ସେ ଯେତେବେଳେ ବାହରକୁ ଆସିଲେ, ଡିକେନ୍ସ୍ଙ୍କ ଉପନ୍ୟାସର ଏକ ଚରିତ୍ର ପରି ମନେ ହେଉଥିଲେ । ପରିତ୍ୟକ୍ତ ଘରଗୁଡିକର ଏକ ଧାଡି ମଧ୍ୟରେ ରହିଥିବା ତାଙ୍କ ଘରର ବାରଣ୍ଡାରେ ୭୧ବର୍ଷର ଏସ୍. କାଣ୍ଡାସାମୀ ନିଜ ବାରଣ୍ଡା ଉପରେ ବସି ନିଃଶବ୍ଦ ହୋଇଯାଇଥିବା ସେହି ଗ୍ରାମରେ, ଯେଉଁଠାରେ ସେ ଜନ୍ମ ଗ୍ରହଣ କରିଥିଲେ ଓ ବଢିଥିଲେ ସେଠାରେ ବିତେଇଥିବା ସୁଖ ସମୟଗୁଡିକର ଅନୁଭୂତି ବିଷୟରେ କହୁଥିଲେ । ତାଙ୍କର ଏହି କଥା ସବୁ ଶୁଣିବାକୁ ବର୍ତ୍ତମାନ ମିନାକ୍ଷୀପୁରମ୍ରେ ଆଉ କେହି ନାହାନ୍ତି, ରହିଯାଇଥିବା ଶେଷ ୫୦- ପରିବାର – ସବୁଠାରୁ ଦୁଃଖର ବିଷୟ, ତାଙ୍କର ନିଜ ପରିବାର ମଧ୍ୟ- ୫ ବର୍ଷ ପୂର୍ବେ ଏହି ସ୍ଥାନ ଛାଡି ଅନ୍ୟତ୍ର ଚାଲିଯାଇଛନ୍ତି ।
ଏହି ଜନମାନବ ଶୂନ୍ୟ ଗ୍ରାମରେ ତାଙ୍କର ଏକାକୀ ଉପସ୍ଥିତ ରହିବା ଭଲ ପାଇବା ଓ ହରାଇବା, ଆଶା ଓ ନିରାଶାର କାହାଣୀ ବ୍ୟକ୍ତ କରିଥାଏ । ସାଂଘାତିକ ରୂପ ନେଇଥିବା ଜଳ ସଂକଟର ମୁକାବିଲା କରିନପାରି, ମିନାକ୍ଷୀପୁରମ୍ର ଅନ୍ୟ ବାସିନ୍ଦାମାନେ ଏହି ସ୍ଥାନ ଛାଡି ଅନ୍ୟତ୍ର ଚାଲିଗଲେ । କିନ୍ତୁ କାଣ୍ଡାସ୍ୱାମୀ ନିଜ କଥାରେ ଅଟଳ ରହିଲେ, “ଦୁଇ ଦଶନ୍ଧି ପୂର୍ବେ ତାଙ୍କ ସ୍ତ୍ରୀ ବୀରଲକ୍ଷ୍ମୀ ଯେଉଁ ବଖରାରେ ମରିଥିଲେ ସେହି ବଖରାରେ ନିଜର ଶେଷ ଜୀବନ ବିତେଇବା ପାଇଁ ।” କୌଣସି ବନ୍ଧୁ କିମ୍ବା ସମ୍ପର୍କୀୟ ତାଙ୍କର ଏହି ପ୍ରତିବଦ୍ଧତାକୁ ବଦଳାଇ ପାରିଲେ ନାହିଁ ।
“ମୋ ନିଜ ପରିବାର ଏହି ସ୍ଥାନ ତ୍ୟାଗ କରିବା ପୂର୍ବରୁ ଅନ୍ୟ ସମସ୍ତେ ଏହି ସ୍ଥାନ ଛାଡି ଚାଲିଯାଇଥିଲେ,’’ ବୋଲି ସେ କୁହନ୍ତି । ପାଞ୍ଚ ବର୍ଷ ପୂର୍ବେ, ଯେତେବେଳେ ତାଙ୍କର ଦ୍ୱିତୀୟ ପୁଅର ବିବାହ ହେଲା ଓ ସେ ଚାଲିଗଲା, ତାପରେ କଣ୍ଡାସାମୀ ତାମିଲ୍ନାଡୁର ଥୋତୁକୁଡି ଅନ୍ତର୍ଗତ ଶ୍ରୀବୈକୁଣ୍ଟମ୍ ତାଲୁକ ର ଏହି ଗ୍ରାମରେ ବାସ କରୁଥିବା ଏକମାତ୍ର ବାସିନ୍ଦା ହୋଇଗଲେ । ଉତ୍କଟ ଜଳ ସଂକଟ ଜନିତ ଯନ୍ତ୍ରଣା ଭୋଗ କରୁଥିବା ଜିଲ୍ଲାଗୁଡିକ ମଧ୍ୟରେ, ମିନାକ୍ଷୀପୁରମ୍ ହେଉଛି ତୀବ୍ର ଜଳ ସଂକଟର ସମ୍ମୁଖୀନ ହୋଇଥିବା ଏକ ସ୍ଥାନ ।
“କୌଣସି ପରିବାର ଏଠାରୁ ବହୁଦୂରକୁ ଚାଲି ଯାଇଥିବେ ବୋଲି ମୁଁ ଭାବୁନାହିଁ । ପାଖାପାଖି ୧୦ଟି ପରିବାର ସେକ୍କରାକ୍କୁଡି ଗ୍ରାମକୁ ସ୍ଥାନାନ୍ତରିତ ହୋଇଛନ୍ତି ।’’ ଏଠାରୁ ଅତିବେଶୀରେ ତିନି କିଲୋମିଟର ଦୂରତାରେ ଥିବା ସେହି ଗ୍ରାମରେ ମଧ୍ୟ ଜଳ ସଂକଟ ରହିଛି, ତେବେ ଏହାର ପରିମାଣ ତାଙ୍କ ନିଜ ଗ୍ରାମଠାରୁ କମ୍ । ଏହା ସମସ୍ୟାର ସୁପରିଚାଳନା କରୁଥିବା ମନେହେଉଛି ଓ ଏପରିକି ଏହା କୌତୁହଳପୂର୍ଣ୍ଣ ଭାବେ ଜୀବନ୍ତ ମନେହେଉଛି । ମିନାକ୍ଷୀପୁରମ୍ ଯେତିକି ନିସ୍ତବ୍ଦ ମନେ ହେଉଛି, ଏହା ସେତିକି ପରିମାଣରେ ସକ୍ରିୟ ଥିବା ଜଣାପଡୁଛି । ସେଠାରେ ରହୁଥିବା ଯେକୌଣସି ବ୍ୟକ୍ତିକୁ ଏହି ପରିତ୍ୟକ୍ତ ଗ୍ରାମ ବିଷୟରେ ପଚାରନ୍ତୁ ଦେଖିବେ ସେମାନେ ବୁଦ୍ଧିଶୂନ୍ୟ ହୋଇ ଯାଉଥିବା ଆପଣ ଲକ୍ଷ୍ୟ କରିପାରିବେ। ଜଣେ ଚାହା ଦୋକାନ ମାଲିକ ହତବୁଦ୍ଧି ହୋଇ ପଚାରିଲେ। ‘‘କ’ଣ ଆପଣ ସେଠାରେ ଥିବା ମନ୍ଦିରକୁ ଯାଉଛନ୍ତି ? ସେହି ଗ୍ରାମରେ ଆଉ କିଛି ନାହିଁ” ।








