ଜୁନ ୨୨ ତାରିଖ ଅପରାହ୍ଣ ୨ଟା ସମୟରେ ଦିଲିପ ୱାଘ କାମ ପାଇଁ ଘରୁ ବାହାରିବା ବେଳେ ସବୁଦିନ ପରି ପତ୍ନୀ ମଙ୍ଗଲ ଓ ଝିଅ ରୋଶନୀଙ୍କୁ ହାତ ହଲାଇ ବିଦାୟ ନେଇଥିଲେ। ଏହାର ଦୁଇ ଦିନ ପରେ ସେ ଯେତେବେଳେ ଉଭୟଙ୍କୁ ଦେଖିଲେ, ଦୁହିଁଙ୍କ ମୃତଦେହ ସ୍ଥାନୀୟ ଡାକ୍ତରଖାନାରେ ଧଳା କପଡ଼ାରେ ଗୁଡ଼ା ହୋଇଥିଲା।
ମହାରାଷ୍ଟ୍ରର ପାଲଘର ଜିଲ୍ଲା ଅନ୍ତର୍ଗତ ଉପାନ୍ତ ଆଦିବାସୀ ପଡ଼ା କାଦବ୍ୟଛିମାଲିରେ ଥିବା ଅଳ୍ପ ଆଲୋକିତ କୁଡ଼ିଆରେ ବସିଥିବା ସମୟରେ ସେ କହିଥିଲେ, “ସେଦିନ ସନ୍ଧ୍ୟାରେ ମୁଁ ଯେବେ ଫେରିଲି, ସେମାନଙ୍କୁ ପାଇଲି ନାହିଁ।”
ସେମାନେ କେଉଁଆଡ଼େ ନିଖୋଜ ହୋଇଯାଇଥିବା ଭାବି ଦିଲିପ ନିଜର ୩୦ ବର୍ଷୀୟା ପତ୍ନୀ ମଙ୍ଗଲ ଓ ତିନି ବର୍ଷର ଝିଅ ରୋଶନୀକୁ ଗାଁ ଆଖପାଖରେ ଖୋଜିବାକୁ ଲାଗିଲେ। ସେ ନିଜର ବଡ଼ ଝିଅ ନନ୍ଦିନୀ (୭)ଙ୍କୁ ପଚାରିଲେ। “କିନ୍ତୁ ସେ କିଛି ଜାଣିନଥିଲେ”, ଦିଲିପ (୩୫) କୁହନ୍ତି। “ସେଦିନ ରାତିରେ ସେମାନେ ନଫେରିବାରୁ, ମୁଁ ଭାରି ବ୍ୟସ୍ତ ହୋଇପଡ଼ିଲି”।
ପରଦିନ ସକାଳେ ନିଜ ପଡ଼ା ବାହାରେ ମଧ୍ୟ ଦିଲିପ ବ୍ୟାକୁଳ ହୋଇ ସେମାନଙ୍କୁ ଖୋଜିବା ଆରମ୍ଭ କଲେ। ପାଦରେ ଚାଲି ଚାଲି ସେ ଆଖପାଖ ପଡ଼ାରେ ଖୋଜିଲେ-କିନ୍ତୁ ସେମାନଙ୍କୁ ପାଇଲେ ନାହିଁ। “ଅପରାହ୍ଣରେ, ମୁଁ ପଡ଼ୋଶୀ ଗ୍ରାମରେ ରହୁଥିବା ମଙ୍ଗଲଙ୍କ ଖୁଡ଼ିଙ୍କୁ ଭେଟିଲି, ସେ କିଛି ଜାଣିଛନ୍ତି କି’ ବୋଲି ପଚାରିଲି। କିନ୍ତୁ ସେ କିଛି ଜାଣିନଥିଲେ,” ନିଜ ଘରର ଓଦା କାନ୍ଥ ପାଖରେ ଥୁଆ ହୋଇଥିବା ଖାଲି ମାଠିଆ ପାଖରେ ବସିଥିବା ଦିଲିପ କହିଥିଲେ।
କାତକରୀ ସମୁଦାୟର ଦିଲିପ ସେଦିନ ରାତିରେ ଘରକୁ ଫେରିଥିଲେ-କିନ୍ତୁ ମଙ୍ଗଲ ଓ ରୋଶନୀଙ୍କର କିଛି ସନ୍ଧାନ ମିଳିନଥିଲା। କେବଳ ନନ୍ଦିନୀ ସେଠାରେ ଥିଲେ। ପରଦିନ ସକାଳେ, ଜୁନ ୨୪ ତାରିଖରେ, ସେ ନୂଆ ଆଶା ନେଇ ଖୋଜିବା ଜାରି ରଖିଲେ। ସେ ଭାବୁଥିଲେ କେଉଁଠି ହେଲେ ସେମାନଙ୍କୁ ପାଇଯିବେ। କିନ୍ତୁ ଅପରାହ୍ଣ ସୁଦ୍ଧା ସେ କାହାରିକୁ ପାଇଲେ ନାହିଁ। ସେମାନଙ୍କ ବିଷୟରେ ତାଙ୍କୁ ଆଶାନୁରୂପ କୌଣସି ସୂଚନା ମିଳିଲା ନାହିଁ।
କାଦବ୍ୟାଛିମାଲି ଠାରୁ ଚାରି କିମି ଦୂର ଜୌହର ତାଲୁକା ଅନ୍ତର୍ଗତ ଦେହାରେ ରାଜସ୍ୱ ଗାଁରେ ଜଣେ ମହିଳା ଓ ଅନ୍ୟ ଜଣେ ଝିଅ ଜଙ୍ଗଲରେ ମରି ପଡ଼ିଥିବାର ଖବର ମିଳିଲା। ସେମାନଙ୍କ ଫଟୋ ହ୍ୱାଟ୍ସଆପରେ ଘୂରି ବୁଲୁଥିଲା। ଗାଁ ବାହାରେ ଦିଲିପ ଜଣେ ବାଳକକୁ ଭେଟିଲେ ଯାହାଙ୍କ ଫୋନରେ ଉକ୍ତ ଫଟୋଗୁଡ଼ିକ ଥିଲା। “ଯେତେବେଳେ ସେ ମୋତେ ସେହି ଫଟୋଗୁଡ଼ିକୁ ଦେଖାଇଲେ, ମୁଁ କହିଲି ସେ ମୋ ସ୍ତ୍ରୀ ଓ ଝିଅ,” ଦିଲିପ ମନେ ପକାଇ କହିଥିଲେ।








