ପଶ୍ଚିମ ଓଡ଼ିଶାର ନିୟମଗିରିର ଘନ ଜଙ୍ଗଲରେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଗୋଟିଏ ପାହାଡ଼ ଖନନ ହେବା ଉଚିତ୍ କି ନାହିଁ ତାହା ମେ ୨୦୧୪ରେ କେଉଁ ଦଳ କ୍ଷମତାକୁ ଆସିବ, ଭାରତକୁ କିଏ ଶାସନ କରିବ ତା’ଠାରୁ ଅଧିକ ପ୍ରାସଙ୍ଗିକ ପ୍ରଶ୍ନ ।
ଗତବର୍ଷ ଜୁଲାଇ ଓ ଅଗଷ୍ଟ ମାସର ମୌସୁମୀ ଦିନମାନଙ୍କରେ ସୁପ୍ରିମକୋର୍ଟ ଦ୍ୱାରା ଅନିବାର୍ଯ୍ୟ କରାଯାଇଥିବା ୧୨ଟି ଗ୍ରାମସଭାରେ ଏଠାକାର ଗୌଡ଼ ଓ କନ୍ଧ ସଂପ୍ରଦାୟର ଆଦିବାସୀମାନେ ସର୍ବସହମତିରେ ବକ୍ସାଇଟ୍ ଉତ୍ତୋଳନ ପାଇଁ ପାହାଡ଼ ଖୋଳାର ଯୋଜନାକୁ ମନା କରିଦେଲେ । ୭ବର୍ଗ କିମିର ଏହି ଖଣି ଲାଞ୍ଜିଗଡ଼ ସହରରେ ଥିବା ଏକ ରିଫାଇନାରିକୁ ୭୨ ନିୟୁତ ଟନ୍ କଞ୍ଚାମାଲ ଦେବାର ଥିଲା । ସେହି ରିଫାଇନାରିକୁ ୨୦୦୭ରେ ବେଦାନ୍ତ ଆଲୁମିନିୟମ୍ ଲିମିଟେଡ୍ ପକ୍ଷରୁ ଆରମ୍ଭ କରାଯାଇଥିଲା ଯାହାକି ଆଲୁମିନିୟମ୍ ଉତ୍ପାଦନକୁ ବାର୍ଷିକ ୧ରୁ ୬ ନିୟୁତ ଟନ୍କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି । ନିୟମଗିରି ଖନନ ଏବଂ ତା’ ପରେ ସେଠାକାର ୬୦ କିମି ପରିଧି ମଧ୍ୟରେ ଥିବା ଅନ୍ୟ ବକ୍ସାଇଟ୍ ପୂର୍ଣ୍ଣ ପାହାଡ଼କୁ ଖନନ କରିବାକୁ ତାର ଯୋଜନା ରହିଛି ।
ନିକଟରେ ଏକ ସକାଳରେ ଲିରୁପାରେ ଯେଉଁଠାରେ ଗ୍ରାମସଭା ନିୟମଗିରି ଖନନକୁ ମନା କରିଦେଇଛି ସେଠାରେ ନିର୍ବାଚନର କୌଣସି ସଙ୍କେତ ନାହିଁ । ନିର୍ବାଚନକୁ ଭାରତରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା କୁହାଯାଉଥିବା ବେଳେ ତାହା ମାତ୍ର କିଛି ଦିନ ବାକି ରହିଛି। ସେଠାରେ ଲାଲ-ଧୂସର ରଙ୍ଗର ମାଟି ଘରର କାନ୍ଥରେ କୌଣସି ପ୍ରାର୍ଥୀଙ୍କର ପୋଷ୍ଟର ଛପାଯାଇନାହିଁ ଏବଂ କୌଣସି ଟିଭି ଚ୍ୟାନେଲରେ ପ୍ରତି ରାତିରେ ପ୍ରାଇମଟାଇମ୍ ବିତର୍କ ପ୍ରଦର୍ଶିତ ହେଉନାହିଁ । ଏହି ଗାଁରେ ବିଜୁଳି, ପାନୀୟ ଜଳ କିମ୍ବା ପକ୍କା ରୋଡର ବ୍ୟବସ୍ଥା ନାହିଁ ।
ଲିରୂପାର ବାସିନ୍ଦା ପାର୍ବତୀ ଗୌଡ଼ ପାଚି ତଳେ ପଡ଼ିଯାଇଥିବା ବାସ୍ନାଯୁକ୍ତ ମହୁଆ ଫଳକୁ ଅମଳ କରିବାରୁ ଟିକେ ବିରତି ନେଇ କହିଲେ ଯେ ତାଙ୍କର ସଂସଦୀୟ ମଣ୍ଡଳରୁ ପ୍ରାର୍ଥୀ ହୋଇଥିବା ୧୫ ଜଣ ପ୍ରାର୍ଥୀଙ୍କ ସଂପର୍କରେ ସେ କିଛି ଜାଣନ୍ତି ନାହିଁ । ତାଙ୍କର ସଂସଦୀୟ ମଣ୍ଡଳରେ ବିସ୍ତୀର୍ଣ୍ଣ ପାହାଡ଼, ଜଙ୍ଗଲ, ୪୦୦୦ରୁ ଅଧିକ ଗାଁ ଓ ଛୋଟ ଗାଁ ରହିଛି ଯାହାକି କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ପରିବ୍ୟାପ୍ତ ।
ସେ କହିଲେ, “ମୁଁ ଏହା କହିବାକୁ ଚାହିଁବି ଯେ ବେଦାନ୍ତ ଆମର ପାହାଡ଼କୁ ଆମଠାରୁ ନେଇଯିବାକୁ ଆମେ ଚାହୁଁନାହୁଁ।’’ ଗୌଡ଼ଙ୍କ ପରିବାର ପାହାଡ଼ିଆ ଜମିରେ କପା, ସୂର୍ଯ୍ୟମୁଖୀ, ଚାଉଳ ଏବଂ ପନିପରିବା ପରି ଫସଲ ଲଗାଇଛନ୍ତି । ଅନ୍ୟ କୌଣସି ଜଳର ଉତ୍ସ ନଥିବା ବେଳେ ଚିରସ୍ରୋତା ଝରଣାଗୁଡ଼ିକ ସେମାନଙ୍କର ଫସଲକୁ ଜଳସେଚିତ କରିଥାନ୍ତି। ଜଙ୍ଗଲଜାତ ଦ୍ରବ୍ୟରୁ ଖାଦ୍ୟ ଓ ରୋଜଗାର ହୋଇଥାଏ । ସେହିପରି ସେମାନଙ୍କର ଧାର୍ମିକ ବିଶ୍ୱାସ ଏବଂ ପରମ୍ପରା ପ୍ରକୃତି ଉପରେ ଆଧାରିତ । ପରିବେଶ ଉପରେ ସେମାନେ ଖୁବ୍ ନିର୍ଭରଶୀଳ ।
ଫୁଲଡୁମେରରେ ପାହାଡ଼ ଉପରେ ରହୁଥିବା ଡୋଙ୍ଗରିଆ କନ୍ଧ ସମ୍ପ୍ରଦାୟର ମିତଭାଷୀ ଲୋକମାନେ ନିର୍ବାଚନୀ ଉଦାସୀନତା ଏବଂ ବେଦାନ୍ତ, ବିବାଦ ସମ୍ପର୍କରେ ପ୍ରଶ୍ନ କଲେ । ଡାହାଣ କାନ୍ଧରେ କୁରାଢୀ ଝୁଲାଇଥିବା ଜଣେ ଲୋକ କୁଇ ଭାଷାରେ ପ୍ରଶ୍ନ କଲେ, “ଜଣେ କାହାକୁ ଭୋଟ ଦେବା କଥା-ହାତ ନା ଶଙ୍ଖ ନା ହାତୀ (ଯଥାକ୍ରମେ କଂଗ୍ରେସ, ବିଜୁ ଜନତା ଦଳ ଏବଂ ବହୁଜନ ସମାଜ ପାର୍ଟିର ନିର୍ବାଚନୀ ପ୍ରତୀକ)?’’ ସେ ପ୍ରଶ୍ନ ପଚାରୁଥିବା ସମୟରେ ପ୍ରାର୍ଥନା ପାଇଁ ଗାଁରେ ବାଜୁଥିବା ଘଣ୍ଟା ଧ୍ୱନି ଶୂନ୍ୟରେ ପ୍ରତିଧ୍ୱନିତ ହେଲା । “କିଏ ବେଦାନ୍ତକୁ ବିରୋଧ କରୁଛି?’’ କୌଣସି ପ୍ରାର୍ଥୀ ଭୋଟଭିକ୍ଷା କରିବା ଲାଗି ଏବେଯାଏଁ ଏଠାକୁ ଆସିନାହାନ୍ତି । ଏହି ଗାଁକୁ କଚ୍ଚା ରାସ୍ତା ସଂଯୋଗ କରୁଥିବା ବେଳେ ସିଏସଆର କାର୍ଯ୍ୟକ୍ରମ ଅନୁସାରେ ବେଦାନ୍ତ ପକ୍ଷରୁ ତିଆରି କରାଯାଇଥିବା ୩ଟି ବିଲ୍ଡିଂ ଭଗ୍ନ ଓ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ସ୍ଥାନୀୟ ଲୋକମାନେ ଉତ୍ତ୍ୟକ୍ତ ହୋଇ ତାକୁ କୁରାଢୀରେ ଭାଙ୍ଗି ଦେଇଛନ୍ତି ।
ପାହାଡ଼ ତଳେ ଲାଞ୍ଜିଗଡ଼ରେ ସମୟ ସମୟରେ ନିର୍ବାଚନ ପ୍ରଚାର କରୁଥିବା ଜିପ୍କୁ ଦେଖିବାକୁ ମିଳୁଛି । ସେଥିରେ ଲାଉଡସ୍ପିକର ଖଞ୍ଜା ଯାଇଥିବା ବେଳେ ଗୀତ ବାଜିଥାଏ ଯାହାକି ପ୍ରାର୍ଥୀଙ୍କ ଅପେକ୍ଷା ଦଳକୁ ଅଧିକ ଗୁରୁତ୍ୱ ଦେଇଥାଏ। ଗ୍ରାମୀଣ ଲୋକଙ୍କ ମଧ୍ୟରେ ମୌଳିକ ଶିକ୍ଷାର ଅଭାବ ଥିବାରୁ ଏପରି କରାଯାଇଥାଏ । ସିଆରପିଏଫ୍ ବାରାକ ଅପର ପାର୍ଶ୍ୱରେ ଥିବା ଲାଞ୍ଜିଗଡ଼ ପୋଲିସ ଷ୍ଟେସନରେ ଥକି ଯାଇଥିବା ପୋଲିସ କର୍ମୀମାନେ ସେହି ଅଞ୍ଚଳରେ ନିର୍ବାଚନ ହେବାକୁ ଥିବା ସ୍ଥାନଗୁଡ଼ିକର ଚାର୍ଟକୁ ଦେଖାଇବାକୁ ଟିଭି ନ୍ୟୁଜ୍ ଦେଖିବାରୁ ବିରତି ନେଲେ। ସେଗୁଡ଼ିକୁ ହାଇଲି ସେନସିଟିଭ୍ (ଅଧିକ ଉତ୍ତେଜନାପ୍ରବଣ) କିମ୍ବା ନକ୍ସଲ ପ୍ରଭାବିତ ଭାବେ ଦର୍ଶାଯାଇଥିଲା । କଳାହାଣ୍ଡି ଜିଲ୍ଲାର ୨୪ଟି ଦୁର୍ଗମ ବୁଥ୍ ମଧ୍ୟରୁ ୨୨ଟି ଲାଞ୍ଜିଗଡ଼ରେ ରହିଛି ।




