ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ବିମୁଦ୍ରୀକରଣ ସଂପର୍କରେ ଘୋଷଣା କରିବାର ସପ୍ତାହେ ପୂର୍ବରୁ, ତେଲେଙ୍ଗାନା ସିଦ୍ଦିପେଟ ଜିଲ୍ଲା ଧର୍ମାରମ ଗାଁର ୪୨ ବର୍ଷୀୟ ଚାଷୀ ଭର୍ଦା ବାଲାୟା, ତାଙ୍କର ଏକ ଏକର ଚାଷ ଜମି ବିକ୍ରି କରିବାକୁ ବସିଥିଲେ । ସିଦ୍ଦିପେଟ ଓ ରାମୟାପେଟକୁ ସଂଯୋଗକାରୀ ରାଜପଥ କଡ଼ରେ ଥିଲା ଏହି ଜମି ।
ଅକ୍ଟୋବର ମାସର ଅଦିନିଆ ବର୍ଷା ଯୋଗୁଁ ତାଙ୍କର ମକା ଚାଷ କ୍ଷତିଗ୍ରସ୍ଥ ହୋଇ ଯାଇଥିଲା । ଆନ୍ଧ୍ର ବ୍ୟାଙ୍କ ଓ ଅନ୍ୟ ମହାଜନଙ୍କଠାରୁ ସେ ନେଇଥିବା ଋଣର ସୁଧ ବଢ଼ି ବଢ଼ି ୮-୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ଅର୍ଥ ବିନା ସେ ତାଙ୍କୁ ଧାର ଦେଇଥିବା ଲୋକମାନଙ୍କୁ ମୁହଁ ଦେଖାଇବାକୁ ଚାହୁଁନଥିଲେ। ତେଣୁ ସେ ନିଜର ଅମଳକ୍ଷମ ୪ ଏକର ଜମିରୁ ଏକ ଏକର ବିକ୍ରି କରିବାକୁ ଚାହୁଁଥିଲେ। ତେଣୁ ସେ ସମ୍ଭାବ୍ୟ କ୍ରେତାଙ୍କୁ ଖୋଜୁଥିଲେ।
‘ଜଣେ ଏହି ଜମିକୁ କିଣିବା ଲାଗି ଆଗ୍ରହୀ ଅଛନ୍ତି’- ବିମୁଦ୍ରୀକରଣ ପୂର୍ବରୁ ଏକଥା ସେ ତାଙ୍କ ବଡ଼ ଝିଅ ଶୀରିଷାକୁ କହିଥିଲେ।
୨୦୧୨ରେ ନିଜ ଝିଅ ଶୀରିଷାର ବାହାଘର ଲାଗି ବାଲାୟା ୪ ଲକ୍ଷ ଟଙ୍କା କରଜ କରିଥିଲେ, ଆଉ ଏଥିଯୋଗୁଁ ସେ ପ୍ରବଳ ଆର୍ଥିକ ଚାପରେ ଥିଲେ। ତାପରେ ୪ଟି ବୋରୱେଲ ଖୋଳିବା ଲାଗି ସେ ୨ ଲକ୍ଷ ଟଙ୍କା ଋଣ ବି କରିଥିଲେ, ଯାହା ତାଙ୍କ ଋଣ ଭାର ବଢ଼ାଇ ଦେଇଥିଲା। ଆଉ ଏସବୁ ବୋରୱେଲ ମଧ୍ୟରୁ ୩ଟି ବିଫଳ ହୋଇଥିଲା। ଏସବୁ ଫଳରେ ତାଙ୍କ ଋଣ ଭାର ଆହୁରି ବଢ଼ି ଯାଇଥିଲା ।
କିଛି ମାସ ଆଗରୁ ବାଲାୟାଙ୍କ ସାନ ଝିଅ, ୧୭ ବର୍ଷ ବୟସର ଅଖିଳା ମାଧ୍ୟମିକ ସ୍ତର ବା ଦ୍ୱାଦଶ ଶ୍ରେଣୀରେ ପହଞ୍ଚି ଯାଇଥିଲା। ସମାନ ବୟସ ବେଳକୁ ତା ବଡ଼ ଭଉଣୀ ବାହା ହୋଇ ସାରିଥିଲା। ଅଖିଳାର ବାହାଘରକୁ ନେଇ ବାଲାୟା ବେଶ ଚିନ୍ତିତ ଥିଲା। ତା’ଛଡ଼ା ମୁଣ୍ଡ ଉପରେ ଥିବା ସମସ୍ତ ଋଣକୁ ଶୁଝିବା ଲାଗି ମଧ୍ୟ ସେ ଚାହୁଁଥିଲା।




