

Kolhapur, Maharashtra
|THU, JUL 22, 2021
ଭାଙ୍ଗି ଯାଇଥିବା ପଥର, ଫାଟି ଯାଇଥିବା ହାଡ଼, ମନେ ପଡ଼ୁଥିବା ଗୀତ
ପରୀ ସ୍ୱେଚ୍ଛାସେବୀ ସାଙ୍କେତ ଜୈନ ସାରା ଭାରତରେ ୩୦୦ ଗ୍ରାମ ବୁଲିବାକୁ ଲକ୍ଷ୍ୟ ରଖିଛନ୍ତି, ଅନ୍ୟ କାହାଣୀଗୁଡ଼ିକ ମଧ୍ୟରେ, ସେ ଏହି ଫିଚରଟିକୁ ପ୍ରସ୍ତୁତ କରିଛନ୍ତି : ଗ୍ରାମୀଣ ଦୃଶ୍ୟ ଓ ଘଟଣାର ଏକ ଫଟୋ ଏବଂ ସେହି ଫଟୋର ଏକ ଚିତ୍ର। ପରୀରେ ଏହି ଶୃଙ୍ଖଳାର ଏହା ହେଉଛି ସପ୍ତମ। ଫଟୋ କିମ୍ବା ଚିତ୍ରକୁ ସମ୍ପୂର୍ଣ୍ଣ ଦେଖିବା ଲାଗି ସ୍ଲାଇଡରକୁ ଯେକୌଣସି ପଟୁ ଟାଣନ୍ତୁ
Author
Translator
ପରୀ ସ୍ୱେଚ୍ଛାସେବୀ ସାଙ୍କେତ ଜୈନ ସାରା ଭାରତରେ ୩୦୦ ଗ୍ରାମ ବୁଲିବାକୁ ଲକ୍ଷ୍ୟ ରଖିଛନ୍ତି, ଅନ୍ୟ କାହାଣୀଗୁଡ଼ିକ ମଧ୍ୟରେ, ସେ ଏହି ଫିଚରଟିକୁ ପ୍ରସ୍ତୁତ କରିଛନ୍ତି : ଗ୍ରାମୀଣ ଦୃଶ୍ୟ ଓ ଘଟଣାର ଏକ ଫଟୋ ଏବଂ ସେହି ଫଟୋର ଏକ ଚିତ୍ର। ପରୀରେ ଏହି ଶୃଙ୍ଖଳାର ଏହା ହେଉଛି ସପ୍ତମ। ଫଟୋ କିମ୍ବା ଚିତ୍ରକୁ ସମ୍ପୂର୍ଣ୍ଣ ଦେଖିବା ଲାଗି ସ୍ଲାଇଡରକୁ ଯେକୌଣସି ପଟୁ ଟାଣନ୍ତୁ
ଭୀମାବାଇ ପୱର୍ ହାତୁଡ଼ି ଉଠାଇବା ସମୟରେ କୁହନ୍ତି, ‘‘ହାଡ଼ ଫାଟିବା ହେଉଛି ଆମର ଦୈନନ୍ଦିନ କାର୍ଯ୍ୟର ବିପଦଗୁଡ଼ିକ ମଧ୍ୟରେ ଅନ୍ୟତମ ।’’ ଏହି ଫଟୋରେ ଆପଣ ଯେଉଁ କୁଞ୍ଚିତ ଚର୍ମ ବିଶିଷ୍ଟ ହାତ ଦେଖୁଛନ୍ତି ତାହା ହେଉଛି ଭୀମାବାଇ ନାମକ ଭୂମିହୀନା ଦଳିତ ଶ୍ରମିକଙ୍କର । ସେ କର୍ଣ୍ଣାଟକର ବିଜାପୁର ଜିଲ୍ଲାର ସିନ୍ଦଗି (ଗ୍ରାମୀଣ) ଗ୍ରାମରୁ ଆସିଥିବା ଜଣେ ପ୍ରବାସୀ ପଥର ଭଙ୍ଗାଳି ।
ଭୀମାବାଇ, ଯେ କି ବୋଧହୁଏ ବୟସର ୩୦ ଦଶକର ଆଦ୍ୟ ଭାଗରେ ଥାଇପାରନ୍ତି, ପ୍ରାୟ ୧୫ ବର୍ଷ ବୟସରୁ ତାଙ୍କର ପ୍ରବାସ ଯାତ୍ରା ଆରମ୍ଭ କରିଥିଲେ । ସେ କୁହନ୍ତି, ‘‘ପ୍ରତି ବର୍ଷ ମହାରାଷ୍ଟ୍ରର ଗ୍ରାମମାନଙ୍କରେ ପଥର ଭାଙ୍ଗିବା ପାଇଁ ଆମେ ଛଅ ମାସ [ନଭେମ୍ବର- ଏପ୍ରିଲ୍] ଅନ୍ୟ ସ୍ଥାନକୁ ଯାଇଥାଉ । ଅବଶିଷ୍ଟ ଛଅ ମାସ ସେ ଅନ୍ୟମାନଙ୍କ କ୍ଷେତରେ କିଛି କାମ ପାଇବା ପାଇଁ ସିନ୍ଦଗି ତାଲୁକ୍ ମଧ୍ୟରେ ବିଭିନ୍ନ ସ୍ଥାନକୁ ଯାଇଥା’ନ୍ତି ।
ସେ ଗୋଟିଏ ବ୍ରାସ୍ (ସିଭିଲ୍ ଇଞ୍ଜିନିୟରିଂର ଭାଷା ଅନୁଯାୟୀ ୧୦୦ ଘନଫୁଟ୍) ଭାଙ୍ଗିବା ପାଇଁ ଟ. ୩୦୦ ପାଆନ୍ତି । ସେ କୁହନ୍ତି, ‘‘୨୦୦୦ର ଆଦ୍ୟ ବର୍ଗଗୁଡ଼ିକରେ ଆମେ ଏହି କାମ ପାଇଁ ଟ. ୩୦ ପାଉଥିଲୁ । ଗୋଟିଏ ବ୍ରାସ୍ ଭାଙ୍ଗିବା ପାଇଁ ଦୁଇ ଦିନ ସମୟ ଲାଗେ – ଯଦି ହାତ ଭାଙ୍ଗି ନଥାଏ ।’’
ନିମ୍ନ ଜୀବନଧାରଣ ଅବସ୍ଥା ସହିତ ହାଡ଼ଭଙ୍ଗା ପରିଶ୍ରମ ଏହି ପ୍ରବାସୀମାନଙ୍କ ନିମନ୍ତେ ଜୀବନକୁ କଷ୍ଟକର କରିଦିଏ । ସେ ତାଙ୍କ ସ୍ୱାମୀଙ୍କ ସହିତ ଏକ ହଳଦିଆ ରଙ୍ଗର ପୁରୁଣା ପ୍ଲାଷ୍ଟିକ୍ ଟେଣ୍ଟରେ ରୁହନ୍ତି ଯାହାକୁ ସେମାନେ ବିଭିନ୍ନ କାର୍ଯ୍ୟସ୍ଥଳକୁ ନିଜ ସହ ନେଇଥା’ନ୍ତି ।
ଭୀମାବାଇଙ୍କ ପିତାମାତା କୃଷି ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ଏହି ଫଟୋ କୋହ୍ଲାପୁର ଜିଲ୍ଲାର ରାଧାନଗରୀ ତହସିଲ୍ରେ କମ୍ବଲୱାଡ଼ି ଗ୍ରାମରେ ନିଆଯାଇଥିଲା, ଯେଉଁଠାରେ ସିନ୍ଦଗି (ଗ୍ରାମୀଣ) ଗ୍ରାମରୁ ଆସିଥିବା ୧୦ ଜଣ ମହିଳା କାମ କରୁଥିଲେ । ଏହି ମହିଳାମାନେ କହିଥିଲେ ଯେ ସେମାନେ ମହାରାଷ୍ଟ୍ରର କୋହ୍ଲାପୁର, ସତାରା ଏବଂ ପୁନେ ଜିଲ୍ଲାରେ କାର୍ଯ୍ୟ କରିଛନ୍ତି । ସେମାନଙ୍କର ସ୍ୱାମୀମାନେ ମଧ୍ୟ ପଥର ଶ୍ରମିକ ଭାବରେ କାମ କରନ୍ତି । ଏହି ପୁରୁଷମାନେ ନିକଟସ୍ଥ ପାହାଡ଼ରୁ ବଡ଼ ବଡ଼ ପଥର ଭାଙ୍ଗନ୍ତି ଏବଂ ସେଗୁଡ଼ିକୁ ଟ୍ରାକ୍ଟରରେ କାର୍ଯ୍ୟସ୍ଥଳକୁ ଆଣନ୍ତି । ଏହି ମହିଳାମାନେ ଏହା ପରେ ଏସବୁ ପଥରକୁ ଛୋଟ ଛୋଟ ଖଣ୍ଡରେ ଭାଙ୍ଗନ୍ତି । ମହିଳାମାନେ ଆକଳନ କରନ୍ତି, ‘‘ସେମାନଙ୍କ ଗୋଷ୍ଠୀରେ ଥିବା ୧୦-୧୨ ଜଣ ପୁରୁଷ ଟ୍ରାକ୍ଟର ପିଛା ଟ.୧୫୦ ଲେଖାଏଁ ପାଆନ୍ତି ଏବଂ ସେମାନେ ଦିନକୁ ଅତି କମ୍ରେ ୧୦ ଟ୍ରାକ୍ଟର [୧୦ ବ୍ରାସ୍] ଭରିବା ପାଇଁ ଯଥେଷ୍ଟ ପଥର ଭାଙ୍ଗିଥା’ନ୍ତି ।
ଏହି ପ୍ରବାସୀମାନେ ସେମାନଙ୍କ ପିଲାମାନଙ୍କୁ ନିଜ ସହ ନେଇଆସିଥା’ନ୍ତି, ସେମାନଙ୍କ ମଧ୍ୟରୁ ଅନେକ ଅତି ଛୋଟ ଯେଉଁମାନେ ସାଧାରଣତଃ ଶାଢ଼ୀରୁ ତିଆରି ହୋଇଥିବା ଝୁଲାରେ ଶୁଅନ୍ତି । ଅଧିକାଂଶ ଛୋଟ ପିଲା ପ୍ରାରମ୍ଭିକ ସ୍ତରରେ ପହଞ୍ଚିବା ପୂର୍ବରୁ ସ୍କୁଲ୍ ଛାଡ଼ିସାରିଥା’ନ୍ତି ।
ଭୀମାବାଇ କୁହନ୍ତି, ଆଘାତଗୁଡ଼ିକ ସାଧାରଣ କଥା, ‘‘ଆଘାତ ପାଇବା କାମ ବନ୍ଦ କରିବା ନିମନ୍ତେ କୌଣସି ବାହାନା ହୋଇପାରିବ ନାହିଁ । ଅତି ଖରାପ ଅବସ୍ଥାରେ ଆମକୁ ଆମ ଗାଁକୁ ଫେରିଯିବାକୁ ହେବ ।’’ ବେଳେ ବେଳେ ଯେତେବେଳେ ପଥର ଭଙ୍ଗାଯାଏ ଛୋଟ ଛେଲା କିମ୍ବା କଡ଼ଗୁଡ଼ିକରୁ ତୀକ୍ଷ୍ଣ ଅଂଶ ଉଡ଼ିଆସେ ଏବଂ ଅନ୍ୟ ଶ୍ରମିକମାନଙ୍କୁ ଆଘାତ ଦେଇଥାଏ । ଗଙ୍ଗୁବାଇ କୁହନ୍ତି, ‘‘ଛୋଟମୋଟ ଆଘାତ ଆମ ସହ ସବୁବେଳେ ହୋଇଥାଏ ।’’ ଗଙ୍ଗୁବାଇଙ୍କର ବାମ ଆଖି ଏକ ଛୋଟ ପଥର ଖଣ୍ଡରେ ଆଘାତ ପାଇଥିଲା ।
ଅପରାହ୍ଣ ୪ଟା ସମୟ ହୋଇଛି, ଭୀଷଣ ତାତି ଏବଂ ପଥର ଭାଙ୍ଗିବାର ଶବ୍ଦ ହଠାତ୍ ବନ୍ଦ ହୋଇଯାଏ । ମହିଳାମାନେ ପାଞ୍ଚ ମିନିଟ୍ ପାଇଁ ବିଶ୍ରାମ କରିବାକୁ ଏବଂ ପାଣି ପିଇବାକୁ ନିଷ୍ପତ୍ତି ନିଅନ୍ତି । ସେମାନେ ମାରୱାରୀ ଭାଷାରେ ଏକ ଗୀତ ଗାଇ ଗୋଟିଏ ଦଳରେ ବସନ୍ତି । ସେମାନେ କୁହନ୍ତି, ‘‘ଆମ ପୂର୍ବଜମାନେ ରାଜସ୍ଥାନରୁ ଚାଲିଆସିଥିଲେ’’। ‘‘ଆମେ ମାରୱାରୀ କନ୍ନଡ଼ ଏବଂ ମରାଠୀ ଭଲରେ କହିପାରିବୁ ।’’
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଭାଙ୍ଗି-ଯାଇଥିବା-ପଥର-ଫାଟି-ଯାଇଥିବା-ହାଡ଼-ମନେ-ପଡ଼ୁଥିବା-ଗୀତ

