

Leh, Jammu and Kashmir
|WED, JUL 24, 2019
‘ବୋଧହୁଏ ଆମେ ପାହାଡ଼ ଦେବତାଙ୍କୁ ରଗେଇ ଦେଲୁ’
ସେମାନଙ୍କ ଭଙ୍ଗୁର ପର୍ବତୀୟ ଜୈବିକ ପରିବେଶରେ ବଡ଼ ଧରଣର ଜଳବାୟୁ ପରିବର୍ତ୍ତନ ଯୋଗୁଁ ଲଦାଖର ସୁଉଚ୍ଚ ଚାରଣ ଭୂମିରେ ରହୁଥିବା ଯାଯାବର ଚାଙ୍ଗ୍ପା ପଶୁପାଳକମାନଙ୍କର ଚମରୀ ଗାଈ ସହ ଜଡ଼ିତ ଅର୍ଥନୀତି ଏବେ ସଙ୍କଟରେ ।
Reporter
Editor
Series Editors
Translator
'ସିକିମ୍ରେ ୩୦୦ ହିମାଳୟର ଚମରୀ ଗାଈଙ୍କ ଅନାହାର ମୃତ୍ୟୁ'
'ଉତ୍ତର ସିକିମ୍ରେ ବରଫରେ ଫସି ଯାଇ ଅନାହାରରେ ପ୍ରାଣ ହରାଇଲେ ପ୍ରାୟ ୩୦୦ ଚମରୀ ଗାଈ'
'ବରଫ ତରଳିବାରୁ ଲୋକଲୋଚନକୁ ଆସିଲାସିକିମ୍ ଚମରୀ ଗାଈଙ୍କ ଦୁଃସ୍ଥିତି'
ଏ ବର୍ଷ ମେ ମାସ ୧୨ ତାରିଖରେ ପ୍ରକାଶିତ ଏସବୁ ଶିରୋନାମା ମତେ ବହୁତ ବାଧିଲା । ଜଣେ ଫଟୋ-ସାମ୍ବାଦିକ ଭାବେ ହିମାଳୟକୁ ମୋ ନିଜର ଯାତ୍ରା ଅନୁଭୂତିରୁ ମୁଁ ଜାଣେ ଯେ, ଏହି ପ୍ରାଣୀମାନଙ୍କୁ ପାଳୁଥିବା ଯାଯାବର ପଶୁପାଳକମାନେ ସେମାନଙ୍କର ସୁରକ୍ଷା ପାଇଁ ଯାହା କିଛି ବି କରିପାରିବେ । ସେହି ସବୁ ବୃହତ୍ ପର୍ବତମାଳାର ବିଭିନ୍ନ ପ୍ରମୁଖ ଅଂଶରେ ବସବାସ କରୁଥିବା ସୁଉଚ୍ଚ ସ୍ଥାନର ପଶୁଚରାଳିମାନଙ୍କ ପାଇଁ ଚମରୀ ଗାଈ ହିଁ ଜୀବନ ରେଖା। ଋତୁ ଅନୁସାରେ, ସେମାନଙ୍କ ପଶୁଧନକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଅନ୍ତି ଯାଯାବର ପଶୁପାଳକମାନେ । ଗ୍ରୀଷ୍ମ ଓ ଶୀତ ଋତୁରେ ନିର୍ଦ୍ଧାରିତ ଚାରଣଭୂମିକୁ ନିଆଅଣା କରନ୍ତି । ଚମରୀ ଗାଈ, ସେମାନଙ୍କର ଆୟର ପ୍ରାଥମିକ ମାଧ୍ୟମ ଏବଂ ଶୀତକାଳୀନ ଖାଦ୍ୟର ଉତ୍ସ ।
ସେହି ସବୁ ଶିରୋନାମାରେ ପ୍ରକାଶିତ କେତେକ ଲେଖାରେ ଚମରୀ ଗାଈଙ୍କ ମୃତ୍ୟୁକୁ ବିଶ୍ଵ ତାପନ ସହ ଯୋଡ଼ା ଯାଇଥିଲା । ଏହା ସ୍ପଷ୍ଟ ବାରି ହେଉଥିଲା ଯେ, ଯଦି ଏହି କଷ୍ଟସହିଷ୍ଣୁ ପ୍ରାଣୀମାନେ ଏଭଳି ଉତ୍ତାପ ସହୁଥିଲେ, ତେବେ ସେମାନଙ୍କ ଚରାଳିମାନେ ବି କଷ୍ଟ ଭୋଗିଥାଆନ୍ତେ । ମୁଁ ସ୍ଥିର କଲି ଯେ ଲଦାଖ୍ର ହାନ୍ଲେ ଉପତ୍ୟକାରେ ରହୁଥିବା ଚାଙ୍ଗ୍ପା ପରିବାର ନିକଟକୁ ଫେରିଯିବି ଏବଂ ଉଭୟ କେମିତି ଅଛନ୍ତି ଦେଖିନେବି ।
ତିବ୍ବତୀୟ ମାଳଭୂମିର ସଂପ୍ରସାରିତ ପଶ୍ଚିମ ଭାଗରେ ଭାରତର ଚାଙ୍ଗଥାଙ୍ଗ୍ ଅଞ୍ଚଳରେ ରହୁଥିବା ଚାଙ୍ଗ୍ପାମାନଙ୍କୁ କଶ୍ମୀରି ଉଲ୍ର ସର୍ବପ୍ରଥମ ଉତ୍ପାଦକମାନଙ୍କ ମଧ୍ୟରେ ସ୍ଥାନିତ ଏବଂ ସେମାନେ ଚମରୀ ଗାଈ ମଧ୍ୟ ପାଳନ୍ତି । ଲେହ ଜିଲ୍ଲାର ନ୍ୟୋମା ବ୍ଲକ୍ରେ ଥିବା ହାନ୍ଲେ ଉପତ୍ୟକାରେ ରହନ୍ତି ଅନେକ ଚାଙ୍ଗ୍ପା ପଶୁପାଳକ ଗୋଷ୍ଠୀ –ଦିକେ, ଖାର୍ଲୁଗ୍, ମାକେ, ରାକେ ଏବଂ ୟୁଲ୍ପା । ସମ୍ଭବତଃ ଦିକେ ଏବଂ ରାକେ ସେଠାକାର ସବୁଠାରୁ ଭଲ ଚମରୀ ଗାଈ ପାଳକ ।
ହାନ୍ଲେର ଜଣେ ଅଭିଜ୍ଞ ଦିକେ ପଶୁପାଳକ, ୩୫ ବର୍ଷୀୟ ଝାମ୍ପାଲ୍ ସେରିଂ କହନ୍ତି, “ଆମେ ଅନେକ ଚମରୀ ଗାଈ ହରାଉଛୁ । ଏବେ ଏଠାକାର (ଉଚ୍ଚ ପର୍ବତରେ) ପାଣିପାଗ ଅନିଶ୍ଚିତ ।” ହାନ୍ଲେରେ ଥିବା ଭାରତୀୟ ଜ୍ୟୋତିର୍ବିଜ୍ଞାନ ପର୍ଯ୍ୟବେକ୍ଷଣାଗାରରେ କାର୍ଯ୍ୟରତ ଏବଂ ଉପତ୍ୟକାର ଖାଲ୍ଦୋ ଗାଁ ନିବାସୀ ସୋନାମ ଦର୍ଜୀଙ୍କ ସୌଜନ୍ୟରୁ ମୁଁ ସେରିଂଙ୍କୁ ସାକ୍ଷାତ କଲି। ପ୍ରାୟ ୧୪,୦୦୦ ଫୁଟ୍ ଉଚ୍ଚତାରେ ଅବସ୍ଥିତ ତାକ୍ନାକ୍ପୋ ଚାରଣ ଭୂମିରେ ଥିବା ତାଙ୍କର ପ୍ରଶସ୍ତଖୁର୍ (ଲଦାଖି ଭାଷାରେ ସେନା ବାହିନୀର ତମ୍ବୁ) ଭିତରେ ସେରିଂ ଆମ ସହ କଥାବାର୍ତ୍ତା କଲେ ।
୨୦୧୯ମେ ମାସରେ ସଂଘଟିତ ସିକିମ୍ ବିପର୍ଯ୍ୟୟର ତିନି ମାସ ପୂର୍ବରୁ ନେପାଳସ୍ଥିତ ଇଣ୍ଟରନ୍ୟାସନାଲ୍ ସେଣ୍ଟର ଫର୍ ଇଣ୍ଟିଗ୍ରେଟେଡ୍ ମାଉଣ୍ଟେନ୍ ଡେଭଲପ୍ମେଣ୍ଟ ତରଫରୁ ପ୍ରକାଶିତ ଏକ ଲେଖାରେ ଦର୍ଶାଯାଇଥିଲା ଯେ, “ଗତ କିଛି ବର୍ଷ ହେଲା ଭୁଟାନ୍, ଭାରତ ଓ ନେପାଳର ଚମରୀ ଗାଈ ସଂଖ୍ୟା ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଇଛି ।” ଗବେଷକମାନେ ଜାଣିପାରିଥିଲେ ଯେ, ଭାରତର ଚମରୀ ଗାଈ ସଂଖ୍ୟା “୧୯୭୭ ମସିହାରେ ୧୩୨,୦୦୦ରୁ ହ୍ରାସ ପାଇ ୧୯୯୭ ମସିହାରେ ୫୧, ୦୦୦ରେ ପହଞ୍ଚିଛି ।” ମାତ୍ର ତିନି ଦଶନ୍ଧିରେ ୬୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି ।
ସ୍ଥାନୀୟ ପଶୁପାଳନ ଓ ଡାଏରୀ ବିଭାଗର ତଥ୍ୟରେ ଦର୍ଶାଯାଇଛି ଯେ ୧୯୯୧ ମସିହାରେ ଲେହ ଜିଲ୍ଲାର ଚମରୀ ଗାଈ ସଂଖ୍ୟା ୩୦,୦୦୦ ଥିବା ବେଳେ ୨୦୧୦ରେ ଏହା ୧୩,୦୦୦କୁ ଖସି ଆସିଲା । ମନେହୁଏ, ସ୍ଥାନୀୟ ତଥ୍ୟ ଉପରେ ଦିଆଯାଇଥିବା ‘ସରକାରୀ’ ତଥ୍ୟ ସହ ମେଳ ଖାଏ ନାହିଁ । ସରକାରୀ ତଥ୍ୟ ଅନୁସାରେ ୨୦୧୨ରେ ଜିଲ୍ଲାର ଚମରୀ ଗାଈ ସଂଖ୍ୟା ଥିଲା ୧୮,୮୭୭ (ଏ କ୍ଷେତ୍ରରେ ମଧ୍ୟ ହ୍ରାସ ହାର ଖୁବ୍ ତୀବ୍ର, ଯାହାକି ୨୧ ବର୍ଷରେ ୩୭ ପ୍ରତିଶତ) ।

Ritayan Mukherjee
ଦିକେ ବସତିରେ ପହଞ୍ଚିବା ସହଜ ନ ଥିଲା । ଅନ୍ୟାନ୍ୟ ପଶୁଚରାଳି ଗୋଷ୍ଠୀ ତୁଳନାରେ ସେମାନଙ୍କ ଚାରଣ ଭୂମି ଉଚ୍ଚ ସ୍ଥାନରେ ରହିଛି। ଏହାବ୍ୟତୀତ ସେମାନଙ୍କ ଶିବିର ଅଞ୍ଚଳ ଭାରତ-ଚୀନ୍ ସୀମା ନିକଟରେ, ଯେଉଁ ସବୁ ସ୍ଥାନକୁ ବେସାମରିକ ନାଗରିକମାନେ ଯିବା ମନା । ବସନ୍ତ ଋତୁ ହୋଇଥିବାରୁ ଏବଂ ସୋନମ ଦର୍ଜୀଙ୍କ ସହାୟତାରେ ମୁଁ ସେହି ବସ୍ତିରେ ପହଞ୍ଚିଲି ।
ଝାମ୍ପାଲ୍ ସେରିଂ କହନ୍ତି, “ଚମରୀ ଗାଈ ଏକ ଚମତ୍କାର ଜୀବ” । “ଚମରୀ ଗାଈମାନେ ବରଫ ଜମିବା ଭଳି ତାପମାନରେ ରହିବାରେ ଅଭ୍ୟସ୍ତ ଏବଂ ମାଇନସ୍ ୩୫ରୁ ମାଇନସ୍ ୪୦ ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ତାପମାନରେ ବଞ୍ଚିପାରିବେ । ହେଲେ, ତାପମାନ ୧୨ କିମ୍ବା ୧୩ ଡିଗ୍ରୀ ସେଲ୍ସିୟସ୍କୁ ବଢ଼ିବା ସେମାନଙ୍କ ପାଇଁ କଷ୍ଟଦାୟକ ହୁଏ । ସେମାନଙ୍କ ମନ୍ଥର ଶରୀର ବୃଦ୍ଧି ପ୍ରକ୍ରିୟା ଯୋଗୁଁ ପ୍ରବଳ ଶୀତରେ ବି ସେମାନେ ଶରୀରର ଉତ୍ତାପ ସଂରକ୍ଷଣ କରିପାରନ୍ତି ଏବଂ ବଞ୍ଚିପାରନ୍ତି । କିନ୍ତୁ ପାଣିପାଗର ଅସ୍ଥିରତା ଚମରୀ ଗାଈକୁ କଷ୍ଟ ଦିଏ ।”
ଦିକେ ବସତିଠାରୁ ପ୍ରାୟ ୪୦କିଲୋମିଟର ଦୂର କାଲା ପରି (କଳା ପାହାଡ଼) ନିକଟରେ ମୁଁ ସିରିଂ ଚୋନ୍ଚମ୍ଙ୍କୁ ଭେଟିଲି । ହାନ୍ଲେ ଉପତ୍ୟକାର ଅଳ୍ପ କେଇ ଜଣ ମହିଳା ଚମରୀ ଗାଈ ମାଲିକଙ୍କ ମଧ୍ୟରୁ ସେ ଜଣେ । ସେ କହନ୍ତି, “ଆଗ ଅପେକ୍ଷା ଅଧିକ ଗରମ ହେଉଥିବାରୁ ମେଣ୍ଢା, ପଶ୍ମିନା ଛେଳି ଏବଂ ଚମରୀ ଗାଈଙ୍କ ଶରୀରର ଲୋମ ପୂର୍ବ ଭଳି ଗହଳିଆ ହୋଇ ବଢୁନାହିଁ । ଆଜିକାଲି ଖୁବ୍ କମ୍ ଏବଂ ମନ୍ଥର ହାରରେ ଲୋମବୃଦ୍ଧି ହେଉଛି । ସେମାନେ ଦୁର୍ବଳ ଲାଗୁଛନ୍ତି। ଆମ ପାଇଁ ଦୁର୍ବଳ ଚମରୀ ଗାଈ ଅର୍ଥ ଉତ୍ପାଦନ କ୍ଷମତା କମିବା । କମ୍ କ୍ଷୀର, କମ୍ ଆୟ। ଗତ ପାଞ୍ଚ ବର୍ଷ ହେଲା ଚମରୀ ଗାଈରୁ ଆମର ରୋଜଗାର ଖୁବ୍ କମିଯାଇଛି।” ରାକେ ପଶୁଚରାଳି ଗୋଷ୍ଠୀର ଚୋନ୍ଚମ୍ ହେଉଛନ୍ତି ଋତୁ ଭିତ୍ତିରେ ବାସସ୍ଥାନ ବଦଳାଉଥିବା ଜଣେ ପଶୁପାଳକ। ସ୍ଵାବଲମ୍ବୀ ଗବେଷକମାନଙ୍କ ଅଧ୍ୟୟନରୁ ଜଣାଯାଏ ଯେ, ଆୟର ସବୁ ଉତ୍ସକୁ ଏକାଠି କଲେ ଏଠାକାର ଗୋଟିଏ ପଶୁପାଳକ ପରିବାରର ହାରାହାରି ମାସିକ ରୋଜଗାର ୨୦୧୨ ମସିହାରେ ପ୍ରାୟ ୮,୫୦୦ ଟଙ୍କା ଥିଲା ।
ପଶୁପାଳକଙ୍କ ଆୟର ଏକ ଗୁରୁତ୍ଵପୂର୍ଣ୍ଣ ଭାଗ ହେଲା ଚମରୀ ଗାଈର କ୍ଷୀର ଏବଂ ଚମରୀ ଗାଈ ପାଳନରୁ ମିଳୁଥିବା ମୋଟ୍ ଆୟର ଏହା ୬୦ ପ୍ରତିଶତ ମଧ୍ୟ ହୋଇପାରେ । ଚାଙ୍ଗ୍ପାମାନଙ୍କର ଆୟର ବାକି ଭାଗ ଖୁଲୁ (ଚମରୀ ଗାଈର ଲୋମ) ଏବଂ ଉଲ୍ରୁ ମିଳେ । ତେଣୁ ଚମରୀ ଗାଈଙ୍କ ସଂଖ୍ୟା କମିବା ଏବଂ କ୍ଷୀର ଉତ୍ପାଦନ ହ୍ରାସ ପାଉଥିବା ଯୋଗୁଁ ସେମାନଙ୍କ ରୋଜଗାର ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏହି ସବୁ ପରିବର୍ତ୍ତନ କାରଣରୁ ଚମରୀ ଗାଈ ସହ ଜଡିତ ଅର୍ଥନୀତି ଏବେ ଚାପଗ୍ରସ୍ତ ।
ସେରିଂ ଚୋନ୍ଚମ୍ କହନ୍ତି, “ଏଣିକି ଆଉ ଠିକ୍ ସମୟରେ ବର୍ଷା ହେଉନାହିଁ କି ବରଫ ପଡୁନାହିଁ । ତେଣୁ ପାହାଡ଼ରେ ପର୍ଯ୍ୟାପ୍ତ ଘାସ ନାହିଁ । ଏହି କାରଣରୁ ଏଠାକୁ ଆସୁଥିବା (ପଶୁପାଳକ) ଯାଯାବର ସଂଖ୍ୟା ହ୍ରାସ ପାଇଛି । ମୁଁ କହିବି ଯେ,ଏହି ସବୁ ପରିବର୍ତ୍ତନ କାରଣରୁ, ଘାସର ଅଭାବ ଏବଂ ତଦ୍ଜନିତ ସମସ୍ୟା ଯୋଗୁଁ, ସେମାନଙ୍କ ସଂଖ୍ୟା (ସେଠାକାର ଆନୁମାନିକ ୨୯୦ ପଶୁପାଳକ ପରିବାରରୁ) ପ୍ରାୟ ୪୦ ପ୍ରତିଶତ କମିଯାଇଛି ।”
“ମୋ ପୁଅ ଏଠାକାର ପର୍ଯ୍ୟବେକ୍ଷଣାଗାରରେ କାମ କରେ । ଏଥିରୁ ମୋତେ କିଛିଟା ସହାୟତା ମିଳେ । ଚାଙ୍ଗ୍ପା ପରିବାରର ବହୁ ଯୁବକ, ବର୍ଡର ରୋଡ୍ ଅର୍ଗାନାଇଜେସନ୍ କିମ୍ବା ଜେନେରାଲ ରିଜର୍ଭ ଇଞ୍ଜିନିୟର ଫୋର୍ସ୍ ସଂସ୍ଥାରେ ଦିନ ମଜୁରିଆ ଭାବେ ବିଭିନ୍ନ ସଡ଼କ ନିର୍ମାଣ ଯୋଜନାରେ କାମ କରିବା ଆରମ୍ଭ କଲେଣି ।” ଅନେକ ବ୍ୟକ୍ତି କାମ ଖୋଜିବାକୁ ଅନ୍ୟ କେଉଁ ସ୍ଥାନକୁ ପଳାଇ ଗଲେଣି ।
ସ୍ଥାନୀୟ ପର୍ଯ୍ୟବେକ୍ଷଣାଗାରରେ କାମ କରୁଥିବା ସେହି ପୁଅ ହିଁ ସୋନମ୍ ଦର୍ଜୀ, ଯିଏ ମୋତେ ଏହି ଯାତ୍ରାକାଳରେ ସାହାଯ୍ୟ କରିଥିଲେ । ସୋନମ୍ ନିଜେ ପାହାଡ଼ରେ ସଂଘଟିତ ପରିବର୍ତ୍ତନର ଜଣେ ମନଯୋଗୀ ପର୍ଯ୍ୟବେକ୍ଷକ ।
‘ପାଣିପାଗରେ ଅନେକ ପରିବର୍ତ୍ତନ ଘଟିଛି। ମୋତେ ଯେତେବେଳେ ୧୫ ବର୍ଷ ହୋଇଥିଲା ଏଠାରେ ବହୁତ ଥଣ୍ଡା ପଡୁଥିଲା...ଜାଣିଥିବା ଲୋକେ କହନ୍ତି ଯେ ଏହା ମାଇନସ୍ ୩୫ ଡିଗ୍ରୀ ସେଲ୍ସିୟସକୁ ଖସି ଆସୁଥିଲା।’

ସେ କହନ୍ତି, “ପାଣିପାଗରେ ଅନେକ ପରିବର୍ତ୍ତନ ଘଟିଛି”। “ମୋତେ ଯେତେବେଳେ ପ୍ରାୟ ୧୫ ବର୍ଷ (ମୋତେ ଏବେ ୪୩ ବର୍ଷ ଏବଂ ମୁଁ ପ୍ରାୟ ୩୦ ବର୍ଷ ତଳର କଥା କହୁଛି) ହୋଇଥିଲା ଏଠାରେ ବହୁତ ଥଣ୍ଡା ପଡୁଥିଲା । ସେତେବେଳେ ମୁଁ ନିଜେ ତାପମାନ ମାପି ନଥିଲି, କିନ୍ତୁ ଜାଣିଥିବା ଲୋକେ କହନ୍ତି ଯେ ଏହା ମାଇନସ୍ ୩୫ ଡିଗ୍ରୀ ସେଲ୍ସିୟସ୍କୁ ଖସି ଆସୁଥିଲା । ସେହି ପ୍ରକାର କଠୋର ଥଣ୍ଡା ସହ ମେଳ ଖୁଆଇବାକୁ ଲୋକଙ୍କୁ ଲୁଗାପଟା କରିବାକୁ ପଡୁଥିଲା । ଏବେ ସେମାନେ ପିନ୍ଧୁଥିବା ସିନ୍ଥେଟିକ୍ ସାମଗ୍ରୀର ଜ୍ୟାକେଟ୍ ନୁହେଁ । ଯାହା କିଛି ସେମାନେ ପିନ୍ଧୁଥିଲେ ସବୁ ପଶ୍ମିନା ଛେଳିର ଉଲ୍ରେ ବୁଣା ହେଉଥିଲା - ଟୋପି, ପୋଷାକ, ସବୁକିଛି । ଜୋତାର ତଳଭାଗରେ, ଭିତର ପାଖରେ ସିଧା ହୋଇଥିବା ଖଣ୍ଡେ ଚମରୀ ଗାଈର ଚମଡ଼ା ଦିଆଯାଉଥିଲା ଏବଂ ସ୍ଥାନୀୟ କପଡ଼ାରୁ ତିଆରି ହୋଇଥିବା ଜୋତାକୁ ଆଣ୍ଠୁ ଉପର ଯାଏ ବାନ୍ଧିବା ପାଇଁ ଫିତା ଥିଲା । ଏବେ ଆପଣ କେଉଁଠି ହେଲେ ବି ଏ ପ୍ରକାର ଜୋତା ଦେଖିବାକୁ ପାଇବେନି ।”
ପଶ୍ଚିମ ହିମାଳୟ ଅଞ୍ଚଳର ଲଦାଖ ଏବଂ ଲାହୌଲ ଓ ସ୍ପିତିରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଶୀର୍ଷକ ୨୦୧୬ ମସିହାରେ ପ୍ରକାଶିତ ସେମାନଙ୍କ ଅଧ୍ୟୟନ ପତ୍ରରେ ଗବେଷକ ଟୁଣ୍ଡୁପ୍ ଆଙ୍ଗ୍ମୋ ଏବଂ ଏସ୍.ଏନ୍. ମିଶ୍ର କହନ୍ତି, ଆଗକୁ ଆହୁରି ଉତ୍ତାପ ବୃଦ୍ଧି ହେବ । ପାଣିପାଗ ବିଭାଗରୁ (ଲେହରବାୟୁ ସେନା ଷ୍ଟେସନ୍) ମିଳିଥିବା ତଥ୍ୟରେ ସ୍ପଷ୍ଟ ସୂଚନା ରହିଛି ଯେ, ଲେହର ସର୍ବନିମ୍ନ ତାପମାନ ବଢ଼ିବାରେ ଲାଗିଛି । ବିଗତ ୩୫ ବର୍ଷରେ ଶୀତ ଦିନରେ ଏହା ପ୍ରାୟ ୧ ଡିଗ୍ରୀ ସେଲ୍ସିୟସ୍ ଏବଂ ଗ୍ରୀଷ୍ମରେ ପାଖାପାଖି ୦.୫ ଡିଗ୍ରୀ ସେଲ୍ସିୟସ ବଢ଼ିଛି । ନଭେମ୍ବରରୁ ମାର୍ଚ୍ଚ ମାସ ମଧ୍ୟରେ ବୃଷ୍ଟିପାତ ପରିମାଣ କମୁଥିବା ଲକ୍ଷ୍ୟ କରାଯାଇଛି ଅର୍ଥାତ୍. ବରଫ ପଡ଼ିବା ବି କମ୍ ହେଉଛି ।”
ସେମାନେ ଆହୁରି କହନ୍ତି: “ଗତ କିଛି ବର୍ଷ ଧରି, ଲଦାଖ ଏବଂ ଲାହୌଲ ଓ ସ୍ପିତିରେ ବିଶ୍ଵ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବଢ଼ିବାରେ ଲାଗିଥିବା ଦେଖାଯାଇଛି । ବୃଷ୍ଟିପାତ ଓ ତୁଷାରପାତର ଧାରା ବଦଳିବାରେ ଲାଗିଛି; ଛୋଟ ଛୋଟ ହିମଖଣ୍ଡ ଏବଂ ସବୁଦିନ ପାଇଁ ତୁଷାରାଚ୍ଛନ୍ନ ରହୁଥିବା କ୍ଷେତ୍ର ତରଳୁଛି, ନଦୀ ଓ ଝରଣାରେ ଜଳପ୍ରବାହକୁ ଏହା ପ୍ରଭାବିତ କରୁଛି ଏବଂ ତାପମାନ ବଢ଼ିବା ସହ ଆର୍ଦ୍ରତା ବଢୁଥିବାରୁ କୀଟପତଙ୍ଗଙ୍କ ଅନୁପ୍ରବେଶ ଏବଂ ଆକ୍ରମଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେଉଛି ।”
ଝାମ୍ପାଲ ସେରିଂଙ୍କ ତମ୍ବୁକୁ ଫେରିବା । ତାଙ୍କ ବନ୍ଧୁ ସାଙ୍ଗ୍ଡ଼ା ଦର୍ଜୀ ଆମକୁ ପଚାରିଥିଲେ, “ଏଥର ଆପଣ କେତୋଟି ରେବୋ ଦେଖିଛନ୍ତି?”
ଚାଙ୍ଗପାମାନେ ରହୁଥିବା ତମ୍ବୁକୁ ରେବୋ କୁହାଯାଏ । ଗୋଟିଏ ରେବୋ ତିଆରି କରିବା ପାଇଁ ପରିବାର ଲୋକେ ଚମରୀ ଗାଈର ଉଲ୍ରୁ ସୂତା କାଟନ୍ତି ଏବଂ ତା ପରେ ଏହାକୁ ବୁଣି ଏବଂ ଏକାଠି ଯୋଡ଼ି ସିଲାଇ କରନ୍ତି । ଏହି ଜିନିଷଟି ଯାଯାବରମାନଙ୍କୁ ଅତ୍ୟଧିକ ଥଣ୍ଡାରୁ ଏବଂ ବରଫପୂର୍ଣ୍ଣ ପବନରୁ ରକ୍ଷା କରେ ।
ସାଙ୍ଗ୍ଡ଼ା କହନ୍ତି, “ଅଧିକାଂଶ ପରିବାର ପାଖରେ (ଆଜିକାଲି) ନିଜସ୍ଵ ରେବୋ ନାହିଁ । ନୂଆ ରେବୋ ସିଲେଇ ପାଇଁ ଉଲ୍ କାହିଁ ? ଗତ କିଛି ବର୍ଷ ହେଲା ଚମରୀ ଗାଈର ଉଲ୍ ପରିମାଣ ତୀବ୍ର ଭାବେ ହ୍ରାସ ପାଇଛି । ରେବୋ ବିନା ଆମ ଯାଯାବର ଜୀବନଶୈଳୀର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ଚାଲିଯାଇଛି ଏବଂ ଏଥିପାଇଁ ମୁଁ ଶୀତଦିନର ତାପମାନ ବୃଦ୍ଧିକୁ ଦାୟୀ କରେ ।”
ମୋର ହୃଦ୍ବୋଧ ହେବାରେ ଲାଗିଲା ଯେ ସିକିମ୍ରେ ମେ ମାସରେ ଘଟିଥିବା ଘଟଣା ସଂପୂର୍ଣ୍ଣ ଭାବେ ଅନିର୍ଦ୍ଦିଷ୍ଟ ନୁହେଁ । ଆଗକୁ ଆହୁରି ଅଧିକ ଖରାପ ହୋଇପାରେ । ପଶୁଚରାଳିମାନେ ଜଳବାୟୁ ପରିବର୍ତ୍ତନ ଭଳି ଶବ୍ଦ ବ୍ୟବହାର କରନ୍ତି ନାହିଁ ସତ, କିନ୍ତୁ ମନେହୁଏ ଏହାର ପ୍ରଭାବକୁ ସେମାନେ ଖୁବ୍ ଭଲ ଭାବେ ବର୍ଣ୍ଣନା କରିପାରନ୍ତି । ସେମାନେ ମଧ୍ୟ ବୁଝିପାରନ୍ତି ଯେ ବହୁତ ବଡ଼ ପରିବର୍ତ୍ତନ ଘଟିଛି । ଯାହାକି ସୋନମ୍ ଦର୍ଜୀ ଏବଂ ସେରିଂ ଚୋନ୍ଚମ୍ଙ୍କ କଥାରୁ ଆମେ ଲକ୍ଷ୍ୟ କରୁ । ସେମାନେ ମଧ୍ୟ ବୁଝିପାରନ୍ତି ଯେ କେତେକ ପ୍ରମୁଖ ଧାରା ପରିବର୍ତ୍ତନ, ଏମିତି କି ସ୍ଥିତି ପରିବର୍ତ୍ତନ, ଅଧିକ ମାତ୍ରାରେ ମାନବୀୟ ସଂସ୍ଥା ଦ୍ଵାରା ସଂଘଟିତ ହେଉଛି। ବୋଧହୁଏ ସେଥିପାଇଁ ୬୦ ବର୍ଷରୁ ଅଧିକ ବୟସର ଅଭିଜ୍ଞ ପଶୁପାଳକ ଗମ୍ବୁ ଟାଶି ମତେ କହିଲେ, “ହଁ, ମୁଁ ଜାଣିଛି ଯେ ପାହାଡ଼ର ଜଳବାୟୁ ଦୁଃସାଧ୍ୟ । ଅପ୍ରତ୍ୟାଶିତ । ବୋଧହୁଏ ଆମେ ପାହାଡ଼ ଦେବତାଙ୍କୁ ରଗେଇ ଦେଲୁ ।”
Ritayan Mukherjee
Ritayan Mukherjee
Ritayan Mukherjee

Ritayan Mukherjee
Ritayan Mukherjee
Ritayan Mukherjee
Ritayan Mukherjee
Ritayan Mukherjee
Ritayan Mukherjee
Ritayan Mukherjee
Ritayan Mukherjee
PARIର ଜଳବାୟୁ ପରିବର୍ତ୍ତନ ସଂପର୍କିତ ଦେଶବ୍ୟାପୀ ରିପୋର୍ଟିଂ ଅଭିଯାନ UNDP ସମର୍ଥିତ ଏକ ଅଭିଯାନର ଅଂଶବିଶେଷ । ଏହି ସଂଘଟନ ସଂପର୍କରେ ସାଧାରଣ ଲୋକଙ୍କ ସ୍ଵର ଓ ଜୀବନାନୁଭୂତିକୁ ଧରି ରଖିବା ପାଇଁ ଏହା ଏକ ପ୍ରୟାସ ।
ଏହି ଲେଖାର ପୁନଃପ୍ରକାଶନ କରିବାକୁ ଚାହାଁନ୍ତି କି ?ଦୟାକରି [email protected] କୁ ଲେଖନ୍ତୁ ଏବଂ [email protected]କପି ପଠାନ୍ତୁ ।
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ବୋଧହୁଏ-ଆମେ-ପାହାଡ଼-ଦେବତାଙ୍କୁ-ରଗେଇ-ଦେଲୁ

