ଜୀବନଭାଇ ବାରିୟା ଗତ ଚାରି ବର୍ଷ ମଧ୍ୟରେ ଦୁଇଥର ହୃଦଘାତର ଶିକାର ହୋଇସାରିଥିଲେ। ୨୦୧୮ରେ ଯେତେବେଳେ ତାଙ୍କୁ ପ୍ରଥମ ହୃଦଘାତ ହୋଇଥିଲା ସେ ଘରେ ଥିଲେ। ତାଙ୍କ ପତ୍ନୀ, ଗାଭିବେନ ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ନେଇଯାଇଥିଲେ। ଏପ୍ରିଲ ୨୦୨୨ରେ, ସେ ଆରବ ସାଗରରେ ଏକ ମାଛଧରା ଟ୍ରଲର ଚଳାଇ ଯାଉଥିବା ସମୟରେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଏହି ସମୟରେ ତାଙ୍କର ଜଣେ ସହକର୍ମୀ ଷ୍ଟିୟରିଂ ହୁଇଲ୍ ଧରିଲେ ଏବଂ ଅନ୍ୟ ଜଣେ ଭୟଭୀତ ହୋଇ ତାଙ୍କୁ ଶୁଆଇ ଦେଇଥିଲେ। କୂଳରୁ ସେମାନେ ପାଞ୍ଚ ଘଣ୍ଟା ଦୂରରେ ଥିଲେ। ଦୁଇ ଘଣ୍ଟା ପରେ ଜୀବନଭାଇ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।
ଗାଭିବେନଙ୍କ ମନରେ ଯେଉଁ ଡର ଥିଲା ତାହା ସତ ହେଲା।
ପ୍ରଥମ ଥର ହୃଦଘାତ ହେବାର ଗୋଟିଏ ବର୍ଷ ପରେ ଜୀବନଭାଇ ଯେତେବେଳେ ମାଛ ଧରିବା ଲାଗି ନିଷ୍ପତ୍ତି ନେଲେ, ଗାଭିବେନ ଖୁବ୍ ଆଶଙ୍କାଗ୍ରସ୍ତ ହୋଇପଡ଼ିଥିଲେ। ସେ ଜାଣିଥିଲେ ଯେ ଏଥିରେ ବିପଦ ରହିଛି। ଜୀବନଭାଇ ମଧ୍ୟ ଏମିତି ଭାବୁଥିଲେ। ଗୁଜରାଟର ଅମ୍ରେଲି ଜିଲ୍ଲାର ଛୋଟିଆ ଉପକୂଳ ସହର ଜାଫ୍ରାବାଦରେ ନିଜର ଅଳ୍ପ ଆଲୋକିତ କୁଡ଼ିଆରେ ବସିଥିବା ଗାଭିବେନ କୁହନ୍ତି, ‘‘ମୁଁ ତାଙ୍କୁ ଏଥିପାଇଁ ବାରଣ କରିଥିଲି।’’
କିନ୍ତୁ ସେହି ସହରର ଅଧିକାଂଶ ଲୋକଙ୍କ ଭଳି, ୬୦ ବର୍ଷ ବୟସ୍କ ଜୀବନଭାଇ ଜାଣିଥିଲେ ଯେ ମାଛଧରା ବ୍ୟତୀତ ତାଙ୍କ ପାଖରେ ଆଉ କୌଣସି କାମ ନାହିଁ। ଏଥିରୁ ସେ ବାର୍ଷିକ ୨ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି। ଗାଭିବେନ (୫୫) କୁହନ୍ତି, ‘‘୪୦ ବର୍ଷ ଧରି ସେ ଏହି ବେଉସାରେ ଅଛନ୍ତି। ହୃଦଘାତ ହେବା ପରେ ସେ ଯେତେବେଳେ ଗୋଟିଏ ବର୍ଷ ବିଶ୍ରାମ ନେଇଥିଲେ, ଘର ଖର୍ଚ୍ଚ ତୁଲାଇବା ପାଇଁ ମୁଁ ଶ୍ରମିକ ଭାବେ କାମ କରିଥିଲି (ଅନ୍ୟ ମତ୍ସ୍ୟଜୀବୀଙ୍କ ମାଛ ଶୁଖାଉଥିଲି)। ସେ ସୁସ୍ଥ ଅନୁଭବ କରିବା ପରେ ପୁଣିଥରେ କାମକୁ ଯିବା ପାଇଁ ନିଷ୍ପତ୍ତି ନେଲେ।’’
ଜାଫ୍ରାବାଦର ବଡ଼ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ଜଣଙ୍କ ଟ୍ରଲରରେ ଜୀବନଭାଇ କାମ କରୁଥିଲେ। ମୌସୁମୀ ଋତୁକୁ ଛାଡ଼ି- ବର୍ଷରେ ଆଠ ମାସ ଏହି ମତ୍ସ୍ୟଜୀବୀମାନେ ୧୦-୧୫ ଦିନ ପାଇଁ ଆରବ ସାଗରକୁ ଏସବୁ ଟ୍ରଲର ନେଇ ଯାଆନ୍ତି। ପ୍ରାୟ ଦୁଇ ସପ୍ତାହ ଚଳିବା ପାଇଁ ସେମାନଙ୍କ ପାଖରେ ଯଥେଷ୍ଟ ପାଣି ଓ ଖାଦ୍ୟ ରହିଥାଏ।
ଗାଭିବେନ କୁହନ୍ତି, ‘‘ଜରୁରି ସେବାଠାରୁ ଅପହଞ୍ଚ, ଦୂର ସମୁଦ୍ର ଗର୍ଭରେ ସବୁବେଳେ ରହିବା ନିରାପଦ ନୁହେଁ। ସେମାନଙ୍କ ପାଖରେ କେବଳ ପ୍ରାଥମିକ ଚିକିତ୍ସା ଉପକରଣ ଥାଏ। ଜଣେ ହୃଦରୋଗୀ ପାଇଁ ଏହା ଆହୁରି ବିପଜ୍ଜନକ ହୋଇଥାଏ।’’














