ପେରୁଭେମ୍ବା, ପ୍ରଥମେ ଦେଖିଲେ ଚମଡ଼ା କାରଖାନା ଭଳି ଲାଗିଥାଏ। ଗାଈ, ମଈଁଷି ଏବଂ ଛେଳି ଭଳି ପଶୁଙ୍କ ଚମଡ଼ା ଗାଁର ଅଗଣାଗୁଡ଼ିକରେ ଶୁଖୁଥାଏ, ଯାହା ଦର୍ଶାଇଥାଏ ଯେ ଚମଡ଼ାକୁ ବିକ୍ରି ପାଇଁ ପ୍ରସ୍ତୁତ କରାଯାଉଛି। କିନ୍ତୁ ଅଗଣାର ଆଗରେ ଓ ଘର ଭିତରକୁ ଗଲେ ଜଣାପଡ଼ିଥାଏ ଯେ କଡ଼ଚୀ କୋଲ୍ଲନ ସମୁଦାୟର କାରୀଗରମାନେ ଏହି କଞ୍ଚା ଚମଡ଼ାରେ ଉଚ୍ଚ ଗୁଣବତ୍ତାଯୁକ୍ତ ମୃଦଙ୍ଗ ପ୍ରସ୍ତୁତ କରିଥାନ୍ତି।
ସମ୍ପୂର୍ଣ୍ଣ ଦକ୍ଷିଣ ଭାରତର ମୃଦଙ୍ଗ ବାଦକମାନେ, କେରଳର ପଲକ୍କଡ଼ ସହରଠାରୁ ୧୪ କିମି ଦୂରରେ ଥିବା ପେରୁଭେମ୍ବାରୁ ହିଁ ଚମଡ଼ାରେ ତିଆରି ହୋଇଥିବା ବାଦ୍ୟଯନ୍ତ୍ର ଆଣିଥାନ୍ତି। “ଆମେ ସଙ୍ଗୀତକାର ନୋହୁଁ ଯେ ବାଦ୍ୟଯନ୍ତ୍ର ବଜାଇପାରିବୁ, କିନ୍ତୁ ଆମେ ଭଲ ଗୁଣବତ୍ତାଯୁକ୍ତ ବାଦ୍ୟଯନ୍ତ୍ର ତିଆରି କରିବାର ଶ୍ରୁତିଗୁଡ଼ିକୁ (ମାଇକ୍ରୋଟୋନାଲ୍ ୟୁନିଟ୍) ଜାଣୁ”, ମୃଦଙ୍ଗମ ତିଆରି କରୁଥିବା ଜଣେ ୪୪ ବର୍ଷୀୟ କଡ଼ଚୀ କୋଲ୍ଲନ କେ.ମଣିକନ୍ଦନ କୁହନ୍ତି। “ଆମେ ଅର୍ଡର ମିଳିବା ପରେ ହିଁ ବାଦ୍ୟଯନ୍ତ୍ର ତିଆରି କରିଥାଉ। ଆମେ ଏହାକୁ ଗ୍ରାହକମାନଙ୍କର ଆବଶ୍ୟକତା ଅନୁଯାୟୀ ବାଦ୍ୟ ପ୍ରସ୍ତୁତ କରିଥାଉ। ଆମେ ଦୋକାନ କିମ୍ବା ବ୍ୟବସାୟିକ ଖୁଚୁରା ବିକ୍ରେତାମାନଙ୍କୁ ବିକ୍ରି କରିନଥାଉ।
ପେରୁଭେମ୍ବାର କଡ଼ଚୀ କୋଲ୍ଲନମାନେ ମୃଦଙ୍ଗ, ମର୍ଦ୍ଦଳ, ତବଲା, ଢୋଲ, ଚେଣ୍ଡା, ଗଞ୍ଜିରା ଓ ଅନ୍ୟ ବାଦ୍ୟଯନ୍ତ୍ର ତିଆରି କରିଥାନ୍ତି ଯାହାର ଉପଯୋଗ ଅଧିକାଂଶ ମନ୍ଦିରର ସଙ୍ଗୀତ ଓ କର୍ଣ୍ଣାଟକ ସଙ୍ଗୀତରେ ହୋଇଥାଏ। ଏହି ସମୁଦାୟ ୨୦୦ ବର୍ଷରୁ ଅଧିକ ବର୍ଷ ହେବ ଏହି ବାଦ୍ୟଯନ୍ତ୍ର ତିଆରି କରି ଆସୁଛନ୍ତି। ଏଥିପୂର୍ବରୁ ସେମାନେ କମାର ଥିଲେ ଏବଂ କୃଷି ଉପକରଣ ତିଆରି କରୁଥିଲେ, ମଣିକନ୍ଦନ କହିଥିଲେ। କର୍ଣ୍ଣାଟକୀ ସଙ୍ଗୀତର କେନ୍ଦ୍ର ରୂପରେ ପଲକ୍କଡ଼ର ପରିଚୟ ପେରୁଭେମ୍ବା ଗ୍ରାମରୁ ମିଳିଥାଏ ଯାହା ଏବେ ପଲକ୍କଡ଼ ଜିଲ୍ଲାର ପେରୁଭେମ୍ବା ଗ୍ରାମ ପଞ୍ଚାୟତ ଅଧୀନରେ ରହିଛି। ଏହା କଡ଼ଚି କୋଲ୍ଲନମାନଙ୍କୁ ଉନ୍ନତ ଆୟ ଲାଗି ବାଦ୍ୟଯନ୍ତ୍ର ପ୍ରସ୍ତୁତ କରିବା ଲାଗି ପ୍ରୋତ୍ସାହିତ କରିଥିଲା।
ପରବର୍ତ୍ତୀ ସମୟରେ ମୃଦଙ୍ଗ ଉସ୍ତାଦ ପାଲଘଟ ଟି.ଏସ. ମଣି ଆୟାର (୧୯୧୨-୧୯୮୧) ଏଠାରେ ତିଆରି ହେଉଥିବା ବାଦ୍ୟଯନ୍ତ୍ର ବଜାଇ ଖ୍ୟାତି ଅର୍ଜନ କରିବା ପରେ ଏଠାକାର ପରିଚୟ କେରଳ ବାହାରେ କର୍ଣ୍ଣାଟକୀ ସଙ୍ଗୀତ ଜଗତରେ ବିସ୍ତାରିତ ହୋଇଥିଲା। ସେ ମାଡ୍ରାସ (ବର୍ତ୍ତମାନ ଚେନ୍ନାଇ)ରୁ ବହୁ ସଂଖ୍ୟକ ସଙ୍ଗୀତଜ୍ଞଙ୍କୁ ଆମନ୍ତ୍ରଣ କରି ଏଠାକୁ ଆଣୁଥିଲେ, ଯେଉଁମାନେ ପରବର୍ତ୍ତୀ କାଳରେ କଡ଼ଚି କୋଲ୍ଲନ କାରୀଗରମାନଙ୍କର ସ୍ଥାୟୀ ଗ୍ରାହକ ପାଲଟିଗଲେ। ଆୟାରଙ୍କ ନିଜ ମୃଦଙ୍ଗକୁ ମଣିକନ୍ଦନଙ୍କ ପିତା କୃଷ୍ଣନ ମରୁଥଲପରମ୍ବୁ ତିଆରି କରୁଥିଲେ, ଯିଏକି ତାଙ୍କର ଘନିଷ୍ଠ ମିତ୍ର ଥିଲେ।








