ଅଭାବରେ ଚଳିବା ଏହି ଦଳିତ କଲୋନୀ ନିବାସୀଙ୍କ ପାଇଁ କିଛି ନୂଆ କଥା ନୁହେଁ । ଏଠାରେ ରହୁଥିବା ଅନେକ ଲୋକ ୧୯୯୦ ପୂର୍ବରୁ ସେହି ଅଞ୍ଚଳର ବିଭିନ୍ନ ଗ୍ରାମରେ ଗୋତି ଶ୍ରମିକ ଭାବେ କାମ କରୁଥିଲେ । ବର୍ତ୍ତମାନର ପରିସ୍ଥିତି ସେମାନଙ୍କ ମନରେ ସେହି ସମୟର ସ୍ମୃତିଗୁଡିକ ପୁଣି ତାଜା କରିଦେଉଛି । କିନ୍ତୁ, ସେମାନେ କୁହନ୍ତି, ଏଥର ଏହା ଅଧିକ ଗମ୍ଭୀର ନୁହେଁ । “ଏହି ଅଭାବ (ବିମୁଦ୍ରୀକରଣ ଯୋଗୁଁ) ପ୍ରାୟ ୩୦ ବର୍ଷ ପୂର୍ବେ ଏଠାରେ ହୋଇଥିବା ମରୁଡି ପରିସ୍ଥିତିଠାରୁ ଯଥେଷ୍ଟ ଭଲ’’ । ନାରାୟଣାପ୍ପା, ବର୍ତ୍ତମାନ ବୟସ ୪୯ ବର୍ଷ, କୁହନ୍ତି ଯେ “ଯେତେବେଳେ ମୋର ବୟସ ୨୦ ବା ଟିକିଏ ଅଧିକ ଥିଲା, ସେତେବେଳେ ଆମେ କ୍ରମରେ ତିନି ବା ଚାରି ଦିନ ପର୍ଯ୍ୟନ୍ତ ଭୋକ ଉପାସରେ ରହୁଥିଲୁ। ସେତେବେଳେ ବଞ୍ଚି ରହିବା ପାଇଁ ଆମେମାନେ ତେନ୍ତୁଳି ମଞ୍ଜିକୁ ପାଣିରେ ବତୁରେଇ ରଖୁଥିଲୁ ଓ ତାହା ଖାଉଥିଲୁ ବା ତାଳ ଗଛର କନ୍ଦା ଖାଉଥିଲୁ । ସେହି ସମୟରେ, ମୁଁ ପ୍ରାୟ ୧୪ ବର୍ଷ ପର୍ଯ୍ୟନ୍ତ ଏକ ଜୀଥାଗାଡୁ [ ଜଣେ ଗୋତି ଶ୍ରମିକ] ଭାବେ କାମ କରିଛି’’ ।
ବର୍ତ୍ତମାନ, ପୂର୍ବର ସେହି ଗୋତି ଶ୍ରମିକମାନେ କାମ ଖୋଜିବା ପାଇଁ ପ୍ରତିବର୍ଷ ଅନେକ ମାସ ପର୍ଯ୍ୟନ୍ତ ବାହାରକୁ ପ୍ରବାସରେ ଚାଲି ଯାଉଛନ୍ତି, ବିଶେଷଭାବେ ଗ୍ରାମରେ କୃଷି କ୍ଷେତ୍ରରେ କର୍ମ ସୁଯୋଗ କମିଯିବା ପରେ ସେମାନେ ଚାଲିଯାଆନ୍ତି । ନାରୟଣାପ୍ପାଙ୍କ ପରିବାରର ଅଧିକାଂଶ ସଦସ୍ୟ ପ୍ରବାସରେ ବାଙ୍ଗାଲୁରୁ ଚାଲିଯାଆନ୍ତି ଓ ୩-୪ମାସରେ ଥରେ ନିଜ ଘରକୁ କିଛି ଦିନ ରହିବାକୁ ଆସନ୍ତି । ସେମାନେ ସାଧାରଣତଃ ସହରରେ ନିର୍ମାଣ ସାଇଟ୍ରେ କାମ କରନ୍ତି ଓ ସେମାନେ କାମ କରୁଥିବା କୋଠାର ଉପର ମହଲାରେ ରୁହନ୍ତି ବା ରାସ୍ତା କଡରେ ଥିବା ବଖରାଗୁଡିକରେ ଖୁନ୍ଦାଖୁନ୍ଦି ହୋଇ ରୁହନ୍ତି । କିନ୍ତୁ ସେମାନେ ନିଜର କଠିନ ପରିଶ୍ରମ ବଦଳରେ ପେଟଭରି ଖାଇବା ଯୋଗାଡ଼ କରିବାକୁ ସମର୍ଥ ହୋଇପାରନ୍ତି । “ଆମେ ନିଶ୍ଚିତ ଭାବେ ସପ୍ତାହରେ ଦୁଇଥର ଭୋଜନରେ ମାଂସ ଖାଇଥାଉ,” ବୋଲି ନାରୟଣାପ୍ପା କୁହନ୍ତି । ବିମୁଦ୍ରାକରଣ ପରେ ଏହା ବଦଳି ଯାଇଛି ।
ନଭେମ୍ବର ପ୍ରଥମ ସପ୍ତାହରେ ନାରୟଣାପ୍ପାଙ୍କ ପରିବାର ବୁଚର୍ଲା ଫେରି ଆସିବା ପରେ, କୃଷି କ୍ଷେତ୍ରରେ କାମ କରିବାକୁ କୌଣସି ସୁଯୋଗ ନଥିବାରୁ, ନିଜର ସମସ୍ତ ଖର୍ଚ୍ଚ ତୁଲେଇବା ପାଇଁ ସେମାନଙ୍କୁ ସେମାନଙ୍କ ସଞ୍ଚିତ ରାଶିର ସଦ୍ଉପଯୋଗ କରିବାକୁ ହେବ। ଗଚ୍ଛିତ ଥିବା ଶସ୍ୟକୁ ନିଜ ମଧ୍ୟରେ ବାଣ୍ଟି ବା ପରସ୍ପର ଠାରୁ ସଞ୍ଚୟ କରିଥିବା ଟଙ୍କା ଉଧାରରେ ନେଇ ଗ୍ରାମରେ ରହୁଥିବା ଅନ୍ୟ ଜାତିର ଲୋକମାନେ ପରିସ୍ଥିତିର ମୁକାବିଲା କରୁଛନ୍ତି । ନାରାୟଣାପ୍ପାଙ୍କ ଜାତିର ଲୋକମାନଙ୍କ ପାଖରେ ସ୍ୱଳ୍ପ ପରିମାଣରେ ଜିନିଷ ଗଚ୍ଛିତ ହୋଇ ରହିଛି ଓ ସେମାନେ ଗ୍ରାମର ଅନ୍ୟମାନଙ୍କ ଠାରୁ ମଧ୍ୟ ସହଜରେ ଉଧାରରେ କିଛି ଆଣିପାରିବେ ନାହିଁ ।
ଅନୌପଚାରିକ ଭାବେ ସେମାନେ ଗ୍ରାମର ଅନ୍ୟମାନଙ୍କ ଠାରୁ ଉଧାରରେ ଗଚ୍ଛିତ ଜିନିଷ ବା ଟଙ୍କା ପଇସା କାହିଁକି ଆଣିପାରିବେ ନାହିଁ ତାହା ବର୍ଣ୍ଣନା କରିବାକୁ ଯାଇ “ଆମେମାନେ ହେଉଛୁ ଆମ୍ବେଦକରଙ୍କ ଲୋକ,” ବୋଲି ନାରାୟଣାପ୍ପା କୁହନ୍ତି । ସେ ତାଙ୍କ ଜାତିର ନାମ ନଜଣେଇବାକୁ ଚେଷ୍ଟା କରୁଛନ୍ତି । “ବର୍ତ୍ତମାନ ଆମର ସମ୍ମାନ ଅଛି,” ବୋଲି ସେ କୁହନ୍ତି “ଯଦି କିଏ ଆମକୁ ଖାଦ୍ୟ ପଦାର୍ଥ ଯାଚନ୍ତି, ତେବେ ଆମେ ତାହା ନେଉନୁ । ଆମେ ପେଟ ପୂରା ନଖାଇଥିଲେ ମଧ୍ୟ ସେମାନଙ୍କୁ ଆମେ ପେଟ ଭର୍ତ୍ତି କରି ଖାଇଛୁ ବୋଲି କହିଦେଉ ।