ଏସବୁକୁ ଖୁବ ସହଜରେ କରିପାରୁଥିବା ୭୦ ବର୍ଷିୟା ଗୁଜ୍ଜରୀ ମହାନ୍ତି କହିଲେ, ‘ ଏହା ଖୁବ୍ ସୂକ୍ଷ୍ମ ଭାବରେ ହୋଇଛି କିନ୍ତୁ କଷ୍ଟସାଧ୍ୟ ନୁହେଁ। ’ ପାନ ବରଜ ଉପରେ ବାରମ୍ବାର ପାଣି ମଡାଇବା ଦରକାର ହୁଏ କିନ୍ତୁ ଖୁବ୍ ଅଳ୍ପଅଳ୍ପ। ଜଣେ ପଡୋଶୀ କହିଲେ, ‘ଏକ ନିର୍ଦ୍ଦିଷ୍ଟ ସମୟରେ ପ୍ରତିଦିନ ଧ୍ୟାନ ଦେବାକୁ ପଡ଼ିଥାଏ। କିନ୍ତୁ ଏପରିକି ଜଣେ ବୟସ୍କ ବ୍ୟକ୍ତି ମଧ୍ୟ ସପ୍ତାହରେ ଅନେକ କିଛି ପାରିବ।’ ତେବେ କିଛି କଷ୍ଟାସାଧ୍ୟ କାମ ମଧ୍ୟ ରହିଛି। ଏଥିପାଇଁ ଦୈନିକ ମଜୁରୀ ୨୦୦ ଟଙ୍କାର ଦୁଇଗୁଣ ଦିଆଯାଇଥାଏ। ସରକାରୀ ହିସାବ ଅନୁସାରେ ପୋସ୍କୋ ପ୍ରକଳ୍ପ ଅଞ୍ଚଳରେ ୧,୮୦୦ ପାନ ବରଜ ରହିଛି। କିନ୍ତୁ ଚାଷୀ କୁହନ୍ତି ଏହି ସଂଖ୍ୟା ୨,୫୦୦। ୫୨ ହଜାର କୋଟି ଟଙ୍କାର ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ପାଇଁ ଏହି ଜମି ଚାଲିଗଲେ ପାନବରଜ ଗୁଡିକ ନଷ୍ଟ ହୋଇଯିବ। ସରକାର କହୁଛନ୍ତି ପାନ ବରଜଗୁଡ଼ିକ ଜଂଗଲ ଜମି ଉପରେ ହୋଇଛି। କିନ୍ତୁ ୮୦ ବର୍ଷରୁ ଅଧିକ ସମୟ ଧରି ଦଖଲରେ ରଖିଥିବା ଗ୍ରାମବାସୀମାନେ ଏହି ଜମି ଉପରେ ନିଜର ଅଧିକାର ସାବ୍ୟସ୍ତ କରନ୍ତି। ୨୦୦୬ ଜଂଗଲ ଅଧିକାର ଆଇନ୍ ଅଧିନରେ ଏହା ତାଙ୍କୁ ସ୍ୱୀକୃତି ଦେଉଛି।
ବହୁ ସଂଖ୍ୟାରେ ପାନ ବରଜ ଥିବା ଗୋବିନ୍ଦପୁର ଏବଂ ଢିଙ୍କିଆର ପାନଚାଷୀମାନେ ଜମି ଅଧିଗ୍ରହଣକୁ ବିରୋଧ କରୁଛନ୍ତି। ପାନ ପତ୍ରଗୁଡ଼ିକୁ କଡା (୫୦ଟିକିଆ ଥାକ) କଲାବେଳେ ଗୁଜ୍ଜରୀ ମହାନ୍ତି ଏବଂ ସନାତନ ମହାନ୍ତି କହିଲେ , ‘କିଏ ନିଯୁକ୍ତି ଚାହୁଁଛି ? ଏଠି କେବଳ ଶ୍ରମିକ ଆବଶ୍ୟକ। ସବୁଠୁ ଉଚ୍ଚ ଦୈନିକ ମଜୁରୀ ଆମେ ଦେଉଛୁ। ’ ଏହି ଛୋଟିଆ ଜାଗାରୁ ଗୋଟିଏ ବର୍ଷରେ ସେମାନେ ପ୍ରାୟ ୭ଲକ୍ଷରୁ ୮ଲକ୍ଷ ପାନପତ୍ର ଅମଳ କରିଥାନ୍ତି। ବେଳେବେଳେ ଏହା ୧୦ ଲକ୍ଷ ପର୍ଯ୍ୟନ୍ତ ହୋଇଥାଏ। ୨୦୦ ପାନ ବରଜ ଭିତରୁ କେତେକ ଏହାଠାରୁ ବଡ। ପ୍ରଚୁର ପାନପତ୍ର ଅମଳ ହୋଇଥାଏ ଏବଂ ଏସବୁ ଓଡ଼ିଶା ବାହାରକୁ ରପ୍ତାନୀ ହୋଇଥାଏ।
ରାଜ୍ୟରେ ହଜାର ହଜାର ସଂଖ୍ୟାରେ ପାନ ବରଜରୁ କିଛି କମ୍ ରପ୍ତାନୀ ହେଉନି। ଏକଦା ଏସବୁ ବନାରସ ଯାଉଥିଲା। ଏବେ ମୁମ୍ବାଇ, ଢାକା ଏବଂ କରାଚିକୁ ମଧ୍ୟ ରପ୍ତାନୀ ହେଉଛି। ରାଜ୍ୟର ସଦ୍ୟତମ ଅର୍ଥନୈତିକ ସର୍ବେକ୍ଷଣ ଅନୁସାରେ ରାଜ୍ୟର ମୋଟ ରପ୍ତାନୀର ୦.୦୧ ପ୍ରତିଶତ ହେଉଛି କୃଷି ଏବଂ ବନଜାତ ସାମଗ୍ରୀ। (ମୋଟ ରପ୍ତାନୀର ୮୦ ପ୍ରତିଶତରୁ ଅଧିକ ହେଉଛି ଖଣିଜ ଏବଂ ଧାତବ ଦ୍ରବ୍ୟ ) ଏହା ଏକ ବିଚିତ୍ର କଥା ଯେ, ‘ଓଡ଼ିଶା’ ହେଉଛି କୃଷକଙ୍କ ରାଜ୍ୟ। ଏହି ରାଜ୍ୟର ୬୦ ପ୍ରତିଶତରୁ ଅଧିକ ଲୋକ କୃଷି ଉପରେ ନିର୍ଭର କରୁଥିବାବେଳେ GSDPରେ କୃଷିର ଅଂଶ ୧୮ ପ୍ରତିଶତକୁ ଖସି ଆସିଛି। ଓଡ଼ିଶାର ସାମୁଦ୍ରିକ ମତ୍ସ୍ୟ ରପ୍ତାନୀ କ୍ଷେତ୍ରରେ ରାଜ୍ୟର ଅନ୍ୟ ଉପକୂଳ ଭଳି ଏଠାରେ ରହୁଥିବା ମତ୍ସଜୀବୀମାନଙ୍କର ମଧ୍ୟ ଅବଦାନ ରହିଛି। କିନ୍ତୁ ପାରାଦୀପ ବନ୍ଦର ଦ୍ୱାରା ଏହା ବାଧାପ୍ରାପ୍ତ ହୋଇଛି। ପୋସ୍କୋର ଜଟାଧାରୀ ବନ୍ଦର ପ୍ରକଳ୍ପ ଏହାକୁ ସଂପୂର୍ଣ୍ଣ କବର ଦେଇ ଦେବ।
ପାନ ଚାଷୀ ରଞ୍ଜନ ସ୍ୱାଇଁ କହିଲେ, ‘ବର୍ଷର ପ୍ରଥମ ତିନିଟି ତ୍ରୈମାସରେ ଆମେ ୨ଲକ୍ଷ ଲେଖାଏଁ ପତ୍ର ପାଇଥାଉ। ଶେଷ ତ୍ରୈମାସରେ ପ୍ରାୟ ୧.୨ ଲକ୍ଷ ପତ୍ର ମିଳିଥାଏ। ଶୀତ ତିନି ମାସରେ ଉତ୍ପାଦନ କମ୍ ହୋଇଥାଏ, କିନ୍ତୁ ଭଲ ମାନର ପତ୍ର ଉତ୍ପାଦନ ହୁଏ ଏବଂ ଏହି ସମୟରେ ଏହାର ରେଟ୍ ପ୍ରାୟ ଦୁଇଗୁଣ ହୋଇଥାଏ। ’
ଓଡ଼ିଶା ଗ୍ରାମ ସ୍ୱରାଜ ଅଭିଯାନର ଜଗଦୀଶ ପ୍ରଧାନ କହିଲେ, ‘ପ୍ରଥମ ୬ ଲକ୍ଷ ପତ୍ର ପାଇଁ ସେମାନେ ହଜାର ପିଛା ୪୫୦ ଟଙ୍କା ହାରରେ ବିକ୍ରି କରିଥାନ୍ତି। ଏଥିରୁ ସେମାନେ ପ୍ରାୟ ୨.୭ ଲକ୍ଷ ଟଙ୍କା ପାଇଥାନ୍ତି। ବାକି ଶୀତ ଋତୁରେ ମିଳୁଥିବା ୧.୨ ଲକ୍ଷ ପତ୍ରକୁ ସେମାନେ ଗୋଟିକ ପିଛା ଟଙ୍କାକରେ ବିକିଥାନ୍ତି। ସବୁ ମିଶି ସେମାନେ ୩.୯ ଲକ୍ଷ ଟଙ୍କା ପାଇଥାନ୍ତି ।’
ପ୍ରଧାନଙ୍କ ହିସାବ ଅନୁସାରେ ୪,୦୦୦ ରୁ ୫,୦୦୦ ବର୍ଗଫୁଟ ଜାଗାରେ ୫୪୦ଟି ଶ୍ରମ ଦିବସ ଏବଂ ଦେଢ ଲକ୍ଷ ଟଙ୍କାର ମଜୁରୀ ବିପକ୍ଷରେ ଏହି ଆୟ ହୋଇଥାଏ। ଏଠାରେ ଦୈନିକ ମଜୁରୀ ୨୦୦ ଟଙ୍କା। ଯାହା ଭୁବନେଶ୍ୱରରେ ନିର୍ମାଣ କାର୍ଯ୍ୟ କରୁଥିବା ଜଣେ ଶ୍ରମିକର ମଜୁରୀଠାରୁ ଅଧିକ। କିନ୍ତୁ ପାନ ଲତାକୁ ଟେକିଧରି ବାନ୍ଧିବା ଭଳି କୁଶଳୀ ଶ୍ରମ ପାଇଁ ଦୈନିକ ମଜୁରୀ ୫୦୦ ଟଙ୍କା ହୋଇଥାଏ। ଯେଉଁମାନେ ଖତ ଦିଅନ୍ତି, ତାଙ୍କ ମଜୁରୀ ୪୦୦ ଟଙ୍କା। ଯେଉଁମାନେ ମାଟି ପକାନ୍ତି ଏବଂ ବାଡ ବୁଜନ୍ତି ସେମାନଙ୍କ ଦୈନିକ ମଜୁରୀ ୩୫୦ ଟଙ୍କା। ତେବେ ଏହି ସବୁ କାମ ବର୍ଷରେ ଖୁବ କମ୍ ଦିନ ହୋଇଥାଏ। ଏହାର ଅର୍ଥ ହେଉଛି, ଏଠାରେ ଥିବା ଭୂମିହୀନମାନେ ବି ପୋସ୍କୋ ପ୍ରକଳ୍ପ ପାଇଁ ଅନାଗ୍ରହୀ।
ହାରାହାରି ଦେଖିବାକୁ ଗଲେ ରାଜ୍ୟର ଏମଏନଆରଇଜିଏସ୍ ର ଦୈନିକ ମଜୁରୀ ୧୨୫ ଟଙ୍କାର ଏହା ପ୍ରାୟ ଦୁଇ ଗୁଣ। ଏହା ସହ ରହିଛି ଗୋଟିଏ ବକ୍ତର ଭଲ ଖାଦ୍ୟ। ଏହା ବାଦ ରହିଛି ଜୈବିକ ଖତ (ତେଲ ପିଡିଆ), କାଠ ଖୁଣ୍ଟ, ବାଉଁଶ, ଦଉଡି ଏବଂ ପମ୍ପ ସେଟ୍ର ରକ୍ଷଣାବେକ୍ଷଣ। ଏହା ଆଉ ୫୦,୦୦୦ ଟଙ୍କାର ଅତିରିକ୍ତ ଖର୍ଚ୍ଚ। ପ୍ରଧାନ କହିଲେ, ‘ପାନ ବିକ୍ରି ପାଇଁ କୌଣସି ପରିବହନ ଖର୍ଚ୍ଚ ଲାଗେ ନାହିଁ। ଘର ପାଖରୁ ଗାଡିରେ ଆସି ବେପାରୀ ନେଇ ଯାଆନ୍ତି। ଆଉ କିଛି ଖର୍ଚ୍ଚ ଥାଏ କିନ୍ତୁ ତାହା ନଗଣ୍ୟ। (ଭାରତୀୟ କୃଷକ ପରିବାର ଲୋକଙ୍କ ଶ୍ରମକୁ ହିସାବକୁ ନିଏ ନାହିଁ) ମୋଟ ଉପରେ ଦେଢ ଲକ୍ଷରୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ପରେ ଦେଢ ଲକ୍ଷରୁ ୨ ଲକ୍ଷ ଟଙ୍କା ଲାଭ ହୋଇଥାଏ। କିଛି ଲୋକଙ୍କର ଏକାଧିକ ପାନ ବରଜ ରହିଛି ।’ ସନାତନଙ୍କର ୪ଟି ପାନ ବରଜ ରହିଛି। ୧୯୯୯ ମହାବାତ୍ୟାର କ୍ଷୟକ୍ଷତି ପରେ ମଧ୍ୟ ଅନେକ ଲୋକ ବିନା ବ୍ୟାଙ୍କ ଋଣରେ ସେମାନଙ୍କର କ୍ଷେତ ଚଳାଇବାକୁ ସକ୍ଷମ ହୋଇଛନ୍ତି।