ବର୍ଷା ହେଉଥିଲା। ଚିନ୍ନା ମୋ ଘର ବାହାରେ କଳା ରଙ୍ଗର ଛତା ତଳେ ରହି ବିଡ଼ି ଟାଣୁଥିଲା। ଛତାରୁ ବର୍ଷା ଜଳ ଝରଣା ଭଳି ମାଟି ଉପରେ ଝରି ପଡ଼ୁଥିଲା। ତା’ ମୁହଁ ସ୍ପଷ୍ଟ ଭାବେ ଦେଖାଯାଉନଥିଲା।
“ଏଠାକୁ ଚାଲି ଆସ ଚିନ୍ନା, କାହିଁକି ତୁମେ ବର୍ଷାରେ ଛିଡ଼ା ହୋଇଛ?”
ସେ ଖୁବଜୋରରେ ତିନି ଥର ବିଡ଼ି ଶୋଷି ନେବା ପରେ ଫୋପାଡ଼ି ଦେଲା ଓ ଛତାକୁ ମୋଡ଼ି ଦେଇ ମୋ ବାରଣ୍ଡାରେ ବସିପଡ଼ିଲା। ତା’ ଆଖି ନାଲି ଦେଖାଯାଉଥିଲା, ବୋଧହୁଏ ଧୂମପାନ କରିବା ଯୋଗୁଁ। ସେ କାଶିଲା, ମୋ ଆଖିକୁ ଚାହିଁ ପଚାରିଲା, “ସେମାନେ ଲୋକମାନଙ୍କୁ ନିଜ ଘରକୁ ଫେରିବା ପାଇଁ ଅନୁମତି ଦେଉଛନ୍ତି କି?”
“ନା, ଚିନ୍ନା, ଆମକୁ ଫେରିବା ଲାଗି ଜିଲ୍ଲାପାଳଙ୍କଠାରୁ ସ୍ୱତନ୍ତ୍ର ପାସ୍ ଆଣିବାକୁ ପଡ଼ିବ।”
“ଏପରି କି?” ସେ ମୋତେ ପଚାରିଲା ଓ ପୁଣି କାଶିଲା।
“ହଁ, ଅନ୍ୟ ଦିନ, ୧୬ ଜଣ ପ୍ରବାସୀ ଶ୍ରମିକଙ୍କ ଉପରେ ଟ୍ରେନ ମାଡ଼ିଗଲା”।
ଚିନ୍ନା ମୋ ଆଖିକୁ ଖୁବ ଗମ୍ଭୀର ଭାବେ ଚାହିଁଲା ଯେମିତି ମୁଁ ଏମିତି କିଛି କଥା କହିଦେଇଥିଲି ଯାହା ମୋତେ କହିବାର ନଥିଲା।
ସେ ତଳକୁ ଚାହିଁଲା ଓ କହିଲା, “ମୋ ଜେଜେ ମା’ଙ୍କ ଠାରୁ ଶୁଣିଥିବା କଥା ମୋର ମନେ ଅଛି, କେମିତି ୬୫ ବର୍ଷ ପୂର୍ବେ ସେ ମୋ ବାପାଙ୍କ ସହିତ କାମ ସନ୍ଧାନରେ ଥୁଠୁକୁଡ଼ିରୁ ତ୍ରିଭେନ୍ଦ୍ରମକୁ ଚାଲିଆସିଥିଲେ ।”
“ସେ ଗାଁରୁ ବାହାରକୁ ଯିବା ଲାଗି ଡରୁଥିଲେ, କିନ୍ତୁ କେମିତି କ’ଣ ଏଠାକୁ ଚାଲିଆସିଲେ। ସେ ଆମକୁ ସବୁବେଳେ ସୁଖଦ କାହାଣୀ କିମ୍ବା ମଜାଳିଆ ଘଟଣା ବିଷୟରେ କହୁଥିଲେ, କିନ୍ତୁ ଏବେ ମୁଁ ଜାଣିପାରୁଛି ସେ କେଉଁ ପରିସ୍ଥିତି ଦେଇ ଗତି କରିଥିବେ। ସେ ସବୁବେଳେ ହସ ହସ ମୁହଁରେ ରହିବାର କଳା ଭଲ ଭାବେ ଜାଣିଥିଲେ।”
ବର୍ଷାର ପରିମାଣ ଆହୁରି ବଢ଼ିଯାଇଥିଲା; ଏତିକି ବେଳେ ଜଳାର୍ଣ୍ଣବ ରାସ୍ତାରେ ଏକ ଆମ୍ବୁଲାନ୍ସ ଅତିକ୍ରମ କଲା। “ସବୁ ଶ୍ରମିକ ନିରାପଦରେ ଘରେ ପହଞ୍ଚି ଯାଆନ୍ତୁ,” ଚିନ୍ନା କହିଲା।



