୨୦୧୭ରେ ଉଡ଼ାନ୍ଦରାୟୁନିପାଲେମ୍ ଗାଁର ବାସିନ୍ଦା ଚାଷୀ ଗିଞ୍ଜୁପାଲ୍ଲି ଶଙ୍କର ରାଓ ନୂଆ ରାଜଧାନୀ ଅମରାବତୀରେ ତାଙ୍କୁ ଆବଣ୍ଟିତ ହୋଇଥିବା ୧୦୦୦ ବର୍ଗ ୟାର୍ଡର ଏକ ଆବାସିକ ଜମିକୁ ବିଜୟୱାଡ଼ାର ଜଣଙ୍କୁ ବିକ୍ରି କରିଥିଲେ । ସେଥିପାଇଁ ତାଙ୍କୁ ୨ କୋଟି ଟଙ୍କା ମିଳିଲା । ସେଥିମଧ୍ୟରୁ ୮୦ ଲକ୍ଷ ଟଙ୍କାକୁ ସେ ତାଙ୍କର ୯୦ ବର୍ଷର ପୁରୁଣା ଘରକୁ ଦୁଇ ତାଲା କରିବା ଲାଗି ବ୍ୟବହାର କଲେ । ସେ ଖୁବ୍ ଖୁସି ମନରେ କହିଲେ “ମୁଁ ଟଙ୍କାକୁ ଏହି ଘରକୁ ମରାମତି କରିବା ଲାଗି ବ୍ୟବହାର କଲି, ଏକ ସେଭ୍ରୋଲୋଟ୍ କାର ଓ ମୋଟର ବାଇକ୍ କିଣିଲି । ଝିଅକୁ ଉଚ୍ଚଶିକ୍ଷା ପାଇଁ ଅଷ୍ଟ୍ରେଲିଆ ପଠାଇଲି । ତାର ବିବାହ ପାଇଁ କିଛି ଅର୍ଥ ମଧ୍ୟ ସଞ୍ଚୟ କଲି ।’’
ଉଡ଼ାନ୍ଦରାୟୁନିପାଲେମ୍ ଗୁଣ୍ଟୁର ଜିଲ୍ଲାର ୨୯ଟି ଗାଁ ମଧ୍ୟରୁ ଅନ୍ୟତମ ଯେଉଁଗୁଡ଼ିକ କୃଷ୍ଣା ନଦୀର ଉତ୍ତର କୂଳରେ ରହିଛି । ସେଠାରେ ଆନ୍ଧ୍ରପ୍ରଦେଶର ନୂଆ ‘ସବୁଜ’ ରାଜଧାନୀ ଅମରାବତୀ ନିର୍ମାଣ ହେଉଛି । ଏକ ଲ୍ୟାଣ୍ଡ ପୁଲିଂ ସିଷ୍ଟମ (ଏଲପିଏସ) ଅଧୀନରେ ଅମରାବତୀ ସଷ୍ଟେନେବଲ କ୍ୟାପିଟାଲ ସିଟି ଡେଭଲପମେଣ୍ଟ ପ୍ରୋଜେଣ୍ଟ ପାଇଁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୩୩ ହଜାର ଏକରରୁ ଅଧିକ ଜମି ଅଧିଗ୍ରହଣ ହୋଇଛି ।
ସେହି ୨୯ଟି ଗାଁରେ ଏବେ ନୂଆ ବିଲ୍ଡିଂ ଦେଖିବାକୁ ମିଳୁଛି । ସେଥିମଧ୍ୟରୁ କିଛି ବିଲ୍ଡିଂର ନିର୍ମାଣ ଶେଷ ହୋଇଯାଇଥିବା ବେଳେ ଅନ୍ୟଗୁଡ଼ିକର ନିର୍ମାଣ ଚାଲିଛି । ୨୦୧୪ରେ ନୂଆ ରାଜଧାନୀ ନିର୍ମାଣ ପାଇଁ ଘୋଷଣା ହେବା ପରେ ଏହି ଗାଁଗୁଡ଼ିକରେ ରିଅଲ ଇଷ୍ଟେଟ୍ ଏଜେନ୍ସିଗୁଡ଼ିକର ପ୍ରାବଲ୍ୟ ଦେଖିବାକୁ ମିଳୁଛି। ଏହାଦ୍ୱାରା ଉଚ୍ଚ ଜାତିର ଜମିଦାର ବିଶେଷ କରି କମା ସଂପ୍ରଦାୟର ଲୋକମାନେ ସବୁଠୁ ଅଧିକ ଲାଭବାନ୍ ହୋଇଛନ୍ତି । ଶଙ୍କର ରାଓ (ଡାହାଣରେ ଉପରେ ଥିବା କଭର ଫଟୋରେ ପଡ଼ୋଶୀ ନାରିନା ସୁବା ରାଓଙ୍କ ସହ) କହିଲେ, “ମୋ’ ପରି ୯୦ ପ୍ରତିଶତ ଚାଷୀ ସେମାନଙ୍କୁ ଆବଣ୍ଟିତ ହୋଇଥିବା ଜମିର କିଛି ଅଂଶକୁ ବିକ୍ରି କରିଛନ୍ତି ଏବଂ ଘର ତିଆରି କରିଛନ୍ତି ।’’








