୨୦୧୭ ସେପ୍ଟେମ୍ବର ୯ ତାରିଖ। ଆମ୍‌ଦି ଗ୍ରାମର ପ୍ରାୟ ୪୦ ବର୍ଷ ବୟସ୍କ କୃଷି ଶ୍ରମିକ ବାନ୍ଦୁ ସୋନୁଲେ ହଠାତ୍ ଜମି ମାଲିକଙ୍କ କପା କିଆରୀରେ  ଚେତାଶୂନ୍ୟ ହୋଇ ପଡିଗଲେ। ସାରାଦିନ ଭିଷଣ ଖରାରେ ସେ କପା ଜମିରେ କୀଟନାଶକ ସିଞ୍ଚନ କରିଥିଲେ। ଗତ କେଇଦିନ ଧରି ସେ କପାଗଛର କୀଟନାଶକ ସ୍ପ୍ରେ କରୁଥିଲେ। ଚେତା ଆସିବା ପରେ ଜମି ପାଖରେ କିଛି ସମୟ ବିଶ୍ରାମ ନେବାପରେ ଜମିମାଲିକ ବାନ୍ଦୁଙ୍କୁ ଦୁଇଚକିଆ ଯାନରେ ବସାଇ ସେଠାରୁ ତିନି କମି ଦୂରରେ ଥିବା ତାଙ୍କ ଗାଁ ୟବତ୍ମାଲର ମାନୋଲିକୁ ଆଣିଥିଲେ।

ଦୁଇଦିନ ପରେ ଯେତେବେଳେ ବାନ୍ଦୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ଆସିଲା ସେତେବେଳେ ପତ୍ନୀ ଗୀତା ଅଟୋରେ ବସାଇ ବାନ୍ଦୁଙ୍କୁ ଘଟାଞ୍ଜି ସହରରେ ଥିବା ଜିଲା ଉପଡାକ୍ତରଖାନାକୁ ନେଇଗଲେ। ଯବତ୍ମାଲ ସହରଠାରୁ ଏହି ତହସିଲ ସହର ୪୫ କିଲୋମିଟର ଦୂର। ବାନ୍ଦୁ ପେଟଯନ୍ତ୍ରଣା, ମୁଣ୍ଡ କାମ ନକରିବା ଏବଂ ହାଲିଆ ଲାଗୁଥିବା ବିଷୟରେ ଡାକ୍ତରଙ୍କୁ କହିଲେ। ସେହି ରାତିରେ ତାଙ୍କୁ କମ୍ପ ମଧ୍ୟ ଆସିଲା। ଏହାପରେ ତାଙ୍କୁ କିଛି ଦେଖାଗଲାନି। ଦେଖାନଯିବା କଥା କହିବାରୁ ତାଙ୍କୁ ଏକ ଆମ୍ବୁଲାନ୍ସରେ ଯବତ୍ମାଲସ୍ଥିତ ବସନ୍ତରାଓ ନାୟକ ସରକାରୀ ମେଡିକାଲ କଲେଜ ଓ ଡାକ୍ତରଖାନାକୁ ନିଆଗଲା। ଘଣ୍ଟାଏ ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡିବାରେ ଲାଗିଲା।

ସେପ୍ଟମ୍ବର ୨୩ ତାରିଖରେ ବାନ୍ଦୁ କୋମାକୁ ଚାଲିଯିବାରୁ ଡାକ୍ତରଖାନାର ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ରଖାଗଲା। ପରଦିନ ସକାଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କଲେ।

Farm labourer spraying pesticide on cotton
PHOTO • Jaideep Hardikar

ମାନୋଲି ଗ୍ରାମର ନାରାୟଣ କୋଟ୍ରାଙ୍ଗେ ବିଷାକ୍ତ ରାସାୟନିକ ଦ୍ରବ୍ୟ ସିଞ୍ଚନ କରୁଛନ୍ତି

ବାନ୍ଦୁଙ୍କ ପତ୍ନୀଙ୍କ କହିବା ଅନୁଯାୟୀ, ଔଷଧ ସ୍ପ୍ରେ କରିବାରେ ବାନ୍ଦୁ ଧୁରନ୍ଦର। ତେଣୁ ତାଙ୍କର ଚାହିଦା ଅଧିକ ଥିଲା। ନିଜ ଛୋଟ କୁଡିଆରେ ନିଜର ଦୁଇ ସନ୍ତାନ ୧୭ ବର୍ଷ ବୟସ୍କ ସୌରଭ ଓ ୧୪ ବର୍ଷ ବୟସ୍କା ପୂଜା (କଭର୍ ଫଟୋ ଦେଖନ୍ତୁ) ଙ୍କୁ ପାଖରେ ବସାଇ ସେ କହିଥିଲେ, ଗତ ଦୁଇମାସ ଧରି ତାଙ୍କୁ ଦିନେ ବି ବିଶ୍ରାମ ନଥଲା। ସେ ଲଗାତାର କାମ କରୁଥିଲେ। ବାନ୍ଦୁ ବ୍ୟବହାର କରୁଥିବା ବ୍ୟାଟେରୀ ଚାଳିତ ସ୍ପ୍ରେ ପମ୍ପ ଏବେ ସେମାନଙ୍କ ଅଗଣାର ଗୋଟେ କୋଣରେ ଥିବା ପିଣ୍ଡାରେ ପଡ଼ିରହିଛି।

୨୦୧୭ ଅକ୍ଟୋବରରେ ମୁଁ ଯେତେବେଳେ ସେମାନଙ୍କ ଘରକୁ ଯାଇଥିଲି ସେତେବେଳେ ବି ଗୀତା ଦାରୁଣ ଆଘାତରୁ ନିଜକୁ ମୁକ୍ତ କରିପାରିନଥିଲେ। ସେ ଜାଣି ନଥିଲେ ବାନ୍ଦୁ କ’ଣ ସ୍ପ୍ରେ କରୁଥିଲେ ଏବଂ କ’ଣ ତାଙ୍କୁ ମାରିଦେଲା? ସେ କହିଲେ, ୨୦୧୭ରେ କପା ଫସଲରେ ଭୟଙ୍କର ପୋକ ଲାଗିଲା। ତେଣୁ କପାଚାଷୀମାନେ ଫସଲରେ କୀଟନାଶକ ପକାଇବାକୁ ବାହାରିଲେ। ମୋ ସ୍ୱାମୀ ଏ ଆବଶ୍ୟକତାର ଭରପୂର ସୁଯୋଗ ନେଲେ। କିଛି ଅଧିକ ରୋଜଗାର କରିବା ନିମନ୍ତେ ବାନ୍ଦୁଙ୍କ ଆଶା ତାଙ୍କ ଜୀବନ ନେଇଗଲା।

ବାନ୍ଦୁଙ୍କ ସାଙ୍ଗ ତଥା ପଡ଼ୋଶୀ ନାରାୟଣ କୋଟ୍ରାଙ୍ଗେଙ୍କ ମତ – ଯଦି ଠିକ୍ ସମୟରେ ଡାକ୍ତରୀ ଚିକିତ୍ସା ମିଳିଥାନ୍ତା ତା’ହେଲେ ବାନ୍ଦୁର ଜୀବନ ନିଶ୍ଚୟ ରକ୍ଷା ପାଇଥାନ୍ତା। ନାରାୟଣ ଜଣେ ଭୂମିହୀନ ଚାଷୀ। ସେ ଗଁର ଅନ୍ୟ ଜଣେ ଚାଷୀଙ୍କଠାରୁ ୧୦ ଏକର ଜମି ଲିଜ୍ ଆଣି ଚାଷ କରୁଛନ୍ତି। ସେ କହିଲେ, ବାନ୍ଦୁଙ୍କ ପରିବାର ଡାକ୍ତର ଦେଖାଇବାକୁ ଟିକେ ବିଳମ୍ବ କରିଦେଲେ। ଏହାଛଡ଼ା ସରକାରୀ ଡାକ୍ତରଖାନାରେ ଚିକିତ୍ସା ମଧ୍ୟରେ ଅସମନ୍ବୟ ବାନ୍ଦୁ ଓ ତାଙ୍କଭଳି କେତେକଙ୍କର ଜୀବନ ନେଇଛି। ଏ ସମସ୍ତେ ଶ୍ରମିକ କିମ୍ବା ଚାଷୀ, ଯେଉଁମାନେ କି ଦୁର୍ଭାଗ୍ୟବଶତଃ ବହୁଳ କୀଟନାଶକ ସିଞ୍ଚନ ସମୟରେ ସେଗୁଡ଼ିକୁ ଆଘ୍ରାଣ କରିନେଇଛନ୍ତି। ଯେଉଁମାନେ ତୁରନ୍ତ ଡାକ୍ତରଖାନା ଆସିଛନ୍ତି ଓ ଚିକିତ୍ସା ପାଇଛନ୍ତି, ସେମାନଙ୍କର ଜୀବନ ରକ୍ଷା ହୋଇଛି।

ମନିଟରିଂ ବ୍ୟବସ୍ଥାର ଅଭାବ , ଉପଯୁକ୍ତ ବ୍ୟବସ୍ଥା ଥିବା ଡାକ୍ତରଖାନା

ଯଦି ଯବତ୍ମାଲ୍ ସ୍ଥିତ ଜିଏମସିଏଚ୍ ରେ ଜରୁରୀ କୋଲିନେଷ୍ଟିରେଜ୍ ପରୀକ୍ଷା କରିବାର ସୁବିଧା ଥା’ନ୍ତା ତେବେ  ବାନ୍ଦୁ ପରି ଯେଉଁ ଚାଷୀମାନେ ଜୁଲାଇ – ନଭେମ୍ବର କୀଟନାଶକ ସିଞ୍ଛନ ଅବଧି ମଧ୍ୟରେ ଅସୁସ୍ଥ ହୋଇଛନ୍ତି ସେମାନଙ୍କ ରକ୍ତରୁ ଅର୍ଗାନୋଫସଫେଟ୍ ଯୌଗିକ ଚିହ୍ନଟ ହୋଇପାରିଥାନ୍ତା। ଏହି ପରୀକ୍ଷା ସୁବିଧାର ଅଭାବ ତଥା ବିଷ ପ୍ରତିକ୍ରିୟା ରୋକିବା ନିମନ୍ତେ ଆଣ୍ଟିଡୋଟ୍ର ଅଭାବ ଯୋଗୁଁ ଡାକ୍ତରମାନେ ଯଦି ଯବତ୍ମାଲ୍ ସ୍ଥିତ ଜିଏମ୍ ସିଏଚ୍ ରେ ଜରୁରୀ କୋଲିନେଷ୍ଟିରେଜ୍ ପରୀକ୍ଷା କରିବାର ସୁବିଧା ଥା’ନ୍ତା ତେବେ ବାନ୍ଦୁ ପରି ଯେଉଁ ଚାଷୀମାନେ ୨୦୧୭ ମସିହାରେ ଜୁଲାଇ – ନଭେମ୍ବର କୀଟନାଶକ ସିଞ୍ଛନ ଅବଧି ମଧ୍ୟରେ ଅସୁସ୍ଥ ହୋଇଛନ୍ତି ସେମାନଙ୍କ ରକ୍ତରୁ ଅର୍ଗାନୋଫସଫେଟ୍ ଯୌଗିକ ଚିହ୍ନଟ ହୋଇପାରିଥାନ୍ତା। ଏହି ପରୀକ୍ଷା ସୁବିଧାର ଅଭାବ ତଥା ବିଷ ପ୍ରତିକ୍ରିୟା ରୋକିବା ନିମନ୍ତେ ଆଣ୍ଟିଡୋଟର ଅଭାବ ଯୋଗୁଁ ଡାକ୍ତରମାନେ କେବଳ ଲକ୍ଷଣ ଦେଖି ଚାଷୀ ଓ ଶ୍ରମିକମାନଙ୍କୁ  ବହୁ ସପ୍ତାହ ପର୍ଯ୍ୟନ୍ତ ଚିକିତ୍ସା କରୁଥିଲେ ବୋଲି ଜିଏମସିଏଚ୍‌ର ଆଇସିୟୁ ଦାୟିତ୍ୱରେ ଥିବା ଜଣେ ଡାକ୍ତର ମତେ କହିଥିଲେ। ଓ ଏପରିକି ସେମାନଙ୍କର ରକ୍ତ ପରୀକ୍ଷା ମଧ୍ୟ କରାଯାଇନଥିଲା।

ଏକ  ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଏହି ଅସମନ୍ୱୟ ଥବା ନଜରକୁ ଆଣିଛି। ଯବତ୍ମାଲ ଓ ବିଦର୍ଭର ଅନ୍ୟାନ୍ୟ ଅଂଶରେ କୀଟନାଶକ ଜନିତ ମୃତ୍ୟୁ ସମ୍ପର୍କରେ ଯାଞ୍ଚ ପାଇଁ ରାଜ୍ୟ ସରକାର ଏସ୍ଆଇଟି ଗଠନ କରିଥିଲେ। ୨୦୧୭ ମସିହା ଅକ୍ଟୋବର ୧୦ ତାରିଖରେ ଗଠିତ ହୋଇଥିବା ଏହି ଟିମର ନେତୃତ୍ୱ ନେଇଥିଲେ ଅମରାବତୀ ଡିଭିଜନାଲ କମିଶନର ପୀୟୂଷ ସିଂହ। ଏସ୍ଆଇଟିର ଅନ୍ୟ ଛଅ ଜଣ ସଦସ୍ୟଙ୍କ ମଧ୍ୟରେ ଅଛନ୍ତି ନାଗପୁରସ୍ଥ କେନ୍ଦ୍ରୀୟ କପା ଗବେଷଣା କେନ୍ଦ୍ରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡଃ ବିଜୟ ୱାଘମାରେ ଓ ଫରିଦାବାଦସ୍ଥ ବୃକ୍ଷ ସୁରକ୍ଷା ନିର୍ଦ୍ଦେଶାଳୟର କିରଣ ଦେଶକାର।

୨୦୧୭ ଡିସେମ୍ବରରେ ଏସ୍ଆଇଟି ଦ୍ୱାରା ଏହି ରିପୋର୍ଟ ମରାଠି ଭାଷାରେ ଦାଖଲ କରାଯାଇଥିଲା। ତେବେ ୨୦୧୮ ଜାନୁଆରିରେ ବମ୍ବେ ହାଇକୋର୍ଟ ଏହି ରିପୋର୍ଟ ପ୍ରକାଶ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ହିଁ ଏହା ସାର୍ବଜନୀନ ହୋଇଥିଲା। କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ)ର ପୂର୍ବତନ କର୍ମୀ ତତା ସାମାଜିକ କର୍ମୀ ଜମ୍ମୁ ଆନନ୍ଦଙ୍କ ଦ୍ୱାରା କରାଯାଇଥିବା ଜନସ୍ୱାର୍ଥ ମାମଲାର ବିଚାର କରି ଅଦାଲତ ଉପରୋକ୍ତ ନିର୍ଦ୍ଦେଶ ଦେଇଥିଲେ।

ମାର୍ଚ୍ଚ ୬ ତାରିଖରେ କେନ୍ଦ୍ର କୃଷି ମନ୍ତ୍ରାଳୟ ପକ୍ଷରୁ ଲୋକସଭାରେ କୁହାଯାଇଥିଲା- ଗତ ୪ ବର୍ଷରେ ମହାରାଷ୍ଟ୍ରରେ କୀଟନାଶକ ବିଷାକ୍ତତା ଯୋଗୁଁ ୨୭୨ଟି ମୃତୁ୍ୟ ଘଟିଛି, ଅର୍ଥାତ୍ ଏ ଧାରା ଅସ୍ୱାଭାବିକ ନୁହେଁ। ତେବେ ଜିଏମ୍ ସିଏଚ୍ ର ତଥ୍ୟ ଓ ୨୦୧୭ କୀଟନାଶକ ସିଞ୍ଚନ ଅବଧି ମଧ୍ୟରେ ରୋଗୀମାନଙ୍କୁ ସେବା ଦେଇଥିବା ଡାକ୍ତରମାନଙ୍କଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ଯବତ୍ମାଲରେ ଏତେ ପରିମାଣରେ କୀଟନାଶକ ବିଷାକ୍ତତା ଯୋଗୁଁ ମୃତ୍ୟୁ କେବେ ବି ହୋଇନଥିଲା। କିନ୍ତୁ ସେ ସମୟରେ ବହୁ ସଂଖ୍ୟକ କୃଷକ ଓ କୃଷି ଶ୍ରମିକ ଆଖିକୁ ଦେଖାନଯିବା, ବାନ୍ତି ଲାଗିବା, ମୁଣ୍ଡ ବୁଲାଇବା, ଅସ୍ୱସ୍ତି ଲାଗିବା, ଆଂଶିକ ପକ୍ଷାଘାତ, ଭୟ ଓ ଅନ୍ୟାନ୍ୟ ଲକ୍ଷଣ ଓଡ ଡାକ୍ତରଖାନାକୁ। ୧୦୦୦ରୁ ଊର୍ଦ୍ଧ୍ୱ ଏ ପ୍ରକାର ରୋଗୀଙ୍କ ମଧ୍ୟରୁ ପ୍ରାୟ ୫୦ଜଣ ପ୍ରାଣ ହରାଇଲେ। କେତେକ ରୋଗୀ ମାସାଧିକ କାଳ ଅସୁସ୍ଥ ରହିଲେ।(ମାରାତ୍ମକ କୀଟ, ଜୀବନଘାତକ ସିଞ୍ଚନ ଏବଂ ଯବତ୍ମାଲରେ ଭୟ ଓ ଆଶଙ୍କା ଦେଖନ୍ତୁ)

ଏସ୍ ଆଇଟି ଗଠନ କରି ରାଜ୍ୟ ସରକାର ପ୍ରକୃତରେ ସୂଚେଇ ଦେଇଛନ୍ତି, ଏ ସମସ୍ୟା  କେତେ ଗମ୍ଭୀର ଓ ଅସ୍ୱାଭାବିକ।

ICU of the Yavatmal Government Medical College and Hospital where farmer-patients were recuperating from the pesticide-poisoning effects in September 2017
PHOTO • Jaideep Hardikar

ଯବତ୍ମାଲ ଡାକ୍ତରଖାନା ଆଇସିୟୁରେ କୀଟନାଶକ ବିଷାକ୍ତତାରୁ କ୍ରମେ ସୁସ୍ଥ ହେଉଥିବା କୃଷକମାନେ

ଏସ୍ଆଇଟି ଅବଗତ ହେଲାଯେ ଜିଲ୍ଲା ପ୍ରଶାସନ ଏହି ବିପର୍ଯ୍ୟୟର ବ୍ୟାପକତା ଓ ଗୁରୁତ୍ୱ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ସୂଚିତ କରିନାହିଁ। କୀଟନାଶକ ଆଇନ୍ ୧୯୬୮ ଅନୁଯାୟୀ ଏକ ଆନ୍ତ ବିଭାଗୀୟ କମିଟି ଗଠନ କରିବା ପ୍ରଶାସନର ଦାୟିତ୍ୱ, ରାଜ୍ୟର ଦାୟିତ୍ୱ ଏହା ହୋଇଛି ନା ନାହିଁ ତା’ ତଦାରଖ କରିବା। କୃଷକ , କୀଟନାଶକ ବ୍ୟବସାୟୀ ଓ ଉତ୍ପାଦକମାନେ ଆଇନ୍ ଅନୁଯାୟୀ କାର୍ଯ୍ୟ କରୁଛନ୍ତି ନା ନାହିଁ , ଏହା ମନିଟରିଂ କରିବା ନିମନ୍ତେ କମଟି ଏକ ଟିମ୍ ଗଠନ କରିବ ଏବଂ କୌଣସି ବିପର୍ଯ୍ୟୟ ସମୟରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସମନ୍ୱୟ ରକ୍ଷା କରିବ। କିନ୍ତୁ ଯବତ୍ମାଲରେ ଏମିତି କମିଟି କିମ୍ବା ମନିଟରିଂ ବ୍ୟବସ୍ଥା ନ ଥିଲା।

ଏସ୍ଆଇଟି ନିଜ ରିପୋର୍ଟରେ ସୁପାରିଶ୍ କରିଛି ଯବତ୍ମାଲର ଜିଏମ୍ ସିଏଚ ରେ କୋଲିନେଷ୍ଟେରେଜ୍  ପରୀକ୍ଷା ସହ ଅର୍ଗାନୋଫସଫେଟ୍ ବିଷାକ୍ତତା ନିୟନ୍ତ୍ରଣ କରିବା ପାଇଁ ଔଷଧ ଗଚ୍ଛିତ ରଖିବା ଆବଶ୍ୟକ। କାରଣ ବିଦର୍ଭରେ କପା , ସୋୟାବିନ୍ ଓ ଅନ୍ୟାନ୍ୟ ଫସଲରେ ରୋଗପୋକ ନିୟନ୍ତ୍ରଣ ପାଇଁ ଏ ସବୁ ଯୌଗିକ ଥିବା କେମିକାଲ୍ ବିନାବାଧାରେ ବ୍ୟବହାର ହେଉଛି।

ପଶ୍ଚିମ ବିଦର୍ଭର ଡିଭିଜନାଲ୍ ହେଡ୍ କ୍ବାର୍ଟର ଅମରାବତୀସ୍ଥ ଜିଏମ୍ ସିଏଚ୍ ରେ ୨୦୧୭ର ଏହି ବିପର୍ଯ୍ୟୟକୁ ଭଲଭାବରେ ପରିଚାଳନା କରାଯାଇ ପାରିଥିଲା କାରଣ ଏଠାରେ କୋଲିନେଷ୍ଟେରେଜ୍  ପରୀକ୍ଷା କରାଯାଇପାରୁଥିଲା। କୋଲିନେଷ୍ଟେରେଜ୍ ଏକ ଏନଜାଇମ୍ ଯାହା ନ୍ୟୁରୋ ଟ୍ରାନ୍ସମିଟର ଏସିଟିଲକୋଲାଇନକୁ ଠିକ୍ ଭାବରେ କାର୍ଯ୍ୟକ୍ଷମ କରାଇଥାଏ। ସହ ଅର୍ଗାନୋଫସଫେଟ୍ ବିଷାକ୍ତତା କୋଲିନେଷ୍ଟେରେଜ୍ ନଷ୍ଟ କରିଦିଏ, ଯାହାଦ୍ୱାରା ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡିକ କ୍ଷତିଗ୍ରସ୍ତ ହୋଇଥାଏ। ଏପରିକି ସ୍ନାୟୁପ୍ରଣାଳୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଏ ଓ ଶେଷରେ ମୃତ୍ୟୁ ଘଟିଥାଏ। ଅମରାବତୀ ଡାକ୍ତରଖାନା ଏଭଳି ବିଷାକ୍ତତା ପାଇଁ ଆଣ୍ଟିଡୋଟ୍ ମଧ୍ୟ ମହଜୁଦ ରଖିଥାଏ ବୋଲି ଏସ୍ଆଇଟି ନିଜ ରିପୋର୍ଟରେ କହିଛନ୍ତି।

କୀଟନାଶକ ବିଷାକ୍ତତା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଅମରାବତୀ ଡାକ୍ତରଖାନା ଅନୁରୂପ ବ୍ୟବସ୍ଥା କରାଯିବା ଆବଶ୍ୟକ। ଏଥିପାଇଁ ସରକାର ଯବତ୍ମାଲର ଦୁଇ ତହସିଲ ମୁଖ୍ୟାଳୟ ୱାନି ଓ କୁସାଦ୍ ଉପ-ଜିଲ୍ଲା ଡାକ୍ତରଖାନାରେ ଆଇସିୟୁ ସ୍ଥାପନ କରିବା ସହ ଯବମାôଲ ଜିଏମ୍ସିଏଚରେ ୩୦ଶଯ୍ୟା ବିଶିଷ୍ଟ ଆଇସିୟୁ ଓ ଆକୋଲା ଜିଲ୍ଲା ସରକାରୀ ଡାକ୍ତରଖାନାରେ ୨୦ ଶଯ୍ୟାବିଶିଷ୍ଟ ଆଇସିୟୁ ସ୍ଥାପନ ପାଇଁ ଏସ୍ଆଇଟି ପରାମର୍ଶ ଦେଇଛନ୍ତି।

ଜିଲ୍ଲାରେ କୀଟନାଶକ ବିଷାକ୍ତତାର ଦୀର୍ଘ ଇତିହାସ ଥିବା କାରଣରୁ ଯବମାôଲ ଜିଏମ୍ସିଏଚ୍ରେ ଏକ ବିଶେଷଧରଣର ଟକ୍ସିକୋଲୋଜି ପରୀକ୍ଷାଗାର ସ୍ଥାପନ ପାଇଁ ମଧ୍ୟ ଏସ୍ଆଇଟି ପରାମର୍ଶ ଦେଇଛନ୍ତି। ୨୦୧୭ ବିପର୍ଯ୍ୟୟ ସମୟରେ ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଟକ୍ସିକୋଲୋଜି ପରୀକ୍ଷଣ ନିମନ୍ତେ ରକ୍ତ ନମୁନା ପଠାଇ ନଥିଲେ ଯଦ୍ୱାରା ବିଷାକ୍ତତା ପରବର୍ତ୍ତୀ ପରିଚାଳନାରେ ଅସମନ୍ୱୟ ଦେଖାଯାଇଥିଲା।

ମୋନୋକ୍ରୋଟୋଫସ୍ ନିଷେଧ କରିବା , ଆଣ୍ଟିଡୋଜ୍ ପ୍ରସ୍ତୁତ ରଖିବା

ଫସଲରେ ରୋଗ ପୋକ ପାଇଁ ପ୍ରତିଷେଧକ ବଳୟ ପ୍ରସ୍ତୁତ କରୁଥିବା ଅର୍ଗାନୋଫସ୍ଫେଟ୍ ଯୁକ୍ତ କୀଟନାଶକ ମୋନୋକ୍ରୋଟୋଫସକୁ ନିଷେଧ କରିବା ନିମନ୍ତେ ଏସ୍ଆଇଟ ପରାମର୍ଶ ଦେଇଛି। ଏହି କୀଟନାଶକର ମନୁଷ୍ୟ ଓ ପକ୍ଷୀମାନଙ୍କ ଉପରେ ବିଷାକ୍ତ ପ୍ରଭାବ ଯୋଗୁଁ ବହୁ ଦେଶ ଏହାକୁ ନିଷେଧ କରିସାରିଛନ୍ତି।

ମହାରାଷ୍ଟ୍ର ସରକାର ନଭେମ୍ବର ମାସରେ ମୋନୋକ୍ରୋଟୋଫସର କିଣା ବିକା ଉପରେ ୬୦ ଦିନ ପର୍ଯ୍ୟନ୍ତ କଟକଣା ଜାରୀ କରିଥିଲେ, କିନ୍ତୁ ଏହା ଉପରେ ସମ୍ପୁର୍ଣ୍ଣ କଟକଣା କରାଯାଇନଥିଲା। କୀଟନାଶକ ଆଇନ ଅନୁଯାୟୀ ମୋନୋକ୍ରୋଟୋଫସକୁ ଦେଶରେ ସମ୍ପୂର୍ଣ୍ଣ ନିଷେଧ କରିବାର ଅଧିକାର କେନ୍ଦ୍ର ସରକାରଙ୍କର ରହିଛି।

ରାଜ୍ୟ ସରକାର ମଧ୍ୟ କୀଟନାଶକ ଉତ୍ପାଦକ ଓ ବିତରକମାନଙ୍କର ଲାଇସେନ୍ସ ରଦ୍ଧ କରିପାରିବେ ଓ ନୂତନ ଲାଇସେନ୍ସ ଓ ଲାଇସେନ୍ସ ନବୀକରଣ ମଧ୍ୟ ବନ୍ଦ କରିଦେଇ ପାରିବେ। ୨୦୧୮ ଜାନୁଆରୀ ମାସ ଶେଷରେ ପଞ୍ଜାବ ଏହା କରିଛି। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା ‘ଭୀଷଣ କ୍ଷତିକାରକ’ ମାନ୍ୟତା ପାଇଥିବା ମୋନୋକ୍ରୋଟୋଫସ୍ ସମେତ ୨୦ଟି କୀଟନାଶକ ନିମନ୍ତେ ନୂତନ ଲାଇସେନ୍ସ ନଦେବାକୁ ପଞ୍ଜାବ ସରକାର ନିଷ୍ପତ୍ତି ନେଇଛନ୍ତି। କିଛିଦିନ ପୂର୍ବରୁ କେରଳ ମୋନୋକ୍ରୋଟୋଫସକୁ ନିଷେଧ କରିଛି ଏବଂ ସମ୍ପୂର୍ଣ୍ଣ ଜୈବିକ ରାଜ୍ୟ ସିକିମ୍ କୌଣସି ରାସାୟନିକ କୀଟନାଶକକୁ ଅନୁମତି ଦେଇନାହିଁ।

ଏସଆଇଟିର ପରାମର୍ଶ ଯେଉଁ କୀଟନାଶକ ବିଷାକ୍ତତା ପାଇଁ ଆଣ୍ଟିଡୋଟ୍ ଉପଲବ୍ଧ ନୁହେଁ। ସେହି କୀଟନାଶକର ଉପଯୋଗକୁ ସରକାର ଅନୁମତି ଦେବା ଉଚିତ ନୁହେଁ। ଏହା ବ୍ୟତୀତ ଫସଲ ବୃଦ୍ଧି ନିମନ୍ତେ ଉର୍ବରକ ବ୍ୟବହାରରେ ମଧ୍ୟ ହଠାତ୍ ବୃଦ୍ଧି ଘଟିଛି ବୋଲି ଏସ୍ଆଇଟି ରିପୋର୍ଟରୁ ଜଣାପଡ଼ିଛି। ଏପରି କୈଣସି ରାସାୟନିକ ଦ୍ରବ୍ୟର ଉପଯୋଗ ନିମନ୍ତେ ଅନୁମତି ଦେବା ଆଗରୁ ସରକାର ଦୀର୍ଘଦିନ ପର୍ଯ୍ୟନ୍ତ ଏହାର ବିଜ୍ଞାନସମ୍ମତ ନୀରିକ୍ଷଣ କରିବାକୁ ଏସ୍ଆଇଟି ରିପୋର୍ଟରେ ଦର୍ଶାଇଛନ୍ତି।

ଏହି ରିପୋର୍ଟ କୃଷି ସଂପ୍ରସାରଣ ବ୍ୟବସ୍ଥା, କୃଷି ବିଶ୍ୱବିଦ୍ୟାଳୟ ଓ ରାଜ୍ୟ କୃଷି ବିଭାଗର ସମ୍ପୂର୍ଣ୍ଣ ଅଚଳାବସ୍ଥା ବିଷୟରେ ଉଲେଖ କରି ନଥିଲେ ମଧ୍ୟ ନୂତନ କୀଟନାଶକ ଓ ରୋଗ ନିୟନ୍ତ୍ରଣ କୌଶଳ ଓ ଏହାର ଉପଯୁକ୍ତ ବ୍ୟବହାରକୁ ଠାବ କରିବା ନିମନ୍ତେ ବ୍ୟବସ୍ଥା ନଥିବା ଦର୍ଶାଇଛନ୍ତି। କିନ୍ତୁ ଏପରି ପରିସ୍ଥିତିରେ ଉପରୋକ୍ତ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥାଏ।

ଅପରପକ୍ଷେ କୃଷକମାନେ ଏପରି ନୂତନ ରାସାୟନିକ ଦ୍ରବ୍ୟ ସମ୍ପର୍କରେ ବିତରକ ଓ ଦୋକାନୀମାନଙ୍କ ଠାରୁ ସୂଚନା ପାଇଥାନ୍ତି। ଆଉ ଯେତେବେଳେ ଏହା ବିକ୍ରି କରିବା ଦେକାନୀ ବା ବିତରକଙ୍କର ମୁଖ୍ୟ ଲକ୍ଷ୍ୟ ସେତେବେଳେ ସେମାନେ ଏସବୁ ରାସାୟନିକ ଦ୍ରବ୍ୟର ଭୟଙ୍କର ବିଷାକ୍ତତା ସମ୍ପର୍କରେ କୃଷକମାନଙ୍କୁ ସୂଚିତ କରିନଥାନ୍ତି। ରିପୋର୍ଟ ଅନୁଯାୟୀ - ରୋଗ ପୋକ ନିୟନ୍ତ୍ରଣ, ଉର୍ବରକ ଦ୍ୱାରା ଅଧିକ ଅମଳ ଓ ଅଧିକ ଲାଭ ପାଇଁ ଆତୁର କୃଷକମାନେ କୀଟନାଶକ ବିତରକମାନଙ୍କ ପରାମର୍ଶ କ୍ରମେ ଏସବୁ କୀଟନାଶକ ଉପରେ ପରୀକ୍ଷା ନୀରିକ୍ଷା କରନ୍ତି। ଏସବୁ ନୂତନ କୀଟନାଶକ ଓ ଅନ୍ୟାନ୍ୟ ରାସାୟନିକ ଦ୍ରବ୍ୟର ବହୁଳତା ଓ ଅତ୍ୟଧିକ ଆଦ୍ରତା ଯୋଗୁଁ ସିଞ୍ଚନ ସମୟରେ ଆଘ୍ରାଣ ଓ ସ୍ୱର୍ଶ ବିଷ ପ୍ରତିକ୍ରିୟା ବୃଦ୍ଧି କରିଥିଲା [୨୦୧୭ ଔଷଧ ସିଞ୍ଚନ ସମୟରେ ] ବୋଲି ରିପୋର୍ଟରେ କୁହାଯାଇଛି।

Spraying cotton with pesticide
PHOTO • Jaideep Hardikar
Pump used to spray pesticide
PHOTO • Jaideep Hardikar

ବାନ୍ଦୁ ସୋନୁଲେଙ୍କ ପରି କପା ଚାଷୀମାନେ ଅଧିକାଂଶ ସମୟରେ ସେମାନଙ୍କ ଫସଲ ଉପରେ ରୋଗ ଆକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାଟେରୀ ଚାଳିତ ପମ୍ପ (ଡାହାଣ) ଦ୍ୱାରା ଅଧିକ କଟୁ କୀଟନାଶକ ବ୍ୟବହାର କରୁଛନ୍ତି

୨୦୧୭ ସିଞ୍ଚନ କାଳରେ କୃଷକମାନେ ସିନ୍ଥେଟିକ ପାଏରେଥ୍ରୋଡ଼୍ସ, ଅର୍ଗାନୋଫସଫେଟ୍ ଓ ଅନ୍ୟ ନୂଆ ପିଢ଼ିର ରୋଗନାଶକ ସହ ଗଛର ବିକାଶ ପାଇଁ ଜିବ୍ରାଲିକ୍ ଏସିଡ, ଗଛ ଉଚ୍ଚା ହେବାପାଇଁ ଇଣ୍ଡୋଲ୍ ଏସିଟିକ୍ ଏସିଡ ଓ ସହାୟକ ଚେର ବୃଦ୍ଧିପାଇଁ ଇଣ୍ଡୋଲ୍ ବ୍ୟୁଟିରିକ ଏସିଡ ଆଦି ବ୍ୟବହାର କରିଥିଲେ। ଏହା ବ୍ୟତୀତ ହ୍ୟୁମିକ୍ ଏସିଡ ଓ ନାଇଟ୍ରୋବେଞ୍ଜିନ ପରି ଆଦୌ ଅନୁମୋଦନ ହୋଇନଥିବା ରାସାୟନିକ ଦ୍ରବ୍ୟ ମଧ୍ୟ ସେମାନେ ଉପଯୋଗ କରିଥିଲେ। କୀଟନାଶକ ଆଇନ୍ ଅନୁଯାୟୀ କୌଣସି କୀଟନାଶକ ନିମନ୍ତେ କେନ୍ଦ୍ରୀୟ କୀଟନାଶକ ବୋଡର଼୍ ଠାରୁ ଅନୁମୋଦନ ଆସିବା ନିହାତି ଜରୁରୀ। ଏସଆଇଟି ଜାଣିବାକୁ ପାଇଥିଲେ ବ୍ୟବହାର ପାଇଁ ଅନୁମତି ପାଇନଥିବା ଫିପ୍ରୋନିଲ ଓ ଇମିଡାକ୍ଳୋପିଡ ବ୍ରାଣ୍ଡକୁ ମଧ୍ୟ କୃଷକମାନେ ବ୍ୟବହାର କରିଥିଲେ। ସ୍ଥାନୀୟ ମାକେର୍ଟ ତତକ୍ଷଣାତ୍ ବ୍ୟବହାର ନିମନ୍ତେ ଏପରି ବିଦେଶୀ ରାସାୟନିକ ଦ୍ରବ୍ୟରେ ଭରପୁର ଥିଲା।

ଏପରି ଅଣ-ଅନୁମୋଦିତ ରାସାୟନିକ ସାମଗ୍ରୀର ଅନିୟନ୍ତ୍ରିତ ବ୍ୟବହାରକୁ ନିୟନ୍ତ୍ରଣ କରିବା ପାଇଁ ମଧ୍ୟ କୌଣସି ଉପାୟ ନାହିଁ। ରିପୋର୍ଟରୁ ଜଣାପଡ଼ିଛି, ଯବତ୍ମାଲର ୧୬ଟି ତାଲୁକା ରହିଛି, ଗୋଟିଏ ମାତ୍ର ଜିଲ୍ଲାମାନ ନିୟନ୍ତ୍ରଣ ନିରୀକ୍ଷକ ପଦବୀ ଅଛି ଓ ତାହା ମଧ୍ୟ ଗତ ଦୁଇ ବର୍ଷ ଧରି ଖାଲି ପଡ଼ିଛି।

ଏହି ରିପୋର୍ଟରେ ଆଉ ଏକ ଜରୁରୀ ତଥ୍ୟ ମଧ୍ୟ ଲୁକ୍କାୟିତ ଅଛି - ୨୦୧୭ ରେ ବିଦର୍ଭର କପା ଫସଲରେ ରୋଗ ଆକ୍ରମଣ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଓ ଅଭୁତପୂର୍ବ ଥିଲା। ବିଶେଷ କରି ଗୋଲାପୀ ବୋଲୱାର୍ମ ଫେରିବା ଖୁବ ଭୟଙ୍କର ଥିଲା। କିନ୍ତୁ ଏହା ଏକ ଭିନ୍ନ କାହାଣୀ...

ଚାଷୀଙ୍କ ଉପରେ ଦୋଷ

ଏସ୍ଆଇଟି ରିପୋର୍ଟ ଏପରି ବିଷାକ୍ତତା ବିପର୍ଯ୍ୟୟ ପାଇଁ କୃଷକ ଓ କୃଷି ଶ୍ରମିକମାନଙ୍କୁ ମଧ୍ୟ ଦୋଷାରୋପ କରିଛନ୍ତି। ରିପୋର୍ଟରେ କୁହାଯାଇଛି, ସେମାନେ ସାଧାରଣ ନିୟମ ଓ ସୁରକ୍ଷା ବ୍ୟବସ୍ଥା ଅନୁସରଣ କରିନାହାନ୍ତି।

ରିପୋର୍ଟରେ କୁହାଯାଇଛି, ବିଦର୍ଭର କୃଷକମାନେ ଉଭୟ ଅନୁମୋଦିତ ଓ ଅଣ-ଅନୁମୋଦିତ କୀଟନାଶକ, ବୃକ୍ଷବୃଦ୍ଧି ନିୟନ୍ତ୍ରକ, ଉର୍ବରକ ଆଦିର ମିଶ୍ରଣ ବ୍ୟବହାର କରିଛନ୍ତି। ଏଠାରେ କପା କୀଆରୀଗୁଡ଼ିକରେ ଗଛ ଅପେକ୍ଷାକୃତ ହୃଷ୍ଟପୃଷ୍ଟ ହେବା ସହ ଘଞ୍ଚ ଓ ଡେଙ୍ଗା ହୋଇଥିଲା। ଚାଷୀଙ୍କ ବୟାନ ଅନୁଯାୟୀ ଅତ୍ୟଧିକ ଆର୍ଦ୍ର ପରିବେଶରେ ସେମାନେ ସିଞ୍ଚନ କରୁଥିବା ବେଳେ ବଡ଼ବଡ଼ କୀଟନାଶକ ବୁନ୍ଦା ମୁହଁରେ ପଡ଼ୁଥିଲା। ସେମାନେ ସିଞ୍ଚନ କରିବା ସମୟରେ ସମଗ୍ର ବାୟୁମଣ୍ଡଳରେ କୀଟନାଶକର କଣିକା ରହୁଥିଲା। ଏହି ପରିବେଶରେ ସେମାନେ ଦୀର୍ଘସମୟ କୀଟନାଶକ ସିଞ୍ଚନ କରୁଥିଲେ।

୨୦୧୮ ଫେବୃଆରୀ ୬ ତାରିଖରେ ନାଗପୁରର ଜଣେ ଓକିଲ ଅରବିନ୍ଦ ୱାଘମାରେ ଆଉଏକ ଏସ୍ଆଇଟି ଦ୍ୱାରା ଯାଞ୍ଚ ନିମନ୍ତେ ଅନୁରୋଧ କରି ମୁମ୍ବାଇ ହାଇକୋର୍ଟର ନାଗପୁର ବେଞ୍ଚରେ ଏକ ପିଟିସନ୍ ଆଗତ କରିଥିଲେ। ୱାଘମାରେ ନୂତନ ଏସ୍ଆଇଟି ଏହି ବିପର୍ଯ୍ୟୟ ପରିଚାଳନା ନିମନ୍ତେ ସରକାରଙ୍କ ଅସାମର୍ଥ୍ୟ ଓ ଏପରି ବିଷାକ୍ତ ସାମଗ୍ରୀ ବିକ୍ରୟ କରୁଥିବା କମ୍ପାନୀମାନଙ୍କ ଉପରେ ଦୋଷ ଲଦିବା ଚାହାନ୍ତି।


ଅନୁବାଦ: ଓଡ଼ିଶାଲାଇଭ୍‍

Jaideep Hardikar

जयदीप हर्डीकर नागपूर स्थित पत्रकार आणि लेखक आहेत. तसंच ते पारीच्या गाभा गटाचे सदस्य आहेत.

यांचे इतर लिखाण जयदीप हर्डीकर