‘ ଆମେ ଆଦିବାସୀ, ବଣ ମୁଲକର ସନ୍ତାନ
ପର୍ବତ ଆଉ ଝରଣା ଆମର ବାସ ସ୍ଥାନ, ଆମକୁ କହନ୍ତି ଗିରିଜନ
ଜଙ୍ଗଲର ସମ୍ପଦ ଆମ ଜୀବନ ...
ଯଦି ଆମେ ସମସ୍ୟାରେ ପଡ଼ୁ, ଆମେ କରୁ ସମାଧାନ
ଯଦି କିଛି କ୍ଷତିହୁଏ, ତଥାପି ବଞ୍ଚିରହେ ଆମ ଜୀବନ ’


West Godavari, Andhra Pradesh
|WED, AUG 22, 2018
ପୋଲାଭରମ ବିରୋଧରେ ଆଶାର ପଦଯାତ୍ରା
ପୋଲାଭର ପ୍ରକଳ୍ପକୁ ବିରୋଧ କରି ଏକ ସଂକଳ୍ପବଦ୍ଧ ଆଦିବାସୀ ଗୋଷ୍ଠୀ ପଶ୍ଚିମ ଗୋଦାବରୀ ଜିଲ୍ଲାର ଚିରାଭାଲିରୁ ଏଲୁରୁ ଯାଏଁ ଜୁଲାଇ ୧୦ରୁ ୧୬ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ଏହି ପ୍ରକଳ୍ପ ତାଙ୍କୁ କେବଳ ବାସଚ୍ୟୁତ କରିବନି, ତାଙ୍କ ସଂପ୍ରଦାୟକୁ ଧ୍ୱଂସ କରିଦେବ।
Author
Translator
ଅନ୍ୟ ଆଦିବାସୀଙ୍କ ସହ ପଦଯାତ୍ରା କରୁଥିବା କୋରସା ଆଦିତ୍ୟ ଡାପୁ ବଜାଇ ଗୀତ ବୋଲୁଥିଲେ। ସେ ନୀଳ ରଂଗର କୁର୍ତ୍ତା ପିନ୍ଧିଥିଲେ, ମୁଣ୍ଡରେ ସବୁଜ ରଙ୍ଗର ବ୍ୟାଣ୍ଡ ଏବଂ ଅଣ୍ଟାରେ ଲାଲ ରଂଗର କନ୍ଦୁଆ ବାନ୍ଧିଥିଲେ।
ତାଙ୍କ ପାଦ ଫୋଟକା ହୋଇ ଯାଇଥିଲା। ଆଣ୍ଠୁରେ ଭୀଷଣ ଯନ୍ତ୍ରଣା ହେଉଥିଲା। କିନ୍ତୁ ଏହା ତାଙ୍କୁ ରୋକି ପାରି ନଥିଲା। ବୁଟ୍ଟାୟାଗୁଡ଼େମ୍ ମଣ୍ଡଳ ଗଣପବରମ ଗାଁର ନବମ ଶ୍ରେଣୀ ଛାତ୍ର ଆଦିତ୍ୟ କହିଲେ, ‘‘ଗତକାଲି ମୋତେ କିଛି ଔଷଧ ଏବଂ ମଲମ [ପଦଯାତ୍ରା ଆୟେଜକଙ୍କ ପକ୍ଷରୁ] ଦେବା ପରେ ଟିକେ ଭଲ ଲାଗୁଛି। ରାସ୍ତା ମଝିରେ ତାଙ୍କ ଚପଲ ଛଣ୍ଡି ଯାଇଥିଲା। ବାକି ରାସ୍ତା ସେ ଖାଲିପାଦରେ ଚାଲିଥିଲେ।
ସେ ଏବଂ ପ୍ରାୟ ୫୦୦ ଆଦିବାସୀ ପଦଯାତ୍ରାରେ ସାମିଲ ଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରାୟ କୋୟା ଏବଂ କୋଣ୍ଡାରେଡ୍ଡି ସଂପ୍ରଦାୟର। ପଶ୍ଚିମ ଗୋଦାବରୀ ଜିଲ୍ଲା କୁକୁନୁର ମଣ୍ଡଳର ଚିରାଭାଲି ଗାଁରୁ ଜୁଲାଇ ୧୦ରେ ଏହି ପଦଯାତ୍ରା ଆରମ୍ଭ ହୋଇଥିଲା। ପଦଯାତ୍ରାର ଆୟୋଜକଙ୍କ କହିବା ଅନୁସାରେ ଯେତେବେଳେ ପଦଯାତ୍ରା ଜୁଲାଇ ୧୬ରେ ଜିଲ୍ଲା ହେଡ଼କ୍ୱାର୍ଟର ଏଲୁରୁରେ ପହଞ୍ଚିଲା, ସେତେବେଳକୁ ଏହି ସଂଖ୍ୟା ୧,୫୦୦ ଛୁଇଁଥିଲା। ଶେଷ ଦୁଇ ଦିନ ମୁଁ ସେମାନଙ୍କ ସହ ଦେଣ୍ଡାଲୁରୁ ରୁ ଏଲୁରୁ ପର୍ଯ୍ୟନ୍ତ ପଦଯାତ୍ରାରେ ସାମିଲ ହୋଇଥିଲି। କିଛି ପଦଯାତ୍ରୀ କିହଲେ, ସେମାନେ ୨୦୧୮ ମାର୍ଚ୍ଚ ମାସରେ ମହାରାଷ୍ଟ୍ରରେ ଆଦିବାସୀ କୃଷକମାନେ କରିଥିବା ଏକ ଦୀର୍ଘ ପଦଯାତ୍ରାରୁ ପ୍ରେରଣା ପାଇଥିଲେ। ଏହି ପଦଯାତ୍ରା ନାସିକ୍ ରୁ ମୁମ୍ବାଇ ଯାଇଥିଲା।

Venkat Rao Gudelli
ଆୟୋଜକମାନେ ଏହି ପଦଯାତ୍ରାକୁ ଏଜେନ୍ସି ପୋରୁଯାତ୍ରା କହନ୍ତି। ‘ଏଜେନ୍ସି’ ଏକ ଆଞ୍ଚଳିକ ଶବ୍ଦ। ଏହା ପଞ୍ଚମ ଅନୁସୂଚିତ ଅଞ୍ଚଳ ପାଇଁ ବ୍ୟବହୃତ। ଆଦିବାସୀ ବହୁଳ ଏହି ଅଞ୍ଚଳର ଐତିହାସିକ ଏବଂ ଆର୍ଥିକ ସନ୍ତୁଳନ ରକ୍ଷା ପାଇଁ ଏହା ଉପରେ ସମ୍ବିଧାନ ସ୍ୱତନ୍ତ୍ର ଧ୍ୟାନ ଏବଂ ଅଧିକାର ଦେଇଛି। ‘ପୋରୁ’ ତେଲୁଗୁ ଭାଷାରେ ‘ଯୁଦ୍ଧ’।
ଆନ୍ଧ୍ର ପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲାର ପଞ୍ଚମ ଅନୁସୂଚିତ ଅଞ୍ଚଳ ୮ଟି ମଣ୍ଡଳ ଦେଇ ବ୍ୟାପିଛି। ଗୋଦାବରୀ ନଦୀ ଉପରେ ନିର୍ମାଣ ହେଉଥିବା ଇନ୍ଦିରାସାଗର(ପୋଲାଭରମ) ବହୁମୁଖୀ ପ୍ରକଳ୍ପ ଏବଂ ଜଲେରୁ ଡ୍ୟାମ୍ ( ଚିନ୍ତଲାପୁଡ଼ି ଉଠା ଜଳସେଚନ ଯୋଜନାର ଅଂଶ) ଯୋଗୁଁ ଏଥିରୁ ଦୁଇଟି ମଣ୍ଡଳ ସଂପୂର୍ଣ୍ଣ ଏବଂ ୬ଟି ମଣ୍ଡଳ ଆଂଶିକ ଭାବେ ବୁଡ଼ିଯିବ। ୨୦୦୪ରେ ପୋଲାଭରମ ପ୍ରକଳ୍ପୟ ଆରମ୍ଭ ହୋଇଥିଲା। ଏହାର ୬୦ ପ୍ରତିଶତ କାମ ଶେଷ ହୋଇଥିବା ସରକାର ଦାବି କରୁଛନ୍ତି। ୨୦୧୪ରେ ଚିନ୍ତାଲାପୁଡ଼ି ଯୋଜନା ଆରମ୍ଭ ହୋଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନାହିଁ।
ପୋଲାଭରମ ପ୍ରକଳ୍ପରେ ପଶ୍ଚିମ ଗୋଦାବରୀ ଜିଲ୍ଲାର ୨୦୦ ଗାଁ ବୁଡ଼ିଯିବ ଏବଂ ୧୦୦,୦୦୦ ରୁ ଅଧିକ ଲୋକ ସ୍ଥାନାନ୍ତର ହେବେ। ଜାଲେରୁ ପ୍ରକଳ୍ପରେ ୧୬ଟି ଆଦିବାସୀ ପଡ଼ାଗ୍ରାମ ସଂପୂର୍ଣ୍ଣ ଏବଂ ୧୨୭ଟି ପଡ଼ାଗ୍ରାମ ଆଂଶିକ ଭାବେ ବୁଡିଯିବ। ଏହି ତଥ୍ୟ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିବିଭାଗରୁ ମିଳିଛି। ଜୁନ ୨୦୧୭ରେ ମୁଁ ସୂଚନା ଅଧିକାର (ଆରଟିଆଇ)ରେ ଆବେଦନ କରି ଏହି ତଥ୍ୟ ପାଇଛି।
ଏହି ସବୁ ଗାଁ ଏବଂ ପଡ଼ାରେ ରହୁଥିବା ଆଦିବାସୀମାନେ, ଚଳିତ ସପ୍ତାହରେ ପ୍ରାୟ ୨୦୦ ଗାଁ ଦେଇ ୩୦୦ କିଲେମିଟର ରାସ୍ତା ଅତିକ୍ରମ କରିଛନ୍ତି। ପ୍ରବଳ ବର୍ଷା ଏବଂ ପାଣିସ୍ରୋତକୁ ଅତିକ୍ରମ କରି ଏଠି ପହଞ୍ଚିଛନ୍ତି। ଏଲୁରୁରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସଭା ଏବଂ ଧାରଣାରେ ଏହି ପଦଯାତ୍ରା ସରିଛି।ଭିଡ଼ିଓ ଦେଖନ୍ତୁ : ଏକ ଲାଠିର ଛାୟା ଭିତରେ ଥିବା ଗୋଟିଏ ପ୍ରକଳ୍ପ
‘ଆମେ ଖାଲି ପାଦରେ ସଂପୂର୍ଣ୍ଣ ଅନ୍ଦାର ଭିତରେ ଚାଲିଛୁ, ଅଣ୍ଟାଏ ପାଣି, ଆଣ୍ଠୁଏ କାଦୁଅ, ଜଂଗଲ ଏବଂ ଜମି ଭିତରେ ଚାଲିଛୁ... ’
ଜୁଲାଇ ୧୬ରେ , ଏହି ପଦଯାତ୍ରାର ଆୟୋଜକ - ଆନ୍ଧ୍ର ପ୍ରଦେଶ ଗିରିଜନ ସଂଘ(ଏପିଜିଏସ୍), ଅଲ୍ ଇଣ୍ଡିଆ ଏଗ୍ରିକଲଚରାଲ ୱାର୍କର୍ସ ୟୁନିୟନ ଏବଂ ପ୍ରକଳ୍ପ ବିସ୍ଥାପିତ ସଂଘର ନେତାମାନେ ଜିଲ୍ଲାପାଳଙ୍କୁ ଭେଟି ୨୨ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦାବିଗୁଡ଼ିକ ଥିଲା ଜଂଗଲ ଅଧିକାର ଆଇନ୍ (ଏଫଆରଏ), ୨୦୦୬ ଅନୁଯାୟୀ ଆଦିବାସୀଙ୍କ ଅଧିକାରକୁ ମାନ୍ୟତା ଦେବା ; ପୋଲାଭରମ ଡ୍ୟାମ୍ ଏବଂ ଜଲେରୁ ଜଳାଶୟ ଦ୍ୱାରା ବିସ୍ଥାପିତଙ୍କୁ ଜମି ଅଧିଗ୍ରହଣ, ପୁନର୍ବସତି ଏବଂ ପୁନଃଥଇଥାନ (ଏଲଏଆରଆର) ଆଇନ୍ ୨୦୧୩ ଅନୁଯାୟୀ ପୁନଃଥଇଥାନ ଓ ପୁନର୍ବାସ ଏବଂ ଜମି ହସ୍ତାନ୍ତର ବିନିୟମ (ଏଲଏଏଆର) ଆଇନ୍ ୧୯୭୦ ର ସଠିକ୍ କାର୍ଯ୍ୟାନ୍ୱୟନ ଏବଂ ପଞ୍ଚାୟତ (ଅନୁସୂଚିତ ଅଞ୍ଚଳର ସଂପ୍ରସାରଣ) ଆଇନ୍ (ପିଇଏସ୍ଏ), ୧୯୯୮।
ଜଙ୍ଗଲ ଅଧିକାରକୁ ମାନ୍ୟତା ଦେବା ଏବଂ ଜଂଗଲ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ଆଦିବାସୀ ସଂପ୍ରଦାୟଠାରୁ ଜମି ହସ୍ତାନ୍ତର ପୂର୍ବରୁ ତାଙ୍କୁ କ୍ଷତିପୂରଣ ଦେବାକୁ ଏଫ୍ଆରଏ ରେ ନିର୍ଦ୍ଦେଶ ରହିଛି। ସେମାନେ ଜଂଗଲ ଜମିରେ ହଳ କରନ୍ତି ଏବଂ ତେନ୍ତୁଳି, ମହୁ ଓ ବାଉଁଶ ଭଳି ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି କରନ୍ତି। ଆଦିବାସୀମାନେ ଚାଷ କରୁଥିବା ଜମିକୁ ସେମାନଙ୍କ ନାଁରେ କରିବା ଏବଂ ଜଙ୍ଗଲଜାତ ଦ୍ରବ୍ୟ ପାଇଁ ଗୋଟିଏ ସଂପ୍ରଦାୟକୁ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ପ୍ରଦାନ କରିବାକୁ ଏଫଆରଏ ଆଇନରେ ନିର୍ଦ୍ଦେଶ ରହିଛି। ସେହିଭଳି ଏଲଏଆରଆର ଏବଂ ପିଇଏସ୍ଏ ଆଇନ୍ ଅନୁଯାୟୀ ଆଦିବାସୀଙ୍କଠାରୁ ଜମି ନେବା ପୂର୍ବରୁ ଗ୍ରାମସଭା ପ୍ରସ୍ତାବ ବାଧ୍ୟତାମୂଳକ। ଏଥିସହ ଉଭୟ ବ୍ୟକ୍ତିଗତ ଏବଂ ଗୋଷ୍ଠୀଗତ ଜଂଗଲ ଅଧିକାରକୁ ମାନ୍ୟତା ପାଇଁ ଏହି ଆଇନ୍ରେ ନିର୍ଦେଶ ରହିଛି। ସେହିଭଳି ଜଣେ ଆଦିବାସୀଠାରୁ ଜଣେ ଅଣଆଦିବାସୀଙ୍କୁ ଜମି ହସ୍ତାନ୍ତର ପାଇଁ ଏଲଟିଆର ଆଇନ୍ରେ ଅନୁମତି ନାହିଁ।

Rahul Maganti

Rahul Maganti
ତେଲମ ରାମକୃଷ୍ଣ କହିଲେ, ‘‘ପୋଲାଭରମ ପ୍ରକଳ୍ପ ଶେଷ କରିବାକୁ ସମସ୍ତେ ତରତର ଥିଲେ। ଆଦିବାସୀଙ୍କ ବିରୋଧକୁ ଦମନ କରିବା ପାଇଁ ସରକର ସବୁ ଶକ୍ତି ଲଗାଇ ଦେଇଥିଲେ। ଆଦିବାସୀଙ୍କ ବିରୋଧରେ ମିଛ ମାମଲା ଥୋପିଦିଆଯାଇଥିଲା।’’ ତେଲମ ରାମକୃଷ୍ଣ ହେଉଛନ୍ତି ଏପିଜିଏସ୍ର ଜିଲ୍ଲା ସଭାପତି। ତାଙ୍କ ବିରୋଧରେ ଅଧ ଡଜନେ ମାମଲା ରହିଛି। ରାମକୃଷ୍ଣ ଜଣେ କୋୟା ଆଦିବାସୀ। ଜଲେରୁ ଜଳାଶୟ ବୁଡ଼ି ଅଞ୍ଚଳରେ ତାଙ୍କ ଗାଁ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକାଠି ହୋଇଥିବା ପ୍ରାୟ ୨,୦୦୦ ଲୋକଙ୍କୁ ଉଦବୋଧନ ଦେଇ ସେ କହିଲେ, ‘‘ଆମେ ଚର୍ବି ତରଳାଇବାକୁ ଚାଲିନୁ, ଆମ ଜାଗା ଫେରି ପାଇବାକୁ ଚାଲିଛୁ।’’ ୨୦୦୬ ମସିହାରେ ତତ୍କାଳୀନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ରେଡ୍ୟା ନାଏକଙ୍କ ତଥ୍ୟ କହୁଛି କେବଳ ପଶ୍ଚିମ ଗୋଦାବରୀ ଜିଲ୍ଲାରେ ଆଦିବାସୀଙ୍କ ୫୫,୦୦୦ ଏକର ଜମି ତାଙ୍କଠାରୁ ଛଡାଇ ନିଆଯାଇଛି। ଜମି ଆମ ମୌଳିକ ଅଧିକାର। ଆମେ ଏହି ଜମି ଫେରି ପାଇବାକୁ ଚାହୁଁଛୁ।’’ ସଭାରେ ପ୍ରବଳ ତାଳିମାଡ଼ ହୋଇଥିଲା।
ପଦଯାତ୍ରାରେ ମହିଳାଙ୍କ ସଂଖ୍ୟା ପୁରୁଷଙ୍କଠାରୁ ଅଧିକ ଥିଲା। କାହା ହାତରେ ପ୍ଲାଷ୍ଟିକ୍ ଝୁଡି ଆଉ କାହା ହାତରେ ଥିଲା କପଡ଼ା ବ୍ୟାଗ। ସେଥିରେ ସେମାନେ ଆୟୋଜକଙ୍କ ପକ୍ଷରୁ ଦିଆଯାଇଥିବା ଖାଦ୍ୟ ପୁଡ଼ିଆ ଏବଂ ପାଣି ବୋତଲ ରଖିଥିଲେ। ତା ସହ ସେମାନେ ଘରୁ ଆଣିଥିବା ଖାଦ୍ୟ ଥିଲା। ଜେଲୁଗୁ ମିଲ୍ଲି ମଣ୍ଡଳର ଅଙ୍କଣା ଗୁଡେମ୍ ଗାଁର ଶବରମ୍ ଲକ୍ଷ୍ମୀ ପୂରା ବାଟ ଚାଲିଥିଲେ। ସେ କହନ୍ତି, ‘‘ବେଳେବେଳେ ଆମ ପାଖରେ ଅନେକ କିଲୋମିଟର ଯିବା ଯାଏଁ ପାଣି ନଥାଏ। ଆଉ କେଉଁଠି ପ୍ରବଳ ବର୍ଷା। ତଥାପି ଆମେ ଅବିଶ୍ରାନ୍ତ ଭାବେ ଚାଲୁଥିଲୁ।’’

Rahul Maganti

Rahul Maganti
ଜେଲୁଗୁ ମିଲି ମଣ୍ଡଳର ବରିଙ୍କଳାପାଡ଼ୁ ଗାଁରୁ ଆସିଥିବା ୩୨ ବର୍ଷୀୟ କୋରସା ଦୁର୍ଗା ତାଙ୍କ ଗୋଡ଼ର ଫୋଟକା ଦେଖାଇ ମୋତେ କହିଲେ, ‘‘ଆମେ ପ୍ରତିଦିନ ସକାଳ ୮ଟାରୁ ଯାତ୍ରା ଆରମ୍ଭ କରୁ, ଶେଷ ହୁଏ ରାତି ୧୦ଟାରେ [ଗୋଟିଏ ଦିନରେ ପ୍ରାୟ ୪୦ ରୁ ୫୦ କିଲୋମିଟର]। ମଝିରେ ଆମେ ଦିନେ କି ଦିଦିନ ଅଧ ରାତି ପର୍ଯ୍ୟନ୍ତ ଚାଲିଛୁ। କାରଣ ଖରାପ ପାଗ ଯୋଗୁ ଆମେ ନିର୍ଦ୍ଧାରିତ ସମୟରେ ନିର୍ଦ୍ଧାରିତ ଜାଗାରେ ପହଞ୍ଚିପାରି ନଥିଲୁ। ରାତିର କିଟିକିଟି ଅନ୍ଧାର ଭିତରେ ଆମେ ଖାଲି ପାଦରେ ଚାଲିଛୁ, କେଉଁଠି ଅଣ୍ଟାଏ ପାଣିରେ, କେଉଁଠି ଆଣ୍ଠୁଏ କାଦୁଅରେ, କେଉଁଠି ଜଙ୍ଗଲରେ ଆଉ କେଉଁଠି ଜମିରେ ଚାଲିଛୁ।’’
ପଦଯାତ୍ରାର ସଂପୂର୍ଣ୍ଣ ବାଟ ଚାଲିଥିବା ୨୫ ବର୍ଷୀୟ ତମାରାମ ଭେଙ୍କୟାମ କହିଲେ, ‘‘ଆମ ପୂର୍ବଜମାନେ ୬ ଏକର ପୋଡୁ [ଜଙ୍ଗଲ] ଜମିରେ ଚାଷ କରୁଥିଲେ। ବର୍ତ୍ତମାନ କୌଣସି କାଗଜପତ୍ର ନଥାଇ [ଆଇନଗତ ଅଧିକାର] ଆମ ଜାଗା ପାଣିରେ ବୁଡ଼ି ଯାଉଛି। ଆମେ ପଟ୍ଟା ଏବଂ କ୍ଷତିପୂରଣ ଚାହୁଁଛୁ।’’ ଗ୍ରାମସଭାରେ ଜଙ୍ଗଲ ଅଧିକାର କମିଟି ଜରିଆରେ ଅନେକ ଆଦିବାସୀ ପଟ୍ଟା ପାଇଁ ଆବେଦନ କରିଛନ୍ତି। ହେଲେ କାଗଜପତ୍ର ଜିଲ୍ଲା ସ୍ତରୀୟ କମିଟି (ପଟ୍ଟା ଦେଉଥିବା କମିଟି, ଯାହାର ମୁଖ୍ୟ ଜିଲ୍ଲାପାଳ)ରେ ପଡ଼ିରହିଛି।
ଆଦିବାସୀମାନଙ୍କ ପକ୍ଷରୁ ମାମଲା ଲଢୁଥିବା ହାଇକୋର୍ଟ ଓକିଲ ପି. ସୁରେଶ କୁମାର କହିଲେ, ‘‘ବୁଡି ଅଞ୍ଚଳର ଲୋକଙ୍କ ଅବେଦନ ଗ୍ରହଣ ନକରିବାକୁ ଯେମିତି ଆନ୍ଧ୍ର ପ୍ରଦେଶ ସରକାର ଏବଂ ଜଙ୍ଗଲ ଅଧିକାରୀଙ୍କ ମଧ୍ୟରେ ଅଲିଖିତ ବୁଝାମଣା ହୋଇଛି। କାରଣ ପଟ୍ଟାଦେଲେ ଆଦିବାସୀମାନଙ୍କୁ ପୁନଃଥଇଥାନ କରିବାକୁ ବହୁ ଜାଗା ଆବଶ୍ୟକ ହେବ। ’’

Rahul Maganti

Rahul Maganti
କାହିଁକି ଏହି ଆଦିବାସୀମାନେ ଏମିତି ଏକ ଯନ୍ତ୍ରଣାଦାୟକ ପଦଯାତ୍ରାପାଇଁ ନିଷ୍ପତ୍ତି ନେଲେ ? ଦୁର୍ଗା କହିଲେ, ‘‘ ଆମ ଜମିକୁ ଚାଷୀମାନେ [ଅଣଆଦିବାସୀ] ନେଇ ଯାଇଛନ୍ତି। ଏ ନେଇ ୧୦ ଥରରୁ ଅଧିକ ସ୍ଥାନୀୟ ପ୍ରଶାସନକୁ ଜଣାଇ ସାରିଥିଲେ ବି କେହି ଶୁଣି ନାହାନ୍ତି। ଜିଲ୍ଲାପାଳ ଆମ ଗୁହାରି ଶୁଣିବେ, ଏଇ ଆଶାରେ ଆମେ ଆସିଥିଲୁ। ’’
କିନ୍ତୁ ଥକି ପଡ଼ିଥିବା ଏହି ଆଦିବାସୀଙ୍କୁ ଦେଖା କରିବାକୁ ଆସିଲେନି ଜିଲ୍ଲାପାଳ କାଟାମାନିନି ଭାସ୍କର। ବରଂ ଜିଲ୍ଲା ରାଜସ୍ୱ ଅଧିକାରୀଙ୍କୁ ପଠାଇଦେଲେ। ଆନ୍ଦୋଳନକାରୀଙ୍କୁ ପଦୁଟିଏ ବି ନକହି ସ୍ମାରକପତ୍ର ନେଇ ସେ ଚାଲିଗଲେ।
ତଥାପି, ୩୦୦ କିଲୋମିଟର ବାଟ ଚାଲିବାର କିଛି ସୁଫଳ ମିଳିବ ବୋଲି ଦୁର୍ଗା, ଭେଙ୍କୟାମ୍ମା ଏବଂ ଅନ୍ୟମାନେ ଆଶା ରଖିଛନ୍ତି। ପଦଯାତ୍ରାରେ ସାମିଲ ହେବାକୁ ସ୍କୁଲରୁ ଗୋଟିଏ ସପ୍ତାହ ପାଇଁ ଛୁଟି ନେଇଥିଲେ ଆଦିତ୍ୟ। ସେ କହିଲେ, ‘‘ଆମ ଲୋକଙ୍କ ପାଇଁ, ଆମ ପୋଡୁ ଜମିପାଇଁ ଏବଂ ଆମ ଜଙ୍ଗଲ ପାଇଁ ମୁଁ ଏହା କରିଛି।’’
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ପୋଲାଭରମ-ବିରୋଧରେ-ଆଶାର-ପଦଯାତ୍ରା

