‘ଜଣେ ନାରୀକୁ ନ୍ୟାୟ ପ୍ରଦାନ କେମିତି ଏମିତି ଶେଷ ହେବ?’
- ବିଲକିସ୍ ବାନୋ


Gandhinagar, Gujarat
|THU, AUG 25, 2022
ବିଲକିସ୍ ବାନୋ ଉପାଖ୍ୟାନ: ନ୍ୟାୟର ନିର୍ବାସନ
ଏହି କବିତାର କେନ୍ଦ୍ରରେ ରହିଛି ୨୦୦୨ରେ ଗୁଜରାଟରେ ହୋଇଥିବା ଦଙ୍ଗା କାଳରେ ଜଘନ୍ୟ ହିଂସାର ଶିକାର ହୋଇଥିବା ଓ ନ୍ୟାୟ ପାଇଁ ଏକାକୀ କଷ୍ଟକର ସଂଘର୍ଷ କରିଥିବା ଜଣେ ନାରୀର କଥା, ଯାହାକୁ ଆକ୍ରମଣ କରିଥିବା ସମସ୍ତ ୧୧ ଜଣ ଅପରାଧୀଙ୍କୁ ନିକଟରେ ଜେଲରୁ ମୁକ୍ତ କରାଯାଇଛି
Poem
Illustration
Editor
Translator
ମାର୍ଚ୍ଚ ୨୦୦୨ରେ ଗୁଜରାଟର ଦାହୋଡ଼ ଜିଲ୍ଲାରେ ମାତ୍ର ଉଣେଇଶି ବର୍ଷ ବୟସର ବିଲକିସ୍ ବାନୋକୁ ଦଙ୍ଗାକାରୀମାନେ ଜଘନ୍ୟ ଭାବେ ବଳାତ୍କାର କରିବା ସହ ତା’ର ତିନି ବର୍ଷର ଝିଅ ସଲହା ସମେତ ପରିବାରର ୧୧ ଜଣଙ୍କୁ ହତ୍ୟା କଲେ। ସେତେବେଳେ ବିଲକିସ୍ ଥିଲେ ପାଞ୍ଚ ମାସର ଗର୍ଭବତୀ।
ଲିମଖେଦା ତହସିଲର ରନ୍ଧିକପୁର ଗାଁରେ ବିଲକିସ୍ର ପରିବାର ଉପରେ ଆକ୍ରମଣ କରିଥିବା ସମସ୍ତେ ତାଙ୍କ ଗାଁର ଲୋକ ଥିଲେ ଓ ସେମାନେ ସମସ୍ତଙ୍କୁ ସେ ଜାଣିଥିଲା।
ଡିସେମ୍ବର ୨୦୦୩ରେ ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ସେହି ମାମଲାର ଅନୁସନ୍ଧାନ ଆରମ୍ଭ କଲେ। ଗୋଟିଏ ମାସ ପରେ ସମସ୍ତ ଅଭିଯୁକ୍ତ ଗିରଫ ହେଲେ। ୨୦୦୪ ଅଗଷ୍ଟ ମାସରେ ମାନ୍ୟବର ସୁପ୍ରିମ କୋର୍ଟ ମାମଲାର ଶୁଣାଣି ମୁମ୍ବାଇକୁ ସ୍ଥାନାନ୍ତରିତ କଲେ। ସେଠାରେ ଏକ ସ୍ଵତନ୍ତ୍ର ସିବିଆଇ କୋର୍ଟରେ ପ୍ରାୟ ଚାରି ବର୍ଷର ଶୁଣାଣି ପରେ ୨୦୦୮ ଜାନୁୟାରୀରେ ସମସ୍ତ ୨୦ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୧୩ ଜଣ ଦୋଷୀ ସାବ୍ୟସ୍ତ ହେଲେ। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଗଲା।
ମେ ୨୦୧୭ରେ ବମ୍ବେ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ପୂର୍ବରୁ ୭ ଜଣଙ୍କୁ ଖଲାସ କରିବା ପାଇଁ ଥିବା ନିର୍ଦ୍ଦେଶକୁ ନାକଚ କରି ଦିଆଯିବା ସହିତ ୧୧ ଜଣଙ୍କ ଆଜୀବନ କାରାଦଣ୍ଡକୁ କାୟମ୍ ରଖାଗଲା।
କିନ୍ତୁ ଏହାର ପାଞ୍ଚ ବର୍ଷ ପରେ ୨୦୨୨ ଅଗଷ୍ଟ ୧୫ ତାରିଖ ଦିନ ଗୁଜରାଟ ସରକାରଙ୍କ ଦ୍ଵାରା ଗଠିତ ଏକ ଜେଲ୍ ଉପଦେଷ୍ଟା କମିଟିର ସୁପାରିଶ କ୍ରମେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ସମସ୍ତ ୧୧ ଜଣ ଦୋଷୀଙ୍କୁ ଜେଲ୍ରୁ ମୁକ୍ତ କରି ଦିଆଗଲା।
ଦୋଷୀମାନଙ୍କୁ ଜେଲ୍ରୁ ମୁକ୍ତ କରି ଦିଆଯିବା କଥାଟିର ବୈଧତାକୁ ନେଇ ଏବେ ଏକାଧିକ ବିଶେଷଜ୍ଞ ପ୍ରଶ୍ନ ଉଠାଇଲେଣି।
ଏହି କବିତାରେ ବିଲକିସ୍ଙ୍କୁ ସମ୍ବୋଧନ କରି କବି ନିଜର ଅନ୍ତର୍ବେଦନାକୁ ପ୍ରକାଶ କରିଛନ୍ତି।
ମୋ ନାଁ ବି ବିଲକିସ୍!
ତୁମ ନାଁରେ କ’ଣ ଅଛି ବିଲକିସ୍?
ଯାହା ମୋ କବିତାକୁ କ୍ଷତାକ୍ତ କରେ
ଓ ସଶକ୍ତ କାନର ପରଦାକୁ ରକ୍ତାକ୍ତ!
ତୁମ ନାଁରେ କ’ଣ ଅଛି ବିଲକିସ୍?
ଯାହା ଅସ୍ଥିର ଜିଭକୁ ନିଥର କରେ
ଓ ଅଧାକୁହା ଭାଷଣକୁ ବାକ୍ରୁଦ୍ଧ!
ତୁମ ଆଖିର ସୂର୍ଯ୍ୟ ପରି ତେଜୋଦୀପ୍ତ ଦୁଃଖ
ତୁମ କଷ୍ଟକୁ ରୂପ ଦେବା ପାଇଁ ମନରେ ମୁଁ ଆଙ୍କୁଥିବା
ପ୍ରତ୍ୟେକଟି ଚିତ୍ରକୁ ନିଷ୍ପ୍ରଭ କରେ,
ଅସହ୍ୟ ଖରାରେ ତୁମ ଶେଷହୀନ ମରୁ-ଯାତ୍ରା ତୁଳନାରେ!
ସମୁଦ୍ର ପରି ଉଦ୍ବେଳିତ ସମସ୍ତ ସ୍ମୃତି
ତୁମ ଶାଣିତ ଦୃଷ୍ଟିରେ ହୁଏ ପରାହତ,
ମୁଁ ବିଶ୍ଵାସ କରୁଥିବା ପ୍ରତ୍ୟେକ ବିଚାର
ହୋଇଯାଏ ଶୁଷ୍କ ବାଲିଚର,
ଆମ ସଭ୍ୟତାର ପ୍ରତାରଣାକୁ ଏକ ଦୃଢ଼ ପ୍ରହାର
- ତାହା ଏକ ସର୍ବାଦୃତ ମିଛ ଓ ତାସ୍ର ଘର!
ତୁମ ନାଁରେ ଏମିତି କ’ଣ ଅଛି ବିଲକିସ୍,
ଯାହା ମଣିଷପଣିଆ ଉପରେ
କାଳି ଢାଳି ଦିଏ?
ତୁମ ନିଃଶ୍ଵାସର ରକ୍ତରେ ଜର୍ଜ୍ଜରିତ
ଏଇ ପୃଥିବୀ ଦିନେ ସାଲେହାଙ୍କ
ନରମ ଖପୁରି ଭାଙ୍ଗିଯିବା ପରି
ଲଜ୍ଜାରେ ନିଶ୍ଚୟ ହେବ ବିସ୍ଫୋରିତ!
ଶରୀରରେ ଖାଲି ସାୟାଟିଏ ପିନ୍ଧି ତୁମେ
ଯେମିତି ପାହାଡ଼ ଚଢ଼ିଲ,
ତାହା ହୁଏତ ଅନାବୃତ୍ତ କରି ରଖିବ
ଏହି ବାସ୍ତବତାକୁ ଯାହା ଯୁଗଯୁଗ ଧରି ଘାସଟିଏ
କଅଁଳିବାକୁ ଦେବନି,
ଓ ଏଇ ମାଟିରେ ପ୍ରବାହିତ ପ୍ରତି ଦଲକା ପବନରେ
ନପୁଂସକତାର ଅଭିଶାପ ବୁଣି ହେଇଯିବ!
ତୁମ ନାଁରେ କ’ଣ ଅଛି ବିଲକିସ୍,
ଯାହା ମୋ ପୁରୁଷପଣିଆର କଲମକୁ
ଲେଖା ଅଧାରେ ଓ ବ୍ରହ୍ମାଣ୍ଡର ପ୍ରଲମ୍ବିତ ତୋରଣକୁ
ଅଟକାଇ ଦେଉଛି ଓ ଭାଙ୍ଗି ଦେଉଛି
ନୈତିକତାର କଲମ ମୁନକୁ?
ଏହି କବିତା, ଗୋଟିଏ ମୃତ କ୍ଷମାପତ୍ର ବା ସନ୍ଦେହାତ୍ମକ
ନିୟମକାନୁନ ପରି
ସମ୍ଭବତଃ ବ୍ୟର୍ଥ ପ୍ରମାଣିତ ହେବ, ଯଦି ତୁମେ
ବଞ୍ଚିବାର ରାହା ପାଇବନି ଓ ସାହସର
ନିଃଶ୍ଵାସ ମାରି ପାରିବନି!
ତୁମ ନାଁ ତୁମେ ଦେଇଦିଅ ବିଲକିସ୍,
କେବଳ ସର୍ବନାମ ପରି ନୁହେଁ, ବରଂ କ୍ରିୟା
କାରକଟିଏ ହୋଇ ଦେଇଦିଅ ତୁମ ନାଁ ବିଲକିସ୍,
ମୋ ଦେଶର ଜନତାଙ୍କୁ ଯେଉଁମାନେ
ହତ-ବୁଦ୍ଧି ଓ ଦୁଃଖରେ ମ୍ରିୟମାଣ
ଜୀବନ ବଞ୍ଚି ଚାଲିଛନ୍ତି!
ମୋର ଶୁଷ୍କ ବିଶେଷ୍ୟଗୁଡ଼ିକୁ ବିଶେଷଣ କରିଦିଅ
ଶିଖାଇ ଦିଅ ଯୁଦ୍ଧରତ ପ୍ରତିପକ୍ଷଙ୍କୁ
ହରାଇବା ଭଳି କ୍ରିୟା-ବିଶେଷଣଯୁକ୍ତ
ସମର କୌଶଳ, ବିଲକିସ୍!
ମୋ ଭାଷାକୁ ଭରସା ଆଣିଦିଅ ଉଠି ଚାଲି ଶିଖିବାକୁ
ରୂପକଳ୍ପ ଦ୍ଵାରା ସଶକ୍ତ ହୋଇ
ମୋ କହିବାର ଭାବକୁ ଶାଣିତ କରାଅ!
ତୁମେ ସ୍ଵାଧିନତାର ଉପନାମ ବିଲକିସ୍,
ତୁମେ ନ୍ୟାୟର ସ୍ଵର, ପ୍ରତିଶୋଧ ଭାବନାର
ତୁମେ ବିପରୀତ ତତ୍ତ୍ଵ ବିଲକିସ୍!
ମୋତେ ତୁମ ପ୍ରସାରିତ ଦୃଷ୍ଟିର ସାମର୍ଥ୍ୟ ଆଣିଦିଅ ବିଲକିସ୍!
ତୁମଠାରୁ ସମ୍ପ୍ରସାରିତ ରାତିର କାଳିମା
ତୁମ ଆଖିର କଜ୍ଜ୍ଵଳ ପାଲଟିଯାଉ ବିଲକିସ୍!
ବିଲକିସ୍ ହେଉ ଏକ ଯତିପାତ, ବିଲକିସ୍ ହେଉ ଘଣ୍ଟିର ସଙ୍ଘାତ,
ବିଲକିସ୍ ହେଉ କୋମଳ ହୃଦୟର ଏକ ସଙ୍ଗୀତ,
ଏହି କବିତାଟିକୁ କାଗଜ-ପଞ୍ଜୁରୀରୁ କରି ଦିଆଯାଉ ମୁକ୍ତ!
ତୁମର ଗତି ଊର୍ଦ୍ଧ୍ଵଗାମୀ ହେଉ ବିଲକିସ୍, ତୁମେ ସୁଦୂରପ୍ରସାରୀ ହୁଅ;
ମଣିଷପଣିଆର ଧବଳ କପୋତ ହୋଇ ତୁମ ଡେଣା ତଳେ
ଏହି ରକ୍ତାକ୍ତ ପୃଥ୍ଵୀକୁ ଆଶ୍ରୟ ଦିଅ,
ତୁମ ନାଁରେ ସନ୍ନିହିତ ସମସ୍ତ ଗୁଣ ଦ୍ଵାରା
ପ୍ରଶସ୍ତ ହୁଅ ଓ ଆଶ୍ଵସ୍ତ କରାଅ ବିଲକିସ୍!
ପ୍ରାର୍ଥନା କରୁଛି!
ଗୋଟିଏ ଥର ପାଇଁ ହେଲେ ମଧ୍ୟ
ମୋ ନାଁ ତୁମେ ହୋଇଯାଅ, ବିଲକିସ୍!
କବିତା ଓ ଗଦ୍ୟ ଅନୁବାଦ: କପିଳାସ ଭୂୟାଁ
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ବିଲକିସ୍-ବାନୋ-ଉପାଖ୍ୟାନ-ନ୍ୟାୟର-ନିର୍ବାସନ

