ଯେଉଁ ସ୍ଥାନରେ ଚମ୍ପତ ନାରାୟଣ ଜାଙ୍ଗଲେ ମୃତ୍ୟୁବରଣ କରିଥିଲେ, ତାହା ଏକ ଅନାବନା କପା କ୍ଷେତର ଖଣ୍ଡେ ପଥୁରିଆ, ଅପନ୍ତରା ଭାଗ ଥିଲା।

ମହାରାଷ୍ଟ୍ରର ଏହିସବୁ ଆଖପାଖ ଅଞ୍ଚଳରେ, ଏହାକୁ ହଲକୀ ଜମିନ୍‌ ବା ଢିପ ଜମି ବୋଲି କୁହାଯାଏ। ଅନ୍ଧ ସମ୍ପ୍ରଦାୟ ସହ ଜଡ଼ିତ ଏହି ଦୋଳାୟମାନ ଚାଷ ଜମିର ପରିଦୃଶ୍ୟକୁ ସବୁଜ ପାହାଡ଼ ଏକ ସୁନ୍ଦର ପୃଷ୍ଠଭୂମି ପ୍ରଦାନ କରିଥାଏ। ଚାଷ ଜମିର ଏହି ଭୂଖଣ୍ଡ ଗାଁ ଠାରୁ ଦୂର ଏକ ଭିନ୍ନ ଭାଗରେ ରହିଛି।

ଚମ୍ପତଙ୍କ ନଡ଼ା ଛପର ମଞ୍ଚା- ଯାହାକୁ ସେ ଟାଣ ଖରା ଓ ବର୍ଷା ଦାଉରୁ ରକ୍ଷା ପାଇବା ଲାଗି ତିଆରି କରିଥିଲେ- ନିଜର ଚାଷ ଜମିକୁ ଜଙ୍ଗଲୀ ଘୁଷୁରିଙ୍କଠାରୁ ସୁରକ୍ଷା ଦେବାକୁ ଏହି ସ୍ଥାନରେ ସେ ଦିନ ରାତି ବିତାଉଥିଲେ- ତାହା ଏବେ ବି ସେହି ପରିଦୃଶ୍ୟରେ ପଥର ଚଟାଣ ଉପରେ ଦଣ୍ଡାୟମାନ ହୋଇ ରହିଛି। ଚମ୍ପତ ସବୁବେଳେ ଏଇଠି ରହୁଥିଲେ, ଚାଷ ଜମିର ଦେଖାଶୁଣା କରୁଥିଲେ ବୋଲି ତାଙ୍କର ପଡ଼ୋଶୀମାନେ ମନେ ପକାଇ କୁହନ୍ତି।

ପ୍ରାୟ ୪୦ ବର୍ଷ ବୟସ୍କ ଅନ୍ଧ ଜନଜାତିର ଚାଷୀ ଚମ୍ପତ ଏହ ମଞ୍ଚାରୁ ନିଶ୍ଚିତ ଭାବେ ତାଙ୍କର ଚାଷ ଜମିକୁ ସମ୍ପୂର୍ଣ୍ଣ ଭାବେ ଦେଖିପାରୁଥିଲେ। ଏଇଠୁ ହିଁ ସେ ଅନ୍ତହୀନ କ୍ଷତିକୁ ଅନୁଭବ କରୁଥିଲେ, ଅବିକଶିକ କପା ଗଛ, ଆଣ୍ଠୁ ଉଚ୍ଚର ହରଡ଼ ଗଛ ସବୁ ଦେଖି ସେ ନିରାଶ ହୋଇପଡ଼ୁଥିଲେ।

ସେ ଭଲ ଭାବେ ଜାଣିସାରିଥିଲେ ଯେ ଦୁଇ ମାସ ପରେ ଯେତେବେଳେ ଅମଳ ଆରମ୍ଭ ହେବ, ଏସବୁ କ୍ଷେତରୁ କିଛି ମିଳିବ ନାହିଁ। ଅନ୍ୟପଟେ ତାଙ୍କୁ ବକେୟା ଋଣ ସୁଝିବାକୁ ହେବ ଏବଂ ପରିବାରର ଦୈନନ୍ଦିନ ଖର୍ଚ୍ଚ ବି ତୁଲାଇବାକୁ ପଡ଼ିବ। ହେଲେ ତାଙ୍କ ପାଖରେ ଆଦୌ ଟଙ୍କା ନାହିଁ।

Badly damaged and stunted cotton plants on the forlorn farm of Champat Narayan Jangle in Ninganur village of Yavatmal district. Champat, a small farmer, died by suicide on August 29, 2022.
PHOTO • Jaideep Hardikar
The small thatched canopy that Champat had built for himself on his farm looks deserted
PHOTO • Jaideep Hardikar

ୟବତମାଲ ଜିଲ୍ଲାର ନିଙ୍ଗାନୁରରେ ଥିବା ଚମ୍ପତ ନାରାୟଣ ଜାଙ୍ଗଲେଙ୍କ ଶ୍ରୀହୀନ ଚାଷ ଜମିରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଏବଂ ଅବିକଶିତ ରହିଥିବା କପା ଗଛ। କ୍ଷୁଦ୍ର ଚାଷୀ ଚମ୍ପତ ୨୯ ଅଗଷ୍ଟ, ୨୦୨୨ରେ ଆତ୍ମହତ୍ୟା କରିଥିଲେ। ଡାହାଣ: ଚାଷ ଜମିର ଦେଖାଶୁଣା ପାଇଁ ନିଜ ପାଇଁ ଚମ୍ପତ ତିଆରି କରିଥିବା ଛୋଟିଆ ନଡ଼ା ଛପର ମଞ୍ଚା ଏବେ ଖାଁ ଖାଁ ଲାଗୁଛି

ଅସୁସ୍ଥ ପିତାଙ୍କୁ ଦେଖିବା ଲାଗି ଚମ୍ପତଙ୍କ ପତ୍ନୀ ଧ୍ରୁପଦା କକକକକକ୨୯ ଅଗଷ୍ଟ ୨୦୨୨ରେ ପିଲାମାନଙ୍କୁ ନେଇ ଗାଁ ଠାରୁ ୫୦ କିଲୋମିଟର ଦୂର ନିଜ ଗାଁକୁ ଯାଇଥିଲେ। ଏହି ସମୟରେ ଚମ୍ପତ ମୋନୋସିଲ ନାମକ ପ୍ରାଣଘାତୀ କୀଟନାଶକ ପିଇ ଦେଇଥିଲେ ଯାହାକୁ ସେ ଗୋଟିଏ ଦିନ ପୂର୍ବରୁ ଉଧାର କରି ଆଣିଥିଲେ।

ଏହାପରେ, ସେ ବିପରୀତ ଚାଷ ଜମିରେ କାମ କରୁଥିବା ନିଜ ସମ୍ପର୍କୀୟ ଭାଇଙ୍କୁ ପାଟି କରି ଡାକିଥିଲେ ଓ ଖାଲି ବୋତଲକୁ ହଲାଇଥିଲେ, ଯେମିତି କି ଭୂମିରେ ଟଳି ପଡ଼ିବା ପୂର୍ବରୁ ସେ ବିଦାୟ ନେବାକୁ ଚାହୁଁଛନ୍ତି। ତୁରନ୍ତ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ଘଟଣା ସମ୍ପର୍କରେ ମନେ ପକାଇ ସେ କୁହନ୍ତି, ‘‘ମୁଁ ସବୁକିଛି ଛାଡ଼ି ଦେଇ ତାଙ୍କ ପାଖକୁ ଦୌଡ଼ି ଗଲି,’’ ଏହି ଘଟଣା ଘଟିବା ସମୟରେ ଚମ୍ପତଙ୍କ କକା ରାମଦାସ ଜାଙ୍ଗଲେ, (୭୦), ନିକଟରେ ଥିବା ଆଉ ଏକ ଅନୁର୍ବର ପଥୁରିଆ ଜମିରେ କାମ କରୁଥିଲେ। ସମ୍ପର୍କୀୟ ଓ ଗାଁ ଲୋକମାନେ ଏକ ଗାଡ଼ି ବ୍ୟବସ୍ଥା କରି ତାଙ୍କୁ ଗାଁଠାରୁ ୩୦ କିଲୋମିଟର ଦୂରରେ ଥିବା ଗ୍ରାମୀଣ ଡାକ୍ତରଖାନାକୁ ନେଇ ଯାଇଥିଲେ, ହେଲେ ସେତେବେଳକୁ ତାଙ୍କର ‘ମୃତ୍ୟୁ ଘଟି ସାରିଥିଲା’।

*****

ମହାରାଷ୍ଟ୍ର ପଶ୍ଚିମ ବିଦର୍ଭ କ୍ଷେତ୍ରରେ ଥିବା ୟବତମାଲର ଉମରଖେଡ଼ ତହସିଲର ଏକ ଉପାନ୍ତ ଗ୍ରାମ, ନିଙ୍ଗନୁରରେ ମୁଖ୍ୟତଃ ଅନ୍ଧ ଜନଜାତି ସମ୍ପ୍ରଦାୟର କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ରହିଥାନ୍ତି। କୃଷି ସେମାନଙ୍କର ମୁଖ୍ୟ ଜୀବିକା। ଏହି ଅଞ୍ଚଳରେ ମୁଖ୍ୟତଃ ଢିପ ଜମି ରହିଛି। ଏଇ ଗାଁରେ ହିଁ ଚମ୍ପତ ରହୁଥିଲେ ଓ ମୃତ୍ୟୁବରଣ କରିଥିଲେ।

ଲଗାତାର ମରୁଡ଼ି ପରେ ଜୁଲାଇ ଓ ଅଗଷ୍ଟ ମଧ୍ୟ ଭାଗରେ ପ୍ରବଳ ବର୍ଷା ହେବା ଯୋଗୁଁ ଗତ ଦୁଇ ମାସ ମଧ୍ୟରେ ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରେ ଚାଷୀଙ୍କ ଆତ୍ମହତ୍ୟା ଘଟଣା ବୃଦ୍ଧି ପାଇଛି।

‘‘ପ୍ରାୟ ତିନି ସପ୍ତାହ ଧରି, ଆମେ ସୂର୍ଯ୍ୟଙ୍କୁ ଦେଖିପାରିନାହୁଁ,’’ ରାମଦାସ କହିଥିଲେ। ପ୍ରଥମେ ପ୍ରବଳ ବର୍ଷା ବିହନକୁ ନଷ୍ଟ କରି ଦେଇଥିଲା ବୋଲି ସେ କହିଥିଲେ। ଏହାପରେ ବର୍ଷାରୁ ବର୍ତ୍ତି ଯାଇଥିବା ରୁଗ୍‌ଣ ଗଛଗୁଡ଼ିକ ଲଗାତାର ମରୁଡ଼ି ଯୋଗୁଁ ଅବିକଶିତ ହୋଇ ରହିଥିଲା। ‘‘ଆମେ ଯେତେବେଳେ କୀଟନାଶକ ପ୍ରୟୋଗ କଲୁ, ବର୍ଷା ବନ୍ଦ ହେଲା ନାହିଁ। ଏବେ ଆମେ ବର୍ଷା ଚାହୁଁଛୁ, କିନ୍ତୁ ହେଉ ନାହିଁ।’’

The Andh community's colony in Ninganur.
PHOTO • Jaideep Hardikar
Ramdas Jangle has been tending to his farm and that of his nephew Champat’s after the latter’s death
PHOTO • Jaideep Hardikar

ବାମ: ନିଙ୍ଗାନୁରରେ ଥିବା ଅନ୍ଧ ସମୁଦାୟର କଲୋନୀ। ଡାହାଣ: ପୁତୁରା ଚମ୍ପତଙ୍କ ମୃତ୍ୟୁ ପରେ ତାଙ୍କର ଚାଷ ଜମି ସହିତ ନିଜ ଜମିର ଦେଖାଶୁଣା କରୁଛନ୍ତି ରାମଦାସ ଜାଙ୍ଗଲେ

ପଶ୍ଚିମ ବିଦର୍ଭର କପା ଚାଷ ବହୁଳ ଅଞ୍ଚଳ, ଦୁଇ ଦଶନ୍ଧିରୁ ଅଧିକ ସମୟ ପର୍ଯ୍ୟନ୍ତ ଅଧିକ ଚାଷୀ ଆତ୍ମହତ୍ୟା ଘଟଣା କାରଣରୁ ଚର୍ଚ୍ଚାରେ ରହିଛି। କୃଷି କାର୍ଯ୍ୟରେ ଆର୍ଥିକ ଏବଂ ବର୍ଦ୍ଧିତ ପରିବେଶଗତ ସମସ୍ୟା ଚାଷୀ ଆତ୍ମହତ୍ୟା ଘଟଣାର ପ୍ରମୁଖ କାରଣ।

ବିଦର୍ଭ ଓ ମରାଠାୱାଡ଼ା ଅଞ୍ଚଳରେ ୧୯ଟି ଜିଲ୍ଲା ରହିଛି। ଆଇଏମଡିର ଜିଲ୍ଲା-ୱାରୀ ବୃଷ୍ଟିପାତ ତଥ୍ୟ ଅନୁଯାୟୀ ଚଳିତ ମୌସୁମୀ ଋତୁରେ ହାରାହାରୀଠାରୁ ୩୦ ପ୍ରତିଶତ ଅଧିକ ବୃଷ୍ଟିପାତ ହୋଇଛି। ଏଥିମଧ୍ୟରୁ ଅଧିକାଂଶ ବର୍ଷା ଜୁଲାଇ ମାସରେ ହୋଇଥିଲା। ମୌସୁମୀ ଅପସାରିତ ହେବାକୁ ଆହୁରି ପ୍ରାୟ ଗୋଟିଏ ମାସ ବାକି ରହିଥିବା ବେଳେ, ଜୁନରୁ ସେପ୍ଟେମ୍ବର ୧୦, ୨୦୨୨ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ୧୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇସାରିଛି (ଗତ ବର୍ଷ ସମାନ ଅବଧିରେ ହୋଇଥିବା ହାରାହାରି ୮୦୦ ମିଲିମିଟର ବର୍ଷା ତୁଳନାରେ)। ଫଳରେ ଚଳିତ ବର୍ଷ ସର୍ବାଧିକ ଅତି ବୃଷ୍ଟିପ୍ରବଣ ବର୍ଷରେ ପରିଣତ ହୋଇଛି।

କିନ୍ତୁ ଏହି ତଥ୍ୟ ବୃଷ୍ଟିପାତର ଭିନ୍ନତା ଏବଂ ଉତ୍ଥାନ-ପତନକୁ ଦର୍ଶାଇନଥାଏ। ଜୁନ ମାସରେ ପ୍ରାୟତଃ ବର୍ଷା ହୋଇନଥିଲା। ଜୁଲାଇ ମାସ ପ୍ରାରମ୍ଭରେ ବର୍ଷା ଆରମ୍ଭ ହୋଇଥିଲା ଏବଂ ଖୁବ କମ୍‌ ଦିନ ମଧ୍ୟରେ ବର୍ଷା ଅଭାବ ପୂରଣ ହୋଇଯାଇଥିଲା। ଜୁଲାଇ ମଧ୍ୟଭାଗ ବେଳକୁ ମହାରାଷ୍ଟ୍ରର ଅନେକ ଭାଗରେ ଅଚାନକ ବନ୍ୟା ଆସିବାର ସୂଚନା ମିଳିଥିଲା। ମରାଠାୱାଡ଼ା ଓ ବିଦର୍ଭର ଅଧିକାଂଶ ସ୍ଥାନରେ ଜୁଲାଇ ମାସର ପ୍ରଥମ ୧୫ ଦିନ ପ୍ରବଳ ବର୍ଷା ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଥିଲା।

ଶେଷର ଅଗଷ୍ଟ ପ୍ରାରମ୍ଭରେ ବର୍ଷା ଛାଡ଼ିଥିଲା ଏବଂ ୟବତମାଲ ସମେତ ଅଧିକାଂଶ ଜିଲ୍ଲାରେ ସେପ୍ଟେମ୍ବର ମାସ ଆରମ୍ଭ ପର୍ଯ୍ୟନ୍ତ ବର୍ଷା ଅଭାବ ଲାଗି ରହିଥିଲା। ଏହାପରେ ସାରା ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା।

ନିଙ୍ଗାନୁରରେ ଚାଷୀମାନେ କୁହନ୍ତି, ପ୍ରବଳରୁ ଅତି ପ୍ରବଳ ବର୍ଷା ପରେ କ୍ରମାଗତ ମରୁଡ଼ି ସ୍ଥିତି ଦେଖାଦେବା ଏହି କ୍ଷେତ୍ର ପାଇଁ ଏକ ସ୍ୱାଭାବିକ ପାଣିପାଗ ସ୍ଥିତି ହୋଇଗଲାଣି। ଏଭଳି ପାଣିପାଗ ସ୍ଥିତି ଯୋଗୁଁ ସେମାନେ କେଉଁ ଫସଲ ଚାଷ କରିବେ, କିଭଳି କୃଷି ପଦ୍ଧତି ଅବଲମ୍ବନ କରିବେ ଏବଂ ଜଳ ଓ ମୃତ୍ତିକାର ଆର୍ଦ୍ରତା କିଭଳି ବଜାୟ ରଖିବେ ସେ ନେଇ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି। ଏଭଳି ଗମ୍ଭୀର ମାନସିକ ଚାପ ଚମ୍ପତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା।

Fields damaged after extreme rains in July and mid-August in Shelgaon village in Nanded.
PHOTO • Jaideep Hardikar
Large tracts of farms in Chandki village in Wardha remained under water for almost two months after the torrential rains of July
PHOTO • Jaideep Hardikar

ବାମ: ନାନ୍ଦେଡ଼ ଜିଲ୍ଲା ଶେଲଗାଓଁ ଗ୍ରାମରେ ଜୁଲାଇ ଏବଂ ଅଗଷ୍ଟ ମଧ୍ୟ ଭାଗରେ ଅତିପ୍ରବଳ ବର୍ଷା ପରେ ନଷ୍ଟ ହୋଇଯାଇଥିବା ଚାଷ ଜମି। ଡାହାଣ: ଜୁଲାଇ ମାସରେ ମୁଷଳଧାରାରେ ବର୍ଷା ହେବା କାରଣରୁ ୱାର୍ଦ୍ଧାର ଚାନ୍ଦକୀ ଗ୍ରାମରେ ବହୁ ପରିମାଣର ଚାଷ ଜମି ଦୁଇ ମାସ ଧରି ଜଳମଗ୍ନ ହୋଇ ରହିଥିଲା

କୃଷି ସଂକଟକୁ ହ୍ରାସ କରିବା ଲାଗି ସରକାରଙ୍କ ପରିଚାଳିତ ଟାସ୍କଫୋର୍ସର ବସନ୍ତରାଓ ନାୟକ ଶେତକାରୀ ସ୍ୱାବଲମ୍ବନ ମିଶନର ମୁଖ୍ୟ କିଶୋର ତିୱାରୀ କୁହନ୍ତି, ନିକଟରେ ଚାଷୀ ଆତ୍ମହତ୍ୟା ଘଟଣା ବୃଦ୍ଧି ପାଇଛି। ୨୫ ଅଗଷ୍ଟରୁ ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ୧୫ ଦିନ ମଧ୍ୟରେ କେବଳ ବିଦର୍ଭରେ ୩୦ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ଜାନୁଆରୀ ୨୦୨୨ ଠାରୁ ଏବେ ସୁଦ୍ଧା ଏକ ହଜାରରୁ ଅଧିକ ଚାଷୀ ଆତ୍ମହତ୍ୟା କରି ସାରିଥିବା ସେ କହିଥିଲେ। ଅତିପ୍ରବଳ ବର୍ଷା ଏବଂ ଆର୍ଥିକ ଚାପ ଆତ୍ମହତ୍ୟାର ପ୍ରମୁଖ କାରଣ ବୋଲି ସେ କୁହନ୍ତି।

ଆତ୍ମହତ୍ୟା କରିଥିବା ଚାଷୀମାନଙ୍କ ମଧ୍ୟରେ ୟବତମାଲ ଜିଲ୍ଲାରେ ଥିବା ଗୋଟିଏ ଗାଁର ଦୁଇ ଭାଇ ଅଛନ୍ତି, ଯେଉଁମାନେ ଗୋଟିଏ ମାସ ବ୍ୟବଧାନରେ ଆତ୍ମହତ୍ୟା କରିଥିଲେ।

‘‘ଯେତେ ଅଧିକ ସହାୟତା ଦେଲେ ସୁଦ୍ଧା ଯଥେଷ୍ଟ ହେବ ନାହିଁ; କାରଣ ଚଳିତ ବର୍ଷ କ୍ଷତି ପରିମାଣ ଖୁବ୍‌ ଅଧିକ,’’ ତିୱାରୀ କୁହନ୍ତି।

*****

ସେମାନଙ୍କର ଚାଷ ଜମି ଜଳମଗ୍ନ ହୋଇଯିବା ସହ ଫସଲ ନଷ୍ଟ ହୋଇଯାଇଛି, ମହାରାଷ୍ଟ୍ରରେ ବହୁସଂଖ୍ୟାରେ ଚାଷୀ ଆଗକୁ ଅଧିକ ଦିନ ପର୍ଯ୍ୟନ୍ତ ଏଭଳି ସଙ୍କଟର ସମ୍ମୁଖିନ ହେବାର ଆଶଙ୍କା ରହିଛି।

ଚଳିତ ମୌସୁମୀ ଋତୁରେ ଅନାବୃଷ୍ଟି ଏବଂ ଅତ୍ୟଧିକ ବୃଷ୍ଟିପାତ କାରଣରୁ ବିଦର୍ଭ, ମରାଠାୱାଡ଼ା ଏବଂ ଉତ୍ତର ମହାରାଷ୍ଟ୍ରର ଦୁଇ ନିୟୁତରୁ ଅଧିକ ଚାଷ ଜମି ନଷ୍ଟ ହୋଇଯାଇଥିବା ମହାରାଷ୍ଟ୍ର କୃଷି ଆୟୋଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସମଗ୍ର ଅଞ୍ଚଳର ଚାଷୀମାନେ କୁହନ୍ତି ଯେ, ଖରିଫ ଫସଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ସୋୟାବିନ, କପା, ହରଡ଼ – ପ୍ରାୟ ସବୁ ପ୍ରମୁଖ ଫସଲ କ୍ଷତିଗ୍ରସ୍ତ ହୋଇଛି। ମୁଖ୍ୟତଃ ଖରିଫ ଫସଲ ଉପରେ ନିର୍ଭର କରୁଥିବା ଶୁଷ୍କ ଭୂମି ଅଞ୍ଚଳରେ ଚଳିତ ବର୍ଷର କ୍ଷୟକ୍ଷତି ଭୟଙ୍କର ସ୍ଥିତି ସୃଷ୍ଟି କରିପାରେ।

ନାନ୍ଦେଡ଼ ଅର୍ଦ୍ଧପୁର ତହସିଲ ଅନ୍ତର୍ଗତ ଶେଲଗାଓଁ ଭଳି ନଦୀ ଓ ନାଳ ପାଖରେ ଥିବା ଗ୍ରାମ ଅପ୍ରତ୍ୟାଶିତ ବନ୍ୟାର ଶିକାର ହୋଇଥିଲା। ‘‘ଆମେ ଏକ ସପ୍ତାହ ପର୍ଯ୍ୟନ୍ତ ବିଚ୍ଛିନ୍ନ ହୋଇ ରହିଥିଲୁ,’’ ଶେଲଗାଓଁର ସରପଞ୍ଚ ପଞ୍ଜାବ ରାଜେଗୋର କୁହନ୍ତି। ‘‘ଗାଁ ପାଖ ଦେଇ ବୋହି ଯାଇଥିବା ଉମା ନଦୀର କରାଳ ବନ୍ୟାରେ ଆମ ଘର ଓ ଚାଷ ଜମି ଜଳମଗ୍ନ ହୋଇଯାଇଥିଲା।’’ ଗାଁଠାରୁ ତଳ ଆଡ଼କୁ କିଛି ମାଇଲ ଦୂରରେ ଉମା ନଦୀ ଅସାନା ନଦୀରେ ମିଶିଛି ଏବଂ ଉଭୟ ନଦୀ ନାନ୍ଦେଡ଼ଠାରେ ଗୋଦାବରୀ ନଦୀରେ ମିଶିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଏସବୁ ନଦୀରେ ବନ୍ୟା ଆସିଥିଲା।

Punjab Rajegore, sarpanch of Shelgaon in Nanded, standing on the Uma river bridge that was submerged in the flash floods of July.
PHOTO • Jaideep Hardikar
Deepak Warfade (wearing a blue kurta) lost his house and crops to the July floods. He's moved into a rented house in the village since then
PHOTO • Jaideep Hardikar

ବାମ: ନାନ୍ଦେଡ଼ର ଶେଲଗାଓଁ ସରପଞ୍ଚ ପଞ୍ଜାବ ରାଜେଗୋର ଉମା ନଦୀ ସେତୁ ଉପରେ ଛିଡ଼ା ହୋଇଛନ୍ତି ଯାହାକି ଜୁଲାଇରେ ଆସିଥିବା ଆକସ୍ମିକ ବନ୍ୟା କାରଣରୁ ସମ୍ପୂର୍ଣ୍ଣ ବୁଡ଼ି ଯାଇଥିଲା। ଡାହାଣ: ଦୀପକ ୱାର୍ଫାଡେ (ନୀଳ କୁର୍ତ୍ତା ପିନ୍ଧିଛନ୍ତି) ଜୁଲାଇ ବନ୍ୟାରେ ନିଜର ଘର ଓ ଫସଲ ହରାଇଥିଲେ। ସେବେଠାରୁ ସେ ଗାଁର ଏକ ଭଡ଼ା ଘରେ ରହି ଆସୁଛନ୍ତି

‘‘ଜୁଲାଇ ମାସ ସାରା ଏତେ (ପ୍ରବଳ) ବର୍ଷା ହୋଇଥିଲା ଯେ ଆମେ ଚାଷ ଜମିରେ କାମ କରିପାରିନଥିଲୁ,’’ ସେ କୁହନ୍ତି। ଧସି ଯାଇଥିବା ମାଟି ଓ ଶୋଇ ରହିଥିବା ଫସଲରେ ଏହାର ପ୍ରଭାବ ଦେଖାଦେଇଥାଏ। ନଷ୍ଟ ହୋଇଯାଇଥିବା ଫସଲ ମଧ୍ୟରୁ ଯାହା ବଳକା ରହିଯାଇଛି ଚାଷୀମାନେ ସେଗୁଡ଼ିକୁ ସଫା କରିବାରେ ଲାଗି ରହିଛନ୍ତି ଯାହାଫଳରେ ସେମାନେ ଅକ୍ଟୋବର ମାସରେ ଆଗୁଆ ରବି ବିହନ ବୁଣିବା ଲାଗି ପ୍ରସ୍ତୁତି କରିପାରିବେ।

ସାତ ଦିନରୁ ଅଧିକ ଲଗାତାର ବର୍ଷା ହେବା ଫଳରେ ୱାର୍ଦ୍ଧା ଜିଲ୍ଲାରେ ଥିବା ଚାନ୍ଦକୀର ୧୨ଶହ ହେକ୍ଟର ପାଖାପାଖି ଚାଷ ଜମି ଆଜି ବି ଜଳମଗ୍ନ ହୋଇ ରହିଛି। ଜୁଲାଇ ମାସରେ ଯଶୋଦା ନଦୀରେ ହୋଇଥିବା ବନ୍ୟାରେ ସମ୍ପୂର୍ଣ୍ଣ ଗ୍ରାମ ଜଳମଗ୍ନ ହୋଇଯାଇଥିଲା। ଜଳ ଘେରରେ ଫସି ରହିଥିବା ଗ୍ରାମବାସୀଙ୍କୁ ଉଦ୍ଧାର କରିବା ଲାଗି ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ)କୁ ଡାକିବାକୁ ପଡ଼ିଥିଲା।

୫୦ ବର୍ଷ ବୟସ୍କ ଚାଷୀ ଦୀପକ ୱାରଫେଡ କୁହନ୍ତି, ‘‘ଗାଁରେ ୧୩ଟି ଘର ମାଟିରେ ମିଶିଗଲା, ଯେଉଁଥିରେ ମୋ ଘର ମଧ୍ୟ ସାମିଲ ଥିଲା।’’ ବନ୍ୟାରେ ଘର ହରାଇବା ପରେ ସେ ଏବେ ଗାଁର ଏକ ଭଡ଼ା ଘରେ ରହୁଛନ୍ତି। ‘‘ଆମର ସମସ୍ୟା ହେଉଛି ଏବେ କିଛି ଚାଷ କାମ ନାହିଁ; ପ୍ରଥମ ଥର ପାଇଁ ଆମେ ବିନା କାମରେ ରହିଛୁ।’’

‘‘ଗୋଟିଏ ମାସ ଭିତରେ ଆମେ ସାତଟି ବନ୍ୟା ଦେଖିଲୁଣି,’’ ଦୀପକ କୁହନ୍ତି। ‘‘ସପ୍ତମ ଥର ବନ୍ୟା ଅଚାନକ ମାଡ଼ି ଆସିଥିଲା; ଆମର ସୌଭାଗ୍ୟ ଯେ ଏନଡିଆରଏଫ ଟିମ୍‌ ଠିକ୍‌ ସମୟରେ ଆମ ପାଖରେ ପହଞ୍ଚି ଯାଇଥିଲା, ଅନ୍ୟଥା ଆମେ ଏଠାରେ ନଥାନ୍ତୁ।’’

ଖରିଫ ଫସଲ ନଷ୍ଟ ହୋଇଯିବା ପରେ, ଚାନ୍ଦକୀ ଗାଁର ଲୋକମାନଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ: ଆଗକୁ କ’ଣ?

ନିଜର ଚାଷ ଜମିରେ, ଯେଉଁଠି ଅବିକଶିତ କପା ଏବଂ ଶୋଇ ରହିଥିବା ଫସଲର ଏକ ବଡ଼ ଭାଗ ଧ୍ୱଂସଲୀଳାର ଚିତ୍ର ଉପସ୍ଥାପନ କରୁଛି, ୬୪ ବର୍ଷ ବୟସ୍କ ବାବାରାଓ ପାଟିଲ ସେଥିରୁ ଯାହାକିଛି ଉଦ୍ଧାର କରିପାରିବେ ସେତିକି ସଂଗ୍ରହ କରିବା ଲାଗି ଚେଷ୍ଟା କରୁଛନ୍ତି।

‘‘ଚଳିତ ବର୍ଷ ଏଥିରୁ ମୁଁ କିଛି ପାଇପାରେ କିମ୍ବା ନପାଇପାରେ,’’ ସେ କୁହନ୍ତି। ‘‘ଘରେ ନିଷ୍କ୍ରିୟ ହୋଇ ବସି ରହିବା ଅପେକ୍ଷା କିଛି ଫସଲ ଉଦ୍ଧାର କରିବା ଲାଗି ଚେଷ୍ଟା କରୁଛି।’’ ସେ କହିଥିଲେ ଯେ ଆର୍ଥିକ ସମସ୍ୟା ଗମ୍ଭୀର ଏବଂ ବର୍ତ୍ତମାନ ଏହା ଆରମ୍ଭ ହୋଇଛି।

ମହାରାଷ୍ଟ୍ରର ମାଇଲ ମାଇଲ୍‌ ଚାଷ ଜମିର ଅବସ୍ଥା ବାବାରାଓଙ୍କ ଚାଷଜମି ଭଳି ହୋଇଛି: କୌଣସି ସ୍ଥାନରେ ଭଲ, ଠିଆ ଫସଲର ସଙ୍କେତ ନାହିଁ।

Babarao Patil working on his rain-damaged farm in Chandki.
PHOTO • Jaideep Hardikar
The stunted plants have made him nervous. 'I may or may not get anything out this year'
PHOTO • Jaideep Hardikar

ବାମ: ଚାନ୍ଦକୀରେ ନିଜ ବର୍ଷା କ୍ଷତିଗ୍ରସ୍ତ ଜମିରେ କାମ କରୁଛନ୍ତି ବାବାରାଓ ପାଟିଲ। ଡାହାଣ: ଅବିକଶିତ ଗଛଗୁଡ଼ିକ ତାଙ୍କୁ ନିରାଶ କରି ଦେଉଛି। ‘ଚଳିତ ବର୍ଷ ଏଥିରୁ ମୁଁ କିଛି ପାଇପାରେ କିମ୍ବା ନପାଇପାରେ’

‘‘ଏହି ସଙ୍କଟ ଆସନ୍ତା ୧୬ ମାସରେ ଆହୁରି ସଙ୍ଗୀନ ହୋଇପଡ଼ିବ,’’ ୱାର୍ଦ୍ଧାରେ ବିଶ୍ୱ ବ୍ୟାଙ୍କର ପୂର୍ବତନ ପରାମର୍ଶଦାତା ଏବଂ ଆଞ୍ଚଳିକ ବିକାଶ ବିଶେଷଜ୍ଞ ଶ୍ରୀକାନ୍ତ ବାରହତେ କୁହନ୍ତି। ‘‘ଏହି ସମୟରେ ଯାଇ ପରବର୍ତ୍ତୀ ଫସଲ ଅମଳ ପାଇଁ ପ୍ରସ୍ତୁତ ହେବ।’’ ପ୍ରଶ୍ନ ହେଉଛି, ଏହି ୧୬ ମାସ ପର୍ଯ୍ୟନ୍ତ ଚାଷୀମାନେ କିଭଳି ଭାବେ ବଞ୍ଚି ରହିବେ?

ବାରହାତେଙ୍କ ନିଜ ଗ୍ରାମ ଚାନ୍ଦକୀ ନିକଟବର୍ତ୍ତୀ ରୋହନଖେଡ଼ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ‘‘ଦୁଇଟି କଥା ଘଟୁଛି,’’ ସେ କୁହନ୍ତି, ‘‘ପରିବାର ଚଳାଇବାର ଆବଶ୍ୟକତା ମେଣ୍ଟାଇବାକୁ ଲୋକମାନେ ସୁନା କିମ୍ବା ଅନ୍ୟ ସମ୍ପତ୍ତି ବନ୍ଧା ପକାଉଛନ୍ତି ଅଥବା ଘରୋଇ ସାହୁକାରଙ୍କଠାରୁ ଋଣ ନେଉଛନ୍ତି ଏବଂ ଯୁବକମାନେ କାମ ସନ୍ଧାନରେ ଅନ୍ୟତ୍ର ପ୍ରବାସ କରିବାକୁ ବାଧ୍ୟ ହେଉଛନ୍ତି।’’

ବର୍ଷ ଶେଷରେ, ବ୍ୟାଙ୍କଗୁଡ଼ିକରେ ବିପୁଳ ପରିମାଣର କୃଷି ଋଣ ବକେୟା ପଡ଼ିବା ନିଶ୍ଚିତ।

କେବଳ ଗୋଟିଏ ଗ୍ରାମ ଚାନ୍ଦକୀରେ ୨୦ କୋଟି ଟଙ୍କାର କପା ଫସଲ ନଷ୍ଟ ହୋଇଛି। ପରିସ୍ଥିତି ଅନୁକୂଳ ହୋଇଥିଲେ ଚଳିତ ବର୍ଷ ଏହି ଗୋଟିଏ ଗ୍ରାମରେ କପା ବିକ୍ରିରୁ ଏତିକି ପରିମାଣର ଟଙ୍କା ଆୟ ହୋଇଥାନ୍ତା। ଏହି ଭାଗରେ କପାର ଏକର ପିଛା ହାରାହାରୀ ଉତ୍ପାଦନକୁ ଆଧାର କରି ଏହି ଆକଳନ କରାଯାଇଛି।

‘‘ଆମେ କେବଳ ଏହି ଫସଲ ହରାଇ ନାହୁଁ,’’ ୪୭ ବର୍ଷ ବୟସ୍କ ନାମଦେବ ଭୋୟାର କୁହନ୍ତି, ‘‘ଆମେ ଏହି ଫସଲ ବୁଣିବା ଏବଂ ବର୍ତ୍ତମାନ ସୁଦ୍ଧା ଏହାର ପରିଚାଳନା ବାବଦରେ କରିଥିବା ଖର୍ଚ୍ଚ [ମଧ୍ୟ] ଉଠାଇପାରିବୁ ନାହିଁ।’’

ସେ ସତର୍କ କରାଇ ଦେଇ କୁହନ୍ତି, ‘‘ଏହା ଏକକାଳୀନ କ୍ଷତି ନୁହେଁ। ମୃତ୍ତିକା କ୍ଷୟ ଏକ ଦୀର୍ଘକାଳୀନ (ପରିବେଶଗତ) ସମସ୍ୟା।’’

Govind Narayan Rajegore's soybean crop in Shelgaon suffered serious damage.
PHOTO • Jaideep Hardikar
Villages like Shelgaon, located along rivers and streams, bore the brunt of the flooding for over a fortnight in July 2022
PHOTO • Jaideep Hardikar

ବାମ: ଶେଲଗାଓଁରେ ଗୋବିନ୍ଦ ନାରାୟଣ ରାଜେଗୋରଙ୍କ ସୋୟାବିନ ଫସଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଡାହାଣ: ନଈନାଳ ପାଖରେ ଅବସ୍ଥିତ ଶେଲଗାଓଁ ଭଳି ଗ୍ରାମ ଜୁଲାଇ ୨୦୨୨ରେ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ୧୫ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ଜଳ ଘେରରେ ରହିଥିଲା

ଜୁଲାଇରୁ ଅଗଷ୍ଟ ପର୍ଯ୍ୟନ୍ତ ମହାରାଷ୍ଟ୍ରର ଶହ ଶହ ହଜାର ହଜାର ଚାଷୀ ବର୍ଷା ଦାଉରେ ଆଉଟୁପାଉଟୁ ହେଉଥିବା ବେଳେ ଶିବସେନାରେ ବିଦ୍ରୋହ କାରଣରୁ ମହା ବିକାଶ ଅଘାଡ଼ି ସରକାର ଭାଙ୍ଗି ଯାଇଥିଲା ଏବଂ ରାଜ୍ୟରେ କୌଣସି କାର୍ଯ୍ୟକ୍ଷମ ସରକାର ନଥିଲା।

ସେପ୍ଟେମ୍ବର ପ୍ରଥମ ଭାଗରେ, ନୂଆ ଏକନାଥ ଶିନ୍ଦେ ସରକାର ୩୫ଶହ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିଲେ। ମାତ୍ର ଏହା ଆଂଶିକ କ୍ଷତିପୂରଣ ଥିଲା ଏବଂ ଏଥିରେ ଫସଲ ଓ ଜୀବନହାନିର ବାସ୍ତବ କ୍ଷତି ଭରଣା ହେଉନଥିଲା। ଏହାଛଡ଼ା, ସର୍ବେକ୍ଷଣ ମାଧ୍ୟମରେ ହିତାଧିକାରୀଙ୍କୁ ଚିହ୍ନଟ କରିବା ପରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ଲାଗି ଅତିକମ୍‌ରେ ଗୋଟିଏ ବର୍ଷ ଲାଗିବ। ତେବେ, ଲୋକମାନଙ୍କୁ ଏବେ ସହାୟତା ଆବଶ୍ୟକ।

*****

‘‘ଆପଣ ମୋ ଚାଷ ଜମିକୁ ଦେଖିଲେ କି?’’ ଚମ୍ପତଙ୍କ ବିଧବା ପତ୍ନୀ ଧ୍ରୁପଦ ପଚାରିଥିଲେ, ସେ ବେଶ ଦୁଃଖି ଓ ନିରାଶ ଜଣାପଡ଼ୁଥିଲେ; ତାଙ୍କ ଚାରି ପାଖରେ ତିନି ଜଣ ପିଲା ଘେରି ରହିଥିଲେ, ପୁନମ (୮), ପୂଜା (୬) ଏବଂ କ୍ରିଷ୍ଣା (୩)। ‘‘ଏପରି ଜମିରେ ତୁମେ କ’ଣ ଚାଷ କରିବ?’’ ଚମ୍ପତ ଓ ଧ୍ରୁପଦ କୃଷି ଶ୍ରମିକ ଭାବେ କାମ କରି ପରିବାର ଚଳାଉଥିଲେ।

ଗତ ବର୍ଷ ଏହି ଦମ୍ପତି ସେମାନଙ୍କର ବଡ଼ ଝିଅ ତାଜୁଲିର ବାହାଘର କରାଇଥିଲେ, ତା’କୁ ୧୬ ବର୍ଷ ବୋଲି ସେମାନେ କୁହନ୍ତି କିନ୍ତୁ ସେ ୧୫ ବର୍ଷରୁ ଅଧିକ ବୋଲି ଜଣାପଡ଼ୁନାହିଁ; ତା’ର ୩ ମାସର ଏକ ପିଲାଟିଏ ଅଛି। ଝିଅ ବାହାଘର ପାଇଁ କରିଥିବା ଋଣ ପରିଶୋଧ କରିବା ଲାଗି ଚମ୍ପତ ଓ ଧ୍ରୁପଦ ଅତି କମ୍‌ ଟଙ୍କାରେ ସେମାନଙ୍କର ଜମିକୁ ଜଣେ ସମ୍ପର୍କୀୟଙ୍କୁ ଲିଜ୍‌ ରେ ଦେଇଥିଲେ ଏବଂ ଆଖୁ କଟାଳି ଭାବେ କାମ କରିବା ପାଇଁ ଗତ ବର୍ଷ କୋହ୍ଲାପୁରକୁ ଯାଇଥିଲେ।

ଜାଙ୍ଗଲେ ପରିବାର ବିଦ୍ୟୁତ ସଂଯୋଗ ନଥିବା ଏକ କୁଡ଼ିଆରେ ରୁହନ୍ତି। ଏବେ, ପରିବାର ପାଖରେ ଖାଇବାକୁ କିଛି ନାହିଁ; ପଡ଼ୋଶୀମାନେ ମଧ୍ୟ ଗରିବ ଏବଂ ବର୍ଷା ଯୋଗୁଁ ବିପୁଳ କ୍ଷତି ସହିବା ପରେ ସହାୟତା ଆଶାରେ ରହିଛନ୍ତି।

‘‘ଆମ ଗରିବ ଲୋକମାନଙ୍କୁ କିଭଳି ବୋକା ବନେଇବାକୁ ହେବ ତାହା ଦେଶ ଜାଣିଛି,’’ ସ୍ଥାନୀୟ ସାମ୍ବାଦିକ-ସାମୟିକ ସମ୍ବାଦଦାତା ଏବଂ ଚାଷୀ ମୋଇନୁଦ୍ଦିନ ସୌଦାଗର କୁହନ୍ତି। ସେ ପ୍ରଥମେ ଚମ୍ପତଙ୍କ ଆତ୍ମହତ୍ୟା ଖବର ଛାପିଥିଲେ। ସ୍ଥାନୀୟ ବିଜେପି ବିଧାୟକ କିଭଳି ମାତ୍ର ୨,୦୦୦ ଟଙ୍କାର ତୁଚ୍ଛ ସହାୟତା ଦେଇଥିଲେ ସେ ସମ୍ପର୍କରେ ଖବର ପ୍ରକାଶ କରିବା ସହିତ ଏହାକୁ ସେ ଏକ ରାଜକୀୟ ଅପମାନ ବୋଲି ବର୍ଣ୍ଣନା କରିଥିଲେ।

Journalist and farmer Moinuddin Saudagar from Ninganur says most Andh farmers are too poor to withstand climatic aberrations.
PHOTO • Jaideep Hardikar
Journalist and farmer Moinuddin Saudagar from Ninganur says most Andh farmers are too poor to withstand climatic aberrations.
PHOTO • Jaideep Hardikar

ବାମ: ନିଙ୍ଗାନୁରର ସାମ୍ବାଦିକ ଓ ଚାଷୀ ମୋଇନୁଦ୍ଦିନ ସୌଦାଗର କୁହନ୍ତି ଯେ ଅଧିକାଂଶ ଅନ୍ଧ ଚାଷୀ ଅତି ଗରିବ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହିବାକୁ ଅକ୍ଷମ। ଡାହାଣ: ନିଙ୍ଗାନୁରରେ ଥିବା ସେମାନଙ୍କର ଛୋଟ କୁଡ଼ିଆ ବାହାରେ ପିଲାମାନଙ୍କ ସହ ବସି କାନ୍ଦୁଛନ୍ତି ଚମ୍ପତଙ୍କ ପତ୍ନୀ ଧ୍ରୁପଦ

‘‘ପ୍ରଥମେ,’’ ମୋଇନୁଦ୍ଦିନ କୁହନ୍ତି, ‘‘ଆମେ ସେମାନଙ୍କୁ ଏପରି ଜମି ଦେଲୁ ଯେଉଁଥିରେ କେହି ଚାଷ କରିବାକୁ ଚାହିଁବେ ନାହିଁ – ଢିପ, ପଥୁରିଆ, ଅନୁର୍ବର। ଏବଂ ଏହାପରେ ଆମେ ସେମାନଙ୍କୁ ସହାୟତା ପାଇଁ ମନା କରି ଦେଲୁ।’’ ଚମ୍ପତଙ୍କୁ ତାଙ୍କ ପିତାଙ୍କ ଠାରୁ ଉତ୍ତରାଧିକାର ସୂତ୍ରରେ ଜମି ମିଳିଥିଲା ବୋଲି ସେ କୁହନ୍ତି। ଏହା ଏକ ଶ୍ରେଣୀ-୨ ଜମି ଯାହାକୁ ଜମି ସିଲିଂ ଆଇନ ଅଧୀନରେ ଜମି ବିତରଣ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଚାଷୀ ପରିବାରକୁ ଦିଆଯାଇଥିଲା।

‘‘ବହୁ ଦଶନ୍ଧି ଧରି, ଏହି ପୁରୁଷ ଓ ମହିଳାମାନେ ସେମାନଙ୍କ ଲହୁ ଓ ଲୁହ ଏକାଠି କରି ଏହି ଜମିକୁ ଉର୍ବର କରିବା ସହ ନିଜ ପାଇଁ ଏହାକୁ ଫସଲ ଅମଳକ୍ଷମ କରାଇଥିଲେ,’’ ମୋଇନୁଦ୍ଦିନ କୁହନ୍ତି। ସେ ଆହୁରି କୁହନ୍ତି, ନିଙ୍ଗାନୁର ହେଉଛି ସ୍ଥାନୀୟ ଅଞ୍ଚଳର ସବୁଠୁ ଗରିବ ଗ୍ରାମ। ଏ ଗାଁରେ ମୁଖ୍ୟତଃ ଅନ୍ଧ ଜନଜାତି ପରିବାର ଓ ଗଣ୍ଡମାନେ ରୁହନ୍ତି।

ମୋଇନୁଦ୍ଦିନ କୁହନ୍ତି, ଅନ୍ଧ ପରିବାରମାନେ ଅତି ଗରିବ ଏବଂ ଚଳିତ ବର୍ଷ ଭଳି ଦେଖା ଦେଇଥିବା ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ମୁକାବିଲା କରିବା ଲାଗି ସେମାନେ ସକ୍ଷମ ନୁହନ୍ତି। ସେ ଆହୁରି କୁହନ୍ତି, ଅନ୍ଧମାନେ ସବୁଠୁ ଦରିଦ୍ରତମ ସମ୍ପ୍ରଦାୟ ଏବଂ ଅଧିକାଂଶ ସମୟରେ ସେମାନଙ୍କୁ ଅନାହାର ସହ ସଂଘର୍ଷ କରିବାକୁ ପଡ଼ିଥାଏ।

‘‘ମୃତ୍ୟୁ ସମୟରେ ଚମ୍ପତଙ୍କ ଉପରେ, ଉଭୟ ଔପଚାରିକ ଏବଂ ଅନୌପଚାରିକ ମିଶାଇ ପ୍ରାୟ ୪ ଲକ୍ଷ ଟଙ୍କାର ଋଣ ବକେୟା ଥିଲା। ବହୁତ ବାଧ୍ୟ କରିବା ପରେ ତାଙ୍କ ପତ୍ନୀ ଧ୍ରୁପଦ କହିଥିଲେ। ‘‘ଗତ ବର୍ଷ ଆମେ ବାହାଘର ପାଇଁ ଋଣ ନେଇଥିଲୁ; ଚଳିତ ବର୍ଷ ଆମେ ଚାଷ ଓ ପରିବାର ଚଳାଇବା ପାଇଁ ସମ୍ପର୍କୀୟଙ୍କଠାରୁ ଋଣ ନେଇଥିଲୁ,’’ ସେ କୁହନ୍ତି। ‘‘ଆମର ବକେୟା ଋଣ ସୁଝିବା ଭଳି ପରିସ୍ଥିତି ନାହିଁ।’’

ପରିବାରର ଅନିଶ୍ଚିତ ଭବିଷ୍ୟତକୁ ନେଇ ସେ ଚିନ୍ତାରେ ଥିବା ବେଳେ ନିକଟରେ ତାଙ୍କର ଏକ ବଳଦ ଅସୁସ୍ଥ ହୋଇପଡ଼ିଛି। ‘‘ମାଲିକ ମୃତ୍ୟୁବରଣ କରିବା ପରେ ମୋ ବଳଦ ଖାଇବା ମଧ୍ୟ ଛାଡ଼ି ଦେଇଛି।’’

ଅନୁବାଦ: ଓଡ଼ିଶାଲାଇଭ୍‍

Jaideep Hardikar

जयदीप हर्डीकर नागपूर स्थित पत्रकार आणि लेखक आहेत. तसंच ते पारीच्या गाभा गटाचे सदस्य आहेत.

यांचे इतर लिखाण जयदीप हर्डीकर
Editor : Sangeeta Menon

Sangeeta Menon is a Mumbai-based writer, editor and communications consultant.

यांचे इतर लिखाण Sangeeta Menon
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

यांचे इतर लिखाण OdishaLIVE