ତାମିଲନାଡୁ କୋଟଗିରି ପଞ୍ଚାୟତର ବେଲାରିକୋମ୍ବାଇ ଗାଁର ଆର.କ୍ରିଷ୍ଣା ଏକ ପ୍ରକାର ଜଣେ ସେଲିବ୍ରିଟି। ପାରମ୍ପରିକ କୁରୁମ୍ବ ପେଣ୍ଟିଂ କୌଶଳରେ ଦକ୍ଷତା ପାଇଁ ସ୍ଥାନୀୟ ଅଞ୍ଚଳରେ ତାଙ୍କର ବେଶ ଖ୍ୟାତି। ଏହା ଜ୍ୟାମିତିକ, ସାଦାସିଧା ଶୈଳୀ। ଫସଲ ଅମଳର ବିଭିନ୍ନ ଉତ୍ସବ, ଧାର୍ମିକ ପରମ୍ପରା, ମହୁ ସଂଗ୍ରହ ଅଭିଯାନ ଏବଂ ନୀଳଗିରି ଆଦିବାସୀମାନଙ୍କର ଅନ୍ୟାନ୍ୟ କାର୍ଯ୍ୟ ତାଙ୍କ ପେଣ୍ଟିଂର ବିଷୟବସ୍ତୁ।
ଆମେ ତାଙ୍କୁ ଘଞ୍ଚ ଜଙ୍ଗଲ ଭିତରେ ଭେଟିଥିଲୁ। ସବୁଜ ଚା କ୍ଷେତ ଓ ଫଳ ଭର୍ତ୍ତି ପଣସ ବଗିଚା ଡେଇଁ ପାହାଡ଼ ଉପରକୁ ଦୁଇ ଘଣ୍ଟାର ଯାତ୍ରା ପରେ ତାଙ୍କ ପାଖରେ ପହଞ୍ଚିଥିଲୁ। ଅଗମ୍ୟ ପାହାଡ଼ର ଅଙ୍କାବଙ୍କା ଅଣଓସାରିଆ ରାସ୍ତାରେ ଚାଲୁଚାଲୁ ମୁଁ ଓ ମୋର ଦୁଇ ସହଯୋଗୀ ହଠାତ ସୂର୍ଯ୍ୟାଲୋକ ପଡ଼ିଥିବା ଏକ ସମତଳ ଜାଗାରେ ପହଞ୍ଚିଥିଲୁ। ସେଇଠୁ କ୍ରିଷ୍ଣାଙ୍କ ଘରକୁ ବାଟ ଫିଟିଥିଲା।
ଆମେ ଅନୌପରିକ ଭାବେ ପହଞ୍ଚିବାରେ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିବା ଜାଣି ବେଶ ଖୁସି ହୋଇ ବସି ପଡ଼ିଲେ ଆଉ ତାଙ୍କ କୃତିର ପେଡ଼ି ଖୋଲିଲେ। ହଳଦୀ ରଙ୍ଗର ଅଖା ବ୍ୟାଗ୍ ଭିତରେ ଏକ କମଳା ରଙ୍ଗର ପ୍ଲାଷ୍ଟିକ ଆକର୍ଡିଅନ୍ ଫୋଲଡର। ଏଥିରେ ରହିଛି ଅନେକ ଖବରକାଗଜ କ୍ଲିପିଂ, ଫଟୋଗ୍ରାଫ୍, ଏବଂ ତାଙ୍କ କାମର କିଛି ନମୂନା। ସେ ଯୁଆଡେ ଯାଆନ୍ତି ଏହାକୁ ସାଙ୍ଗରେ ନେଇ ଯାଆନ୍ତି। ସମ୍ଭବତଃ କାଳେ ଏଭଳି କିଛି ପ୍ରଶ୍ନର ସାମ୍ନା କରିବାକୁ ପଡିପାରେ ଭାବି।








