ସବୁଦିନ ସକାଳ ୧୦ଟାରେ ଉତ୍ତର ସୁରଟର ମୀନାନଗର ଅଞ୍ଚଳରେ ଥିବା ରେଣୁକା ପ୍ରଧାନଙ୍କ ଏକ ବଖୁରିଆ ଘର ତାଙ୍କର କାର୍ଯ୍ୟକ୍ଷେତ୍ର ପାଲଟିଥାଏ । ତାଙ୍କ ଘରେ ପହଞ୍ଚାଯାଇଥିବା ରଙ୍ଗୀନ ଶାଢିର ବଣ୍ଡଲ ରୋଷେଇଘର ସିଙ୍କ୍ ନିକଟରେ, ଦୁଆରମୁହଁ ପାଖରେ, ଏପରିକି ଖଟିଆ ତଳେ ଗଦା ହୋଇଥାଏ । ପ୍ରଧାନ ଏକ ଗାଢ଼ ଗୋଲାପୀ ଏବଂ ନୀଳ ରଙ୍ଗର ପଲିଷ୍ଟର ଶାଢିକୁ କାଢିବା ପାଇଁ ଧୀରେ ଧୀରେ ଏକ ବଣ୍ଡଲ ଖୋଲିଲେ ଯାହାକୁକି ସେ ତାଙ୍କ କୋଠରୀ ବାହାରେ ଥିବା ପାଣି ପାଇପ୍ରେ ଝୁଲାଇଥିଲେ ।
ନିକଟରେ ଭିଇଡି ରୋଡ୍ରେ ଥିବା ଫେବ୍ରିକ୍ ତିଆରି ୟୁନିଟ୍ରୁ ସେହି ଶାଢି ଏଠାକୁ ଆସିଛି । ଯନ୍ତ୍ରଚାଳିତ ଏମ୍ବ୍ରୋଡୋରୀ ପ୍ରକ୍ରିୟା ସମୟରେ ମେସିନ୍ କାମ ଯୋଗୁ ପଲିଷ୍ଟର ଫେବ୍ରିକ୍ ପଛପଟରେ କିଛି ବଳକା ସୂତା ରହିଯାଏ । ଫ୍ରେବିକକୁ ବୟନଶିଳ୍ପ ୟୁନିଟ୍ର ଇସ୍ତ୍ରୀ ଏବଂ ଭଙ୍ଗାଯିବା ବିଭାଗକୁ ପଠାଯିବା ପୂର୍ବରୁ ଏହି ସୂତାକୁ ଖୁବ୍ ଯତ୍ନର ସହ କଢାଯିବା ଆବଶ୍ୟକ । ଏହି ସମୟରେ ପ୍ରଧାନଙ୍କ ଭଳି ଘରୋଇ ଶ୍ରମିକଙ୍କ ଆବଶ୍ୟକତା ପଡ଼େ ।
ନିଜର ତର୍ଜନୀ ଏବଂ ବୁଢା ଆଙ୍ଗୁଳିକୁ ବ୍ୟବହାର କରି ପ୍ରଧାନ ଦିନକୁ ପ୍ରାୟ ୭୫ରୁ ଅଧିକ ଝୁଲୁଥିବା ଶାଢିରୁ ବଳକା ସୂତା ଟାଣି ବାହାର କରିଥାନ୍ତି । ଯଦି ଶାଢିଗୁଡ଼ିକ ଟିକେ ଅଧିକ ଦାମୀ ପଲିଷ୍ଟର ସିଲ୍କରୁ ତିଆରି ହୋଇଥାଏ ତେବେ ସେ ବଳକା ସୂତାଗୁଡ଼ିକୁ କାଟିବା ପାଇଁ ଏକ ଛୁରୀର ବ୍ୟବହାର କରିଥାନ୍ତି । ସେ କହନ୍ତି, “ମୁଁ ପ୍ରତିଟି ଶାଢିରେ ପ୍ରାୟ ୫-୭ ମିନିଟ୍ ସମୟ ଦେଇଥାଏ ।’’ “ଯଦି ଭୁଲବଶତଃ ମୁଁ କୌଣସି କ୍ଷେତ୍ରରେ ଅଧିକ ସୂତା ଟାଣିଦିଏ ଏବଂ ଫେବ୍ରିକଗୁଡ଼ିକ ନଷ୍ଟ ହୋଇଯାଇଥାଏ ତେବେ ମୋତେ କଣ୍ଟ୍ରାକ୍ଟରକୁ ଶାଢିର ସମୁଦାୟ ଟଙ୍କା ଫେରାଇବାକୁ ହୁଏ । ତେଣୁ ମୋତେ ବହୁତ ଯତ୍ନବାନ ହେବାକୁ ପଡ଼ିଥାଏ ।’’
ଶାଢି ପିଛା ୨ଟଙ୍କା ହିସାବରେ ପ୍ରଧାନ ଦିନକୁ ପ୍ରାୟ ୧୫୦ ଟଙ୍କା ରୋଜଗାର କରିଥାନ୍ତି । ଯଦି କୌଣସି ଭୁଲ୍ ହୁଏ ତା’ ହେଲେ ତାଙ୍କୁ ପ୍ରାୟ ତାଙ୍କର ୫ ଦିନର ପାଉଣା ହରାଇବାକୁ ପଡ଼େ । ସେ କହିଲେ ‘‘ଦିନର ଶେଷ ବେଳକୁ (ଆଠ ଘଣ୍ଟା ପରେ), ମୁଁ କ୍ୱଚିତ୍ ମୋ ଆଙ୍ଗୁଳିରେ କିଛି ଅନୁଭବ କରିପାରେ (ଆଙ୍ଗୁଳି କାଲୁଆ ମାରିଯାଏ) ।’’










