ପ୍ରହଲ୍ଲାଦ ଧୋକେ ନିଜ ଗାଇମାନଙ୍କୁ ବଞ୍ଚେଇ ରଖିବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ତାହା କରିବା ପାଇଁ, ତାଙ୍କୁ ତିନି-ଏକର୍ର ପିଜୁଳି ବଗିଚା ମରିବା ପାଇଁ ଛାଡିଦେବାକୁ ହେବ ।
“ଏହା ବିନିମୟର ଏକ ପନ୍ଥା’’, ବୋଲି ୭-୮ ଫୁଟ ଉଚ୍ଚ ପିଜୁଳି ଗଛଗୁଡିକର ଧାଡି ଆଗରେ ଲୁହ ଛଳଛଳ ଆଖିରେ ଠିଆ ହୋଇ, ୪୪ ବର୍ଷ ବୟସ୍କ ସେହି ବ୍ୟକ୍ତି ଜଣଙ୍କ କୁହନ୍ତି । ‘‘ମୁଁ ସର୍ବସ୍ୱ ଖର୍ଚ୍ଚ କରିସାରିଛି, ମୋର ସଞ୍ଚୟ ରାଶି, ସୁନା… କିନ୍ତୁ ବର୍ତ୍ତମାନ ମୋର ଗଛଗୁଡିକୁ ବଞ୍ଚାଇବା ପାଇଁ ଆବଶ୍ୟକ ଜଳ ମୁଁ ଆଉ କିଣିବା ପାଇଁ ସମର୍ଥ ନୁହେଁ । ମୁଁ ମୋର ଗାଇଗୁଡିକ ବଞ୍ଚେଇ ରଖିବା ପାଇଁ ଠିକ୍ କରିଛି । ଏହା ଚୟନ କରିବା କଷ୍ଟଦାୟକ ।’’
ଥରେ ବିକ୍ରି କରିବା ପରେ ଗାଇଗୁଡିକ ପୁଣି କିଣିବା କଷ୍ଟଦାୟକ ଓ ଏପ୍ରିଲ୍ ମାସର ଆରମ୍ଭରେ ତାଙ୍କ ଗ୍ରାମ ବାହାରେ, ବିଡ୍ ଜିଲ୍ଲା ଅନ୍ତର୍ଗତ ଭଦ୍ଗାଁଓରେ, ଦୁର୍ଭିକ୍ଷ ରିଲିଫ୍ ପଦକ୍ଷେପ ଭାବେ ଗୋମହିଷାଦି ଗୃହପାଳିତ ପଶୁଙ୍କ ପାଇଁ ଏକ କ୍ୟାମ୍ପ ଆୟୋଜନ କରାଯାଇଥିଲା । ପ୍ରହଲ୍ଲାଦଙ୍କ ୧୨ଟି ଗାଇ, ଯେଉଁଥିରେ ଦୁଇଟି ଗିର୍ ଗାଇ ମଧ୍ୟ ସାମିଲ୍ ଅଛନ୍ତି, ଯାହା ସେ ଏକ ସ୍ଥାନୀୟ ବଜାରରୁ ପ୍ରତ୍ୟେକ ପାଇଁ ୧ଲକ୍ଷ ଟଙ୍କା ବ୍ୟୟ କରି କିଣିଥିଲେ, ସେସବୁକୁ କ୍ୟାମ୍ପକୁ ସ୍ଥାନାନ୍ତରିତ କରାଯାଇଛି । କିନ୍ତୁ ଗଛଗୁଡ଼ିକୁ ଛାଡ଼ିଦେବାର ଅର୍ଥ ମଧ୍ୟ ହେଉଛି ଅପୂରଣୀୟ କ୍ଷତି ।
“ମୋର ବଡ ଭାଇ ଚାରି ବର୍ଷ ପୂର୍ବେ ଲକ୍ଷ୍ନୌ ଯାଇଥିଲେ’’, ବୋଲି ସେ କୁହନ୍ତି, “ସେ ସେଠାରୁ ପିଜୁଳି ଚାରା ଆଣିଥିଲେ”। ବଗିଚାକୁ ଆଜିର ସ୍ଥିତିରେ ପହଞ୍ଚାଇବା ପାଇଁ ପ୍ରହଲ୍ଲାଦ ଓ ତାଙ୍କ ପରିବାରକୁ ଚାରି ବର୍ଷ ସମୟ ଲାଗିଲା । କିନ୍ତୁ ବାରମ୍ବାର ହେଉଥିବା ମରୁଡି ଓ କ୍ରମଶଃ ବୃଦ୍ଧି ପାଉଥିବା ଜଳ ସଙ୍କଟର ସମ୍ମୁଖୀନ ହେଉଥିବା ମରାଠ୍ୱାଡାରେ ୨୦୧୮ ମସିହାର ଖରାପ ମୌସୁସୀ ଜନିତ ଆହ୍ୱାନକୁ ସେ ସାମନା କରିବାକୁ ସମର୍ଥ ହୋଇ ପାରିଲେ ନାହିଁ ।
ରାଜ୍ୟର କେତେକ ତହସିଲ୍ରେ ପ୍ରତିବର୍ଷ ମରୁଡି ଓ ଜଳ ସଙ୍କଟ ଦେଖା ଯାଉଥିବା ବେଳେ, ୨୦୧୨-୧୩ର କୃଷି ଋତୁରେ ସମଗ୍ର ମରାଠ୍ୱାଡା ଅଞ୍ଚଳରେ ଉତ୍କଟ ଜଳ ସଙ୍କଟ ଆରମ୍ଭ ହୋଇଥିଲା (୨୦୧୨ର ନିଷ୍କ୍ରିୟ ମୌସୁମୀ ପ୍ରଭାବରେ ୨୦୧୩ ଗ୍ରୀଷ୍ମ ଋତୁରେ ସଙ୍କଟ ଆରମ୍ଭ ହୋଇଥିଲା), ଯାହା ୨୦୧୪-୧୫ରେ ମଧ୍ୟ ଜାରି ରହିଥିଲା ଓ ବର୍ତ୍ତମାନ ୨୦୧୮-୧୯ରେ ମଧ୍ୟ ଜାରି ରହିଛି । ପ୍ରତ୍ୟେକ ଗ୍ରୀଷ୍ମ ଋତୁରେ ଜଳ ସଙ୍କଟ ଦେଖା ଯାଉଥିବା ବେଳେ, ୨୦୧୨ମସିହାରୁ ମରାଠ୍ୱାଡାରେ ପାଣିପାଗ ଜନିତ ମରୁଡି (ନିଷ୍କ୍ରିୟ ମୌସୁମୀ), କୃଷି ମରୁଡି (ଖରିଫ୍ ଓ ରବି ଫସଲ ନଷ୍ଟ ହେବା), ହାଇଡ୍ରୋଲୋଜିକାଲ୍ ମରୁଡି (ଭୂତଳଜଳ ସ୍ତର ଖସିବା) ଆଦି କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ।
ଜିଓରାଇ ତହସିଲ୍ ଅନ୍ତର୍ଗତ ଭଦ୍ଗାଁଓ ଧୋକ୍ ଗ୍ରାମ ହେଉଛି ୨୦୧୮ମସିହାରେ ମହାରାଷ୍ଟ୍ର ସରକାର ମରୁଡି ପୀଡ଼ିତ ଅଞ୍ଚଳ ବୋଲି ଘୋଷଣା କରୁଥିବା ସ୍ଥାନଗୁଡିକ ମଧ୍ୟରୁ ଗୋଟିଏ । ଜିଓରାଇରେ ୨୦୧୮ ମସିହା ଜୁନ୍ ମାସରୁ ସପ୍ଟେମ୍ବର୍ ମାସ ମଧ୍ୟରେ ୫୦ ପ୍ରତିଶତ ବର୍ଷା ହୋଇଥିବା ରେକର୍ଡ କରାଯାଇଛି – ମାତ୍ର ୨୮୮ମିମି, ଯେତେବେଳେକି ସେହି ପିରିୟଡ୍ରେ ଦୀର୍ଘକାଳୀନ ହାରାହାରି ବର୍ଷାର ପରିମାଣ ୬୨୮ମିମି ରେକର୍ଡ କରାଯାଇଥିଲା- ଭାରତୀୟ ଜଳବାୟୁ ବିଭାଗର ତଥ୍ୟ ମୁତାବକ । ସେପ୍ଟେମ୍ବର୍ରେ, ଯାହା ଫସଲ ଦୃଷ୍ଟିରୁ ଏକ ମହତ୍ତ୍ୱପୂର୍ଣ୍ଣ ମାସ, କେବଳ ୧୪.୨ମିମି ବର୍ଷା ହୋଇଥିବା ବେଳେ ସେହି ପିରିୟଡ୍ରେ ହାରାହାରି ବର୍ଷାର ପରିମାଣ ୧୭୦ମିମି ଥିଲା ।









