ପ୍ରଥମ ଥର ପାଇଁ ମନୱାରା ବେୱାଙ୍କର ପାଛିଆ ଖାଲି ଦେଖାଯାଉଛି । କାରଖାନା ବନ୍ଦ ହୋଇଯାଇଛି, ୨୦ ଦିନରୁ ଅଧିକ ହେବ ମୁନ୍ସୀ ନିଖୋଜ, ଏବଂ ପରିବାର ମୁହଁରେ ଖାଦ୍ୟ ଦେବା ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ । ମନୱାରା କହନ୍ତି, ସେ ଜାଣନ୍ତି ଯେ ଦେଶର କେତେକ ଭାଗରେ କେତେକ ଲୋକ ଗୋଟିଏ ‘କଳା ଜିନିଷ’ ବିରୋଧରେ ଲଢ଼େଇ କରୁଛନ୍ତି ଏବଂ ଏବଂ ତାହା ହିଁ ତାଙ୍କ ଦୁର୍ଦ୍ଦଶାର କାରଣ ।
୧୭ ବର୍ଷ ଧରି, ୪୫ ବର୍ଷୀୟା ମନୱାରା ବିଡ଼଼ି ମୋଡ଼ି ନିଜ ପରିବାର ପାଇଁ ଉପାର୍ଜନ କରିଆସୁଛନ୍ତି – ୧,୦୦୦ଟି ବିଡ଼ି ତିଆରି କଲେ ୧୨୬ ଟଙ୍କା । ସ୍ବାମୀଙ୍କୁ ହରାଇବା ପରେ ସେ ଏହି କାମ ଆରମ୍ଭ କରିଥିଲେ, ଭୂମିହରା ଦମ୍ପତିଙ୍କର ଦୁଇ ପୁଅ ଥିଲେ, ସାନ ପୁଅଟି ସେତେବେଳେ ମାତ୍ର ୬ ମାସର ହୋଇଥିଲା । ଯୁବ ବୟସରେ ସେ ଦିନକୁ ୨,୦୦୦ ବିଡ଼ି ମୋଡ଼ି ଦେଉଥିଲେ, ଏବେ ସେ ମାତ୍ର ୫୦୦ କରି ପାରୁଛନ୍ତି ।
ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ଅନୁସାରେ, ପଶ୍ଚିମବଙ୍ଗର ଘରୋଇ ବିଡ଼ି ଶ୍ରମିକଙ୍କ ମଧ୍ୟରୁ ୭୦ ପ୍ରତିଶତରୁ ଅଧିକ ମହିଳା । ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲ୍ଲା ଜାଙ୍ଗୀପୁର ସବ୍ଡିଭିଜନ୍ରେ ଥିବା ଗୋଟିଏ ବିଡ଼ି ତିଆରି ୟୁନିଟ୍ରେ ମୁନ୍ସୀ ଭାବେ କାମ କରୁଥିବା ମଣିରୁଲ୍ ହକ୍ କହନ୍ତି, ‘‘ଏଠାରେ ବିଡ଼ି ତିଆରି ଶିଖି ନ ଥିଲେ, ଜଣେ ଯୁବତୀ ପାଇଁ ଭଲ ସ୍ୱାମୀ ମିଳିବା କଷ୍ଟକର । ଜଣେ ଠିକାଦାର ଯିଏ ବିଡ଼ି ଶ୍ରମିକଙ୍କ ଘରେ ବିଡ଼ି ତିଆରି ପାଇଁ କଞ୍ଚାମାଲ ପହଞ୍ଚାନ୍ତି ଏବଂ ତିଆରି ପରେ ସେମାନଙ୍କଠାରୁ ବିଡ଼ି ସଂଗ୍ରହ କରନ୍ତି, ତାଙ୍କୁ ମୁନ୍ସୀ କୁହାଯାଏ ।






