ଅଗଷ୍ଟ ୧ରେ କିନ୍ତୁ ମୁଁ ଲାଟୁର୍ରେ ପହଞ୍ଚିବା ବେଳକୁ, ସେଠାରେ ପରିସ୍ଥିତି ସେମାନଙ୍କ ସପକ୍ଷରେ ଥିଲା । ରାଜ୍ୟ ସରକାର ଶେଷ ସମୟସୀମା ଅଗଷ୍ଟ ୪ ପର୍ଯ୍ୟନ୍ତ ବୃଦ୍ଧି କରିଦେଲେ, ଯାହାଦ୍ୱାରା କୃଷକମାନେ ସେହି ଲମ୍ବା ଧାଡିରେ ଠିଆ ହୋଇ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ କିଛି ଅଧିକ ସମୟ ପାଇପାରିଲେ ।
ଲାଟୁର୍ର ଜାଲ୍କୋଟ୍ରେ ଅବସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ, ନାଗେଶ କେନ୍ଦ୍ରେ, ୪୦, ନିଜ ଗ୍ରହ ଦଶା କଥା ଭାବି ବ୍ୟାଙ୍କରୁ ବାହାରି ଆସିଲେ । ତାଙ୍କର ୧୦ଏକର ବିଶିଷ୍ଟ ଜମି ପାଞ୍ଚ ଜଣଙ୍କ ମଧ୍ୟରେ ବିଭାଜିତ ହୋଇଛି – ତିନି ଭାଇ ଓ ତାଙ୍କ ବାପାମା । ପରିବାରର ପ୍ରତ୍ୟେକ ସଦସ୍ୟ ନିଜ ପାଇଁ ଏକ ଫର୍ମ ଦାଖଲ କରନ୍ତୁ, ଏହା ବ୍ୟାଙ୍କ ଚାହୁଁଛି । “ମୋର ଭାଇ ଲୋହାରେ ପଢୁଛି – ଏଠାରୁ ୫୦ କିମି ଦୂର,” ବୋଲି ସେ କୁହନ୍ତି । “ସେମାନେ ଏତେଦିନ ପର୍ଯ୍ୟନ୍ତ ଆମକୁ ଧାଡିରେ ଠିଆ କରି ରଖିଲେ । ସେ ନିଜ ପାଠ ପଢା ଛାଡି ଛୁଟି ନେଇ ଫସଲ ବୀମାର ପ୍ରିମିୟମ ବାନ୍ଧିବାକୁ କିପରି ଆସି ପାରିବ? ପୁଣି ପରିବାରର ପ୍ରତ୍ୟେକ ସଦସ୍ୟ ପ୍ରିମିୟମ୍ କାହିଁକି ପଇଠ କରିବେ? ଯଦି ସମସ୍ତ କାଗଜପତ୍ର ଠିକ୍ ଅଛି ତେବେ ମୁଁ କାହିଁକି ସେମାନଙ୍କ ପାଇଁ ପଇଠ କରିପାରିବି ନାହିଁ ? ଯଦି ସମସ୍ତେ ଏଠି ଧାଡିରେ ଠିଆ ହେବେ, ତେବେ ଆମ ଜମି କଥା କିଏ ବୁଝିବ ? ଶେଷରେ, ମୁଁ ବ୍ୟାଙ୍କରେ ଝଗଡା କରିବା ପରେ ସେମାନେ ଆଜି ଏହାକୁ ଗ୍ରହଣ କଲେ । ଯଦି ସମୟସୀମା ବଢା ହୋଇନଥାନ୍ତା, ତେବେ ମୁଁ ଅସୁବିଧାରେ ପଡିଯାଇଥାନ୍ତି ।’’
ଏହି ମାନସିକ ଶାନ୍ତି, କିନ୍ତୁ, ଦୀର୍ଘ ସ୍ଥାୟୀ ହୋଇ ପାରିଲା ନାହିଁ। ଅଗଷ୍ଟ ୨, ପୂର୍ବାହ୍ନ ୧୧ଟା ବେଳେ, ବ୍ୟାଙ୍କଗୁଡିକୁ ଅନ୍ୟ ଏକ ଔପଚାରିକ ମେଲ୍ ଆସିଲା, ଯେଉଁଥିରେ ସେମାନେ ଅଫ୍ଲାଇନ୍ରେ କୌଣସି ଫର୍ମ ଗ୍ରହଣ ନକରିବାକୁ କୁହାଯାଇଥିଲା – ଯଦିଓ ଅନ୍ଲାଇନ୍ ଅପ୍ଲୋଡ୍ ପାଇଁ ପୂର୍ବ ନର୍ଦ୍ଦେଶ କ୍ରମେ ଅଗଷ୍ଟ ୪ର ଶେଷ ସମୟସୀମା ଅପରିବର୍ତ୍ତିତ ରହିଲା । ଏହିପରି ଏପଟ-ସେପଟ ହେବା କାରଣ ବିଷୟରେ ଜାଣିବା ପାଇଁ ମୁଁ ବିଡ୍ର ଟକ୍ହେଡ୍ ଶାଖାର ଗଣେଷ ମହେସ୍କଙ୍କୁ ଫୋନ୍ କଲି । “ଆଜି ସକାଳେ ବ୍ୟାଙ୍କ ସାମନାରେ ପ୍ରାୟ ୧୦୦ଜଣ କୃଷକ ଜମା ହୋଇଥିଲେ,’’ ବୋଲି ସେ କହିଲେ । “ମୁଁ କୌଣସି ପ୍ରକାରେ ୧୬୦୦ଫର୍ମ ଗ୍ରହଣ କରିବାକୁ ସମର୍ଥ ହୋଇପାରିଲି । ତାପରେ ବର୍ତ୍ତମାନ ମୁଁ ଆଉ କିଛି କରିପାରିବି ନାହିଁ ବୋଲି କୃଷକମାନଙ୍କୁ କହିଲି । ସେମାନେ ବିରୋଧ କଲେ, ତାପରେ ଇମେଲ୍ ସେବା କେନ୍ଦ୍ର ଆଡକୁ ମାଡି ଗଲେ ।’’
ଟକ୍ହେଡ୍ର ଇମେଲ୍ ସେବା କେନ୍ଦ୍ର ବ୍ୟାଙ୍କଠାରୁ କିଛି ମିଟର୍ ଦୂରତାରେ ଅବସ୍ଥିତ । ଏହା ମଧ୍ୟକୁ ପ୍ରାୟ ୬ -୮ ଜଣ ଲୋକ ଚିପାଚିପି ହୋଇ ପଶିପାରିବେ । ଏହାକୁ ସନ୍ତୋଷ ଗାୟକ୍ୱାଡ୍ ନାମକ ଜଣେ ଯୁବକ ଚଲାନ୍ତି । ଜୁଲାଇ ୩୦ ରେ, ସେ ମୋତେ କହିଲେ ଯେ ୱେବ୍ସାଇଟ୍ (http://agri-insurance.gov.in ) ଏତେ ମାତ୍ରାରେ ଟ୍ରାଫିକ୍ ପରିଚାଳନା କରିବା ପାଇଁ ଅସମର୍ଥ ଅଟେ । “ଡାଉନ୍ଲୋଡ୍, ସ୍କାନିଂ, ଅପ୍ଲୋଡ୍, ଅନ୍ଲାଇନ୍ ପଇଠ- ଆଦି କାମ କରିବା ପାଇଁ ଏଥିରେ ବହୁତ ସମୟ ଲାଗୁଛି,” ବୋଲି ସେ କହିଲେ । “ଏବଂ ଯଦି ମଝିରେ ସର୍ଭର୍ ବ୍ରେକ୍ ଡାଉନ୍ ହୋଇଯିବ, ତେବେ ପୁଣି ଥରେ ଆରମ୍ଭ କରିବାକୁ ହେବ ।’’ ଦିନ ରାତି କେନ୍ଦ୍ରରେ କାମ କରିବା ସତ୍ତ୍ୱେ ଏକ ସପ୍ତାହରେ ସେ କେବଳ ୩୦ ଜଣ କୃଷକଙ୍କ ଫର୍ମ ଅପ୍ଲୋଡ୍ କରିପାରିଲେ । ଆଶା ଓ ନୈରାଶ୍ୟ ମଧ୍ୟରେ ୧୦୦ରୁ ଅଧିକ ଅପେକ୍ଷା କରି ରହିଛନ୍ତି ।
ପଛଲେଖା : ଜୁଲାଇ ୩୧ସୁଦ୍ଧା କେବଳ ୩୯ ଲକ୍ଷ ଫର୍ମ ଗ୍ରହଣ କରାଯାଇଥିଲା, ବୋଲି ରାଜ୍ୟ କୃଷି ମନ୍ତ୍ରୀ ପାଣ୍ଡୁରଙ୍ଗ ଫଣ୍ଡକର ଏହି ରିପୋର୍ଟର୍କୁ ଜଣେଇଛନ୍ତି । ୨୦୧୬ରେ, ୧.୦୯କୋଟି କୃଷକ ଫସଲ ବୀମା ପାଇଁ ଆବେଦନ କରିଥିଲେ ବୋଲି ରାଜ୍ୟ ସରକାର ମାର୍ଚ୍ଚରେ କହିବା ସହ ଏହି ସ୍କିମରେ ସାମିଲ ହେବା ପାଇଁ ଆଧାରକୁ ବାଧ୍ୟତାମୂଳକ କରିଛନ୍ତି । ଯଦିଓ ସରକାର ୨୦୧୭ ପାଇଁ ସମ୍ପୂର୍ଣ୍ଣ ତାଲିକା ଚୂଡାନ୍ତ କରିନାହାନ୍ତି, ତଥାପି ଆବେଦନ ପତ୍ର ସଂଖ୍ୟା ଓ ଶେଷ ସମୟସୀମାକୁ ଅଗଷ୍ଟ ୪ ପର୍ଯ୍ୟନ୍ତ, କେବଳ ୪ ଦିନ ବୃଦ୍ଧି କରିବା କଥା ବିଚାରକୁ ନେଲେ, ଏହି ସଂଖ୍ୟା ଗତ ବର୍ଷ ଫସଲ ବୀମା ପାଇଁ ଆବେଦନ କରିଥିବା କୃଷକଙ୍କ ସଂଖ୍ୟା ସହିତ ସମାନ ହେବା ସମ୍ଭାବନା ଅତି କମ୍ ।
ଏହା ସତ୍ତ୍ୱେ, ଫଣ୍ଡକର୍ଙ୍କ କହିବା ଅନୁସାରେ, ଆମେ ଏହାକୁ ଭିନ୍ନ ଭାବେ ପଢିବା ଉଚିତ । “ପୂର୍ବ ବର୍ଷ ପର୍ଯ୍ୟନ୍ତ, ଆମେମାନେ ଫସଲ ପ୍ରକାର ସଂଖ୍ୟା ହିସାବରେ ଫସଲ ବୀମା ଗ୍ରହଣ କରୁଥିଲୁ । ଏଣୁ ଯଦି ଜଣେ କୃଷକ ଚାରି ପ୍ରକାର ଫସଲ କରିଛନ୍ତି, ତେବେ ତାଙ୍କୁ ଚାରିଟି ଫର୍ମ ପୂରଣ କରିବାକୁ ପଡୁଥିଲା । ଚଳିତ ଥର, କିନ୍ତୁ ଏହା ହେଉଛି ଗୋଟିଏ କୃଷକ, ଗୋଟିଏ ଫର୍ମ, ଯେଉଁ କାରଣରୁ ସଂଖ୍ୟା ହ୍ରାସ ହୋଇଛି । ଆମେ କେବଳ ଅଗଷ୍ଟ ୫ରେ ଅଫ୍ଲାଇନ୍ରେ ଫର୍ମ ଗ୍ରହଣ କରିଛୁ ଓ ସେହି ଦିନ ଆମେ ୧୨୭,୦୦୦ଫର୍ମ ଗ୍ରହଣ କରିଛୁ । ଅଗଷ୍ଟ ୧ରୁ ଅଗଷ୍ଟ ୪ ମଧ୍ୟରେ, ଆମେ କେବଳ ଅନ୍ଲାଇନ୍ରେ ଫର୍ମ ଗ୍ରହଣ କରିଥିଲୁ । ସମସ୍ତ ହିସାବ ସରିବା ବେଳକୁ ଏହାର ସଂଖ୍ୟା ପ୍ରାୟ ୭୦ଲକ୍ଷ ହେବ ବୋଲି ଆମେ ଆଶା କରୁଛୁ ।
ଅନୁବାଦ: ଓଡ଼ିଶାଲାଇଭ୍