କିନ୍ତୁ ଏବେ କୃଷକମାନେ ଦର କମିବା ସତ୍ତ୍ୱେ ଗୋରୁ କିଣିବା ଲାଗି କୁଣ୍ଠାବୋଧ କରୁଛନ୍ତି, କାରଣ ସେମାନେ ଜାଣନ୍ତି ଯେ ପରବର୍ତ୍ତୀ ସମୟରେ ଏମାନଙ୍କୁ ବିକ୍ରି କରିବା କଷ୍ଟକର ହୋଇଯିବ । କୋଠୁଲେ କୁହନ୍ତି, “ମୁଁ ମୋ ଘରୁ ଏ ବଳଦ ଯୋଡ଼ିକୁ ବିଭିନ୍ନ ବଜାରକୁ ନେବା ଲାଗି ହଜାର ହଜାର ଟଙ୍କା ଖର୍ଚ୍ଚ କରିସାରିଲିଣି”। “ଅଦୁଲ ଏଠାରୁ ୪ କିମି ଦୂର, ତେଣୁ ମୁଁ ବଳଦ ଦୁଇଟିକୁ ଧରି ଚାଲି ଚାଲି ଏଠାକୁ ଆସିଛି । ଅନ୍ୟ ସାପ୍ତାହିକ ବଜାରଗୁଡ଼ିକ ୨୫ କିମି ଦୂରରେ ଅଛି, ତେଣୁ ମୋତେ ବଳଦ ବୋହିବା ଗାଡ଼ି ଭଡ଼ାରେ ଆଣିବାକୁ ପଡ଼ିଥାଏ । ମୋ ଉପରେ ଏବେ ବି ଋଣ ବୋଝ ରହିଛି । ମୁଁ ଏହି ବଳଦ ଦୁଇଟିକୁ ବିକ୍ରି କରିବା ଲାଗି ଚାହୁଁଛି”।
ଆମେ ଆଗକୁ ବଢ଼ିବା ସହିତ, କୋଠୁଲେ ଅତି ବିବ୍ରତ ହୋଇ ଗ୍ରାହକ ସନ୍ଧାନରେ ଥାଆନ୍ତି । ସେ ସକାଳ ୯ଟାରେ ବଜାରରେ ପହଞ୍ଚିଛନ୍ତି । ଏବେ ଦ୍ୱିପ୍ରହର ଗୋଟାଏ ବାଜିଲାଣି, ଓ ଭାରି ଗରମ ହେଉଛି । “ମୁଁ ପହଞ୍ଚିବା ପରଠାରୁ ପାଣି ଟୋପାଏ ପାଇନାହିଁ”, ବୋଲି ସେ କୁହନ୍ତି । “ମୁଁ ବଳଦ ଦୁଇଟିକୁ ୫ମିନିଟ ସୁଦ୍ଧା ଛାଡ଼ି ଯାଇପାରିବି ନାହିଁ, କାରଣ ଗ୍ରାହକଙ୍କୁ ହରାଇ ଦେଇପାରେ” ।
୪୫ ଡିଗ୍ରୀ ଗରମରେ ତାଙ୍କ ଚାରିପାଖରେ ବହୁ ସଂଖ୍ୟକ ଚାଷୀ ପଡ଼ିଆରେ ଛିଡ଼ା ହୋଇ ସେମାନଙ୍କ ଗୋରୁ ବିକ୍ରି ଲାଗି ଚେଷ୍ଟା କରୁଛନ୍ତି । ଅଦୁଲଠାରୁ ୧୫ କିମି ଦୂର ୱାକୁଲ୍ନିର ଜନାର୍ଦ୍ଦନ ଗୀତେ, ୬୫, ନିଜ ବଳଦଗୁଡ଼ିକର ଶିଙ୍ଘକୁ ଅଧିକ ମୁନିଆ କରିବାକୁ ଚେଷ୍ଟା କରୁଛନ୍ତି, ଫଳରେ ସେଗୁଡ଼ିକ ଅଧିକ ଆକର୍ଷଣୀୟ ଲାଗିବେ । ଭନ୍ଦାସ ଯାଦବ ଗୋଟିଏ ବଳଦର ଶିଙ୍ଘ ମୁନିଆ କରିବା ଲାଗି ୨୦୦ ଟଙ୍କା ନେଉଛନ୍ତି । “ମୁଁ ଏ ଦୁଇଟିକୁ ୬୫,୦୦୦ ଟଙ୍କାରେ କିଣିଥିଲି’’, ଏବେ ‘‘୪୦,୦୦୦ଟଙ୍କାରେ ବିକ୍ରି ହୋଇଗଲେ ଖୁସି ହେବି”, ବୋଲି ଗୀତେ କୁହନ୍ତି ।
କୋଠୁଲେ କୁହନ୍ତି, ମରାଠାୱାଡ଼ା ଅଞ୍ଚଳରେ ବୃଦ୍ଧି ପାଉଥିବା ଜଳସଂକଟ ଏବଂ ଗୋଖାଦ୍ୟର ମୂଲ୍ୟବୃଦ୍ଧି ଗୋପାଳନକୁ ଆହୁରି କଷ୍ଟକର କରି ଦେଇଛି । ଏହାକୁ ଆହୁରି ଜଟିଳ କରିଛି ରାଜ୍ୟରେ ଗୋଶାଳାର ଅଭାବ। ଗୋମାଂସ ଉପରେ ନିଷିଦ୍ଧାଦେଶ ଜାରି କରିବା ସମୟରେ ଫଡନାଭିସ ରାଜ୍ୟରେ ଗୋଶାଳା ଖୋଲିବା ଲାଗି ପ୍ରତିଶ୍ରୁତି ଦେଇଥିଲେ। ଚାଷୀମାନେ ସେମାନଙ୍କ ଗୋରୁଙ୍କ ରକ୍ଷଣାବେକ୍ଷଣ ଖର୍ଚ୍ଚ ତୁଲାଇ ନପାରିଲେ ସେମାନଙ୍କୁ ଗୋଶାଳାରେ ଛାଡ଼ି ଦେଇଥାନ୍ତେ। ମାତ୍ର ସେପରି କିଛି ହେଲା ନାହିଁ। ଗୋଶାଳା ନିର୍ମାଣ ଘୋଷଣା ବାସ୍ତବ ରୂପ ନନେବା ଫଳରେ ଚାଷୀଙ୍କ ସଂକଟ ଦ୍ୱିଗୁଣିତ ହୋଇପଡ଼ିଲା। ଏବେ ସେମାନେ ନିଜ ଗୋରୁ ବିକ୍ରି କରିପାରୁନାହାନ୍ତି ଏବଂ ଆୟ ଅନୁପଯୋଗୀ ହେବା ପରେ ମଧ୍ୟ ସେଗୁଡ଼ିକୁ ବାଧ୍ୟ ହୋଇ ନିଜ ପାଖରେ ରଖୁଛନ୍ତି।
କୋଠୁଲେ ପ୍ରଶ୍ନ କରନ୍ତି, “ଆମ ପିଲାମାନଙ୍କୁ ଠିକ୍ ଭାବେ ଖାଇବାକୁ ଦେଇପାରୁନଥିବା ସମୟରେ ପୁରୁଣା ଗୋରୁ କିଭଳି ପାଳିବୁ? ଆମକୁ ପ୍ରତି ସପ୍ତାହରେ ଗୋରୁଙ୍କୁ ପାଣି ଓ ଗୋଖାଦ୍ୟ ଦେବା ଲାଗି ୧ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି” ।
ଆଇନରେ ଗୋଟିଏ ସଂଶୋଧନ ଅଣାଯାଇ ଗୋମାଂସ ନିଷିଦ୍ଧ ହେବା ପରେ ଗ୍ରାମୀଣ ଅର୍ଥନୀତି ଉପରେ ନିର୍ଭରଶୀଳ ବହୁସଂଖ୍ୟକ ଲୋକ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ଦଳିତ ଚମଡ଼ା କାରିଗର, ପରିବହନକାରୀ, ମାଂସ ବ୍ୟବସାୟୀ, ହାଡ଼ରୁ ଔଷଧ ପ୍ରସ୍ତୁତକାରୀ, ଏ ସମସ୍ତେ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି ।