ମଞ୍ଜିତ କୌର ନିଜର ଦୁଇ ହାତରେ ଗୁହାଳର ଇଟା ଓ କାଦୁଅ ଚଟାଣରୁ ମଈଁଷି ଗୋବର ସଫା କରିଥାନ୍ତି। ତଳେ ଟେକି ହୋଇ ବସି, ଏହି ୪୮ ବର୍ଷୀୟା ମହିଳା ଜଣକ ଚଟାଣରେ ପଡ଼ିଥିବା ବହଳିଆ ଗୋବର ଉଠାଇଥାନ୍ତି, ତା’କୁ ବାଲଟା (ଝୁଡ଼ି)ରେ ଭର୍ତ୍ତି କରି ମୁଣ୍ଡରେ ବୋହି ଚାଲିଥାନ୍ତି। ସତର୍କତାର ସହିତ ମୁଣ୍ଡ ଉପରେ ଥିବା ଓଜନର ସନ୍ତୁଳନ ରକ୍ଷା କରି ସେ ଗୁହାଳର କାଠ ଫାଟକ ପାର୍ ହୋଇ ପାଖାପାଖି ୫୦ ମିଟର ଦୂର ଗୋବର ଗଦା ପାଖକୁ ଯାଆନ୍ତି। ତାଙ୍କ ଛାତି ଉଚ୍ଚା ଠିଆ ହୋଇଥିବା ଗୋବର ଗଦା, ତାଙ୍କର ଦୀର୍ଘ ମାସ ଶ୍ରମର ପ୍ରମାଣ ଦେଇଥାଏ।
ଏହା ଏକ ଉତ୍ତପ୍ତ ଏପ୍ରିଲ ମାସର ଅପରାହ୍ଣ। ୩୦ ମିନିଟ୍ ମଧ୍ୟରେ, ମଞ୍ଜିତ ନିଜର ଏହି ଛୋଟ ଯାତ୍ରାକୁ ଆଠ ଥର ଦୋହରାଇଥାନ୍ତି। ଶେଷରେ, ସେ ନିଜ ଖାଲି ହାତକୁ ପାଣି ପାତ୍ରରେ ଧୂଅନ୍ତି। ସେଦିନର କାମ ସାରି ଫେରିବା ପୂର୍ବରୁ, ସେ ନିଜର ଛୋଟ ନାତି ପାଇଁ କୌଣସି ଗୋଟିଏ ମଇଁଷିଠାରୁ ଅଧାଲିଟର କ୍ଷୀର ଦୁହିଁ ଷ୍ଟିଲ କଣ୍ଟେନରରେ ଭରିଥାନ୍ତି।
ସକାଳ ୭ଟାଠାରୁ ସେ ଏହି କାମ ଆରମ୍ଭ କରିଛନ୍ତି, ଏହା ତାଙ୍କର ଷଷ୍ଠ ଘର। ଘରର ମାଲିକମାନେ ହେଉଛନ୍ତି ଜାଟ୍ ଶିଖ ସମ୍ପ୍ରଦାୟର, ପଞ୍ଜାବର ତର୍ଣ୍ଣ ତରନ ଜିଲ୍ଲାରେ ଥିବା ତାଙ୍କ ଗାଁ ହାଭେଲିୟାଁରେ ଏମାନେ ହେଉଛନ୍ତି ପ୍ରଭାବଶାଳୀ ଜାତିର ଜମିଦାର।
ସେ କୁହନ୍ତି, ‘‘ମଜବୁରୀ ହୈ।’’ ଅସହାୟତା କାରଣରୁ ସେ ଜୀବିକା ନିର୍ବାହ ପାଇଁ ଗୁହାଳ ସଫା କରିବାକୁ ବାଧ୍ୟ ହେଉଛନ୍ତି। ଗୋଟିଏ ଦିନରେ ସେ କେତେ ଓଜନର ଗୋବର ନିଜ ମୁଣ୍ଡରେ ମୁଣ୍ଡାଇ ବୋହିଥାନ୍ତି ତାହା ସେ ଜାଣନ୍ତି ନାହିଁ, କିନ୍ତୁ କୁହନ୍ତି, ‘‘ବଡା ସିର ଦୁଖଦା ହୈ, ଭାର୍ ଚୁକଦେ ଚୁକଦେ ’’ [ମୁଣ୍ଡରେ ସବୁ ଓଜନ ବୋହିବା କାରଣରୁ ମୋ ମୁଣ୍ଡ ଯନ୍ତ୍ରଣାରେ ଫାଟି ପଡ଼ିଥାଏ]
ଚାଲି ଚାଲି ସେ ଘରକୁ ଫେରିବା ସମୟରେ, ରାସ୍ତାରେ ଦିଗନ୍ତ ବିସ୍ତାରୀ ସୁନେଲି ରଙ୍ଗର ଗହମ କ୍ଷେତ ବ୍ୟାପି ରହିଥାଏ। ଖୁବଶୀଘ୍ର ଏସବୁର ଅମଳ ହୋଇଯିବ, ଠିକ୍ ବୈଶାଖୀ ପରେ ପରେ। ଏପ୍ରିଲ ମାସରେ ପଡ଼ୁଥିବା ଏହି ପର୍ବଠାରୁ ପଞ୍ଜାବରେ କୃଷି ଋତୁ ଆରମ୍ଭ ହୋଇଥାଏ। ହାଭେଲିୟାଁର ଜାଟ ଶିଖମାନଙ୍କ ପାଖରେ ଗଣ୍ଡିୱିଣ୍ଡ ବ୍ଲକର ସବୁଠୁ ଅଧିକ ଚାଷ ଜମି ରହିଛି, ଏଥିରେ ମୁଖ୍ୟତଃ ଧାନ ଓ ଗହମ ଚାଷ ହୋଇଥାଏ।















