ଏକ ଛୋଟ ସହର ହୋଇଥିଲେ ମଧ୍ୟ ଏହାର ଇତିହାସ ଅତି ସମୃଦ୍ଧ। ତେଲେଙ୍ଗାନାର ଆଦିଲାବାଦ୍ରେ ଅବସ୍ଥିତ ନିର୍ମଳ ସହରର ନାମକରଣ ୧୭ ଶ ଶତାବ୍ଦୀର ଜଣେ ଶାସକ, ନିମ୍ମା ନାଇଡୁଙ୍କ ନାମାନୁସାରେ କରାଯାଇଛି, ଯାହାର ରୁଚି କଳା ଓ ଖେଳନା ତିଆରିରେ ରହିଥିଲା। ସେହି ସମୟରେ ସେ ପ୍ରାୟ ୮୦ ଜଣ କଳାକାରଙ୍କୁ ଏକତ୍ର କରିଥିଲେ ଓ ଏକ ଖେଳନା ତିଆରି କାରଖାନା ଆରମ୍ଭ କରିଥିଲେ ଯାହା ପରବର୍ତ୍ତୀ ସମୟରେ ସେମାନଙ୍କ ସହରକୁ ସାସ୍କୃତିକ ମାନ୍ୟତା ପ୍ରଦାନ କରିଥିଲା ।
ଏବେ ବର୍ତ୍ତମାନର ସ୍ଥିତି ଉପରେ ଟିକିଏ ନଜର ପକାଇବା। ବର୍ତ୍ତମାନ ଅଧିକାଂଶ ଲୋକ ଆଦିଲାବାଦ ସହରକୁ ଯାତ୍ରା କରିବା ବେଳେ ବା ସେ ପାଖରେ ଥିବା କୁନ୍ତଳା ଜଳପ୍ରପାତ ଦେଖିବାକୁ ଯିବାବେଳେ ଏଠାରେ ବେଳେବେଳେ ରହିଥାନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ କିନ୍ତୁ ଏହା ଜାଣନ୍ତିନି ଯେ ୧ଲକ୍ଷ ବାସିନ୍ଦା ଥିବା ଏହି ଟାଉନ୍ରେ ଆଜି ମଧ୍ୟ ନରମ କାଠରୁ ଖେଳନା ପ୍ରସ୍ତୁତ କରାଯିବା କଳା ବଞ୍ଚି ରହଛି, ତେବେ ମାତ୍ର ୪୦ଟି ପରିବାର ଏବେ ଏହି କାମ କରୁଛନ୍ତି ।
ନିର୍ମଳର ଖେଳନା-ନିର୍ମାଣକାରୀମାନେ ନିଜର ଉତ୍ପାଦଗୁଡିକର ରୂପରେଖ ବିଭିନ୍ନ ଉଦ୍ଭିଦ ଓ ପ୍ରାଣୀଙ୍କ ଛବି ଅନୁସାରେ ପ୍ରସ୍ତୁତ କରିଥାନ୍ତି ଯାହା ଏହି କଳାର ସ୍ୱତନ୍ତ୍ରତା ଅଟେ। ସେମାନେ ପ୍ରାକୃତିକ କାଠ ବ୍ୟବହାର କରିବା ସହିତ ଯେଉଁ ଫଳ ବା ପଶୁକୁ ନକଲ କରନ୍ତି, ଖେଳନାଟି ତାହାପରି ଅବିକଳ ଦେଖାଯିବା ପାଇଁ ତାହାର ପ୍ରତ୍ୟେକ କୋଣକୁ ଧ୍ୟାନପୂର୍ବକ ଅଧ୍ୟୟନ କରିଥାନ୍ତି ।







