ପୂର୍ବାହ୍ନ ୮ଟା ହେବ, ରାସ୍ତା ତଥାପି ଶୂନ୍ଶାନ୍ ଥିବା ବେଳେ, ରାସ୍ତାର ଏକ କୋଣରୁ ଜୋର୍ରେ ଠୁକ୍ – ଠୁକ୍ ଶବ୍ଦ ବାହାରୁଛି । ବାଲପ୍ପା ଚନ୍ଦର ଧୋତ୍ରେ ବାରଣ୍ଡା ଉପରେ ବଡ ବଡ ପଥର ମଝିରେ ବସି, ସେଗୁଡିକୁ ହାତୁଡିରେ ବାଡଉଛନ୍ତି । ତାଙ୍କର ସେହି ଅସ୍ଥାୟୀ ‘କର୍ମଶାଳା’ ପଛରେ ରହିଥିବା ରିକ୍ସା ଓ ସ୍କୁଟର୍ଗୁଡିକ ଅଳ୍ପ କିଛି ସମୟ ମଧ୍ୟରେ ତାଙ୍କ କାମରେ ବାହାରି ଯିବେ । ଧୋତ୍ରେ ନିଜେ ମଧ୍ୟ କିଛି ସମୟ ମଧ୍ୟରେ ଏଠାରୁ ଯିବାକୁ ବାହାରିବେ – ଉତ୍ତର ମୁମ୍ବାଇର ଏକ ସହରତଳି ଅଞ୍ଚଳ, କାନ୍ଦିବଲି ପୂର୍ବର ସେହି ବାରଣ୍ଡା ଉପରେ ବସି ସେ ତିଆରି କରିଥିବା ପଥର ପେଷଣାଗୁଡିକ ସହିତ ।
ନିହଣ ସାହାଯ୍ୟରେ ଗୋଟିଏ ପେଷଣା ତିଆରି କରିବା ପାଇଁ ପ୍ରାୟ ଏକ ଘଣ୍ଟା ସମୟ ଲାଗିଥାଏ – ବା ଖଲ ଓ ଦସ୍ତା – ଯାହା ଚଟଣୀ ଓ ମସଲା ବାଟିବା ପାଇଁ ବ୍ୟବହାର କରାଯାଏ । ସେ ଏହାକୁ କଲ୍ଲୁ ରୁବ୍ବୁ କୁହନ୍ତି, ଯାହାକୁ କନ୍ନଡରେ ପଥର ପେଷଣା ବା ମରାଠିରେ ଖଲ୍ବଟ୍ଟା ବୋଲି କୁହାଯାଏ । ଏଗୁଡିକ ତିଆରି ହୋଇ ସାରିବା ପରେ, ସେ ଏଗୁଡିକୁ ଏକ ଶକ୍ତ ରେଜିନ୍ ବ୍ୟାଗ୍ରେ ରଖନ୍ତି – ପ୍ରାୟତଃ, ୨ରୁ ୩ଟି ପେଷଣା, ପ୍ରତ୍ୟେକର ଓଜନ ୧ ଓ ୪ କେଜି ହେବ – ତାପରେ ସେ ବାରଣ୍ଡାରୁ ଉଠି ପାଖ ଅଞ୍ଚଳରେ ଥିବା ତାଙ୍କ ‘କର୍ମଶାଳା’ ଆଡାକୁ ଚାଲି ଚାଲି ଯାଆନ୍ତି । ସେଠାରେ, ବ୍ୟସ୍ତବହୁଳ ରାସ୍ତାର ଏକ କୋଣରେ, ନିଜର ଦୋକାନ ପକାନ୍ତି । ସେ ନିଜ ପାଖରେ ବେଳେବେଳେ କିଛି କଳା ପଥର (କଳା ପଥର) ମଧ୍ୟ ରଖିଥାନ୍ତି । ପେଷଣା ନେବା ପାଇଁ ଅଧିକ ଗ୍ରାହକ ଆସିଲେ, ସେ ସେହି ସ୍ଥାନରେ ପଥର କାଟି ପେଷଣା ତିଆରି କରନ୍ତି ।
“ସେମାନେ ମୋତେ କେବଳ ପଥରୱାଲା ବୋଲି ଡାକନ୍ତି ” କୁହନ୍ତି ଧୋତ୍ରେ ।
ସେ ଛୋଟ ଆକାରର ପଥର ପେଷଣାକୁ ୨୦୦ ଟଙ୍କାରେ ଓ ବଡ ଆକାରର ପେଷଣାକୁ ୩୫୦- ୪୦୦ଟଙ୍କାରେ ବିକ୍ରି କରିଥାନ୍ତି । “କେତେକ ସପ୍ତାହରେ ମୋର ଉପାର୍ଜନ ୧୦୦୦-୨୦୦୦ ଟଙ୍କା ହୋଇଯାଏ । ଆଉ ବେଳେବେଳେ ମୋତେ କିଛି ମିଳେନାହିଁ ”। ଏହାର କ୍ରେତାମାନେ ହେଉଛନ୍ତି ସେହି ବର୍ଗର ଲୋକ ଯେଉଁମାନେ ଏକ ବୈଦ୍ୟୁତିକ ପେଷଣା କିଣିବାକୁ ଅସମର୍ଥ ବା ଯେଉଁମାନେ ଏହାକୁ ନିଜ ବୈଠକ ଘରେ ସାଜସଜ୍ଜା ସାମଗ୍ରୀ ଭାବେ ରଖିବାକୁ ଚାହାନ୍ତି ବା ବାଲପ୍ପାଙ୍କ ସ୍ତ୍ରୀ ନାଗୁବାଇଙ୍କ ପରି, ଯେଉଁମାନେ ପଥର ପେଷଣାକୁ ବ୍ୟବହାର କରିବାକୁ ଅଧିକ ପସନ୍ଦ କରିଥାନ୍ତି । “ମୋତେ ମିକ୍ସି ଭଲ ଲାଗେନାହିଁ [ବୈଦ୍ୟୁତିକ ମିକ୍ସର୍]”, ସେ କୁହନ୍ତି, “ସେଥିରେ ଖାଦ୍ୟ ସୁସ୍ୱାଦୁ ହୁଏନାହିଁ । ଏହି [ କାଲ୍ଲୁ] ଯୋଗୁ ଖାଦ୍ୟ ସୁସ୍ୱାଦୁ ହୋଇଥାଏ, ଏହା ତାଜା ମଧ୍ୟ ।”








