ଯେଉଁ ସମୟରେ ହୀରାବାଈଙ୍କୁ ୧୫.୯ ପ୍ରତିଶତ ସୁଧ ହାରରେ ଋଣ ମିଳିଥିଲା, ସେତେବେଳେ ଏଠାରୁ ୬୫ କିଲୋମିଟର ଦୂର ଔରଙ୍ଗାବାଦ ସହରରେ ଋଣ ଦେବାପାଇଁ ଆଉ ଏକ ପ୍ରତିଯୋଗିତା ଲାଗିଥିଲା। ‘ଔରଙ୍ଗାବାଦ ଗ୍ରୁପ୍’ ସହ ସଂଯୁକ୍ତ ସମ୍ଭ୍ରାନ୍ତ ଉଦ୍ୟୋଗପତି, ଅଧିକାରୀ, ଡାକ୍ତର, ଓକିଲ ଓ ଅନ୍ୟ ବୃତ୍ତିଧାରୀମାନେ ୨୦୧୦ ଅକ୍ଟୋବରରେ ଗୋଟିଏ ଦିନରେ ୧୫୦ଟି ମର୍ସିଡିଜ୍ବେଞ୍ଜ କାର କିଣିଥିଲେ। (ଏମାନଙ୍କ ମଧ୍ୟରୁ ଜଣେ ପୂର୍ବ-ଔରଙ୍ଗାବାଦରୁ ବିଧାୟକ ମଧ୍ୟ ହୋଇଯାଇଛନ୍ତି)। ଏହା ଏକ ଅଭିଯାନ ଥିଲା। ଏହାପରେ ଅନେକ ଲୋକ ଚିନ୍ତାକଲେ, ‘ଔରଙ୍ଗାବାଦ ବୈଶ୍ୱିକ ନିବେଶ ମାନଚିତ୍ରରେ ସ୍ଥାନ ପାଇଗଲା। ’ ସେମାନଙ୍କୁ ଏଥିପାଇଁ କିଛି ସାହାଯ୍ୟ ବି ମିଳିଥିଲା। ସେଦିନ ବିକ୍ରି ହୋଇଥିବା ବେଞ୍ଜ୍ ମଡେଲଗୁଡିକର ଦାମ୍ଥିଲା ୩୦-୭୦ଲକ୍ଷ ଟଙ୍କା ମଧ୍ୟରେ। ୨୪ ଘଣ୍ଟା ମଧ୍ୟରେ ୧୫୦ଟି ଲକ୍ଜୁରୀ କାର୍ବିକ୍ରି ହେଉଥିବାରୁ କମ୍ପାନୀ ମଧ୍ୟ କିଛି ଛାଡ କରିଥିଲା ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଯେ, ଷ୍ଟେଟବ୍ୟାଙ୍କ ଅଫ୍ଇଣ୍ଡିଆର ଚେୟାରମ୍ୟାନ୍ଙ୍କ ବିଶେଷ ବ୍ୟବସ୍ଥା ଦ୍ୱାରା ଔରଙ୍ଗାବାଦ ଶାଖା ୬୫ କୋଟିର ଏହି ବ୍ୟବସାୟ ନିମନ୍ତେ ଦୁଇ ତୃତୀୟାଂଶ ଋଣ ମାତ୍ର ୭ ପ୍ରତିଶତ ସୁଧ ହାରରେ ପ୍ରଦାନ କରିଛି।
ଏହି ସମୟରେ ଭାରତରେ ମର୍ସିଡିଜ୍ବେଞ୍ଜର ଅତି ଉତ୍ସାହିତ ପରିଚାଳନା ନିର୍ଦ୍ଦେଶକ ୱିଲ୍ଫ୍ରେଡ୍ଅଲ୍ୱର ଏହି ପ୍ରସଙ୍ଗର ଉଦାହରଣ ଦେଇ ଗଣ ମାଧ୍ୟମକୁ ସୂଚନା ଦେଇଥିଲେ ଯେ, “ଦେଶର ଦ୍ୱିତୀୟ ଓ ତୃତୀୟ ସ୍ତରର ସହରଗୁଡ଼ିକ ପ୍ରଭାବଶାଳୀ ଆର୍ଥିକ ଶକ୍ତି ଭାବରେ ଉଦିତ ହେଉଛି। ଆଜି ଗୋଟିଏ ଥରରେ ୧୫୦ଟି ମର୍ସିଡିଜ୍ବେଞ୍ଜ କାର୍ର ବିକ୍ରିରୁ ସାହସ ଓ ଆକ୍ରମଣାତ୍ମକ ଗତିଶୀଳତା ଦେଖିବାକୁ ମିଳିଛି।”
ଏ ସମୟରେ ଅନେକ ହୀରାବାଈଙ୍କୁ ଭିନ୍ନ ଭିନ୍ନ ପ୍ରକାରର ଝଟକା ଲାଗିଥିଲା। ଉଭୟ ସମୂହ ବାହନ ପାଇଁ ଋଣ ଦେଉଥିଲେ। ଉଭୟ ସମୂହକୁ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କରୁ ଋଣ ମିଳିଥିଲା। ମାତ୍ର ହୀରାବାଈ ସହରର ଧନୀ ଲୋକମାନଙ୍କ ତୁଳନାରେ ଦୁଇଗୁଣ ସୁଧ ହାରରେ ଋଣ ପରିଶୋଧ କଲେ। ଏହା ବୋଧହୁଏ ଏଥିପାଇଁ ଯେ ସେ ଔରଙ୍ଗାବାଦକୁ ବୈଶ୍ୱିକ ନିବେଶ ମାନଚିତ୍ରରେ ସ୍ଥାନିତ କରିପାରିନଥାନ୍ତେ। ୧୨.୫ ରୁ ଆରମ୍ଭ କରି ୧୫.୯ ପ୍ରତିଶତ ସୁଧ ହାରରେ ଟ୍ରାକ୍ଟର ଋଣ ନେଇଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ଦଳିତ ଓ ଆଦିବାସୀ ଅଛନ୍ତି। ବେଞ୍ଜ କ୍ରେତାମାନଙ୍କ ମଧ୍ୟରେ ଖୋଜିଲେ ବି ଏଭଳି ଲୋକ ମିଳିବେନି।
ତେଲୱାଡି ତାଣ୍ଡା (କଲୋନୀ)ରେ ରହୁଥିବା ବଞ୍ଜାରା ଆଦିବାସୀ ସମ୍ପ୍ରଦାୟର ଦଲପତ୍ରାଠୌର ଷ୍ଟେଟ୍ବ୍ୟାଙ୍କ ଅଫ୍ହାଇଦ୍ରାବାଦ,କନ୍ନଡ ଶାଖାକୁ ୭.୫୩ ଲକ୍ଷ ଟଙ୍କା ଋଣ ସୁଝିଛନ୍ତି। (ଏ ମଧ୍ୟରେ ୧.୭ ଲକ୍ଷ ଟଙ୍କାର ଏକକାଳୀନ ବୁଝାମଣା ରହିଛି)। ଅମ୍ବ ତାଣ୍ଡାରେ ରହୁଥିବା ସେହି ଆଦିବାସୀ ସମ୍ପ୍ରଦାୟର ଅମର ସିଂହ ମୁଖରାମ ରାଠୌରଙ୍କ ଉପରେ ୧୧.୧୪ ଲକ୍ଷ ଟଙ୍କାରୁ ଅଧିକ ପରିମାଣର ଋଣ ରାଶି ବାକି ଅଛି। ଏହାର ଅଧା ପରିମାଣ ସେ ଋଣ ନେଇଥିଲେ। ସେ ଏହି ଋଣର ପ୍ରାୟ କିଛି ପରିଶୋଧ କରିନାହାନ୍ତି ଏବଂ ସେ ସୁଝି ପାରିବେନି ମଧ୍ୟ। ଯେତେବେଳେ ଆମେମାନେ ତାଙ୍କ ବିଷୟରେ ବୁଝିବା ପାଇଁ ତାଙ୍କ ତାଣ୍ଡା (କଲୋନୀ)କୁ ଗଲୁ ସେତେବେଳେ ତାଙ୍କ ପଡ଼ୋଶୀମାନେ ଖୁବ୍ଚତୁରତାର ସହ ମିଛ କହିଲେ ଯେ, ସେମାନେ ଏପରି କୌଣସି ବ୍ୟକ୍ତି ବିଷୟରେ କେବେ ବି ଶୁଣି ନାହାନ୍ତି। ପ୍ରକୃତରେ ସବୁଆଡେ ଖବର ବ୍ୟାପୀ ଯାଇଥିଲା ଯେ, ବ୍ୟାଙ୍କବାଲା ତାଙ୍କୁ ଖୋଜୁଛନ୍ତି। ଆମେ ତାଙ୍କ ଘର ଖୋଜି ପାଇଲୁ। ସେ ଘରେ କୌଣସି ଦାମୀ ଜିନିଷ ନଥିଲା। ଟ୍ରାକ୍ଟର ତ ଦୂରର କଥା। ଅନେକ ସମୟରେ ଏମିତି ହୁଏ, କୌଣସି ପ୍ରଭାବଶାଳୀ ବ୍ୟକ୍ତି କୌଣସି ଗରୀବ ଲୋକଙ୍କ ନାଁରେ ଋଣ ନେଇଯାଏ। ଏ ଘଟଣା ସେମିତି ହୋଇପାରେ। କନ୍ନଡ଼ର ୪୫ଟି ଘଟଣା ବ୍ୟତୀତ ଭିନ୍ନ ଭିନ୍ନ ତହସିଲ ଓ ବ୍ୟାଙ୍କ ଶାଖାରୁ ମଧ୍ୟ ଆମେ ଏପରି ଅନେକ ମାମଲାର ସୂଚନା ହାସଲ କରିଥିଲୁ।
ତୁଲଜାପୁରକର କହିଥିଲେ, “ଏ ମଧ୍ୟରୁ କୌଣସି ଋଣକୁ ନନ୍ ପର୍ଫର୍ମିଙ୍ଗ ଆସେଟ୍ଘୋଷିତ କରାଯାଇନାହିଁ। ସବୁ କିଛି ହିସାବକୁ ନେଲେ ଏହା ଅନେକ କୋଟି ଟଙ୍କା ହୋଇଯିବ। ଅଧିକାଂଶ ବ୍ୟାଙ୍କ ଏହାକୁ ନିଜ କାଗଜପତ୍ରରେ ପର୍ଫର୍ମିଙ୍ଗ ଆସେଟ୍ଭାବରେ ଦର୍ଶାନ୍ତି ଯାହାର ଅର୍ଥ ଋଣ ପରିଶୋଧ ହୋଇପାରିବ। ଏଥିପାଇଁ ଆପଣ ଦେଖିବେ ଅଧିକାଂଶ କ୍ଷେତ୍ରରେ ବାକି ଥିବା ଋଣର ପରିମାଣ ମୂଳ ଋଣ ଠାରୁ ଦୁଇଗୁଣ ଅଧିକ ହୋଇଯାଇଛି। ବେଳେବେଳେ ଏ ମଧ୍ୟରୁ ପାଇସାଟିଏ ମଧ୍ୟ ପରିଶୋଧ ହୋଇନଥାଏ। ଯେଉଁ ଅବଧିରେ ସେମାନେ ଋଣ ପରିଶୋଧ କରିବା କଥା ତାହା ଅନେକ ପୂର୍ବରୁ ଶେଷ ହୋଇଯାଇଥାଏ। ତଥାପି ବ୍ୟାଙ୍କମାନେ ଏହାକୁ ପର୍ଫର୍ମିଙ୍ଗ ଆସେଟ୍ଭାବରେ ଦର୍ଶାନ୍ତି ଅର୍ଥାତ୍ଋଣ ସହଜରେ ଆଦାୟ ହୋଇଯିବ। ଶେଷରେ ବି ଦିନେ ନା ଦିନେ ତ ଏ ସତ୍ୟକୁ ସ୍ୱୀକାର କରିବାକୁ ପଡ଼ିବ।” ବେଳେବେଳେ ଲୋନ୍ବ୍ୟବସ୍ଥା କରି ଦେଉଥିବା ଡିଲରମାନେ ଏହି ଗ୍ରାମୀଣ କ୍ରେତାମାନଙ୍କ ଠକି ଦିଅନ୍ତି। ଟ୍ରାକଫର, ଟ୍ରଲି ଓ ଅନ୍ୟାନ୍ୟ ସହାୟକ ଉପକରଣ ପାଇଁ ବ୍ୟାଙ୍କରୁ ଆର୍ଥିକ ସହାୟତା ମିଳେ, କିନ୍ତୁ ଡିଲର୍ଗାଉଁଲି ଲୋକଙ୍କୁ କେବଳ ଟ୍ରାକ୍ଟର ଧରେଇ ଦେଇ ଅନ୍ୟ ସବୁ ଉପକରଣ ନିଜ ପାଖରେ ରଖିଦିଅନ୍ତି।
ବ୍ୟାଙ୍କ କର୍ମଚାରୀମାନଙ୍କ ଠାରୁ ଜଣାପଡ଼ିଛି ବେଞ୍ଜ କାର୍ର ଅନେକ କ୍ରେତା ମଧ୍ୟ ଋଣ ପରିଶୋଧ କରିପାରିନାହାନ୍ତି। ଔରଙ୍ଗାବାଦର ଜଣେ ପ୍ରତିଷ୍ଠିତ ଉଦ୍ୟୋଗପତି ଆମକୁ କହିଥିଲେ, “ସେହି କାର୍ଗୁଡିକ ମଧ୍ୟରୁ ଅନେକ ଦୁଇଥର, ତିନିଥର ବା ଅନେକ ଥର ପୁନଃବିକ୍ରୟ ହୋଇସାରିଲାଣି।” ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଅନେକ କାର୍ମାଲିକ ଏହି ରିହାତି ଓ କମ୍ସୁଧ ହାରର ତୁରନ୍ତ ଫାଇଦା ନେଇ ଖୁବ୍ଶୀଘ୍ର ଏହାକୁ ଲାଭରେ ବିକ୍ରି କରିଦେଇଛନ୍ତି।
ଭାରତରେ ଟ୍ରାକ୍ଟର ବିକ୍ରି ୨୦୦୪-୧୪ ମଧ୍ୟରେ ତିନିଗୁଣ ବଢ଼ିଛି। ଔଦ୍ୟୋଗିକ ପରିସଂଖ୍ୟାନ ଅନୁଯାୟୀ, ଭାରତ ୨୦୧୩ରେ ୬୧୯,୦୦୦ ଟ୍ରାକ୍ଟର ନିର୍ମାଣ କରିଥିଲା ଯାହାକି ସାରା ବିଶ୍ଵର ଟ୍ରାକ୍ଟର ଉତ୍ପାଦନର ଏକ ତୃତୀୟାଂଶ। ଅନେକେ ଏହାକୁ ‘ଗ୍ରାମୀଣ ପ୍ରଗତିର ଦର୍ପଣ’ ବା ‘ଗୁରୁତ୍ୱପୂର୍ଣ୍ଣ ମାପକ’ ଭାବରେ ଉପସ୍ଥାପିତ କରି କହିଥିଲେ , ଦେଖ ଗ୍ରାମୀଣ ଭାରତ କିପରି ପାର୍ଶ୍ୱ ପରିବର୍ତ୍ତନ କରୁଛି। ଏଥିରେ ସନ୍ଦେହ ନାହିଁ ଯେ, କେତେକ ବର୍ଗରେ ଆମଦାନୀ ବଢ଼ିଛି। କିନ୍ତୁ ଏକଥା ବି ସତ ଯେ, ଆଖିବୁଜା ଋଣର ବଳରେ କଠିନ ପରିଶ୍ରମ କରି ବହୁ ଟ୍ରାକ୍ଟର ବିକ୍ରି ହୋଇଛି। ସାମାଜିକ, ଆର୍ଥିକ ଓ ଜାତିଗତ ଜନଗଣନାର ପରିସଂଖ୍ୟାନ ତଥ୍ୟରୁ ଜଣାପଡିଛି। ମାତ୍ର ୮ ପ୍ରତିଶତ ଗ୍ରାମାଞ୍ଚଳ ପରିବାରରେ ସର୍ବାଥିକ ରୋଜଗାର କରୁଥିବା ବ୍ୟକ୍ତିର ଆୟ ମାସିକ ୧୦,୦୦୦ ଟଙ୍କାରୁ ଅଧିକ। (ଅନେକ ଟ୍ରାକ୍ଟର ମାଲିକ ଏହି ୮ ପ୍ରତିଶତ ଗ୍ରାମୀଣ ପରିବାର ମଧ୍ୟରେ ସାମିଲ ନୁହଁନ୍ତି)। ତଥାପି କିଛି ଅର୍ଥଶାସ୍ତ୍ରୀ ଓ ସ୍ତମ୍ଭକାର ଏହି ଧାରଣାକୁ ଜାବୁଡି ଧରିବସିଛନ୍ତି ଯେ ଟ୍ରାକ୍ଟର ବିକ୍ରିର ପରିସଂଖ୍ୟାନ ତଥ୍ୟରୁ ଏ କଥା ଜଣାପଡ଼ୁଛି କେମିତି ସମ୍ପୂର୍ଣ୍ଣ ଗ୍ରାମୀଣ ଭାରତ ବଦଳିବାରେ ଲାଗିଛି। ଆଉ ଏବେ ଯେତେବେଳେ ଔଙ୍ଗୋବାଦର ଡିଲରମାନଙ୍କ ରିପୋର୍ଟରୁ ଜଣାପଡ଼ିଛି ଯେ, ଟ୍ରାକ୍ଟର ବିକ୍ରି ୫୦ ପ୍ରତିଶତ ହ୍ରାସ ପାଇଛି। ଡେସ୍କଟପ୍ ବିଶ୍ଲେଷଣମାନଙ୍କ ପାଇଁ ଏହା ନିଶ୍ଚୟ ‘ଗ୍ରାମୀଣ ସଙ୍କଟ’ର ସଙ୍କେତ।
ଏକଥା ସତ ଯେ ଟ୍ରାକ୍ଟର ଉତ୍ପାଦନରେ ସହଯୋଗ ଦେଉଥିବା ସାଧନ, ଅପରପକ୍ଷେ ମର୍ସିଡିଜ୍ବେଞ୍ଜ କାର୍ଏକ ଆରାମଦାୟକ ବାହନ। ମାତ୍ର ଋଣ ଆଧାରରେ ୨୦୦୪-୧୪ ମଧ୍ୟରେ ଟ୍ରାକ୍ଟର ବ୍ରିକ୍ରିକୁ ଗ୍ରାମଗୁଡିକର ଦ୍ରୁତ ପ୍ରଗତିର ପ୍ରତୀକ ଭାବରେ ବର୍ଣ୍ଣନା କରିବା ଯେମିତି ବାଚାଳାମି ଗୋଟିଏ ଦିନରେ ୧୫୦ଟି ମର୍ସିଡିଜ୍ବେଞ୍ଜ୍ କାର୍ବିକ୍ରି ପରେ ଔରଙ୍ଗାବାଦକୁ ବୈଶ୍ୱିକ ମାନଚିତ୍ରରେ ସ୍ଥାନିତ କରିବା ସେତିକି ବାଚାଳାମି। ବ୍ୟକ୍ତି ପିଛା ବାର୍ଷିକ ୬୪,୩୩୦ ଟଙ୍କା ଆୟ ହେତୁ ମରାଠାୱାଡା ଏହି ମାମଲାରେ ମହାରାଷ୍ଟ୍ରର ସବୁଠାରୁ ପଛୁଆ ଅଞ୍ଚଳ। ମହାରାଷ୍ଟ୍ରର ଅନ୍ୟ ଅଞ୍ଚଳ ତୁଳନାରେ ମରାଠାୱାଡାର ମୁଣ୍ଡପିଛା ବାର୍ଷିକ ଆୟ ୪୦ ପ୍ରତିଶତ କମ୍, ମୁମ୍ବାଇଠାରୁ ତ ଏହା ୭୦ ପ୍ରତିଶତ କମ୍।
ଏ ମଧ୍ୟରେ ଦେବାଳିଆ ପଣର ଏକ ନୂତନ ସଙ୍କଟ ପ୍ରସ୍ତୁତ ହେଉଛି। ପ୍ରକୃତ କଥା ହେଉଛି ଭୂଖନନ ସହ ଜଡିତ ଅନେକ ମେସିନ୍ମହାରାଷ୍ଟ୍ରପରି ରାଜ୍ୟ ମାନଙ୍କରେ ଜୋରସୋରରେ ବ୍ୟବହାର କରାଯାଉଛି। ଯେଉଁଠାରେ କି ସରକାର ଶାରୀରିକ ଶ୍ରମକୁ ଅଣଦେଖା କରି ମେସିନ୍କୁ ପ୍ରୋତ୍ସାହନ ଦେଉଛନ୍ତି।
ଔରଙ୍ଗାବାଦ ଜିଲ୍ଲାର ଖୁଲଦାବାଦ ନଗର ପାଳିକାର ପୂର୍ବତନ ଅଧ୍ୟକ୍ଷ ହାଜି ଆକବର ବେଗ୍କହିଛନ୍ତି, “ ଅନେକ ଲୋକ ନିଜ ଅର୍ଥ ହରାଇ ଦେବାଳିଆ ହେବାକୁ ଯାଉଛନ୍ତି।” ବେଗଙ୍କ କହିବା ଅନୁଯାୟୀ, “ଏଇ ମୋର ଛୋଟ ସହର ଯାହାର ଜନସଂଖ୍ୟା ମାତ୍ର ୧୯,୦୦୦, ସେଠି ଅତି କମରେ ୩୦ଟି ଜେସିବି(ଜେ.ସି. ଏସ୍କାଭେଟର୍) ଅଛି। କିଏ ଜାଣେ ସାରା ରାଜ୍ୟରେ କେତେ ଅଛି? ଯେହେତୁ ଏଗୁଡିକ ଜଲାୟୁକ୍ତ ଶିବାର ଅଭିଯାନ (ରାଜ୍ୟ ସରକାରଙ୍କ ମୁଖ୍ୟ ଜଳ ସଂରକ୍ଷଣ ଯୋଜନା)ରେ ବ୍ୟବହୃତ ହେଉଛି , ଅନେକ ଲୋକ ଏଥିରେ ପ୍ରଭାବିତ ହୋଇଯାଉଛନ୍ତି। ସେମାନେ ଘରୋଇ ଏବଂ ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ କମ୍ପାନୀଗୁଡିକ ଠାରୁ ମୋଟା ଋଣ ନେଇଛନ୍ତି। ଗୋଟିଏ ଜେସିବିର ଦାମ୍ ୨୯ ଲକ୍ଷ ଟଙ୍କା। ସର୍ବପ୍ରଥମେ ଜେସିବି କିଣିଥିବା ଲୋକଙ୍କ ମଧ୍ୟରେ ମୁଁ ଅଛି। ମାତ୍ର ବ୍ୟାଙ୍କରୁ ମୋଟା ଋଣ ନ ନେଇ ମୁଁ ଏହା ଆଣିଥିଲି। ମୁଁ ନିଜର ଅନେକ ପୁରୁଣା ମେସିନ୍ ବିକ୍ରି କରିବା ସହ ପରିବାର ସଦସ୍ୟଙ୍କ ଠାରୁ କିଛି ଉଧାର ଆଣିଥିଲି।”
“ନିଜ ଋଣର କିସ୍ତି ପରିଶୋଧ କରିବା ଓ ଏହାର ରକ୍ଷଣାବେକ୍ଷଣ ପାଇଁ ଅର୍ଥ ରଖିବା ପରେ ବି ଏକ ଭଲ ପରିମାଣ ବଳିବା ଦରକାର। ଏଥିପାଇଁ ପ୍ରତି ମାସରେ ଆପଣଙ୍କ ପାଖକୁ ଅତିକମରେ ୧ ଲକ୍ଷ ଟଙ୍କାର କାମ ଆସିବା ଦରକାର। ଏହା ଏହି ଋତୁରେ ସମ୍ଭବ। କିନ୍ତୁ ବର୍ଷା ଋତୁ ପରେ ଏହା କଷ୍ଟକର। ସେତେବେଳେ ଏହି ସହରରେ ୩୦ କଥା ତ ଦୂରର କଥା , ତିନୋଟି ପାଇଁ ମଧ୍ୟ କାମ ମିଳିବନି। ସେତେବେଳେ ଆପଣ କ’ଣ କରିବେ? କିଛି ଲୋକଙ୍କର ତ ଏ କ୍ଷେତ୍ରରେ କିଛି ଅନୁଭବ ନାହିଁ ତଥାପି ଜେସିବି ଠାରୁ ଦୁଇଗୁଣ ମହଙ୍ଗା ପୋକଲାଇନ୍ ହାଇଡ୍ରୋଲିକ୍ ଏସ୍କାଭେଟର୍ କିଣିବାରେ ଅର୍ଥ ବ୍ୟୟ କରୁଛନ୍ତି। ଋଣ ବୋଝରେ ସେମାନେ ପୋତି ହୋଇଯିବେ। ଏହି କ୍ଷେତ୍ରର ଏହା ହିଁ ବାସ୍ତବତା। କିଛି ବଡ ବ୍ୟବସାୟୀଙ୍କୁ ନିଜର ସୁସମ୍ପର୍କ ଯୋଗୁଁ ଠିକା କାମ ମିଳିଯାଉଛି। ପ୍ରତି ୧୦୦ ଜଣରୁ ମାତ୍ର ୧୦ ଜଣ ତିଷ୍ଠି ପାରିବେ। ଅନ୍ୟମାନେ ଦେବାଳିଆ ହୋଇଯିବେ।”