“ଏହି ସଫା ଦାନାକୁ ଦେଖୁଛନ୍ତି ତ ? ହାତ ପାପୁଲିରେ କିଛି ଚଣା ଦାନା ଧରି ଏ ପ୍ରଶ୍ନ କରନ୍ତି ଅଶୋକ ଗାଟକଲ୍ । “ଏହାର ବଜାର ଦର କୁଇଣ୍ଟାଲ ପିଛା ୩,୦୦୦ରୁ ୩,୫୦୦ ଟଙ୍କା । କିନ୍ତୁ ଏଥର ଅଧିକାଂଶ ଚଣାରେ କଳା କଳା ଦାଗ ଓ ଶିଉଳି ଲାଗିଯାଇଛି ।” ନଷ୍ଟ ଚଣାଗୁଡ଼ିକୁ ଅନ୍ୟ ହାତର ପାପୁଲିରେ ରଖି ସେ କହନ୍ତି । “ଏମିତି ଚଣା ବଜାରରେ ବିକ୍ରି ହୋଇପାରିବନି । ଏଥିରୁ ମତେ କିଛି ହେଲେ ମିଳିବନି ।”
ନଭେମ୍ବର ୧୧ ତାରିଖ ଦିନ ମୁଁ ରାଥଗଲ୍ଲୀ ଗାଁରେ ଥିବା ତାଙ୍କ ଚାଷଜମିକୁ ଯାଇଥିବା ବେଳେ ଗାଟକଲ୍ ନଷ୍ଟ ହୋଇଯାଇଥିବା ଫସଲକୁ ଦା’ରେ କାଟି ସଫା କରୁଥିଲେ । ଏକା ଏକା ସେ କାମ କରୁଥିଲେ । କପାଳ ଓ ନାକ ଉପରୁ ଝରୁଥିବା ଝାଳ ପୋଛି ସେ ପଚାରିଲେ, “କେମିତି ମୁଁ ଏବେ ମଜୁରି (କୃଷି ଶ୍ରମିକମାନଙ୍କୁ) ଦେଇପାରିବି ?”
ଅକ୍ଟୋବରରେ ହୋଇଥିବା ବର୍ଷାରେ ଗାଟ୍କଲ୍ଙ୍କ ତିନି ଏକର ଜମିର ଫସଲ ପାଖାପାଖି ଦୁଇ ସପ୍ତାହ ଧରି ସଂପୂର୍ଣ୍ଣ ବୁଡ଼ି ରହିଥିଲା। ଗତ ମାସର ପ୍ରବଳ ବର୍ଷାରେ ତାଙ୍କ ସୋୟାବିନ୍ ଫସଲର ପ୍ରାୟ ୯୦ ପ୍ରତିଶତ ସଢ଼ି ଯାଇଥିଲା । ନାସିକ୍ ଜିଲ୍ଲାର ଡିଣ୍ଡୋରି ତାଲୁକାରେ ତାଙ୍କ ଗାଁ । ଏହି ଜିଲ୍ଲାରେ ଅକ୍ଟୋବର ୧ରୁ ନଭେମ୍ବର ୧୨ ତାରିଖ ଭିତରେ ପ୍ରାୟ ୧୭୩.୨ ମି.ମି. ବର୍ଷା ହୋଇଥିଲା । ସାଧାରଣତଃ ଏହି ସମୟ ଭିତରେ ମୋଟାମୋଟି ୭୧ ମି.ମି. ବର୍ଷା ହୋଇଥାଏ (ଭାରତୀୟ ପାଣିପାଗ ବିଭାଗର ତଥ୍ୟ) ।
ମୌସୁମୀ ଆରମ୍ଭରୁ ଜୁନ୍ ମାସରେ ରାଥଗଲ୍ଲୀରେ କମ୍ ବର୍ଷା ହୋଇଥିଲା ସତ, କିନ୍ତୁ ବର୍ଷାଋତୁର ଶେଷ ଭାଗକୁ ସେପ୍ଟେମ୍ବରରେ ବୃଷ୍ଟିପାତ ବୃଦ୍ଧି ପାଇଥିଲା ଏବଂ ଭଲ ଫସଲ ହେବ ବୋଲି ୫୧ ବର୍ଷୀୟ ଅଶୋକ ଆଶା କରୁଥିଲେ । କିନ୍ତୁ ଅକ୍ଟୋବରର ଅପ୍ରତ୍ୟାଶିତ ବର୍ଷା ତାଙ୍କୁ ବାଧିଛି । ଅକ୍ଟୋବର ଶେଷ ଆଡ଼କୁ ଫସଲହାନି ସଂପର୍କରେ ସେ ତାଲାଥିଙ୍କ ଅଫିସ୍କୁ ସୂଚନା ଦେଇଥିଲେ ହେଁ ଦୁଇ ସପ୍ତାହ ପରେ ବି ସ୍ଥିତି ଅନୁଧ୍ୟାନ କରିବାକୁ କେହି ପହଞ୍ଚି ନଥିଲେ ।










