ହିଙ୍ଗଳାଗଞ୍ଜ, ଗୋସାବା, କୁଲଟାଲି, ପଥରପ୍ରତିମା ଏବଂ ବସନ୍ତୀ ବ୍ଲକ୍ର ଜଙ୍ଗଲରେ ଥିବା ବାଘମାନେ ସେଠାକାର ଗ୍ରାମବାସୀମାନଙ୍କ ପ୍ରତି ଖୁବ୍ ବିପଦ ଯେଉଁମାନେ କି ଦୈନନ୍ଦିନର ଆବଶ୍ୟକତା ପୂରଣ ତଥା ଜୀବିକାର୍ଜନ ପାଇଁ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି । ଏହି ସବୁ ବ୍ଲକ୍ ସୁନ୍ଦରବନ ଜାତୀୟ ପାର୍କ (ଏବଂ ବାଘ ଉଦ୍ୟାନ)ର ନିକଟରେ ରହିଛି । ସୁନ୍ଦରବନ ନ୍ୟାସନାଲ ପାର୍କରେ ୧୭୦୦ ବର୍ଗ କିମିର କୋର ଏରିଆ (ଗଭୀର ଜଙ୍ଗଲ) ଏବଂ ୯୦୦ ବର୍ଗ କିମିର ବଫର ଏରିଆ ରହିଛି । ବଫର ଏରିଆରେ ପ୍ରବେଶ ପାଇଁ ଲୋକମାନଙ୍କୁ କିଛି ପରିମାଣରେ ଅନୁମତି ଦିଆଯାଇଥାଏ । ସାଧାରଣତଃ ଏହି ସବୁ ଗାଁର ପୁରୁଷମାନେ ମାଛ ଏବଂ କଙ୍କଡ଼ା ଧରିବା କିମ୍ବା ମହୁ ଓ କାଠ ସଂଗ୍ରହ କରିବା ଲାଗି ଜଙ୍ଗଲକୁ ଯାଇଥାନ୍ତି । ବାଘ ସହିତ ମୁହାଁମୁହିଁ ହେଲେ ଅଧିକାଂଶ ସମୟରେ ସେମାନେ ପ୍ରାଣ ହରାଇଥାନ୍ତି ।
ସୁନ୍ଦରବନରେ ଏହିଭଳି ଭାବେ ବିଧବା ହୋଇଥିବା ମହିଳାଙ୍କ ସଂପର୍କରେ ନିର୍ଦ୍ଦିଷ୍ଟ ପରିସଂଖ୍ୟାନ ନାହିଁ । କିନ୍ତୁ ସ୍ଥାନୀୟ ଲୋକେ, ଅଣ ସରକାରୀ ସଂସ୍ଥା ଏବଂ ଅନ୍ୟମାନଙ୍କର ଆକଳନ ଅନୁସାରେ ତାହା ୩ ଦଶନ୍ଧିରେ ଅତି କମ୍ରେ ୩୦୦୦ ହେବ- ବା ବର୍ଷକୁ ପ୍ରାୟ ୧୦୦ ଜଣ ।
ସ୍ୱେଚ୍ଛାସେବୀ ସଂଗଠନ ସୁନ୍ଦରବନ ରୁରାଲ ଡେଭଲପମେଣ୍ଟ ସୋସାଇଟିର ପରିଚାଳନା କରୁଥିବା ଅର୍ଜ୍ଜୁନ ମଣ୍ଡଳ କହନ୍ତି, ‘‘ ୨୦୧୧ ମସିହାରୁ ଗୋସାବାର ଲାହିରପୁର ଗ୍ରାମ ପଞ୍ଚାୟତ ଅଞ୍ଚଳ(୨୨ଟି ଗାଁକୁ ନେଇ ଗଠିତ)ରେ ପ୍ରାୟ ୨୫୦ ଜଣ ମହିଳା ବାଘ ଆକ୍ରମଣରେ ସେମାନଙ୍କର ସ୍ୱାମୀଙ୍କୁ ହରାଇଛନ୍ତି ।’’ ଅର୍ଜ୍ଜୁନଙ୍କର ସଂଗଠନ ‘‘ବାଘ ଆକ୍ରମଣରେ ବିଧବା ହୋଇଥିବା’’ ମହିଳାମାନଙ୍କର ମଙ୍ଗଳ ପାଇଁ କାମ କରୁଛି । ସେ ଆହୁରି କହନ୍ତି, ‘‘ କାହାକୁ ଜଣକୁ ବି କ୍ଷତିପୂରଣ ମିଳିନାହିଁ ।’’
ଏହି ମହିଳାମାନେ ପଶ୍ଚିମବଙ୍ଗ ସରକାରଙ୍କ ଜଙ୍ଗଲ ବିଭାଗ, ମତ୍ସ୍ୟ ବିଭାଗ ଏବଂ ରାଜ୍ୟର ଗ୍ରୁପ୍ ପର୍ସନାଲ ଆକ୍ସିଡେଣ୍ଟ ଇନସ୍ୟୁରାନ୍ସ ସ୍କିମ୍ରୁ ମୋଟ ୪-୫ ଲକ୍ଷ ଟଙ୍କା କ୍ଷତିପୂରଣ ପାଇବା କଥା । କିନ୍ତୁ ସେ ନେଇ ଅନେକ ସର୍ତ୍ତାବଳୀ ରହିଛି । ସେଥିମଧ୍ୟରୁ କିଛି ସର୍ତ୍ତାବଳୀ ସଂପର୍କରେ ଅର୍ଜୁନ କହନ୍ତି, ‘‘ଏଥିପାଇଁ ମହିଳାଙ୍କର ସ୍ୱାମୀ ଜଙ୍ଗଲର କୋର ଅଞ୍ଚଳରେ ମରିନଥିବା ଆବଶ୍ୟକ, ତାଙ୍କ ନିକଟରେ ବୋଟ୍ ଲାଇସେନ୍ସ ସାର୍ଟିଫିକେଟ୍ (ବିଏଲସି) ଏବଂ ଜଙ୍ଗଲ ବିଭାଗ ନିକଟରୁ ଏକ ଅନୁମତିପତ୍ର ଥିବା ଆବଶ୍ୟକ । ଏହାକୁ ବାଦ୍ ଦେଲେ ମହିଳା ଜଣକୁ କ୍ଷତିପୂରଣ ପାଇଁ ବିଭିନ୍ନ ବିଭାଗରେ ଅନେକ କାଗଜପତ୍ର ଦାଖଲ କରିବାକୁ ପଡ଼ିଥାଏ ।’’
ଅଜାଣତରେ ଗାଁର ଲୋକମାନେ ଜଙ୍ଗଲର କୋର ଅଞ୍ଚଳକୁ ପଳାଇଥାନ୍ତି । ନିଜେ ଜଣେ ମତ୍ସ୍ୟଜୀବୀ ହୋଇଥିବା ଅର୍ଜୁନ କହନ୍ତି, ‘‘କେଉଁଠାରେ ବରଫ ଅଞ୍ଚଳ ଶେଷ ହେଉଛି ଏବଂ କୋର ଅଞ୍ଚଳ ଆରମ୍ଭ ହେଉଛି ତାହା ଆମେ ଜାଣିପାରୁନା । ସରକାର ଖୁବ୍ କମ୍ ବିଏଲସି ଜାରି କରନ୍ତି ଏବଂ ସମସ୍ତେ ଏହାକୁ ପାଇପାରନ୍ତି ନାହିଁ । ସେହିପରି ଅନୁମତି ପାଇବା ମଧ୍ୟ ଜଙ୍ଗଲ ବିଭାଗର ଇଚ୍ଛା ଉପରେ ନିର୍ଭର କରିଥାଏ ।’’
ତେଣୁ ଯେଉଁ ଲୋକମାନେ ବିଏଲସି ବା ଅନୁମତି ପାଇନଥାନ୍ତି ସେମାନଙ୍କର ପତ୍ନୀମାନଙ୍କ ସାମ୍ନାରେ ପ୍ରତିବନ୍ଧକ ଆସିଥାଏ । ପରିସ୍ଥିତି ଆହୁରି ଜଟିଳ ହୋଇଯାଏ ଯେତେବେଳେ ଲୋକମାନେ କୋର ଅଞ୍ଚଳରେ ପ୍ରାଣ ହରାଇଥାନ୍ତି । ସେ ଅନୁମତି ନେଇ ହେଉ ବା ବିନା ଅନୁମତିରେ କୋର ଅଞ୍ଚଳକୁ ଗ୍ରାମବାସୀଙ୍କ ପ୍ରବେଶ ନିଷେଧ ହୋଇଥାଏ ।
ଗୋସାବା ବ୍ଲକ୍ର ପଥରପଡ଼ା ଗାଁର ୪୦ ବର୍ଷୀୟ ନମିତା ବିଶ୍ୱାସଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଛି । ତାଙ୍କର ସ୍ୱାମୀ ମନୋରଞ୍ଜନ ଜଣେ ମତ୍ସ୍ୟଜୀବୀ ହୋଇଥିବାବେଳେ ଫେବ୍ରୃଆରୀ ୨୦୧୫ରେ ଜଙ୍ଗଲର କୋର୍ ଅଞ୍ଚଳରେ ବାଘ ଆକ୍ରମଣର ଶିକାର ହୋଇଥିଲେ । ସେ ବର୍ତ୍ତିଗଲେ ଏବଂ ଏକ ହସ୍ପିଟାଲରେ ଭର୍ତ୍ତି ହେଲେ । କିନ୍ତୁ ଡିସଚାର୍ଜ ହେବାର କିଛି ଦିନ ପରେ ତାଙ୍କର ମୃତ୍ୟୁ ହେଲା । ନମିତା କହନ୍ତି, ‘‘ ତାଙ୍କର ମୁଣ୍ଡରେ ହୋଇଥିବା କ୍ଷତରୁ ସଂକ୍ରମଣ ଶୁଖିଲା ନାହିଁ । ମୋର ସ୍ୱାମୀଙ୍କ ନିକଟରେ ଏକ ବିଏଲସି ଥିଲା । କିନ୍ତୁ ପୁଲିସ ମୋର ବୟାନ ଗ୍ରହଣ କରିବାକୁ ମନା କଲା । କ୍ଷତିପୂରଣ ପାଇବା ଲାଗି ଆମେ ଆମର ସମସ୍ତ କାଗଜପତ୍ର ଏବଂ ମେଡିକାଲ ବିଲ୍କୁ ଜଙ୍ଗଲ ବିଭାଗକୁ ଦେଲୁ । ବର୍ତ୍ତମାନ ଯାଏ କିନ୍ତୁ ଟଙ୍କା ଆସିନାହିଁ । ମୋ ପରି ଏଭଳି ଆହୁରି ଅନେକ ବିଧବା ଅଛନ୍ତି । ସରକାର ଆମକୁ ଅତି କମ୍ରେ ମାସକୁ ପେନସନ୍ ଦେବା କଥା ।’’