାନେ ଭୋଗୁଥିବା ମାନସିକ ଓ ଆର୍ଥିକ ଯନ୍ତ୍ରଣାର କଥା ।
ମଝିରେ ମଝିରେ ବୟସ୍କ ବ୍ୟକ୍ତିମାନଙ୍କର ପାଦ ଛୁଇଁବା ପାଇଁ ନଇଁ ଯାଆନ୍ତି ୨୮ ବର୍ଷୀୟା ବୈଶାଳୀ । କିଶୋରୀ ଓ ଯୁବତୀମାନଙ୍କ ସହିତ ହାତ ମିଳାନ୍ତି ଏବଂ ନଳକୂଅରୁ ପାଣି ନେଉଥିବା ମହିଳାମାନଙ୍କ ଆଡ଼କୁ ଚାହିଁ ହାତ ହଲାନ୍ତି । ତା’ପରେ ସେ ତାଙ୍କ ସହିତ ଥିବା ଛ’-ସାତଟି ସାଧାରଣ କାର୍ ମଧ୍ୟରୁ ଗୋଟିକ ଭିତରେ ବସି, ୪୨ ଡିଗ୍ରୀର ଅସହ୍ୟ ତାପମାନରେ ତାଙ୍କ ପ୍ରଚାର ଜାରି ରଖିବାକୁ ପରବର୍ତ୍ତୀ ଗାଁ ଅଭିମୁଖେ ଯାଆନ୍ତି ।
ବୈଶାଳୀ, ପୂର୍ବ ମହାରାଷ୍ଟ୍ରର ୟବତ୍ମାଲ-ୱାଶିମ୍ ନିର୍ବାଚନମଣ୍ଡଳୀରୁ ୨୦୧୯ ଲୋକସଭା ନିର୍ବାଚନ ଲଢୁଛନ୍ତି । ଏପ୍ରିଲ୍ ୧୧ରେ ଏଠାକାର ପ୍ରାୟ ୧୭.୫ ଲକ୍ଷ ଭୋଟ୍ଦାତା ଭୋଟ୍ ଦେବେ। ଅମରାବତୀ ଜିଲ୍ଲାର ଅଚଲପୁରର ସ୍ୱାଧୀନ ବିଧାୟକ ୪୮ ବର୍ଷୀୟ ଓମ୍ପ୍ରକାଶ (ବାଚ୍ଚୁ) କାଡୁଙ୍କ ନେତୃତ୍ୱାଧୀନ ପ୍ରହାର ଜନଶକ୍ତି ପକ୍ଷ ନାମକ ଏକ ସ୍ଥାନୀୟ ରାଜନୈତିକ ଦଳର ପ୍ରାର୍ଥୀ ବୈଶାଳୀ। ବିଦର୍ଭରେ ତାଙ୍କ ଦଳର ଲୋକପ୍ରିୟତା ଧୀରେ ଧୀରେ ବଢୁଛି ଏବଂ କୃଷକ ଓ କୃଷି ଶ୍ରମିକମାନଙ୍କର ସମସ୍ୟା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରୁଥିବାରୁ ଦଳର ପରିସର ମଧ୍ୟ ବଢୁଛି ।


