ନିଜ ଭଉଣୀର ମୃତ୍ୟୁକୁ ବର୍ଣ୍ଣନା କରି ସୁବାସ କାବଡେ କୁହନ୍ତି, "ମୁଁ ଜାଣିନାହିଁ ତା ମୃତ୍ୟୁର ପ୍ରକୃତ କାରଣ କ’ଣ କିନ୍ତୁ ମୁଁ ଜାଣିଛି ସେ ଆବଶ୍ୟକ କରୁଥିବା ଯତ୍ନ ତାକୁ ମିଳିନଥିଲା"।
ମହାରାଷ୍ଟ୍ରର ବିଡ୍ ସହରର ସିଭିଲ୍ ଚିକିତ୍ସାଳୟରେ ତାଙ୍କ ଭଉଣୀ ଲତା ସୁର୍ଭାସେଙ୍କ ମୃତ୍ୟୁର ପୂର୍ବ ଦିନ ରାତିରେ, ତାଙ୍କୁ ଦୁଇଟି ଇଞ୍ଜେକସନ୍ ତୁରନ୍ତ ଦେବା ପାଇଁ ଜଣେ ଡାକ୍ତର ନିର୍ଦ୍ଧାରଣ କରିଥିଲେ। ତେଣୁ ସୁବାସ ବାହାରେ ଥିବା ମେଡିକାଲ ଷ୍ଟୋର୍କୁ ଶୀଘ୍ର ଯାଇ କିଛି ମିନିଟ୍ ମଧ୍ୟରେ ଇଞ୍ଜେକସନ୍ ନେଇ ଆସିଲେ। କିନ୍ତୁ ସେହି ସମୟ ବେଳକୁ ଡାକ୍ତର ଯାଇ ସାରିଥିଲେ।
୨୫ ବର୍ଷୀୟ ସୁବାସ କହିଲେ,"ତାଙ୍କୁ ଅନେକ ରୋଗୀଙ୍କୁ ଦେଖିବାର ଥିଲା ସେଥିପାଇଁ ସେ ଅନ୍ୟ ୱାର୍ଡକୁ ଚାଲିଯାଇଥିଲେ"। "ମୁଁ ନର୍ସଙ୍କୁ କହିଲି ସେହି ଇଞ୍ଜେକସନ୍ଗୁଡିକୁ ମୋ ଭଉଣୀକୁ ଦେବା ପାଇଁ କିନ୍ତୁ ଯେତେବେଳେ ସେ ଲତାର ଫାଇଲ୍ ଦେଖିଲେ, ସେ ଜାଣିବାକୁ ପାଇଲେ ଯେ ସେଥିରେ ଏହି ଇଞ୍ଜେକସନ୍ଗୁଡିକର ନାମ ଉଲ୍ଲେଖ ନଥିଲା। ମୁଁ ତାଙ୍କୁ ବୁଝେଇବାକୁ ଚେଷ୍ଟା କଲି ଯେ ଏଗୁଡିକ କିଛି ମିନିଟ୍ ପୂର୍ବରୁ ଡାକ୍ତରଙ୍କ ଦ୍ୱାରା ନିର୍ଦ୍ଧାରଣ କରାଯାଇଛି ଏବଂ ଫାଇଲରେ ଲେଖା ନଥିବ।"
କିନ୍ତୁ ନର୍ସ ଜଣକ ତାଙ୍କ କଥା ଶୁଣିଲେ ନାହିଁ। ସୁବାସ କହିଲେ, ଯେତେବେଳେ ସେ ବ୍ୟାକୁଳ ହୋଇ ଇଞ୍ଜେକସନ୍ ଦେବାକୁ ପ୍ରାର୍ଥନା କଲେ, "ୱାର୍ଡ ଦାୟିତ୍ୱରେ ଥିବା ବ୍ୟକ୍ତି ଜଣକ ସୁରକ୍ଷା କର୍ମଚାରୀଙ୍କୁ ଡାକିବାର ଧମକ ଦେଲେ"। ରୋଗୀକୁ ଶେଷରେ ଇଞ୍ଜେକସନ୍ ଦେବା ପାଇଁ ପ୍ରାୟ ଏକ ଘଣ୍ଟା ଏହି ଘଟଣାଟିକୁ ବୁଝିବା ପାଇଁ ଲାଗିଗଲା।
ପରଦିନ ସକାଳେ ତଥା ମଇ ୧୪ ତାରିଖ ଦିନ ଲତା ମୃତ୍ୟୁ ବରଣ କଲେ। ଏପ୍ରିଲ ୨୩ ତାରିଖ ଦିନ କୋଭିଡ ସଂକ୍ରମିତ ହେବାଠାରୁ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ବିଡ ସହରର ଓକିଲ ସୁବାସ କୁହନ୍ତି,"ତାଙ୍କଠାରେ ଆରୋଗ୍ୟ ଲାଭର ଲକ୍ଷଣମାନ ବାରମ୍ବାର ଦେଖା ଯାଉଥିଲେ"। ସେ ନିଶ୍ଚିତ ନୁହଁନ୍ତି ଯେ ସେମାନେ ତାଙ୍କୁ ଇଞ୍ଜେକସନ୍ ଠିକ୍ ସମୟରେ ଦେଇଥିଲେ କି ନାହିଁ ଯାହାକି ଜୀବନ ରକ୍ଷା କରିପାରିଥାନ୍ତା। କିନ୍ତୁ ମୁଁ ସ୍ଥିର ନିଶ୍ଚିତ ଯେ ଚିକିତ୍ସାଳୟଟିରେ କର୍ମଚାରୀମାନଙ୍କର ଘୋର ଅଭାବ ରହିଛି। ସେ କୁହନ୍ତି,"ଏହା ରୋଗୀଙ୍କ ସେବାକୁ ପ୍ରଭାବିତ କରୁଛି।"
ଚଳିତ ବର୍ଷ ମାର୍ଚ୍ଚ ମାସରେ ଆରମ୍ଭହୋଇଥିବା କୋଭିଡ-୧୯ର ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଭାରତର ଗ୍ରାମାଞ୍ଚଳରେ ଅତ୍ୟଧିକ ଚାପରେ ଥିବା ଜନସ୍ୱାସ୍ଥ୍ୟ ଭିତ୍ତିଭୂମି ଆଡକୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲା। କର୍ମଚାରୀମାନଙ୍କ ଘୋର ଅଭାବ , କ୍ଲାନ୍ତ ସ୍ୱାସ୍ଥ୍ୟକର୍ମୀ ଓ ଉତ୍ତମ ଚିକିତ୍ସାରୁ ବଂଚିତ ରୋଗୀ ହେଉଛି ଗ୍ରାମାଂଚଳର ଲକ୍ଷ ଲକ୍ଷ ଜନସାଧାରଣଙ୍କ ପାଇଁ ଉପଲବ୍ଧ ଥିବା ସ୍ୱାସ୍ଥ୍ୟ ସେବା।







