ପଟ୍ଟନାମଥିଟ୍ଟାର ସି.ଏସ୍ ଦାଥାନ କହିଲେ, ‘‘କାଦୁଅ ଶୁଖିଯିବା ପରେ ପାଲସ୍ ଧୂଳି ଉଡ଼ୁଛି ଚାରିଆଡ଼େ ପଙ୍କ କାଦୁଅର ଆବର୍ଜନାମୟ ପରିବେଶ।’’ ମୋତେ ଡାକ୍ତରୀ ମୁଖାଟିଏ ବଢାଇ ଦେଇ କହିଲେ, ‘‘ଦୟାକରି ୟାକୁ ପିନ୍ଧି ଦିଅନ୍ତୁ,’’ ଏକଥା ଦେଖି ତାଙ୍କ ପଛପଟେ ଛିଡ଼ା ହୋଇଥିବା ଜଣେ ମହିଳା ହସୁଥିଲେ। କେରଳ ବନ୍ୟାରେ ଏହି ମହିଳାଙ୍କ କ୍ଷେତ ଉଜୁଡ଼ି ଯାଇଥିଲା। ମହିଳା ଜଣଙ୍କ କହିଲେ, ‘‘ସେ ମୁମ୍ବାଇରେ ରହନ୍ତି,’’ “ପ୍ରଦୂଷଣ ପାଇଁ ସେ କଣ ଆବଶ୍ୟକ ସୁରକ୍ଷା ନେଇଛନ୍ତି?’’
କ୍ଷେତରେ ପ୍ରଳୟର ଛବି। ଯେଉଁ କ୍ଷେତରେ ଦିନେ ଲାଭଦାୟକ ଧାନ ଏବଂ ସାବୁ ଚାଷ ହେଉଥିଲା, ସେ କ୍ଷେତ ଏବେ ପୋତି ହୋଇ ଯାଇଛି। କେଉଁଠି ଇଞ୍ଚେ ତ କେଉଁଠି ଫୁଟେ ବହଳର ପଙ୍କ। ବନ୍ୟା ପାଣିରେ ସବୁ ଆବର୍ଜନା ଭାସି ଆସିଛି। ଟାଣ ଖରାରେ ଶୁଖିଗଲା ପରେ ଏଭଳି ଦିଶୁଛି, ଯେମିତି ମାଟି ଉପରେ କଞ୍ଚା ସିମେଣ୍ଟର ଏକ ଚାଦର ଢଙ୍କା ଯାଇଛି। ଏକର ଏକର ଚାଷ ଜମିରେ ଏହି ସମାନ ଦୃଶ୍ୟ।
ଜଳ ସ୍ତର ଖସି ଯାଉଛି, ଭୂପୃଷ୍ଠର ପାଣି ମାଟି ତଳକୁ ଭେଦୁନି, କୂଅ ଶୁଖି ଯାଉଛି, ତାପମାତ୍ରା ବଢୁଛି। ଭୂପୃଷ୍ଠ ଆଉ ଭୂତଳ ଜଳ ଭିତରେ ଥିବା ସମୀକରଣ ବଡ଼ ଧରଣର ପ୍ରଭାବିତ ହୋଇଛି। ନଦୀର ପର୍ଯ୍ୟାବରଣ ନାଟକୀୟ ଭାବେ ବଦଳି ଯାଇଛି। ବାଲି ଶଯ୍ୟା ଏବଂ ପଟୁ ନଷ୍ଟ ହୋଇଯିବା ଫଳରେ ନଦୀର ଏବଂ ଜଳାଶୟ ଗୁଡ଼ିକର ଜଳଧାରଣ କ୍ଷମତା କମି ଯାଇଛି। ତେଣୁ ଏହା ପରର ବିପର୍ଯ୍ୟୟ ହେଉଛି ମରୁଡି, ଯାହା କେରଳକୁ ସାମ୍ନା କରିବାକୁ ପଡ଼ିବ। ଏଭଳି ସ୍ଥିତିରେ ଚାଷକୁ ପୁଣି ଥରେ ଛିଡ଼ା କରିବା ପାଇଁ କେହି ବି ଭାବି ପାରିବେନି।
କିନ୍ତୁ କୁଡୁମ୍ବାଶ୍ରୀର ମହିଳା ଚାଷୀ ନୁହନ୍ତି।
କେରଳରେ ପ୍ରାୟ ଏକ ନିୟୁତର ଏକ ଚତୁର୍ଥାଂଶରୁ ଅଧିକ ମହିଳା ଏକ ବିଶାଳ ମହିଳା ସଂଗଠନ ସହ ସାମିଲ। କୁଡୁମ୍ବାଶ୍ରୀ(ଶିକ୍ଷିତ, ‘ପରିବାରର ସମୃଦ୍ଧି’)ର ସଦସ୍ୟ ସଂଖ୍ୟା ପ୍ରାୟ ୪.୫ ନିୟୁତ। ସବୁ ପ୍ରାପ୍ତ ବୟସ୍କା ମହିଳାଙ୍କ ପାଇଁ ସଦସ୍ୟତା ଉନ୍ମୁକ୍ତ ରହିଛି। କିନ୍ତୁ ପ୍ରତି ପରିବାରରୁ କେବଳ ଜଣେ ମହିଳା ସଦସ୍ୟ ହୋଇପାରିବେ। କେରଳର ୭୭ ଲକ୍ଷ ପରିବାର ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ପରିବାର ଏହି ସଂଗଠନର ଗୋଟିଏ ଗୋଟିଏ ଅଂଶ। କୁଡୁମ୍ବାଶ୍ରୀ ସଂଗଠନରେ ପ୍ରାୟ ୩.୨ ଲକ୍ଷ ମହିଳା ଚାଷୀ ଅଛନ୍ତି । ଏମାନେ ସଂଘ କୃଷି ନାମରେ ଗୋଷ୍ଠୀ ଗଢିଛନ୍ତି। ଏମାନେ ସଂଗଠିତ ଭାବେ ଚାଷ କରନ୍ତି।କୁଡୁମ୍ବାଶ୍ରୀର ୩.୨ ଲକ୍ଷ ମହିଳା ଚାଷୀଙ୍କ ସମେତ ୪.୫ ଲକ୍ଷ ସଦସ୍ୟ। ଲିଙ୍ଗଗତ ନ୍ୟାୟ ଏବଂ ଦାରିଦ୍ର୍ୟ ଦୂରିକରଣ କାର୍ଯ୍ୟକ୍ରମ କ୍ଷେତ୍ରରେ ଏହା ବିଶ୍ୱର ପ୍ରାୟ ସବୁଠୁ ବଡ଼ ସଂଗଠନ।
୭୦,୦୦୦ ସଂଘ, ପ୍ରତି ସଂଘର ସଦସ୍ୟ ହାରାହାରି ପାଞ୍ଚ ଜଣ। ପ୍ରତି ଗ୍ରୁପ୍ ଜମି ଲିଜ ନେଇ ଚାଷ କରନ୍ତି। ସାଧାରଣତଃ ଲିଜ୍ ନେଇଥିବା ଜମି ଅଢେଇ ଏକରରୁ କମ୍। ବେଳେବେଳେ ଏହା ଏକ ଏକର ଭିତରେ ସୀମିତ। ଅଧିକାଂଶ ପ୍ରାୟ ଜୈବିକ କୃଷି କିମ୍ବା ସ୍ୱଳ୍ପ ନିବେଶ କୃଷି କରନ୍ତି। ସାରା ଦେଶରେ କୃଷି ସଂକଟରେ ଥିବାବେଳେ ଲିଜ୍ ଜମିରେ ଚାଷ କରୁଥିବା ଏହି ମହିଳାମାନେ ଭଲ ଆୟ କରନ୍ତି। ଏମାନେ ଖାଇବା ପାଇଁ ଚାଷ କରନ୍ତି। ପରିବାରର ଆବଶ୍ୟକତା ପୂରଣ ହେବା ପରେ ବଳକା ଉତ୍ପାଦନ ବଜାରରେ ବିକ୍ରି କରନ୍ତି।
ତାଙ୍କ ସଫଳତା ଏବଂ ଦକ୍ଷତା ଯୋଗୁ ବ୍ୟାଙ୍କ ସେମାନଙ୍କ ପାଖକୁ ଆସେ, ଯାହା ଦେଶର ଅନ୍ୟ କେଉଁଠି ଦେଖାଯାଏ ନାହିଁ। ପଟ୍ଟାନାମଥିଟ୍ଟା ଜିଲ୍ଲାର ଆମେ ଯେଉଁଠି ଅଛୁ, ଏଠାରେ ଏମାନଙ୍କର ଋଣ ପରିଶୋଧ ହାର ୯୮.୫ ପ୍ରତିଶତ। କେତେକ ଗାଁରେ କୁଡୁମ୍ବାଶ୍ରୀ ହେଉଛି ସ୍ଥାନୀୟ ବ୍ୟାଙ୍କର ସବୁଠୁ ବଡ଼ ଜମାକାରୀ।
କିନ୍ତୁ ବର୍ତ୍ତମାନ ଭୟଙ୍କର ବନ୍ୟାରେ ସଂଘ କୃଷି ବୁଡ଼ିଯାଇଛି। ସାରା ରାଜ୍ୟରେ ସେମାନଙ୍କ କ୍ଷତିର ପରିମାଣ ପ୍ରାୟ ୪୦୦ କୋଟି ଟଙ୍କା ହେବ। ଏଥିରୁ ନଷ୍ଟ ହୋଇଥିବା ଫସଲର ମୂଲ୍ୟ କେବଳ ୨୦୦ କୋଟି ଟଙ୍କା। ବାକି କ୍ଷତି ଜମିର ଉର୍ବରତା ନଷ୍ଟ, ଜମିର ପୁନରୁଦ୍ଧାର ଖର୍ଚ୍ଚ, କରଜ ଟଙ୍କାର ସୁଧ ବୃଦ୍ଧି ଏବଂ ଆନୁସଙ୍ଗିକ ଭରଣା। ଆଉ କିଛି ଖର୍ଚ୍ଚ ମିଶିଲେ କ୍ଷତିର ପରିମାଣ ଅଧିକ ହେବ।ଚଳିତ ବର୍ଷ ରାନୀ ବ୍ଳକର ୭୧ଟି ଗ୍ରୁପ୍ ମୋଟ ୯୨ ଏକର ଚାଷ ପାଇଁ ବ୍ୟାଙ୍କରୁ ୭୨ ଲକ୍ଷ ଟଙ୍କା ଋଣ ନେଇଥିଲେ। ଜଣେ ଗ୍ରୁପ୍ ଚାଷୀ ତଥା କୁଡୁମ୍ବାଶ୍ରୀର ଅଗ୍ରଣୀ କର୍ମକର୍ତ୍ତା ଓମାନା ରାଜନ କହନ୍ତି, ‘‘ବନ୍ୟାରେ ସବୁ ଭାସିଗଲା।’’ ତାଙ୍କ ସଂଘ କୃଷି ‘ମାନ୍ନା’ (ଈଶ୍ୱରଙ୍କ ଦାନ) ଗତବର୍ଷ କେବଳ କଦଳୀ ଚାଷ କରି ୨ ଲକ୍ଷ ଟଙ୍କା ଲାଭ କରିଥିଲା। ଗ୍ରୁପରେ ଥିବା ପାଞ୍ଚ ଜଣ ସଦସ୍ୟ ପ୍ରାୟ ୫୦, ୦୦୦ ଟଙ୍କା ଲେଖାଏଁ ଲାଭ କରିଥିଲେ। ସେ କହନ୍ତି, ‘‘ଜୈବିକ ଚାଷରେ ଆମେ ଆକର୍ଷଣୀୟ ରୋଜଗାର କରୁ। ଏ ବର୍ଷ ଆମେ ଓନାମ ଉତ୍ସବ ସମୟର ଟଙ୍କା ହରାଇଲୁ। ସବୁ କିଛି ନଷ୍ଟ ହୋଇଯାଇଛି। ଆମେ କିନ୍ତୁ ପୁଣି ଥରେ ତିଆରି କରିବୁ।’’
ଆମେ ରାନୀ ଅଙ୍ଗାଡି ଗାଁର କ୍ଷୟକ୍ଷତି ଦେଖୁଥିଲୁ। ପଞ୍ଚାୟତର ୭୧ଟି ସଂଘ କୃଷି ଭିତରୁ ୧୦ଟି ବୀମାଭୁକ୍ତ ଥିଲେ। ତାହା ପୁଣି ଲିଜ୍ ଜମି ଉପରେ ପାଇବା ସହଜ ନୁହେଁ। କେରଳ ସରକାରଙ୍କ ମୃତ୍ତିକା ସଂରକ୍ଷଣ ବିଭାଗରେ ନିଯୁକ୍ତ ବିଜ୍ଞାନ ସ୍ନାତକୋତ୍ତର ଡାଥନ ଜଣେ ବିଶେଷଜ୍ଞ ଆଖିରେ କ୍ଷୟକ୍ଷତିର ଆକଳନ କରୁଥିଲେ। କୁଡୁମ୍ବାଶ୍ରୀ ସହ କାମ କରିବାକୁ ସେ ଡେପୁଟେସନ୍ରେ ଆସିଛନ୍ତି। ପ୍ରଦୂଷଣରୁ ଦୂରେଇ ରହିବାକୁ ଚାହୁଁଥିବା ମୁମ୍ବାଇ ବ୍ୟକ୍ତିଙ୍କୁ ପରିହାସ କରିଥିବା ମହିଳା ବିନ୍ସି ବିଜୟ ଜଣେ କୁଡୁମ୍ବାଶ୍ରୀ କର୍ମୀ। ସେ ଚାଷୀଙ୍କ କ୍ଷତ ଦେଖୁଥିଲେ।
ଯୁଆଡେ ଚାହିଁଲେ ଉଜୁଡା ଦୃଶ୍ୟ। କିନ୍ତୁ ଅଗଷ୍ଟ ମାସରେ କେରଳ ସାମ୍ନା କରିଥିବା ଶତାବ୍ଦୀର ଏହି ବଡ ବନ୍ୟାର ଉର୍ଦ୍ଧ୍ୱରେ ଥିଲା ଏହି ମହିଳାଙ୍କ ସାହସ ଏବଂ ଉତ୍ସାହ। ରାନୀ ଅଙ୍ଗାଡି ପଞ୍ଚାୟତ କାର୍ଯ୍ୟାଳୟରେ ଆମ ପ୍ରଥମ ସାକ୍ଷାତ ସମୟରେ ସେମାନେ କର୍ମଠ ଜଣାପଡ଼ୁଥିଲେ। ବେଶ ପ୍ରଫୁଲ୍ଲ ଥିଲେ ଆଉ ହସୁଥିଲେ। ଏପରିକି ପଞ୍ଚାୟତ ସଭାପତି ବାବୁ ପୁଲଟ୍ ମଜା କରି କହିଲେ: ‘‘ଆମେ ଯେମିତି ଏକ ବିରାଟ ଦୁଃଖରେ ଅଛୁ ଆଉ ଏହି ବ୍ୟକ୍ତି ଜଣଙ୍କ ଆସିଛନ୍ତି ଲେଖିବା ପାଇଁ। କିନ୍ତୁ ଏଠି ଆପଣମାନେ ସମସ୍ତେ ହସୁଛନ୍ତି। ସେ କଣ ଭାବିବେ? ଆମେ ଗମ୍ଭୀର ହେବା ଉଚିତ୍ ନୁହେଁ କି?’’ ଏହି କଥାରେ ସମସ୍ତେ ଆହୁରି ହସିଲେ। ମହିଳାମାନଙ୍କ ଭିତରୁ କିଛି ଲୋକ ମୋ ସହ ହିନ୍ଦୀରେ କଥା ହେବାକୁ ଚାହୁଁଥିଲେ, ଯଦିଓ ସେମାନେ ଓ ମୁଁ କିଛି ତାମିଲ କହିପାରୁ। ମୁଁ ମୁମ୍ବାଇରୁ ଆସିଥିବାରୁ ସେମାନେ ହିନ୍ଦୀରେ କଥା ହେବାକୁ ଚାହୁଁଥିଲେ।
ଏକ ଏକର କଦଳୀ ଚାଷରେ ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ। ବିଜୟ କହନ୍ତି, ‘‘ଗୋଟିଏ ଏକର ଜମିରେ ୧୦୦୦ କଦଳୀ ଚାରା ଲାଗେ। ପ୍ରତି ଗଛ ପାଇଁ ୩୦୦ ଟଙ୍କା ଖର୍ଚ୍ଚ ହୁଏ। ଏହା ସହ ଆମେ କୀଟନାଶକ ଏବଂ ଜୈବିକ କୀଟନାଶକ ବାବଦକୁ ଆଉ କିଛି ଖର୍ଚ୍ଚ କରୁ।’’ ସେମାନେ କିନ୍ତୁ ଏକର ପିଛା ୧୦ ରୁ ୧୨ ଟନ୍ କଦଳୀ ଉତ୍ପାଦନ କରନ୍ତି ଏବଂ କିଲୋ ପିଛା ୬୦ ଟଙ୍କା ପର୍ଯ୍ୟନ୍ତ ଦରରେ ବିକ୍ରି କରିଥାନ୍ତି। ତେଣୁ ସେମାନେ ଏକର ପିଛା ଦେଢ ଲକ୍ଷରୁ ୨ ଲକ୍ଷ ଟଙ୍କା ଲାଭ କରନ୍ତି। ଯାହା ଗତବର୍ଷ ଏଠି ଅନେକ ଗ୍ରୁପ କରିଥିଲେ। ସଙ୍ଗମମ୍ (‘ସଙ୍ଗମ’) ସଂଘ କୃଷିର ସିନୀ ଜୋସେଫ କହନ୍ତି, ‘‘ଏହା ଛଡ଼ା ଓନମ ସମୟରେ ଆକର୍ଷଣୀୟ ଦର କିଲୋ ପିଛା ୮୦ ରୁ ୮୫ ଟଙ୍କାରେ ଆମେ ବିକ୍ରି କରିଥାଉ।’’
ଗତବର୍ଷ ସଙ୍ଗମମ୍ ର ସମସ୍ତ ୬ ଜଣ ସଦସ୍ୟ ୫୦,୦୦୦ ଟଙ୍କା ଲେଖାଏଁ ଲାଭ ପାଇଥିଲେ। ଯୋଶେଫ କହିଲେ, ‘‘ଏବର୍ଷ ଆମେ ସବୁକିଛି ହରେଇଲୁ। ପୂରା ୩ ଏକର ନଷ୍ଟ ହୋଇ ଯାଇଛି। ଜମିରେ ପରସ୍ତ ପରସ୍ତ କରି ଗଦା ହୋଇଥିବା ପଙ୍କ ଆଉ ଆବର୍ଜନା ସଫା କରିବାକୁ ଏକର ପିଛା ଲକ୍ଷେ ଟଙ୍କା ଖର୍ଚ୍ଚ ହେବ।’’ “କେନାଲ ମଧ୍ୟ ସଫା ହେବ। ଏସବୁ କାମ ୩ ମାସ ଲାଗିବ, କିନ୍ତୁ ଆମେ ଏହାକୁ ଜଲଦି ସାରିବାକୁ ଚେଷ୍ଟା କରୁଛୁ। ତେବେ ସବୁ ଶୁଖି ଯାଉଛି। ବର୍ତ୍ତମାନ ଆମେ ମରୁଡିର ସାମ୍ନା କରୁଛୁ।’’
ଜଣଙ୍କ ପରେ ଜଣେ ମହିଳା ଚାଷୀ ସେମାନଙ୍କ ଦୃଢତା ଦେଖାଇଲେ। ସେମାନେ ପୁଣି ଥରେ ଚାଷକୁ ଛିଡା କରିବେ ଏବଂ ଖୁବ୍ ଶୀଘ୍ର, ସେଥିରେ କିଛି ସଂଦେହ ନାହିଁ ବୋଲି ଆମକୁ କହିଲେ। କ୍ଷତର ଗଭୀରତା କେତେ ସେମାନେ ତାହା କଳନା କରି ନାହାନ୍ତି ତା ନୁହେଁ, କିନ୍ତୁ ପ୍ରଳୟର ଆଗରେ ଥିଲା ତାଙ୍କ ସଂକଳ୍ପ। ‘‘ଆମର ସାମୂହିକ ଶକ୍ତି ରହିଛି। ଏକତାରୁ ଆମେ ସାହସ ଏବଂ ଇଛାଶକ୍ତି ସଂଗ୍ରହ କରିଛୁ। କୁଡୁମ୍ବାଶ୍ରୀ ହେଉଛି ଏକତା।’’ ଏହି ଦମ୍ଭୋକ୍ତିକୁ ବାରମ୍ବାର ସେମାନେ ଦୋହରାଉଥିଲେ। କେରଳର ଭୟାବହ ବନ୍ୟା ପରେ ଏହି ଦାବିକୁ ନେଇ ସେମାନେ ବଞ୍ଚିଥିଲେ।
ସାରା ରାଜ୍ୟରେ ସଂଘ କୃଷି ଚାଷୀମାନେ ସବୁ କିଛି ହରାଇ ସାରିଥିଲେ। ତଥାପି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବାକୁ କୁଡୁମ୍ବାଶ୍ରୀ ସଂଗଠନ ୭ କୋଟି ଟଙ୍କା ଏକାଠି କରି ପାରିଥିଲା। ସେପଟେମ୍ବର ୧୧ ଆଉ ଏକ ସ୍ମରଣୀୟ ସମୟ ଆଣିଥିଲା। ସେହିଦିନ ନୂଆଦିଲ୍ଲୀରେ କୁଡୁମ୍ବାଶ୍ରୀକୁ ପୁରସ୍କୃତ କରାଯାଇଥିଲା। କୃଷିରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ତାଙ୍କୁ ନ୍ୟାସନାଲ ରୁରାଲ ଲିଭଲିହୁଡ୍ ମିଶନ (ଏନଆରଏଲଏମ) ପୁରସ୍କାର ପ୍ରଦାନ କରାଯାଇଥିଲା। ଏଭଳି ପୁରସ୍କାର ଥିଲା ପ୍ରଥମ।
ଲିଙ୍ଗଗତ ନ୍ୟାୟ ଏବଂ ଦାରିଦ୍ର୍ୟ ଦୂରିକରଣ କାର୍ଯ୍ୟକ୍ରମ କ୍ଷେତ୍ରରେ କୁଡୁମ୍ବାଶ୍ରୀ ହେଉଛି ବିଶ୍ୱର ସବୁଠୁ ବଡ଼ ସଂଗଠନ। ୧୯୯୮ରେ ସରକାରୀ କାର୍ଯ୍ୟକ୍ରମର ଏକ ଅଂଶ ଭାବେ ଏହା ପ୍ରତିଷ୍ଠା ହୋଇଥିଲା। ପରେ ମହିଳାମାନେ ଏହାକୁ ସ୍ୱାଧୀନ ଏବଂ ସ୍ୱୟଂ ଚାଳିତ କରି ଗଢି ତୋଳିଥିଲେ। ‘ସରକାରଙ୍କ ସହ କିନ୍ତୁ ସରକାରଙ୍କ ପାଇଁ ନୁହେଁ’ ସିଦ୍ଧାନ୍ତରେ ସଂଘ କାର୍ଯ୍ୟକରେ। ସାହସ ଏବଂ ସ୍ୱାଧୀନତା ପାଇଁ ସେମାନେ ଏବେ ବ୍ୟାଙ୍କ ଏବଂ ଅନ୍ୟ ଅନୁଷ୍ଠାନର ସହାୟତା ଲୋଡ଼ିଛନ୍ତି - ଏକତା ସେମାନଙ୍କର ବଳ। ଗରିବ ମହିଳାଙ୍କ ନେତୃତ୍ୱରେ ଚାଲିଥିବା ଏଭଳି ଏକ ମହତ କୃଷି ଉଦ୍ୟମର ଭାରତରେ ତୁଳନା ନାହିଁ।
ଅନ୍ୟ ସଂଘ କୃଷି ସହ ସାକ୍ଷାତ ପାଇଁ ଆମେ ବାହାରିବାରୁ ଜଣେ ମହିଳା କହିଲେ : ‘‘ମୁଁ ପୁଣି ଫେରିବି। ଆମ ଉପରେ ବିପତ୍ତି ପଡ଼ିଛି, କିନ୍ତୁ ଆମେ ପୁଣି ପ୍ରତ୍ୟାବର୍ତ୍ତନ କରିବୁ। ଆପଣ ଦେଖିବେ, ମାସେ ଭିତରେ ଆମେ ପୁଣି ଚାଷ ଆରମ୍ଭ କରିଦେବୁ।’’
ଅନୁବାଦ: ଓଡ଼ିଶାଲାଇଭ୍