“ଅନେକ ସମୟରେ, ପ୍ରାୟ ଦ୍ୱିପହର ୨ଟା ବେଳେ, ମୁଁ ସବାଶେଷରେ କାମରୁ ଫେରିବା ବେଳେ, ମଷ୍ଟର ରୋଲ୍କୁ ଧରେ ଓ ଦଉଡି ପଳାଇଆସେ। ଘରକୁ ପହଞ୍ଚିବା ପର୍ଯ୍ୟନ୍ତ ମୁଁ ନିଶ୍ୱାସ ମାରେ ନାହିଁ। କାଳେ କିଏ ରହିଯାଇଥିବ ସେଥିପାଇଁ ଆମେ ବାରମ୍ବାର ପଛକୁ ଚାହୁଁ। ଆମମାନଙ୍କୁ ଭୟ ଲାଗୁଥିଲେ ମଧ୍ୟ, ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ। ଆମକୁ ଯିବାକୁ ହେବ। ଆମକୁ ପଇସା ଦରକାର,” ବୋଲି ଚମ୍ପା ରାୱତ୍ କୁହନ୍ତି ।
କ୍ଷୀପ୍ର ଗତିରେ ଚାଲିବା ବେଳେ ନିଜ ମୁହଁକୁ ଘୋଡାଇ ରଖିବା ପାଇଁ ନିରନ୍ତର ତାଙ୍କ ଘୁଙ୍ଗଟ ଠିକ୍ କରିବା ସହିତ, ଚମ୍ପା ତାଙ୍କ ଗ୍ରାମ ଥାନାରେ ଏମ୍ଜିଏନ୍ଆର୍ଇଜିଏ ଅଧିନରେ ବିଭିନ୍ନ ପ୍ରକଳ୍ପଗୁଡିକ କିଭଳି ଭାବେ କାର୍ଯ୍ୟ କରୁଛି, ସେ ବିଷୟରେ ମୋତେ କହୁଥିଲେ। ସେ ତାଙ୍କ ଗ୍ରାମଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଜଳସେଚନ ପାଇଁ ଗଭୀର ଖାତ ବା ଟ୍ରେଞ୍ଚ ଖୋଳାଯାଇଥିବା ଏକ ପ୍ଲଟ୍ ଦେଖାଇଲେ ଓ କହିଲେ ଯେ “ଏହି ସାଇଟ୍ରେ ଆମେ କାମ କରୁଥିଲୁ । କିନ୍ତୁ ଏଥର [ଏପ୍ରିଲ୍ ୨୦୧୯]ରେ ଆମକୁ ଯେଉଁ କାର୍ଯ୍ୟକ୍ଷେତ୍ର ଦିଆଯାଇଛି ତାହା ଏଠାରୁ ଚାରି କିଲୋମିଟର୍ ଦୂରରେ ଅବସ୍ଥିତ ଓ ଏହାଠାରୁ ଅଧିକ ନିର୍ଜନ ସ୍ଥାନରେ ରହିଛି” । ଚାଲି ଚାଲି ଏଠାରେ ପହଞ୍ଚିବା ପାଇଁ ଏକ ଘଣ୍ଟା ସମୟ ଲାଗେ ଓ ଏଠାରୁ ଘରକୁ ଫେରିବା ପାଇଁ ମଧ୍ୟ ଏକ ଘଣ୍ଟା ସମୟ ଲାଗିଥାଏ । ଚମ୍ପା ମାଧ୍ୟମରେ ଆମେ ୨୦୦୫ରେ ମହାତ୍ମା ଗାନ୍ଧୀଙ୍କ ଜାତୀୟ ନିଶ୍ଚିତ ଗ୍ରାମ୍ୟ କର୍ମ ନିଯୁକ୍ତି ଆଇନ (ଏମ୍ଜିଏନ୍ଆର୍ଇଜିଏ) ଅଧିନରେ କାର୍ଯ୍ୟକାରୀ ହୋଇଥିବା କେନ୍ଦ୍ର ସରକାରଙ୍କ ଏହି ଐତିହାସିକ ଯୋଜନାର ଲାଭ ଓ ଦୁର୍ବଳତା ସମ୍ବନ୍ଧରେ ସୂଚନା ପାଇପାରିବା । ଭାରତର ବିଭିନ୍ନ ଗ୍ରାମାଞ୍ଚଳରେ ରହୁଥିବା ପରିବାରଗୁଡିକୁ ୧୦୦ଦିନ ପର୍ଯ୍ୟନ୍ତ ନିଶ୍ଚିତ କର୍ମ ଯୋଗାଇବା ହେଉଛି ଏହି ଯୋଜନାର ଲକ୍ଷ୍ୟ ।
ରାଜସ୍ଥାନର ଭିଲ୍ୱାରା ଜିଲ୍ଲା- ଯାହାର ମଣ୍ଡଳ ତାଲୁକାରେ ଚମ୍ପାଙ୍କ ଗ୍ରାମ ଥାନା ଅବସ୍ଥିତ- ରେ ୨୦୧୯(ଏପ୍ରିଲ – ସେପ୍ଟେମ୍ବର)ରେ ଏହି ଯୋଜନା ଅଧିନରେ ୮୬୨,୧୩୩ ପରିବାରକୁ ଅତ୍ୟାବଶ୍ୟକ ମୂଲ କାମ ଯୋଗାଯାଇଛି । ୨୦୧୩ ଠାରୁ ଏହା ମାଧ୍ୟମରେ ଭଲ୍-ୱାରାର ପ୍ରାୟ ୬ଲକ୍ଷରୁ ଅଧିକ ପରିବାରକୁ କର୍ମ ଯୋଗାଯାଇଛି ।
ଅନେକ ପରିବାରକୁ ଏହି ମଜୁରି ବଞ୍ଚାଇ ରଖିଛି, ଯାହା ମଧ୍ୟରେ ୧୯ ବର୍ଷ ବୟସ୍କ ମୀନା ସାଲ୍ଭି ମଧ୍ୟ ଅଛନ୍ତି, ଯିଏ ତାଙ୍କ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି ହେବା ସହିତ ନିଜ ପିତାମାତାଙ୍କ ଯତ୍ନ ନେଇଥାନ୍ତି । ମୀନା ମଧ୍ୟ ନିର୍ଜନ ସ୍ଥାନରେ କାମ କରିବା ଯୋଗୁଁ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକ ବିଷୟରେ କୁହନ୍ତି । “ମୋତେ ଏକାକୀ ଫେରିବାକୁ ପଡିପାରେ, ବିଶେଷକରି ସେତେବେଳେ ଯେତେବେଳେ ସବାଶେଷରେ ମୋର କାମ ସରିବ, ସେଥିପାଇଁ ମୁଁ ଡରୁଛି,” ବୋଲି ସେ କୁହନ୍ତି ।
ଚମ୍ପା କାମ କରୁଥିବା କାର୍ଯ୍ୟକ୍ଷେତ୍ରରେ କାମ କରୁଥିବା ସମସ୍ତ ମହିଳା ସେମାନଙ୍କୁ ଏତେ ଦୂରରେ ଥିବା ଏକ କାର୍ଯ୍ୟକ୍ଷେତ୍ରରେ କାମ କରିବାକୁ ଦିଆଯାଇଥିବାରୁ ଏହାକୁ ବିରୋଧ କରି ମେ ୨୫ରେ କାର୍ଯ୍ୟ ବନ୍ଦ ରଖିଥିଲେ । ଯଦି ସେମାନେ ଏହି ନିର୍ଜନ ସ୍ଥାନରେ କାମ କରିବାକୁ ରାଜି ହୋଇଯିବେ, ତେବେ ଆସନ୍ତା ଥର ପଞ୍ଚାୟତ ସେମାନଙ୍କୁ ଆହୁରି ଦୂରବର୍ତ୍ତୀ ସ୍ଥାନକୁ କାମ ପାଇଁ ପଠାଇବ ବୋଲି ସେମାନେ ଚିନ୍ତିତ ଥିଲେ । ‘‘ଏହି ଆଖପାଖରେ ଆହୁରି ଅନେକ ସ୍ଥାନ ରହିଛି ଯେଉଁଠାରେ କାମର ଆବଶ୍ୟକତା ରହିଛି,” ବୋଲି ଚମ୍ପା କୁହନ୍ତି । “ସେଠାରେ ପହଞ୍ଚିବା ପାଇଁ ନିଶ୍ଚିତ ଭାବେ ମଝିରେ ଥିବା ଜଙ୍ଗଲ ରାସ୍ତାରେ ଯିବାକୁ ହେବ, ଏହାଛଡା ଅନ୍ୟ କୌଣସି ରାସ୍ତା ନାହିଁ । ବେଳେବେଳେ ସେଠାରେ ବନ୍ୟ ଜନ୍ତୁମାନେ ରହିଥାନ୍ତି, ବେଳେବେଳେ ମଦୁଆ ମଣିଷମାନେ ମଧ୍ୟ ଥାଆନ୍ତି…” ବୋଲି ସେହି କାର୍ଯ୍ୟକ୍ଷେତ୍ରରେ କାମ କରୁଥିବା ସବିତା ରାୱତ କୁହନ୍ତି । ତେବେ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ କରିବା କେତେକ ଶ୍ରମିକ ଯେଉଁମାନଙ୍କ ପାଇଁ ପଇସା ଅତ୍ୟାବଶ୍ୟକ ଥିଲା, ସେମାନେ କାମକୁ ଫେରିଗଲେ । ଅଳ୍ପ କିଛି ଶ୍ରମିକ ଚମ୍ପାଙ୍କ ସହିତ ରହିଲେ ଓ ଏକ ମାସ ପରେ ସେମାନଙ୍କୁ ଆଉ ଏକ କାର୍ଯ୍ୟକ୍ଷେତ୍ରରେ କାମ କରିବାକୁ ପଠାଗଲା ।








