ସୁରେଶ ମେହେଣ୍ଡାଲେ ନିଜର ଅତିପ୍ରିୟ ବସ୍ ଷ୍ଟାଣ୍ଡ ପାଇଁ ଅତିଶୟ ଚିନ୍ତିତ। ତାଙ୍କର ଅନୁପସ୍ଥିତିରେ ବସ୍ ଷ୍ଟାଣ୍ଡର ପରିସର ସଫା କରାଯାଇ ନଥିବ। ଏବଂ ଯେଉଁ କୁକୁର ଛୁଆମାନଙ୍କୁ ସେ ପ୍ରତିଦିନ ସ୍ନେହରେ ବିସ୍କୁଟ ଖାଇବାକୁ ଦିଅନ୍ତି, ସେମାନେ ମଧ୍ୟ ଭୋକରେ ଥିବେ। ପୁଣେ ଜିଲ୍ଲାର ମୁଲସି ତାଲୁକା ଅନ୍ତର୍ଗତ ପୌଡ଼ର ବସ୍ ଷ୍ଟାଣ୍ଡରେ ସେ ଯେଉଁ ଅନୁସନ୍ଧାନ ବୁଥ୍ ଦାୟିତ୍ୱରେ ଥିଲେ ତାହା ଏକ ମାସରୁ ଅଧିକ ସମୟ ଧରି ତାଲା ପଡ଼ିଛି। ସେଠାରୁ ସେ ପୌଡ଼ ଦେଇ ଯାଉଥିବା ରାଜ୍ୟ ପରିବହନ ବସ୍ ର ଆଗମନ ଏବଂ ପ୍ରସ୍ଥାନ ମଧ୍ୟରେ ସମନ୍ୱୟ ରକ୍ଷା କରିଥାନ୍ତି।
ମୁଁ ଗତ ୨୮ ଦିନ ଧରି ପୌଡ଼ ଯାଇ ନାହିଁ। ୫୪ ବର୍ଷୀୟ ମେହେନ୍ଦଲେଙ୍କୁ ମୁଁ ଯେତେବେଳେ ନଭେମ୍ବର ମାସ ୨୬ ତାରିଖରେ ତାଙ୍କ ବସଷ୍ଟାଣ୍ଡଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ପୁଣେ ସହରର ସ୍ୱର୍ଗେଟ୍ ବସ୍ ଡିପୋ ଭେଟିଥିଲି, ସେ ମୋତେ କହିଥିଲେ, "ମୁଁ ଆଶା କରୁଛି [ସେଠାରେ] ସବୁକିଛି ଠିକ୍ ଅଛି।” ସେ ଡିପୋର ପ୍ରବେଶ ଦ୍ୱାରରେ ଥିବା ଏକ ତମ୍ବୁରେ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମ (ଏମଏସଆରଟିସି) ର ସହକର୍ମୀମାନଙ୍କ ସହ ଧର୍ମଘଟରେ ବସିଛନ୍ତି। ଚଳିତ ବର୍ଷ ଅକ୍ଟୋବର ମାସ ୨୭ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଏମଏସଆରଟିସି କର୍ମଚାରୀମାନେ ଆସି ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟରେ ବସିଛନ୍ତି।
ପୁଣେର ପ୍ରାୟ ୨୫୦ କଣ୍ଡକ୍ଟର ଏବଂ ରାଜ୍ୟ ପରିବହନର (ଏସଟି) ୨୦୦ ଡ୍ରାଇଭର ଏହି ଧର୍ମଘଟରେ ଭାଗ ନେଇଛନ୍ତି। “ଏହା ରାଜ୍ୟ ପରିବହନ କର୍ମଚାରୀଙ୍କ ମୃତ୍ୟୁ[ଆତ୍ମହତ୍ୟା]କୁ ବିରୋଧ କରି ଆରମ୍ଭ ହୋଇଥିଲା। ମେହେନ୍ଦଲେ କୁହନ୍ତି, "ଗତ ବର୍ଷରେ ଅତି କମ୍ରେ ୩୧ ଜଣ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି।" ତାଙ୍କୁ ଭେଟିବାର ତିନି ଦିନ ମଧ୍ୟରେ ଆଉ ଦୁଇଜଣ ଶ୍ରମିକ ଆତ୍ମହତ୍ୟା କରି ମୃତ୍ୟୁବରଣ କଲେ। ବିଳମ୍ବରେ ଦରମା ମିଳୁଥିବା କାରଣରୁ ଏସଟି କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ କୋଭିଡ -୧୯ ଆରମ୍ଭ ହେବା ପରେ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା ଏବଂ ସାମଗ୍ରୀ ପରିବହନ ବ୍ୟତୀତ ନିଗମର ଅନ୍ୟ କୌଣସି ଆୟର ପନ୍ଥା ନଥିଲା।








