ମଇ ୨୦ ତାରିଖରେ ସାମୁଦ୍ରିକ ଝଡ଼ ଅମ୍ଫନ ଯୋଗୁଁ ତୀବ୍ର ବେଗରେ ବହୁଥିବା ପବନ ଓ ପ୍ରବଳ ବର୍ଷା ସତ୍ତ୍ୱେ ସବିତା ସର୍ଦ୍ଦାରଙ୍କ ମନରେ କୌଣସି ଭୟ ନଥିଲା। “ଖରାପ ପାଗର ସମ୍ମୁଖୀନ ହେବା ଆମ ପାଇଁ ସାଧାରଣ କଥା। ମୁଁ ଡରୁନଥିଲି। ପ୍ରକୃତରେ ଯେଉଁମାନେ କଂକ୍ରିଟ ଘରେ ରହୁଥିଲେ ସେମାନେ ଅଧିକ ଡରିଯାଇଥିଲେ”, ସେ କୁହନ୍ତି।
ଦକ୍ଷିଣ କୋଲକାତାର ଏକ ଲୋକପ୍ରିୟ ବଜାରର ରାସ୍ତାକଡ଼ରେ ଆଜକୁ ୪୦ ବର୍ଷ ହେବ ସବିତା ରହି ଆସୁଛନ୍ତି।
ସେଦିନ, ମହାବାତ୍ୟା ଅମ୍ଫନ ପଶ୍ଚିମବଙ୍ଗର ରାଜଧାନୀ ଦେଇ ଅତିକ୍ରମ କରୁଥିବା ସମୟରେ, ସବିତା ଏବଂ ଆଉ କେତେ ଜଣ ବାସହୀନ ମହିଳା ଗରିଆହାଟ ଫ୍ଲାଏଓଭର ତଳେ ସେମାନେ ତାଙ୍କର ତିନି ଚକିଆ ସାଇକେଲକୁ ଆଶ୍ରା କରି ଏକାଠି ବସି ରହିଥିଲେ। ଏହିପରି ଭାବେ ସେମାନେ ରାତି ବିତାଇଥିଲେ। “ଆମେ ସେଠାରେ ବସି ରହିଲୁ ଯେତେବେଳେ ଭଙ୍ଗା କାଚ ଖଣ୍ଡ ଚାରିପାଖରେ ଉଡ଼ିବୁଲୁଥିଲା ଏବଂ ଗଛଗୁଡ଼ିକ ଭାଙ୍ଗି ପଡ଼ୁଥିଲା। ପବନରେ ଉଡ଼ି ଆସୁଥିବା ବର୍ଷା ଆମକୁ ଭିଜାଇ ଦେଉଥିଲା। ଆମେ ଖୁବ ଜୋରରେ ହେଉଥିବା ଧୂମଧାମ ଶବ୍ଦ ଶୁଣିପାରୁଥିଲୁ,” ସବିତା ସ୍ମରଣ କରି କୁହନ୍ତି।
ଏଇ ମାତ୍ର ପୂର୍ବ ଦିନ ସେ ଫ୍ଲାଏଓଭର ତଳେ ଥିବା ନିଜର ବାସସ୍ଥଳୀକୁ ଫେରିଥିଲେ। “ଅମ୍ଫନର ଗୋଟିଏ ଦିନ ପୂର୍ବରୁ ମୋ ପୁଅ ଘରୁ ମୁଁ ଗରିଆହାଟକୁ ଫେରିଥିଲି। ମୋର ବାସନକୁସନ ଓ ପୋଷାକ ଏଣେ ତେଣେ ବିଚ୍ଛାଡ଼ି ହୋଇ ପଡ଼ିଛି ଯେମିତିକି କେହି ସେଥିରେ କ’ଣ ଖୋଳାଖୋଳି କରିଛି,” ସବିତା କୁହନ୍ତି, ଯାହାଙ୍କ ବୟସ ପାଖାପାଖି ୪୭ ବର୍ଷ ହେବ। ସେ ଟଲିଗଞ୍ଜର ଝଲଦର ମଠ ବସ୍ତି କଲୋନୀରେ ଥିବା ନିଜ ପୁଅ ଘରୁ ୪ କିମି ଦୂର ନିଜ ବାସସ୍ଥାନକୁ ଫେରିଥିଲେ। ସେଠାରେ ରାଜୁ, ୨୭, ତାଙ୍କ ପତ୍ନୀ ରୂପା, ୨୫, ସେମାନଙ୍କ ଛୋଟ ପିଲା ଏବଂ ରୂପାର ସାନ ଭଉଣୀ ରୁହନ୍ତି।
ମାର୍ଚ୍ଚ ୨୫ରେ ଲକଡାଉନ ଆରମ୍ଭ ହେବା ପରେ ଗରିଆହାଟର ରାସ୍ତାକଡ଼ ବାସିନ୍ଦାମାନଙ୍କୁ କୋଲକାତା ପୋଲିସ ଆଶ୍ରୟସ୍ଥଳୀକୁ ନେଇଯାଇଥିଲା। ସେଠାରୁ ସେ ଝଲଦର ମଠକୁ ଚାଲିଯାଇଥିଲେ। ସେଦିନ ରାତିରେ ପୋଲିସ ଅଧିକାରୀମାନେ ଫ୍ଲାଏଓଭର ତଳେ ରହୁଥିବା ସବିତା ଓ ଅନ୍ୟମାନଙ୍କୁ ସେଠାରୁ ଛାଡ଼ି ଚାଲିଯିବା ପାଇଁ ଅନୁରୋଧ କରିଥିଲେ। କରୋନା ଭୂତାଣୁ କାରଣରୁ ଆମେମାନେ ରାସ୍ତାକଡ଼ରେ ରହିପାରିବୁ ନାହିଁ ବୋଲି ସେମାନେ ଆମକୁ କହିଥିଲେ ଏବଂ ଆମକୁ ବର୍ତ୍ତମାନ ଆଶ୍ରୟସ୍ଥଳୀକୁ ଯିବାକୁ ହେବ,” ବୋଲି ସେ କହିଥିଲେ। ସେମାନଙ୍କୁ କୋଲକାତା ମହାନଗର ନିଗମର ୮୫ ନମ୍ବର ୱାର୍ଡରେ ଥିବା ଗୋଷ୍ଠୀ କେନ୍ଦ୍ରକୁ ନିଆଯାଇଥିଲା।






