ସେମାନଙ୍କ ମଧ୍ୟରେ ଦତ୍ତାତ୍ରେୟ ସୁରଭିଙ୍କର ୧୧ ବର୍ଷୀୟ ପୁଅ ବିବେକ ଯିଏକି ଷଷ୍ଠ ଶ୍ରେଣୀରେ ପଢୁଛନ୍ତି ସିଏ ସାମିଲ। ଦତ୍ତାତ୍ରେୟ କହିଲେ, “ଖୁବ୍ କମ୍ ସମୟରେ ଶିକ୍ଷକମାନେ ଶ୍ରେଣୀ ଗୃହରେ ଉପସ୍ଥିତ ହୋଇଥାନ୍ତି’’ । "ଅନ୍ୟ ଜିଲ୍ଲାରେ ଥିବା ଅଧିକାଂଶ ସ୍କୁଲରେ ବଜେଟ୍କୁ ଦୃଷ୍ଟିରେ ରଖି ବିଜୁଳି କାଟ କରାଯାଇଥାଏ । ଏହା ଦର୍ଶାଉଛି ଯେ ଜିଲ୍ଲା ପରିଷଦ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ କୌଣସି ଦରଦ ନାହିଁ ।’’
ସୁରଭି ଜଣେ ଚାଷୀ ହୋଇଥିବା ବେଳେ ସେ ତାଙ୍କ ପୁଅକୁ ଯଥାସାଧ୍ୟ ଶିକ୍ଷା ଦେବାକୁ ଚାହାନ୍ତି । ସେ କହିଲେ, “ଚାଷ କରିବାରେ ଆଉ କୌଣସି ଭବିଷ୍ୟତ ନାହିଁ।’’ ସେ ଏବେ ସ୍କୁଲ ଫି’ ବାବଦରେ ବର୍ଷକୁ ୩୦୦୦ ଟଙ୍କା ଦେଉଛନ୍ତି । “ମୁଁ ତାକୁ ସେଠାରୁ ଘରୋଇ ସ୍କୁଲକୁ ନେଇଆସିଲି କାରଣ ମୁଁ ତାର ଭବିଷ୍ୟତ ସହିତ ବୁଝାମଣା କରିବାକୁ ଚାହୁଁନାହିଁ ।’’
ଅହମ୍ମଦନଗରସ୍ଥିତ ଶିକ୍ଷାବିତ୍ ହେରମ୍ଭ କୁଲକର୍ଣ୍ଣୀ କହିଲେ, ବହୁ ପରିବାର ସେମାନଙ୍କ ପିଲା ଇଂରାଜୀ ଭାଷାକୁ ଭଲ ଭାବେ ଶିକ୍ଷା କରୁ ବୋଲି ଚାହୁଁଛନ୍ତି । ସେଥିପାଇଁ ଅଭିଭାବକମାନେ ଜିଲ୍ଲା ପରିଷଦ ସ୍କୁଲ ବଦଳରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ ପସନ୍ଦ କରୁଛନ୍ତି । ମହାରାଷ୍ଟ୍ରର ଜିଲ୍ଲା ପରିଷଦ ସ୍କୁଲରେ ମରାଠୀ ଭାଷାରେ ଶିକ୍ଷା ଦିଆଯାଉଛି ।
ସୂଚନା ଅଧିକାର ଆଇନ ଅନୁସାରେ ମିଳିଥିବା ତଥ୍ୟ ଅନୁସାରେ ୨୦୦୭-୦୮ରେ ମହାରାଷ୍ଟ୍ରର ଜିଲ୍ଲା ପରିଷଦ ସ୍କୁଲରେ ପ୍ରଥମ ଶ୍ରେଣୀରେ ୧.୨ ନିୟୁତରୁ ଅଧିକ ପିଲା ନାମ ଲେଖାଇଥଲେ । ୧୦ ବର୍ଷ ପରେ ୨୦୧୭-୧୮ରେ ଏହି ସବୁ ସ୍କୁଲରୁ ମାତ୍ର ୩୦, ୨୪୮ ଜଣ ପିଲା-କିମ୍ବା ୨.୫% ପିଲା ଦଶମ ଶ୍ରେଶୀ ଶିକ୍ଷା ଶେଷ କଲେ ।
ଅଧିକାଂଶ ଜିଲ୍ଲା ପରିଷଦ ସ୍କୁଲରେ ସପ୍ତମ ଏବଂ ଅଷ୍ଟମ ଶ୍ରେଣୀ ଯାଏ ପାଠ ପଢିବାର ବ୍ୟବସ୍ଥା ରହିଛି (ଦଶମ ଶ୍ରେଣୀ ଯାଏ ନୁହେଁ) ତଥାପି ମଧ୍ୟ ତାକୁ ଦୃଷ୍ଟିରେ ରଖିଲେ ପାସ୍ କରୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ସନ୍ତୋଷଜନକ ନୁହେଁ । ୨୦୦୯-୧୦ରେ ରାଜ୍ୟର ଜିଲ୍ଲା ପରିଷଦରେ ପ୍ରଥମ ଶ୍ରେଣୀରେ ୧.୧ ନିୟୁତରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ । ୮ ବର୍ଷ ପରେ ୨୦୧୭-୧୮ ସୁଦ୍ଧା ଅଷ୍ଟମ ଶ୍ରେଣୀରେ ମାତ୍ର ୧୨୩,୭୩୯ ଜଣ ଛାତ୍ରଛାତ୍ରୀ ଥିଲେ । ଅର୍ଥାତ୍ ଏହା ମଧ୍ୟରେ ୮୯ % ଛାତ୍ରଛାତ୍ରୀ ସ୍କୁଲ ଛାଡ଼ି ଦେଇଥିଲେ ।
ତେବେ, ବିସ୍ଥାପନ ଯୋଗୁଁ ମଧ୍ୟ ଜିଲ୍ଲା ପରିଷଦ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମୁଛି । ଯେତେବେଳେ କୃଷକ ଓ ଶ୍ରମିକମାନେ କାମ ପାଇଁ ଋତୁକାଳୀନ ବିସ୍ଥାପିତ ହୁଅନ୍ତି, ସେମାନେ ସାଙ୍ଗରେ ନିଜର ପିଲାମାନଙ୍କୁ ନେଇ ଯାଆନ୍ତି । ଜଣେ ଭେଟେରାନ୍ କମ୍ୟୁନିଷ୍ଟ କୃଷକ ନେତା ରାଜନ କାଶୀରସାଗରଙ୍କ ଅନୁସାରେ, ମରାଠୱାଡ଼ାର କୃଷିପ୍ରଧାନ ଜିଲ୍ଲାଗୁଡ଼ିକରୁ ବିସ୍ଥାପିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି-ଏବଂ ଅତି କମ୍ରେ ୬ ଲକ୍ଷ କୃଷକ ଏହି ଅଞ୍ଚଳ ଭିତରେ ବା ପଶ୍ଚିମ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକକୁ ନଭେମ୍ବରରୁ ମାର୍ଚ୍ଚ ଭିତରେ ଆଖୁ କାଟିବା କାମ ପାଇଁ ବିସ୍ଥାପିତ ହୁଅନ୍ତି ।
କୈଳାସ ଓ ଶାରଦା ପ୍ରତିବର୍ଷ ପର୍ଭାଣିର ଦେବେଗାଁଓ ଗାଁରୁ ୬୦ କିମି ଦୂର ବିଡରର ତେଲଗାଁଓ କେଏଚ୍ରେ ଏକ ଚିନି କଳରେ କାମ କରିବାକୁ ଯାଆନ୍ତି । ସେମାନେ ସେମାନଙ୍କର ଶିଶୁ ପୁତ୍ର ହର୍ଷବର୍ଦ୍ଧନ ଓ ଶାରଦାଙ୍କର ୧୨ ବର୍ଷର ଝିଆରୀ ଐଶ୍ୱର୍ଯ୍ୟା ୱାଙ୍ଖଡେଙ୍କୁ ସାଙ୍ଗରେ ନେଇ ଯାଆନ୍ତି । କୈଳାସ କହନ୍ତି, ‘ଦାରିଦ୍ର୍ୟ ତା’ର ଶିକ୍ଷାକୁ ପ୍ରଭାବିତ କରିଛି । ସେ ଓ ଶାରଦା ସେମାନଙ୍କର ୫ ଏକର ଚାଷ ଜମିରେ କପା ଓ ସୋୟାବିନ ଚାଷ କରନ୍ତି, କିନ୍ତୁ ସେତିକି ଲାଭ ହେଲା ନାହିଁ ଯାହାଫଳରେ ସେମାନେ ବର୍ଷ ସାରା ଚଳିପାରିବେ । ‘‘ଦିନ ବେଳା ଆମେ କ୍ଷେତରେ କାମ କରିବା ବେଳେ ସେ ଆମ ପୁଅର ଦେଖାରଖା କରେ।’’ (୨୦୦୦ ଘଣ୍ଟା ଧରି ଆଖୁ କାଟିବା ଦେଖନ୍ତୁ)