ବିମଳେଶ ଜୟସ୍ୱାଲ, ୨୮,ଙ୍କ ପରି ଜଣେ ମଣିଷ, ଯିଏ ଏକ ମୋଟରବାଇକ୍ ଦୁର୍ଘଟଣାରେ ଗୋଟିଏ ଗୋଡ ହରାଇଛନ୍ତି, ସିଏ ମୁମ୍ବାଇର ଉପାନ୍ତ ଅଞ୍ଚଳ ପାନ୍ଭେଲ୍ ସ୍ଥିତ ତାଙ୍କର ଭଡା ଘର ଠାରୁ ମଧ୍ୟପ୍ରଦେଶର ରେବା ଜିଲ୍ଲାରେ ଅବସ୍ଥିତ ତାଙ୍କ ଘର ପର୍ଯ୍ୟନ୍ତ ଦୀର୍ଘ ୧,୨୦୦ କିଲୋମିଟର ପଥ ଗାଡିରେ – ତାଙ୍କ ହୋଣ୍ଡା ଆକ୍ଟିଭାରେ ଯାତ୍ରା କରିବା ପାଇଁ ନିଷ୍ପତି ନେବା ଏକ ଦୁଃସାହାସିକ ପଦକ୍ଷେପ ଅଟେ । ଏହି ସ୍କୁଟର୍ରେ ଏକ ପାର୍ଶ୍ୱ-କାର୍ ଲଗାଯାଇଛି । ସେ ତାଙ୍କର ସ୍ତ୍ରୀ ସୁନିତା, ୨୬, ଓ ସେମାନଙ୍କ ୩ବର୍ଷର ଝିଅ ରୁବି ସହିତ ଏହି ଯାତ୍ରା କରିଛନ୍ତି । “ମୋ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା,” ବୋଲି ସେ କୁହନ୍ତି ।
ପାନ୍ଭେଲ୍ରେ ବିମଳେଶ ଜଣେ ଠିକାଦାରଙ୍କ ପାଇଁ ତାଙ୍କର ପ୍ରତ୍ୟେକ ନୂଆ ପ୍ରୋଜେକ୍ଟରେ କାମ କରନ୍ତି – ଘର ତିଆରି ହେବା ପରେ ଧୂଳି ଝାଡିବା ଓ ସଫା କରିବା କାମ କରନ୍ତି । “ଗୋଟିଏ ଗୋଡରେ ଯେକୌଣସି କାମ କରିବା କଷ୍ଟକର ହୋଇଥାଏ କିନ୍ତୁ ତୁମକୁ ଯାହା କରିବାକୁ ଅଛି ତାହା କରିବାକୁ ହେବ,” ବୋଲି ସେ ମତେ ରେବାର ହିନାଉତି ଗ୍ରାମରେ ଅବସ୍ଥିତ ତାଙ୍କ ଘରୁ ଫୋନ୍ରେ ଜଣାଇଲେ । ବୋଧହୁଏ ତାଙ୍କର ଏହି ଉତ୍ସାହ ତାଙ୍କୁ ଉଚ୍ଚ ତାପମାତ୍ରାରେ, ଯାହା ବେଳେବେଳେ ୪୦ ଡିଗ୍ରୀ ସେଲ୍ସିଅସ୍ ଅତିକ୍ରମ କରୁଥିଲା,ଏହି ଆଶ୍ଚର୍ଯ୍ୟଜନକ ଯାତ୍ରା କରିବାକୁ ପ୍ରେରଣା ଯୋଗାଇଥିଲା, ଏଥିରେ କୌଣସି ସନ୍ଦେହ ନାହିଁ । ଏହା ହେଉଛି ସାହାସ, ଦୃଢତା ତଥା ତାଙ୍କ ଭଳି ପ୍ରବାସୀ ଶ୍ରମିକମାନଙ୍କର ନିଜ ଘରେ ପହଞ୍ଚିବାର ବ୍ୟାକୁଳତାର ଏକ ଦୃଷ୍ଟାନ୍ତ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ କରୋନାଭୂତାଣୁର ବ୍ୟାପ୍ତିକୁ ନିୟନ୍ତ୍ରଣ କରିବା ପାଇଁ ମାର୍ଚ୍ଚ ୨୪ରେ ଦେଶବ୍ୟାପୀ ସଟ୍ଡାଉନ୍ ଘୋଷଣା କଲେ, ସେତେବେଳେ ବିମଳେଶଙ୍କ ପରି ଲକ୍ଷ ଲକ୍ଷ ଦିନ ମଜୁରିଆ ଘୋର ବିପଦରେ ପଡିଗଲେ । “ଆମ ପାଖରେ କାମ ନଥିଲା, ଏଣୁ ଖାଦ୍ୟ କିଭଳି ଭାବେ ଆମକୁ ମିଳିବ ତାହା ମଧ୍ୟ ଆମକୁ ଜଣା ନଥିଲା” ବୋଲି ସେ କହିଲେ । ଘର ଭଡା ଓ ବିଦ୍ୟୁତ୍ ବିଲ୍ କଥା ଛାଡନ୍ତୁ । ଚାରି ଦିନର ନୋଟିସ୍ରେ କିଏ ସମ୍ପୂର୍ଣ୍ଣ ଦେଶକୁ ଏପରି ସଟ୍ଡାଉନ୍ କରେ କି?”
ଏସବୁ ସତ୍ତ୍ୱେ ଏହି ପରିବାର ପାନ୍ଭେଲ୍ରେ ୫୦ଦିନ ରହିଥିଲା । “ସ୍ଥାନୀୟ ଏନ୍ଜିଓଗୁଡିକ ଆମକୁ ଖାଦ୍ୟ ଓ ରାସନ୍ ଯୋଗାଉଥିଲେ,” ବୋଲି ବିମଳେଶ କୁହନ୍ତି । “ଆମେ ଯେକୌଣସି ପ୍ରକାରେ ବଞ୍ଚିକି ଅଛୁ । ପ୍ରତ୍ୟେକ ପର୍ଯ୍ୟାୟ ଶେଷରେ ତାଲାବନ୍ଦ ଉଠିଯିବ ବୋଲି ଆମେ ଆଶା କରୁଥିଲୁ । ହେଲେ, ଯେତେବେଳେ ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ ହେବାର ସମ୍ଭାବନା ସୃଷ୍ଟି ହେଲା, ସେତେବେଳେ ଏହା ସବୁଦିନ ପାଇଁ ରହିପାରେ ବୋଲି ଆମେ ଭାବିଲୁ । ମୁମ୍ବାଇ ଓ ଆଖପାଖ ଅଞ୍ଚଳରେ କରୋନା ଭୂତାଣୁ ସଂକ୍ରମଣ ଘଟଣା ପ୍ରତିଦିନ ବୃଦ୍ଧି ପାଉଥିବାରୁ ହିନାଉତିରେ ରହୁଥିବା ମୋର ପରିବାରର ଚିନ୍ତା ମଧ୍ୟ ବଢିବାରେ ଲାଗିଛି ।





