ସେ ନିଜ ସଂପ୍ରଦାୟ ପାଇଁ ଲଢେଇ କରୁଛନ୍ତି – କିନ୍ତୁ ଅଧିକାଂଶ ସମୟରେ ସେମାନଙ୍କର ଚିନ୍ତାଧାରା ବିରୋଧରେ ସ୍ୱର ଉତ୍ତୋଳନ କରିଥାନ୍ତି। ସେ ସେମାନଙ୍କର ସମ୍ମାନ ପାଇଁ ଲଢେଇ କରନ୍ତି, କିନ୍ତୁ ସେମାନେ ପ୍ରତିଦିନ କରୁଥିବା କାମକୁ ବିରୋଧ କରନ୍ତି। ସେହି କାମକୁ ସେ ବନ୍ଦ କରିବାକୁ ଚାହାନ୍ତି। ସେ ମନେ କରନ୍ତି ଯେ ହୁଏତ ସେ ତାଙ୍କ ସଂପ୍ରଦାୟର ପୁରୁଖା ପିଢିକୁ ବିମୁଖ ବା ଅସନ୍ତୁଷ୍ଟ କରିଦେଇଛନ୍ତି, ତେଣୁ ଯୁବବର୍ଗଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରୁଛନ୍ତି। ସେ ହେଉଛନ୍ତି କଳ୍ପନା*, ବୟସ ମାତ୍ର ୩୩ ବର୍ଷ। କିନ୍ତୁ ସେ ଗୋମାସପଳାୟମରେ ପିଲାମାନଙ୍କ ପାଇଁ ଏକ ମାଗଣା ଟ୍ୟୁସନ୍ ସେଣ୍ଟର ଚଳାଉଛନ୍ତି। ତାହା ବୋଧହୁଏ ତାମିଲନାଡୁର ମଦୁରାଇର ସବୁଠୁ ପୁରୁଣା ବସ୍ତି। ସେଠାକାର ୨୩୦ଟି ଘରେ ପ୍ରାୟ ୭୦୦ ପରିବାର ରହୁଛନ୍ତି। ପର୍ଯ୍ୟଟନସ୍ଥଳୀ ପାଇଁ ପ୍ରସିଦ୍ଧ ମଦୁରାଇର କେନ୍ଦ୍ରସ୍ଥଳରେ ସେହି ବସ୍ତି ଅବସ୍ଥିତ।
ଏହି ପରିବାର ସବୁ ହେଉଛି ହାତରେ ମଇଳା ସଫା କରୁଥିବା ଲୋକ, ସଫେଇ କର୍ମୀ ବା ଘରୋଇ ଶ୍ରମିକ ଏବଂ କେୟାରଟେକରମାନଙ୍କର। ସେମାନଙ୍କ ମଧ୍ୟରୁ ସମସ୍ତେ ହେଉଛନ୍ତି ସମାଜର ସବୁଠୁ ତଳେ ଥିବା ଦଳିତ ସଂପ୍ରଦାୟ ଅରୁନ୍ଧତୀୟାରର ସଦସ୍ୟ। ଏଠାକାର ଅନେକ ଲୋକ ବିଶେଷ କରି ବୟସ୍କ ଲୋକମାନେ ଚିନ୍ତା କରନ୍ତି ଯେ ସେମାନଙ୍କ ଜୀବନରୁ ହାତରେ ମଇଳା ସଫା କରିବା କାମକୁ ବାଦ୍ ଦେବା କଷ୍ଟକର। କଳ୍ପନା କହନ୍ତି, "ଏହା ବଦଳିବା କଷ୍ଟକର ବୋଲି ମୋର ଲୋକମାନେ ଚିନ୍ତା କରନ୍ତି। ଯେତେବେଳେ ମୁଁ ଏ ସଂପର୍କରେ ଅଭିଯାନ ଆରମ୍ଭ କଲି ସେମାନେ ଏହାକୁ ଘୃଣା କଲେ। ସେମାନେ ଅନ୍ୟ କାହାକୁ ଦୋଷ ଦେବାକୁ ଚାହୁଁନଥିଲେ।"
ତେଣୁ କଳ୍ପନା ଯୁବପିଢିଙ୍କ ମନରେ ବିଭିନ୍ନ୍ନ ପ୍ରକାର ବିଚାରଧାରା ଭର୍ତ୍ତି କରିବାକୁ ଉଦ୍ୟମ କରୁଛନ୍ତି। ନିଜ ଉଦ୍ୟମରେ ସେ ଏକ ଟ୍ୟୁସନ୍ ସେଣ୍ଟର ପରିଚାଳନା କରୁଛନ୍ତି। ୪୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ସପ୍ତାହକୁ ତାହା ୫ ଦିନ ଧରି ଚାଲୁଛି। ସମୟ ସମୟରେ ଶନିବାରରେ ମଧ୍ୟ ଏଠାରେ କ୍ଲାସ ହୋଇଥାଏ। ଗୋମାସପଳାୟମଠାରେ ଥିବା କମ୍ୟୁନିଟି ହଲରେ ଏହି ଟ୍ୟୁସନ୍ ସେଣ୍ଟର ସନ୍ଧ୍ୟା ୫.୩୦ରୁ ୮.୩୦ ମିନିଟ୍ ପର୍ଯ୍ୟନ୍ତ ଚାଲେ। ଏଠାରେ ସେ ନିୟମିତ ଭାବେ ଛାତ୍ରଛାତ୍ରୀମାନଙ୍କୁ "ସେମାନଙ୍କର ବାପା ମା’ କରୁଥିବା କାମକୁ" ନ କରିବା ଲାଗି ପ୍ରେରିତ କରିଥାନ୍ତି। ଏବଂ ସେମାନଙ୍କର ପାଠପଢାରେ ସେମାନଙ୍କୁ ସାହାଯ୍ୟ କରନ୍ତି। ସେ କହନ୍ତି, "ମୁଁ ୩ ବର୍ଷ ହେଲା ଏହି କାମ କରିଆସୁଛି। ଯେତେଦିନ ଯାଏ ମୁଁ ଏଠାରେ ଅଛି ଏହି କାମ ଜାରି ରଖିବି। ୫୦ ବର୍ଷ ପୁରୁଣା ଏହି ବସ୍ତିବାସିନ୍ଦାଙ୍କ ପାଇଁ ଗତ ୩ ବର୍ଷ ତଳେ ପ୍ରଥମେ କଂକ୍ରିଟ୍ ଘର ତିଆରି ହେଲା। ସେହି ତଥାକଥିତ ମରାମତି ପରେ ମୁଁ ଏହି କମ୍ୟୁନିଟି ହଲକୁ (ସେହି ସମୟରେ ତିଆରି ହୋଇଥିଲା) ପିଲାଙ୍କୁ ପଢାଇବା ପାଇଁ ବ୍ୟବହାର କରୁଛି।"



