ଗଣେଶ ୱାଦାନ୍ଦ୍ରେଙ୍କ ଛନଛନିଆ କପାଗଛରେ ଥିବା ସବୁଜ ରଙ୍ଗର କପା ଫୁଲ ଗୁଡ଼ିକର ବାହ୍ୟ ଅଂଶରେ କଳାଗାର ଏବଂ ବିନ୍ଦୁ ଦେଖାଯାଉଛି। ଏହି କପାକ୍ଷେତ ଧଳା ସୁନା କୁହାଯାଉଥିବା ଏହି ଫସଲ ଉପରେ କାର୍ଯ୍ୟ କରୁଥିବା ବୈଜ୍ଞାନିକମାନଙ୍କ ପାଇଁ ଏକ ସନ୍ଦେଶ ଦେଉଛି - ପୁଣି ଏକ ନୂଆ କୀଟନାଶକ ଖୋଜ।
ୱାର୍ଦ୍ଧା ଜିଲ୍ଲାର ଆମଗାଓଁ (କେଏଚ୍) ଗାଁର ଗଣେଶ ୱାଦାନ୍ଦ୍ରେ ଜଣେ ନାମୀ ଚାଷୀ। ତାଙ୍କର ୫ ଏକର କପା କ୍ଷେତ ରହିଛି। ସେ କୁହନ୍ତି, “ଏଇଟା ଆରମ୍ଭ ମାତ୍ର। ଏହି ପୋକ ଏସବୁ ସ୍ଥାନଦେଇ କପା ଫୁଲାର କଢ଼ ଭିତରକୁ ପ୍ରବେଶ କରିଥିବ। ”
ସେ କହିଲେ, “ଆମେ ଯଦି ଏହି ଫୁଲକୁ ଖୋଲିଦେବା, ତା’ହେଲେ ଦେଖିବା ଗୋଟିଏ ଗୋଲାପୀ ପୋକ ଏହା ମଧ୍ୟରେ ବୁଲୁଛି। ” ଏହା କହିବା ବେଳେ ହତାଶ ଏବଂ କ୍ରୋଧ ତାଙ୍କ ଭିତରେ ଦେଖିବାକୁ ମିଳୁଥିଲା। ଯେତେବେଳେ ସେ ଏହି କପାଫୁଲଟିକୁ ଫଟାଇଦେଲେ ସେତେବେଳେ ଗୋଟିଏ ଛୋଟ ଗୋଲାପୀ ରଙ୍ଗର ପୋକ ମୁଣ୍ଡ ଟେକିଲା। ସତେ ଯେମିତି ଏହା ଆମକୁ ସ୍ୱାଗତ କରୁଥିଲା। ଏହି ପୋକ କପାର ଧଳାତନ୍ତୁଗୁଡ଼ିକ ସୃଷ୍ଟି ହେବା ଆଗରୁ କପା କଢ଼ ଭିତରେ ନିଜର ସ୍ଥିତି ଜମେଇ ନେଇ ଏହାକୁ ମୂଲ୍ୟହୀନ କରିଦେଇଥିଲା।
୪୨ ବର୍ଷ ବୟସ୍କ ୱାଦାନ୍ଦ୍ରେ କହିଲେ, “ଗୋଟିଏ ପୋକ! ଏହା କେଇ ଦିନ ମଧ୍ୟରେ ହଜାର ହଜାର ଅଣ୍ଡାଦେବ ଏବଂ ଏହା ଭିତରୁ ଅୟୁତ ଅୟୁତ ପୋକ ବାହାରିବେ। ” ଗତ ୨୦୧୭ ନଭେମ୍ବରରେ ଯେତେବେଳେ ମୁଁ ତାଙ୍କୁ ଭେଟିଲି ସେତେବେଳେ ଏକଥା ମୋତେ କହିଥିଲେ।
ଯେହେତୁ ଏହି ପୋକ କପା କଢ଼ ଭିତରେ ଥାଏ, ଚାଷୀମାନେ ଫୁଲ ନଫୁଟିବା ପର୍ଯ୍ୟନ୍ତ ଗୋପନ ଥିବା ଏହି କ୍ଷୟକ୍ଷତି ବିଷୟରେ କୌଣସି ଅନ୍ଦାଜା କରିପାରି ନଥାନ୍ତି। ଅମଳ ସମୟରେ କିମ୍ବା ବଜାର ପରିସରରେ ହଠାତ୍ ସେମାନଙ୍କ ମୁଣ୍ଡ ଉପରେ ବଜ୍ର ପଡ଼େ ଯେତେବେଳେ ଏହି ପୋକ ଦ୍ୱାରା ନଷ୍ଟ ହୋଇଥିବା କପା ଖୁବ୍ କମ୍ ଦାମରେ ବିକ୍ରି ହୁଏ।
ୱାଦାନ୍ଦ୍ରେଙ୍କ ଅଭିବ୍ୟକ୍ତି ମହାରାଷ୍ଟ୍ରର ସମସ୍ତ କପାଚାଷୀମାନଙ୍କର ଅବସ୍ଥା। ବିଶେଷକରି ପଶ୍ଚିମ ବିଦର୍ଭର କପାଚାଷ ଅଞ୍ଚଳରେ, କପା ଅମଳ ସମୟ ୨୦୧୭-୧୮ ଶୀତଦିନର। ଏହି ଅଞ୍ଚଳରେ କପା ଜୁଲାଇରୁ ଅଗଷ୍ଟ ମାସ ମଧ୍ୟରେ ରୋପଣ କରାଯାଏ ଏବଂ ଅକ୍ଟୋବରରୁ ମାର୍ଚ୍ଚ ମାସ ମଧ୍ୟରେ ଅମଳ କରାଯାଏ।
ଅନେକ ହେକ୍ଟର କପାକ୍ଷେତ ଏହି ଗୋଲାପୀ ପୋକର ବିଶାଳ ସେନା ଦ୍ୱାରା ନଷ୍ଟଭ୍ରଷ୍ଟ ହୋଇଯାଇଥିଲା। ସେମାନେ ଏତେ କ୍ଷତି କରିଥିଲେ ଯାହା ଗତ ତିରିଶ ବର୍ଷ ମଧ୍ୟରେ କେବେ ଦେଖାଯାଇନଥିଲା। ୱାଦାନ୍ଦ୍ରେଙ୍କ କ୍ଷେତରେ ଗୋଲାପୀ ପୋକ ଆକ୍ରମଣର ସମସ୍ତ ସୂଚନା ଦେଖିବାକୁ ମିଳିଥିଲା; କଳା କପାକଢ଼, ଫାଟିଯାଇଥିବା ଏବଂ ଖେଳେଇ ହୋଇଯାଇଥିବା କପାକଢ଼, କଳା ପଡ଼ିଯାଇଥିବା କପାତନ୍ତୁ, କମ୍ ମାନ ଏବଂ କମ୍ ମୂଲ୍ୟର ଫସଲ।
ଏହି କୀଟଯୋଗୁ ୨୦୧୭ ଜୁଲାଇରୁ ନଭେମ୍ବର ମାସ ପର୍ଯ୍ୟନ୍ତ ମହାରାଷ୍ଟ୍ରର ବ୍ୟତିବ୍ୟସ୍ତ ଚାଷୀମାନେ ସେମାନଙ୍କର କପା ଫସଲକୁ ରକ୍ଷା କରିବା ପାଇଁ ପ୍ରଚୁର ପରିମାଣରେ ଏବଂ ବିଷାକ୍ତ କୀଟନାଶକ ବ୍ୟବହାର କରିଥିଲେ, କିନ୍ତୁ ସେମାନେ ଗୋଲାପୀ ପୋକକୁ ପ୍ରତିହତ କରିପାରିଲେ ନାହିଁ। ( ଦେଖନ୍ତୁ : Lethal pests, deadly sprays )
ୱାଦାନ୍ଦ୍ରେ କୁହନ୍ତି, “କୌଣସି କୀଟନାଶକ ଏଥିପାଇଁ ଫଳପ୍ରଦ ହେଲାନାହିଁ। ଏହି ପୋକ ଭୀଷଣ ଘାତକ। ଏବେ ବିଟି-କପା ବ୍ୟବହାର କରିବାର ଉପଯୋଗିତା କ’ଣ?”









