ଶାହାବାଈ ଘରାତ ଗତ ଏକ ବର୍ଷ ହେବ କରୋନା ଭୂତାଣୁର ମୁକାବିଲା କରି ଆସୁଥିଲେ-ହେଲେ ଦିନେ ତାଙ୍କୁ ମଧ୍ୟ ଏହାର ଶିକାର ହେବାକୁ ପଡ଼ିଲା। ମହାରାଷ୍ଟ୍ରର ବୀଡ୍ ଜିଲ୍ଲାରେ ଥିବା ନିଜ ଗ୍ରାମ ସୁଲତାନପୁରରେ ମାନ୍ୟତାପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ ବା ଆଶା କର୍ମୀ ଶାହାବାଈ ଘରକୁ ଘର ବୁଲି କୋଭିଡ-19 ତଥ୍ୟ ସଂଗ୍ରହ କରିଆସୁଥିଲେ। କିନ୍ତୁ ମଇ ମାସ ଅନ୍ତିମ ସପ୍ତାହରେ, ତାଙ୍କର ସେହି ଭୟାନକ ଆଶଙ୍କା ସତ ସାବ୍ୟସ୍ତ ହୋଇଥିଲା, ସେ କୋଭିଡରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।
୩୮ ବର୍ଷୀୟା ଶାହାବାଈ, ମହାମାରୀ ସମୟରେ ତାଙ୍କ ଚାକିରିରେ ରହିଥିବା ବିପଦ ସମ୍ପର୍କରେ ଜାଣିଥିଲେ, କିନ୍ତୁ ଏହାର ଦୁଷ୍ପରିଣାମକୁ ସେ ଆକଳନ କରିପାରିନଥିଲେ। ସେ ସଂକ୍ରମିତ ହେବାର ତୁରନ୍ତ ପରେ ତାଙ୍କର ୬୫ ବର୍ଷୀୟା ମା’ ମଧ୍ୟ କୋଭିଡରେ ସଂକ୍ରମିତ ହୋଇଯାଇଥିଲେ। ଏହାପରେ, ତାଙ୍କର ଚାରି ଜଣ ପୁତୁରା ମଧ୍ୟ ସଂକ୍ରମିତ ହୋଇଥିଲେ। ଏହି ରୋଗ କାରଣରୁ ତାଙ୍କର ସମ୍ପୂର୍ଣ୍ଣ ପରିବାର ବିପଦରେ ପଡ଼ିଯାଇଥିଲା।
ଶାହାବାଈଙ୍କୁ ସୁସ୍ଥ ହେବା ଲାଗି କିଛି ସପ୍ତାହ ଲାଗିଥିଲା। ଶାହାବାଈ କୁହନ୍ତି, “ମୋର ପୁତୁରାମାନେ ମଧ୍ୟ ଭଲ ହୋଇଗଲେ, କିନ୍ତୁ ମୋ ମା’ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିଲା।” “ମା’ଙ୍କ ଚିକିତ୍ସାରେ ୨.୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା। ମୋତେ ଏଥିପାଇଁ ନିଜର ୨.୫ ଏକର ଜମି ଏବଂ କିଛି ଗହଣା ବିକିବାକୁ ପଡ଼ିଲା।”
ଆଶା କର୍ମୀ ଭାବେ ତାଙ୍କର କାମ କେବେ ବି ସହଜ ନଥିଲା, କିନ୍ତୁ ମହାମାରୀ ଏହାକୁ ଆହୁରି କଷ୍ଟକର କରି ଦେଇଥିଲା। ଶାହାବାଈ କୁହନ୍ତି, “ମୋତେ ଧମକ ଓ ଗାଳିର ସମ୍ମୁଖିନ ହେବାକୁ ପଡ଼ୁଥିଲା। ଲୋକମାନେ ପ୍ରଥମେ ପ୍ରଥମେ ସଂକ୍ରମଣ ଲକ୍ଷଣକୁ ଲୁଚାଉଥିଲେ। ମୋତେ ମୋ କାମ କରିବା ଲାଗି, ଗାଁରେ ଅନେକ ନକାରାତ୍ମକ ପ୍ରତିକ୍ରିୟାର ସାମ୍ନା କରିବାକୁ ପଡ଼ିଛି।”
ମହାରାଷ୍ଟ୍ରରେ ୭୦,୦୦୦ରୁ ଅଧିକ ମାନ୍ୟତାପ୍ରାପ୍ତ ଆଶା କର୍ମୀ ଅଛନ୍ତି। ମାର୍ଚ୍ଚ ୨୦୨୦ରେ ଭୂତାଣୁ ଦ୍ରୁତ ଗତିରେ ବ୍ୟାପିବା ପରେ ସେମାନେ ଏହା ବିରୋଧରେ ଜାରି ରହିଥିବା ଲଢ଼େଇର ଆଗ ଧାଡ଼ିରେ ଛିଡ଼ା ହୋଇଆସିଛନ୍ତି। ଘରକୁ ଘର ବୁଲି ନିରୀକ୍ଷଣ କରିବା ବ୍ୟତୀତ ସେମାନେ ଗାଁରେ ଟିକା ନେବାକୁ ଅନିଚ୍ଛୁକ ହେଉଥିବା ଲୋକମାନଙ୍କୁ ମଧ୍ୟ ବୁଝାଇଥାନ୍ତି।












