2014ରେ, ଓଡିଶାର ବିଷମକଟକ ବ୍ଲକ୍ ବନ ବିଭାଗର ଜଣେ କର୍ମଚାରୀ, ଦୀର୍ଘଦିନ ଧରି ବନ ବିଭାଗ ଓ ଗ୍ରାମବାସୀଙ୍କ ମଧ୍ୟରେ ରହିଥିବା ମତଭେଦ ବିଷୟରେ ଆଲୋଚନା କରିବା ପାଇଁ କନ୍ଧୁଗୁଡା ଗ୍ରାମ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ତାଙ୍କ ବିଭାଗକୁ ବିରୋଧ କରୁଥିବା ଗୋଷ୍ଠୀର ସଦସ୍ୟ କେବଳ ମହିଳା, ଆଉ ଗାଁର ବୟସ୍କ ମହିଳା ଏହି ଦଳର ନେତୃତ୍ୱ ନେଉଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ । ଭାରତର ଅନ୍ୟ ଗ୍ରାମଗୁଡିକରେ, ସେ ହୁଏତ କେବଳ ପୁରୁଷମାନଙ୍କ ଦ୍ୱାରା ନିୟନ୍ତ୍ରିତ ଦଳର ଜଣେ ପୁରୁଷ ସରପଞ୍ଚଙ୍କ ସମ୍ମୁଖୀନ ହୋଇଥାନ୍ତେ ।
କିନ୍ତୁ ଏଠାରେ, କନ୍ଧମାନଙ୍କ ମଧ୍ୟରେ, ରାୟଗଡା ଜିଲ୍ଲାର ସମତଳ ଅଞ୍ଚଳରେ ବାସ କରୁଥିବା ସଂଖ୍ୟା ଗରିଷ୍ଠ ଜନଜାତି (ଜନସଂଖ୍ୟା : 9,67,911, ଯାହା ମଧ୍ୟରୁ 5,41,905 ବିଭିନ୍ନ ଜନଜାତି ସଂମ୍ପ୍ରଦାୟ ଅନ୍ତର୍ଭୁକ୍ତ), ମହିଳାମାନେ ବିଭିନ୍ନ ଜରୁରୀ ନିଷ୍ପତି ଗ୍ରହଣ କରିଥାନ୍ତି । ଯଦିଓ ଏହା ପୁରୁଷ ପ୍ରଧାନ. ତଥାପି ଏହି ସମାଜରେ ଉଭୟ ମହିଳା ଓ ପୁରୁଷ ସମାନ ଅଧିକାର ସହ ବଞ୍ଚିଥାନ୍ତି । ଯେପରି ନିୟମଗିରିର କିରଣଦିଗୁଡା ଗ୍ରାମର ଲୋକନାଥ ନାଉରୀ, 65, କହନ୍ତି “ପାହାଡ ଉପରେ ବସିଥିବା ନିୟମ ରାଜା (ନିୟମଗିରିର ଭଗବାନ) ହେଉଛନ୍ତି ଜଣେ ପୁରୁଷ ଓ ଆମର ଗ୍ରାମ ଦେବତୀ ହେଉଛନ୍ତି ଜଣେ ନାରୀ (ଏକ ଟୋଟେମ୍ ପରି କାଠର ଆକୃତି ଯାହା ଗ୍ରାମର ପ୍ରବେଶ ପଥରେ ରଖାଯାଇଛି) । ଆମେ ଏହି ଦୁହିଁଙ୍କ ଉପସ୍ଥିତି ଯୋଗୁ ଉନ୍ନତି କରୁଛୁ । ଏହି ଦୁଇଜଣଙ୍କ ମଧ୍ୟରୁ କେହି ଜଣେ ବି ଅସୁବିଧାରେ ରହିଲେ, ଆମେ ବଞ୍ଚିପାରିବୁ ନାହିଁ ।
କନ୍ଧମାନଙ୍କ ମଧ୍ୟରେ, ଶ୍ରମ ବିଭାଜନ ଏହି ଦର୍ଶନ ଉପରେ ଆଧାରିତ- ମହିଳାମାନେ ସମାନ ଭାବେ ଅଂଶଗ୍ରହଣ କରିବା ସହ କୁଟୁମ୍ବରେ, ସେମାନଙ୍କ ଗ୍ରାମ ପରିଚାଳନା କରୁଥିବା କେନ୍ଦ୍ରରେ ସେମାନଙ୍କ ମତାମତ ରଖିଥାନ୍ତି । ପୁରୁଷମାନେ କୃଷି କାମ ଓ ଶିକାର କରିବା ବେଳେ ମହିଳାମାନେ ସେମାନଙ୍କ ସମାଜର ବାକି ସମସ୍ତଙ୍କ ଯତ୍ନ ନେଇଥାନ୍ତି ।






