‘‘ଏହି ପାତ୍ରଟି ବହୁ ଦରକାରୀ। ଆମ ପଡ଼ା [ଗାଁ] ଏବେ ବି ଅନ୍ଧାର ଭିତରେ। ସେଇଥିପାଇଁ ମୁଁ ପଦଯାତ୍ରା କରିଛି। ଅତି କମ୍ରେ ଏବେ ଆମକୁ ଆଲୁଅ ଦିଅ,’’ ମଙ୍ଗଲ ଘାଜେ କହିଲେ। ଫେବ୍ରୁଆରୀ ୨୦-୨୧ରେ ନାସିକରେ ଏକ ରାଲିରେ ଯୋଗ ଦେଇଥିବା ୪୭ ବର୍ଷୀୟ ମଙ୍ଗଲ ଏକ ଟାବଲେଟ୍ ଆକାରର ସୌର ପ୍ଲେଟ୍ ତାଙ୍କ ମୁଣ୍ଡ ଉପରେ ସନ୍ତୁଳିତ କରି ରଖିଥିଲେ। ସେ କହିଲେ, ‘‘ସିଧାସଳଖ ଏହି ପାତ୍ର [ଧାତୁ] ଉପରେ ସୂର୍ଯ୍ୟକିରଣ ପଡ଼ିଲେ ଏହା ତାପମାତ୍ରା ସଂଗ୍ରହ କରେ। ସଂଧ୍ୟାରେ ଆମେ ଏହାକୁ ମୋବାଇଲ ଫୋନ୍ ଚାର୍ଜ ଏବଂ ଟର୍ଚ୍ଚରେ ବ୍ୟବହାର କରୁ। ଏହି ଜିନିଷ ଆମକୁ ଟିକେ ଆଶ୍ୱସ୍ତି ଦେଇଛି।’’
ମଙ୍ଗଲଙ୍କ ଭଳି (ଉପର କଭର ଫଟୋରେ), ତାଙ୍କର ଅନେକ ପଡୋଶୀ ସୌର ପ୍ଲେଟ୍ ବ୍ୟବହାର କରୁଛନ୍ତି । ତାଙ୍କ ପଡ଼ାରେ ୪୦ଟି ଘର। ଏହି ପଡ଼ାଟି ନାସିକ ଜିଲ୍ଲା ଦିଣ୍ଡୋରୀ ତାଲୁକର ସିନ୍ଦୱାଡ଼ ଗାଁଠାରୁ ପ୍ରାୟ ଅଧକିଲୋମିଟର ଦୂର। ତାଙ୍କ ପଡ଼ାର ସମସ୍ତ ବାସିନ୍ଦା ଅନୁସୂଚିତ ଜନଜାତି ବର୍ଗ - ମହାଦେବ କୋଲି ସଂପ୍ରଦାୟର। ଏମାନଙ୍କ ମଧ୍ୟରୁ ଅଧିକାଂଶ ଜଂଗଲ ଜମିରେ ଧାନ, ମୁଗ ଓ ହରଡ଼ ଚାଷ କରନ୍ତି। ୨୦୧୮ର ଅନାବୃଷ୍ଟି ଯୋଗୁଁ ସେମାନଙ୍କର ଫସଲହାନୀ ହୋଇଥିଲା। ଫଳରେ ଖୁବ୍ କମ୍ ଶସ୍ୟ ଅମଳ ହୋଇଥିଲା।
ବର୍ଷେ ତଳେ ମଙ୍ଗଲ ଏହି ସୌର ପ୍ଲେଟ୍ଟି କିଣିଥିଲେ। ସେ କହିଲେ, ‘‘ଆମ ପଡ଼ାରେ ଜଣେ ଗୋଟିଏ ପାତ୍ର କିଣିଥିଲା। ମୋ ପାଇଁ ଗୋଟିଏ ଆଣିବାକୁ ତାକୁ କହିଲି। ତା ପରେ ଅନ୍ୟ ଲୋକ ବି କିଣିବା ଆରମ୍ଭ କଲେ। ଏହାର ଦାମ୍ ୨୫୦ ଟଙ୍କା - ଆମ ଭଳି ଲୋକଙ୍କ ପାଇଁ ଦିନକର ମଜୁରୀ।’’




