ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ରାଜମହଲ ପାହାଡ଼ର ପୂର୍ବ ଭାଗ ଦେଖିବାକୁ ମିଳିଥାଏ, ଯାହାକି ପ୍ରାୟ ୫ଶହ ମିଟର ଉଚ୍ଚତାରେ ସମତଳ ଶୀର୍ଷ ଥିବା ପାହାଡ଼ମୁଣ୍ଡିଆ, ଏହା ସମତଳ ଉର୍ବର ଜମି ଉପରେ ପୁରାତନ ଲାଭା ପ୍ରବାହ ଦ୍ୱାରା ସୃଷ୍ଟି ହୋଇଛି। ଏହି ପାହାଡ଼ ବାସଲଟ ପରି ଆଗ୍ନେୟଗିରି ପଥର ଦ୍ୱାରା ନିର୍ମିତ। ବହୁ ପୁରାତନ ସମୟରେ ଏହି ଅଞ୍ଚଳ ହାତୀ, ବାଘ, ଭାଲୁ, ଚିତାବାଘ, ହରିଣ ଏବଂ ନାନା ପ୍ରକାର ଅନ୍ୟ ଜୀବଜନ୍ତୁଙ୍କର ବାସସ୍ଥାନ ଥିଲା। ଏଠାରେ ସେ ସମୟରେ ମଧ୍ୟ ଅନେକ ସାନ୍ତାଳ ଗ୍ରାମ ଥିଲା ଏବେ ମଧ୍ୟ ଅଛି, ମୁଖ୍ୟତଃ ପାହାଡ଼ିଆ ଉଚ୍ଚ ଅଞ୍ଚଳଗୁଡ଼ିକରେ।
ବୀରଭୂମର ନଲହାଟୀ ବ୍ଲକ୍ରେ ଥିବା ସମତଳ ଅଞ୍ଚଳରୁ ଉପରକୁ ଉଠିଥିବା ଅନେକ ବାସାଲ ପାହାଡ଼ ମଧ୍ୟରୁ ବୋରୁଡି ପାହାଡ଼ ଅନ୍ୟତମ। ଏହି ପଥରଗୁଡ଼ିକ ରାସ୍ତା ତିଆରି ଏବଂ ରେଲଓ୍ୱେ ସ୍ଲିପର ମଧ୍ୟରେ ବିଛାଇବା ପାଇଁ ବ୍ୟବହାର କରାଯାଏ ଏବଂ ଗୃହ ନିର୍ମାଣ ସାମଗ୍ରୀ ପାଇଁ ଏହାକୁ ଅତ୍ୟନ୍ତ ଛୋଟ ଛୋଟ ଭାବରେ ମଧ୍ୟ ଗୁଣ୍ଡ କରାଯାଏ। ଗତ ୩୦ବର୍ଷ ପର୍ଯ୍ୟନ୍ତ ଏହି ପାହାଡ଼ର ସମତଳ ଉପର ଭାଗରେ ଜଙ୍ଗଲ ଥିଲା କିମ୍ବା ସାନ୍ତାଳମାନଙ୍କ ଦ୍ୱାରା ଚାଷ କରାଯାଉଥିବା ଜମି ଥିଲା। ସେବେଠାରୁ କିନ୍ତୁ ଏହି ପାହାଡ଼ ପଥର ପାଇଁ ଫଟା ଯାଉଛି, ଯାହାକି ଭାରତର ସଡ଼କ ନିର୍ମାଣ ଏବଂ ନିର୍ମାଣ କ୍ଷେତ୍ରରେ ଅଗ୍ରଗତି କାରଣରୁ ଖୁବ୍ ଚାହିଦାରେ ଅଛି। ଡିନାମାଇଟ୍ ବିସ୍ଫୋରଣରେ ଏହା ଫଟାଯିବା ପରେ ପଥରଗୁଡ଼ିକୁ ନିକଟବର୍ତ୍ତୀ କ୍ରସରଗୁଡ଼ିକରେ ଗୁଣ୍ଡ କରାଯାଏ ଏବଂ ଏହାପରେ ଏହି ଅଞ୍ଚଳ ବାହାରକୁ ପରିବହନ କରାଯାଏ।
୨୦୧୫ ଏପ୍ରିଲ ମାସର ଏକ ବିସ୍ଫୋରଣ ଦିନର ସାକ୍ଷୀ ଭାବରେ ଏହି ଗସ୍ତ ଆମକୁ ଏହି ପାହାଡ଼ର ପାଦଦେଶରେ ଥିବା ଭବନନ୍ଦପୁର ଗ୍ରାମରୁ ବାରୁଡ଼ି ପାହାଡ଼ର ଉପର ପର୍ଯ୍ୟନ୍ତ ନେଇଯିବ।






























