କଡ଼ଲୁର ମାଛ ଧରା ବନ୍ଦରରେ କାରବାର ଆରମ୍ଭ କରିବା ସମୟରେ ତାଙ୍କୁ ମାତ୍ର ୧୭ ବର୍ଷ ବୟସ ହୋଇଥିଲା । କାରବାର ଆରମ୍ଭ କରିବା ଲାଗି ମା’ ଦେଇଥିବା ୧୮୦୦ ଟଙ୍କାର ପୁଞ୍ଜି ହିଁ ତାଙ୍କ ପାଇଁ ସବୁକିଛି ଥିଲା। ଆଜି ୬୨ ବର୍ଷୀୟା ବେଣୀ ବନ୍ଦରରେ ଜଣେ ସଫଳ ନିଲାମକାରୀ ଏବଂ ବିକ୍ରେତା ପାଲଟିଛନ୍ତି । ‘‘ଧୀରେ ଧୀରେ କରି’’ ନିଜର ଘର ନିର୍ମାଣ କରିବା ଭଳି, ସେ ନିଜର ବ୍ୟବସାୟକୁ ମଧ୍ୟ ପ୍ରତିଷ୍ଠା କରିଛନ୍ତି, ଯାହାକୁ ନେଇ ସେ ଗର୍ବ କରିଥାନ୍ତି ।
ମଦ୍ୟପ ସ୍ୱାମୀ ଆରପାରିକୁ ଚାଲିଯିବା ପରେ, ବେଣୀ ଏକାକୀ ତାଙ୍କର ୪ ଜଣ ପିଲାଙ୍କୁ ବଢ଼ାଇଥିଲେ। ତାଙ୍କର ଦୈନିକ ଆୟ ଖୁବ୍ କମ୍ ଥିଲା, ଯାହାକି ଚଳିବା ପାଇଁ ଯଥେଷ୍ଟ ହେଉନଥିଲା। ରିଙ୍ଗ ସିନ୍ ମାଛ ଧରା ଆରମ୍ଭ ହେବା ପରେ ସେ ଲକ୍ଷ ଲକ୍ଷ ଟଙ୍କା ଋଣ କରି ଡଙ୍ଗାରେ ନିବେଶ କରିଥିଲେ। ଏହି ନିବେଶରୁ ମିଳିଥିବା ଲାଭରେ ସେ ନିଜ ପିଲାମାନଙ୍କୁ ପାଠ ପଢ଼ାଇଥିଲେ ଏବଂ ଘରଟିଏ ତିଆରି କରିଥିଲେ ।
୧୯୯୦ ଦଶକର ଶେଷ ଭାଗରେ କଡ଼ଲୁର ବନ୍ଦରରେ ରିଙ୍ଗ ସିନ୍ ମାଛ ଧରା ଲୋକପ୍ରିୟତା ହାସଲ କରିଥିଲା, କିନ୍ତୁ ୨୦୦୪ ସୁନାମି ପରେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ସମୁଦ୍ରରେ ସାର୍ଡିନ, ମ୍ୟାକେରଲ ଏବଂ ଏଙ୍କୋଭିଜ୍ ଭଳି ପେଲାଜିକ୍ ମାଛ ଧରିବା ଲାଗି ରିଙ୍ଗ ସିନ୍ ଗିୟର ପଦ୍ଧତିରେ ଚତୁର୍ଦ୍ଦିଗରୁ ଘେରୁଥିବା ଜ୍ଞାନକୌଶଳ ଉପଯୋଗ କରାଯାଏ।


