ଏଠାରେ ସରକାରୀ ଅଧିକାରୀଙ୍କୁ ଛାଡି ସବୁ ଲୋକଙ୍କ ନାମ ଉଦ୍ଧୃତ ହୋଇଛି। କାରଣ ସରକାରୀ ଅଧିକାରୀମାନେ ତାଙ୍କ ନାମ ଗୋପନ ରଖିବାକୁ ଚାହିଁଛନ୍ତି। ସେଥିପାଇଁ ତାଙ୍କ ଗାଁ ନାଁ ମଧ୍ୟ ଦର୍ଶାଯାଇ ନାହିଁ। ଦୁଇଟି ଭାଗବେ ପ୍ରକାଶ ପାଇଥିବା ଏହି କାହାଣୀର ଏହା ଦ୍ୱିତୀୟ ଭାଗ।
ଆମେ ଏକ ଟାକ୍ସିରେ ଯାଉଥିଲୁ। ଟାକ୍ସି ଚାଳକ ସୁନିଲ ସିଂ କହିଲେ, “ଏଠି କିଡା ଜଡି ଜୀବନ ବଦଳାଇଦେଇଛି।” ୨୩ ବର୍ଷୀୟ ସୁନିଲ ସିଂ ଦୁଇ ବର୍ଷ ହେବ ଏହି ଗାଡ଼ି ଚଳାଉଛନ୍ତି। ଆପପାଖ ଗାଁର ଲୋକଙ୍କୁ ନେଇ ସେ ଧାରୁଚୁଲା ଯାଆନ୍ତି। କେହି ସ୍କୁଲ, କେହି କଲେଜ, କେହି ମାର୍କେଟ ଆଉ କିଏ ଡାକ୍ତରଖାନା ଯାଆନ୍ତି। ଉତ୍ତରାଖଣ୍ଡର ପିଥୋରଗଡ଼ ଜିଲ୍ଲାରେ ଅବସ୍ଥିତି ଧାରୁଚୁଲା ବ୍ଳକ ଭାରତ-ନେପାଳ ସୀମାଠାରୁ ମାତ୍ର କେଇ ମିଟର ଦୂରରେ ଅବସ୍ଥିତ।
ସୁନିଲ ଏହି ବୋଲେରୋଟି ୩.୫ ଲକ୍ଷ ଟଙ୍କାରେ କିଣିଛନ୍ତି। କିଡ଼ା ଜଡ଼ି ବିକ୍ରୀ କରି ସେ କିଛି ପଇସା ରଖିଥିଲେ। ଆଉ କିଛି ବ୍ୟାଙ୍କ ଋଣ କରି ଗାଡ଼ି କିଣିଛନ୍ତି। ସେ ଆଠ ବର୍ଷ ବୟସରୁ ପରିବାର ଲୋକଙ୍କ ସହ ଏହି ଛତୁ ସଂଗ୍ରହ କରିବାକୁ ଯାଉଛନ୍ତି। ସେହି ଟଙ୍କାରେ ସେ ଋଣ ପରିଷେଧ କରୁଛନ୍ତି।
ତିବ୍ବତୀୟ ପର୍ବତର ପ୍ରାୟ ୩,୫୦୦ ରୁ ୫,୦୦୦ ମିଟର ଉପରେ ଥିବା ଏକ ସମତଳ ଘାସୁଆ ଅଞ୍ଚଳରେ ଏହି କ୍ୟାଟରପିଲାର ଛତୁ ବା କିଡା ଜଡି ଉତ୍ପନ୍ନ ହୋଇଥାଏ। ଏହାର କାମୋଦ୍ଦୀପକ ଗୁଣ ଯୋଗୁଁ ଏହା ହିମାଲୟନ ଭାଏଗ୍ରା ଭାବେ ବେଶ ଜଣାଶୁଣା। ଚୀନ୍ରେ ମଧ୍ୟ ଏଥିରୁ ପାରମ୍ପରିକ ଔଷଦ ପ୍ରସ୍ତୁତ ହୋଇଥାଏ। ସେଠାରେ ଏହି ଛତୁକୁ ୟର୍ସଗୁମ୍ବ କୁହନ୍ତି। ଭଲ ମାନର ଛତୁ ହୋଇଥିଲେ ବେଳେବେଳେ କିଲୋପ୍ରତି ୧୨ ଲକ୍ଷ ଟଙ୍କାରେ ବେଆଇନ ସୀମାପାର ବିକ୍ରୀ ହୋଇଥାଏ। ସଂଗୃହିତ ହେଉଥିବା ଅଧିକାଂଶ ଛତୁ ପ୍ରାୟ ଉତ୍ତରାଖଣ୍ଡରେ ବିକ୍ରୀ କରାଯାଏ। ଏସବୁ ନେପାଳ ଏବଂ ଚୀନ୍କୁ ଚୋରା ଚାଲାଣ ହୁଏ।
ଉତ୍ତରାଖଣ୍ଡର ସୀମାନ୍ତରେ ଥିବା ଉଚ୍ଚ ପାର୍ବତ୍ୟାଞ୍ଚଳ ଜିଲ୍ଲା ପିଥୋରଗଡ଼ ଏବଂ ଚାମୋଲିରେ ଏହି ଛତୁ ଦେଖିବାକୁ ମିଳେ। ମେ ମାସ ଆରମ୍ଭରୁ ମୌସୁମୀ ଆସିବା ପର୍ଯ୍ୟନ୍ତ ଅର୍ଥାତ ଜୁନ୍ ମଧ୍ୟଭାଗ କିମ୍ବା ଶେଷ ପର୍ଯ୍ୟନ୍ତ ଏହି ଛତୁ ଫୁଟିଥାଏ। ଏହି ସମୟରେ ପର୍ବତ ଉପରେ ଥିବା ସମତଳ ଅଞ୍ଚଳରେ ପୂରା ପରିବାର ତମ୍ବୁଟାଣି ରହନ୍ତି ଏବଂ ଛତୁ ସଂଗ୍ରହ ପାଇଁ କଠିନ ପରିଶ୍ରମ କରନ୍ତି। (ଦେଖନ୍ତୁ ଗୋଟିଏ କବକ ପିଥୋରଗଡ଼ରେ ପରିବାର ଚଳେଇବା ପାଇଁ ଅର୍ଥ ଯୋଗାଉଛି)







