ବିମଳେଶ ଜୟସ୍ୱାଲ, ୨୮,ଙ୍କ ପରି ଜଣେ ମଣିଷ, ଯିଏ ଏକ ମୋଟରବାଇକ୍ ଦୁର୍ଘଟଣାରେ ଗୋଟିଏ ଗୋଡ ହରାଇଛନ୍ତି, ସିଏ ମୁମ୍ବାଇର ଉପାନ୍ତ ଅଞ୍ଚଳ ପାନ୍ଭେଲ୍ ସ୍ଥିତ ତାଙ୍କର ଭଡା ଘର ଠାରୁ ମଧ୍ୟପ୍ରଦେଶର ରେବା ଜିଲ୍ଲାରେ ଅବସ୍ଥିତ ତାଙ୍କ ଘର ପର୍ଯ୍ୟନ୍ତ ଦୀର୍ଘ ୧,୨୦୦ କିଲୋମିଟର ପଥ ଗାଡିରେ – ତାଙ୍କ ହୋଣ୍ଡା ଆକ୍ଟିଭାରେ ଯାତ୍ରା କରିବା ପାଇଁ ନିଷ୍ପତି ନେବା ଏକ ଦୁଃସାହାସିକ ପଦକ୍ଷେପ ଅଟେ । ଏହି ସ୍କୁଟର୍ରେ ଏକ ପାର୍ଶ୍ୱ-କାର୍ ଲଗାଯାଇଛି । ସେ ତାଙ୍କର ସ୍ତ୍ରୀ ସୁନିତା, ୨୬, ଓ ସେମାନଙ୍କ ୩ବର୍ଷର ଝିଅ ରୁବି ସହିତ ଏହି ଯାତ୍ରା କରିଛନ୍ତି । “ମୋ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା,” ବୋଲି ସେ କୁହନ୍ତି ।
ପାନ୍ଭେଲ୍ରେ ବିମଳେଶ ଜଣେ ଠିକାଦାରଙ୍କ ପାଇଁ ତାଙ୍କର ପ୍ରତ୍ୟେକ ନୂଆ ପ୍ରୋଜେକ୍ଟରେ କାମ କରନ୍ତି – ଘର ତିଆରି ହେବା ପରେ ଧୂଳି ଝାଡିବା ଓ ସଫା କରିବା କାମ କରନ୍ତି । “ଗୋଟିଏ ଗୋଡରେ ଯେକୌଣସି କାମ କରିବା କଷ୍ଟକର ହୋଇଥାଏ କିନ୍ତୁ ତୁମକୁ ଯାହା କରିବାକୁ ଅଛି ତାହା କରିବାକୁ ହେବ,” ବୋଲି ସେ ମତେ ରେବାର ହିନାଉତି ଗ୍ରାମରେ ଅବସ୍ଥିତ ତାଙ୍କ ଘରୁ ଫୋନ୍ରେ ଜଣାଇଲେ । ବୋଧହୁଏ ତାଙ୍କର ଏହି ଉତ୍ସାହ ତାଙ୍କୁ ଉଚ୍ଚ ତାପମାତ୍ରାରେ, ଯାହା ବେଳେବେଳେ ୪୦ ଡିଗ୍ରୀ ସେଲ୍ସିଅସ୍ ଅତିକ୍ରମ କରୁଥିଲା,ଏହି ଆଶ୍ଚର୍ଯ୍ୟଜନକ ଯାତ୍ରା କରିବାକୁ ପ୍ରେରଣା ଯୋଗାଇଥିଲା, ଏଥିରେ କୌଣସି ସନ୍ଦେହ ନାହିଁ । ଏହା ହେଉଛି ସାହାସ, ଦୃଢତା ତଥା ତାଙ୍କ ଭଳି ପ୍ରବାସୀ ଶ୍ରମିକମାନଙ୍କର ନିଜ ଘରେ ପହଞ୍ଚିବାର ବ୍ୟାକୁଳତାର ଏକ ଦୃଷ୍ଟାନ୍ତ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ କରୋନାଭୂତାଣୁର ବ୍ୟାପ୍ତିକୁ ନିୟନ୍ତ୍ରଣ କରିବା ପାଇଁ ମାର୍ଚ୍ଚ ୨୪ରେ ଦେଶବ୍ୟାପୀ ସଟ୍ଡାଉନ୍ ଘୋଷଣା କଲେ, ସେତେବେଳେ ବିମଳେଶଙ୍କ ପରି ଲକ୍ଷ ଲକ୍ଷ ଦିନ ମଜୁରିଆ ଘୋର ବିପଦରେ ପଡିଗଲେ । “ଆମ ପାଖରେ କାମ ନଥିଲା, ଏଣୁ ଖାଦ୍ୟ କିଭଳି ଭାବେ ଆମକୁ ମିଳିବ ତାହା ମଧ୍ୟ ଆମକୁ ଜଣା ନଥିଲା” ବୋଲି ସେ କହିଲେ । ଘର ଭଡା ଓ ବିଦ୍ୟୁତ୍ ବିଲ୍ କଥା ଛାଡନ୍ତୁ । ଚାରି ଦିନର ନୋଟିସ୍ରେ କିଏ ସମ୍ପୂର୍ଣ୍ଣ ଦେଶକୁ ଏପରି ସଟ୍ଡାଉନ୍ କରେ କି?”
ଏସବୁ ସତ୍ତ୍ୱେ ଏହି ପରିବାର ପାନ୍ଭେଲ୍ରେ ୫୦ଦିନ ରହିଥିଲା । “ସ୍ଥାନୀୟ ଏନ୍ଜିଓଗୁଡିକ ଆମକୁ ଖାଦ୍ୟ ଓ ରାସନ୍ ଯୋଗାଉଥିଲେ,” ବୋଲି ବିମଳେଶ କୁହନ୍ତି । “ଆମେ ଯେକୌଣସି ପ୍ରକାରେ ବଞ୍ଚିକି ଅଛୁ । ପ୍ରତ୍ୟେକ ପର୍ଯ୍ୟାୟ ଶେଷରେ ତାଲାବନ୍ଦ ଉଠିଯିବ ବୋଲି ଆମେ ଆଶା କରୁଥିଲୁ । ହେଲେ, ଯେତେବେଳେ ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ ହେବାର ସମ୍ଭାବନା ସୃଷ୍ଟି ହେଲା, ସେତେବେଳେ ଏହା ସବୁଦିନ ପାଇଁ ରହିପାରେ ବୋଲି ଆମେ ଭାବିଲୁ । ମୁମ୍ବାଇ ଓ ଆଖପାଖ ଅଞ୍ଚଳରେ କରୋନା ଭୂତାଣୁ ସଂକ୍ରମଣ ଘଟଣା ପ୍ରତିଦିନ ବୃଦ୍ଧି ପାଉଥିବାରୁ ହିନାଉତିରେ ରହୁଥିବା ମୋର ପରିବାରର ଚିନ୍ତା ମଧ୍ୟ ବଢିବାରେ ଲାଗିଛି ।
ଏଣୁ ସେ ପାନ୍ଭେଲ୍ରେ ଥିବା ସେମାନଙ୍କର ଗୋଟିଏ ବଖରା ବିଶିଷ୍ଟ ଭଡା ଘରକୁ ଛାଡି ମଧ୍ୟପ୍ରଦେଶ ଫେରିବାକୁ ନିଷ୍ପତି ନେଲେ। “ଘରମାଲିକ ମଧ୍ୟ ଆମ ପ୍ରତି ଦୟାଶୀଳ ହୋଇ ଆମକୁ ଭଡା ବାବଦକୁ ୨୦୦୦ଟଙ୍କା ଦେବାକୁ କହିନଥିଲେ,” ବୋଲି ସେ କୁହନ୍ତି। “ସେ ଆମର ବ୍ୟାକୁଳତା ବୁଝି ପାରିଲେ” ।
ଫେରିବା ପାଇଁ ନିଷ୍ପତି ନେଇସାରିବା ପରେ, ସେମାନଙ୍କ ପାଖରେ ତିନୋଟି ବିକଳ୍ପ ଥିଲା, ଯାହା ମଧ୍ୟରୁ ଗୋଟିଏ ହେଉଛି ରାଜ୍ୟ ଦ୍ୱାରା ବ୍ୟବସ୍ଥା କରାଯାଇଥିବା (ଶ୍ରମିକ) ଟ୍ରେନ୍ ପାଇଁ ଅପେକ୍ଷା କରିବା, ବୋଲି ସୁନିତା କୁହନ୍ତି । “ହେଲେ ଏଥିପାଇଁ କୌଣସି ସମୟ ଦଆଯାଇନଥିଲା ବା ଏଥିରେ ଆମେ କେତେବେଳେ ଚଢିପାରିବୁ, ସେ ନେଇ କୌଣସି ନିର୍ଭର ପ୍ରତିଶୃତି ଦିଆଯାଇନଥିଲା।’’ ଅନ୍ୟ ଏକ ସମ୍ଭାବନା ଏହା ମଧ୍ୟ ଥିଲା ଯେ ମଧ୍ୟପ୍ରଦେଶକୁ ଆସୁଥିବା ଟ୍ରକ୍ରେ ନିଜ ପାଇଁ ଏକ ସ୍ଥାନ ଯେକୌଣସି ପ୍ରକାରେ ଯୋଗାଡ କରିବା । “ହେଲେ, ଏଥିପାଇଁ ଡ୍ରାଇଭରମାନେ ସିଟ୍ ପ୍ରତି ୪୦୦୦ ଟଙ୍କା ଦାବି କରୁଥିଲେ’’।
ଏବେ ଜୟସ୍ୱାଲ୍ଙ୍କ ପାଇଁ କେବଳ ଗୋଟିଏ ବିକଳ୍ପ ରହିଲା – ସ୍କୁଟରରେ ଯାତ୍ରା କରିବାର ବିକଳ୍ପ । ମେ ୧୫ରେ ଯେତେବେଳେ ବିମଳେଶଙ୍କ ସହିତ ମୁମ୍ବାଇ-ନାସିକ ରାଜପଥରେ ଖରେଗାଓଁ ଟୋଲ୍ ନାକାରେ ମୋର ସାକ୍ଷାତ ହୋଇଥିଲା, ସେତେବେଳେ ଏହି ପରିବାର ୧୨୦୦ କିଲୋମିଟରରୁ କେବଳ ୪୦ କିଲୋମିଟର ରାସ୍ତା ଅତିକ୍ରମ କରିଥିଲେ । ସେ କିଛି ସମୟ ବିଶ୍ରାମ ନେବା ପାଇଁ ରାସ୍ତାର ଗୋଟିଏ ପାଖକୁ ଚାଲିଗଲେ । ତାଙ୍କ ସ୍କୁଟରର୍ ଲେଗ୍ ସ୍ପେସ୍ରେ ଦୁଇଟି ବ୍ୟାଗ୍ ଖୁନ୍ଦି ଭର୍ତ୍ତି କରାଯାଇଥିଲା । ସୁନିତା ତାଙ୍କ ଅଣ୍ଟା ସଳଖିବା ପାଇଁ ଗାଡିରୁ ଓହ୍ଲାଇଥିବାବେଳେ ରୁବି ତାଙ୍କ ବାହୁରେ ଖେଳୁଥିଲା ।
ବିମଳେଶଙ୍କ ଆଶାବାଡି ଦ୍ୱୟ ସ୍କୁଟରକୁ ଆଉଜେଇ ହୋଇ ରହିଥିଲେ । “୨୦୧୨ରେ ସେ ଏକ ମର୍ମନ୍ତୁଦ ବାଇକ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ,” ବୋଲି ସେ କହିଲେ । “ମତେ ମୋର ବାମ ଗୋଡ ହରାଇବାକୁ ପଡିଲା । ସେବଠାରୁ ମୁଁ ଏହି ଆଶାବାଡିଗୁଡିକ ବ୍ୟବହାର କରୁଛି’’ ।
ଦୁର୍ଘଟଣା ଘଟିବାର ଚାରି ବର୍ଷ ପୂର୍ବରୁ ୨୦୦୮ମସିହାରେ ଜଣେ ସରଳ ନିଷ୍କପଟ କିଶୋର ଭାବେ ସେ ଚାକିରି ଅନ୍ୱେଷଣରେ ଏହି ବୃହତ୍ ସହରକୁ ଆସିଥିଲେ – ବିମଳେଶ ପୂର୍ବରୁ ନିର୍ମାଣ ଶ୍ରମିକ ଭାବେ କାମ କରୁଥିଲେ । ସେହି ସମୟରେ ସେ ମାସକୁ ପ୍ରାୟ ୫୦୦୦-୬୦୦୦ ଟଙ୍କା ଉପାର୍ଜନ କରୁଥିଲେ ।
ତାପରେ ଏହି ଦୁର୍ଘଟଣା ଘଟିଲା – ସେ ଏକ ମୋଟରବାଇକ୍ର ପଛ ସିଟ୍ରେ ବସି ଯାଉଥିବା ବେଳେ ଏକ ଟ୍ରକ୍ ସହିତ ବାଡେଇ ହୋଇଯାଇଥିଲେ, ଯେଉଁଥିରେ ତାଙ୍କ ଗୋଡ ଭାଙ୍ଗି ଯାଇଥିଲା । ତାହା ୨୦୧୨ରେ ଘଟିଥିଲା ।
ତା’ପର ଠାରୁ ସେ ତାଙ୍କ ଠିକାଦାରଙ୍କ ପାଇଁ ଘର ଝାଡିବା ଓ ପରିଷ୍କାର କରିବା କାମ କରୁଛନ୍ତି- ଯେଉଁଥିରେ ସେ ମାସକୁ ୩୦୦୦ଟଙ୍କା ଉପାର୍ଜନ କରନ୍ତି – ଯାହା ହେଉଛି ଦଶ ବର୍ଷ ପୂର୍ବେ ସେ ଯାହା ଉପାର୍ଜନ କରୁଥିଲେ ତାହାର ଠିକ୍ ଅଧା ପରିମାଣ । ତାଲାବନ୍ଦ ଆରମ୍ଭ ହେବା ବେଳକୁ ସୁନିତା ମଧ୍ୟ ଘରୋଇ ସହାୟିକା ଭାବେ କାମ କରି ପ୍ରାୟ ସେତିକି ପରିମାଣର ଅର୍ଥ ଉପାର୍ଜନ କରୁଥିଲେ – ମିଳିତ ଭାବେ ଉଭୟ ମାସକୁ ୬୦୦୦ଟଙ୍କା ଉପାର୍ଜନ କରୁଥିଲେ ।
ରୁବି ଜନ୍ମ ହେବା ପରେ ସୁନିତା କାମ କରିବା ଜାରି ରଖିଛନ୍ତି । ହେଲେ, ମାର୍ଚ୍ଚ ୨୫ ପରଠାରୁ ସେ କିଛି ମଧ୍ୟ ଉପାର୍ଜନ କରିପାରିନାହାନ୍ତି – ତାଙ୍କର ନିଯୁକ୍ତିଦାତା ତାଙ୍କୁ ଏହି ସମୟ ଅବଧିରେ ତାଙ୍କୁ କୌଣସି ପାରିଶ୍ରମିକ ପ୍ରଦାନ କରିନାହାନ୍ତି । ଏମ୍ପିକୁ ଆସିବା ପାଇଁ ବାହାରିବା ପର୍ଯ୍ୟନ୍ତ ଏହି ପରିବାର ଏକ ଛୋଟ ବଖରରା ରହୁଥିଲେ – ବାହାରେ ଥିବା ଏକ ସାଧାରଣ ଶୌଚାଳୟ ବ୍ୟବହାର କରୁଥିଲ – ଯେଉଁଥିପାଇଁ ସେମାନଙ୍କୁ ସେମାନଙ୍କ ଆୟର ଏକ ତୃତୀୟାଂଶ ଭଡା ବାବଦକୁ ଦେବାକୁ ପଡୁଥିଲା ।
ମେ ୧୫ରେ, ଆମେ କଥା ହେଉଥିବା ବେଳେ ବିମଳେଶ ଗୋଧୂଳି ଆଲୋକରେ ନିଶ୍ଚଳ ହୋଇ ବସିଥିଲେ ଯେତେବେଳେକି ରାଜପଥ ଶ୍ରମିକମାନଙ୍କୁ ନେଇ ଯାଉଥିବା ଟେମ୍ପୋଗୁଡିକର କୋଳାହଳରେ ଫାଟି ପଡୁଥିଲା । ତାଲାବନ୍ଦ ହେବାଠାରୁ ମୁମ୍ବାଇରେ ରହୁଥିବା ଶହ ଶହ ହଜାର ହଜାର ପ୍ରବାସୀ ଶ୍ରମିକମାନେ ବିହାର, ଓଡିଶା, ଉତ୍ତରପ୍ରଦେଶ ଓ ଅନ୍ୟ ସ୍ଥାନରେ ଥିବା ସେମାନଙ୍କ ଗ୍ରାମ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି, ଏଥିପାଇଁ ସେମାନେ ବିଭିନ୍ନ ପ୍ରକାରର ପରିବହନ ବ୍ୟବସ୍ଥାର ସହାୟତା ନେଉଛନ୍ତି । ଏହି ସମୟରେ ମୁମ୍ବାଇ-ନାସିକ ରାସ୍ତାରେ ବହୁତ ଅଧିକ ଗହଳି ପରିଲକ୍ଷିତ ହେଉଥିଲା ।
“ବେଳେବେଳେ ଏଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ମଧ୍ୟ ଦେଖିବାକୁ ମିଳେ – କ୍ଷମତା ଠାରୁ ଅଧିକ ଲୋକ ବୋଝେଇ କରି ନେଉଥିବା ଟ୍ରକ୍ଗୁଡିକ ରାସ୍ତାରେ ଓଲଟି ପଡିବା ଯୋଗୁଁ ପ୍ରବାସୀ ଶ୍ରମିକଙ୍କ ପ୍ରାଣହାନୀ ଘଟିବା ମଧ୍ୟ ସାମିଲ ଅଛି । ବିମଳେଶ ଏସବୁ ବିଷୟରେ ସଚେତନ ଅଛନ୍ତି । “ମୁଁ ମିଛ କହୁନି । ମତେ ମଧ୍ୟ ଡରମାଡୁଛି,” ବୋଲି ସେ କହିଲେ । “ହେଲେ ମୁଁ ପ୍ରତିଶୃତି ଦେଉଛି ଯେ ରାତି ୧୦ଟା ପରେ ଆଉ ଗାଡି ଚଲାଇବି ନାହିଁ । ଆଉ ଘରେ ପହଞ୍ଚିବା ପରେ ମୁଁ ଆପଣଙ୍କୁ କଲ୍ କରିବି ।
ହଁ ଠିକ୍ କଥା, ସେ ତାଙ୍କର ଦ୍ୱିତୀୟ ପ୍ରତିଶୃତି ରକ୍ଷା କଲେ । ମେ ୧୯ ତାରିଖ ପୂର୍ବାହ୍ନରେ ମୋର ଫୋନ୍ର ଘଣ୍ଟି ବାଜିଲା । “ଆମେ ଏବେ ଏଠାରେ ପହଞ୍ଚିଲୁ ସାର୍ଜି । “ବିମଳେଶ ଘୋଷଣା କଲେ । “ମୋର ବାପାମା ଆମକୁ ଦେଖି ପ୍ରାୟତଃ ଦୁଃଖରେ ଭାଙ୍ଗି ପଡିଥିଲେ । ହେଲେ ସେମାନଙ୍କ ନାତୁଣିକୁ ଦେଖି ଅତିଶୟ ଆନନ୍ଦିତ ହୋଇଗଲେ ।’’
ବିମଳେଶ କହିଲେ ଯେ ସେମାନେ ରାସ୍ତାରେ ଚାରି ଦିନ ଓ ଚାରି ରାତି ବିତେଇଥିବା ବେଳେ କେବଳ ତିନି ଘଣ୍ଟା ସମୟ ଶୋଇଛନ୍ତି । “ମୁଁ ସ୍ଥିର ଗତିରେ ରାସ୍ତାର ବାମ ପାଖରେ ଗାଡି ଚଲାଉଥିଲି,” ବୋଲି ସେ କହିଲେ । “ଆମେ ରାତି ୨ଟା ପର୍ଯ୍ୟନ୍ତ ଗାଡିରେ ଯାଉଥିଲୁ ଓ ପୁଣି ପୂର୍ବାହ୍ନ ୫ଟା ବେଳକୁ ଆରମ୍ଭ କରୁଥିଲୁ ।
କୌଣସି ଏକ ଉପଯୁକ୍ତ ସ୍ଥାନ ଦେଖି ପ୍ରତ୍ୟେକ ରାତିରେ ଏକ ଗଛ ତଳେ କିଛି ସମୟ ପାଇଁ ସେମାନେ ଶୋଇ ପଡୁଥିଲେ । “ଆମେ ଆମର ଚାଦର ଆଣିଥିଲୁ । ସେହି ଚାଦରକୁ ବିଛେଇ ଦେଉଥିଲୁ ଓ ଶୋଇ ପଡୁଥିଲୁ,” ବୋଲି ବିମଳେଶ କହିଲେ । “ମୁଁ ଓ ମୋର ସ୍ତ୍ରୀ କେତେବେଳେ ଶାନ୍ତିରେ ଶୋଇପଡିଥିବୁ, ସେ କଥା ମୁଁ ଭାବିପାରୁନି, କାରଣ ରାସ୍ତାରେ ଚଳପ୍ରଚଳ ହେଉଥିବା ଯାନ, ଆମର ସାମାନ ଓ ଆମ ପାଖରେ ଥିବା ନଗଦ ଅର୍ଥ ପାଇଁ ଆମକୁ ସବୁବେଳେ ସତର୍କ ରହିବାକୁ ପଡୁଥିଲା’’।
ସମସ୍ତ କଥା ବିଚାରକୁ ନେଲେ, ସେମାନଙ୍କ ଯାତ୍ରା ସେତେ ଘଟଣାବହୁଳ ନଥିଲା । ଏପରିକି ରାଜ୍ୟ ସୀମାରେ ଯାଞ୍ଚ ପାଇଁ ମଧ୍ୟ ସେମାନଙ୍କୁ ଅଟକା ଯାଇନଥିଲା ।
ସବୁଠାରୁ ଚମତ୍କାର କଥା ଏହା ଯେ ବିମଳେଶଙ୍କ ଗିଅର୍ଲେସ୍ ଦୁଇ-ଚକିଆ ଯାନ ଯାହା ମୁଖ୍ୟତଃ ସହର ବା ଟାଉନ୍ ମଧ୍ୟରେ ଅଳ୍ପ ଦୂର ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ ଉଦ୍ଦିଷ୍ଟ, ତାହା ଏହି ଚାରିଦିନିଆ ଯାତ୍ରାରେ ନିରନ୍ତର ବ୍ୟବହାର ହୋଇଥିଲେ ମଧ୍ୟ କେଉଁଠାରେ ଯାନ୍ତ୍ରିକ ସମସ୍ୟା କାରଣରୁ ଅଟକି ଯାଇନଥିଲା ।
ସେ ଇନ୍ଧନ ଓ ଖାଦ୍ୟ ପାଇଁ ନିଜ ପାଖରେ ୨୫୦୦ଟଙ୍କା ରଖିଥିଲେ । “କେତୋଟି ପେଟ୍ରୋଲ୍ ପମ୍ପ ଖୋଲା ଥିଲା, ଏଣୁ ଦେଖିବା ମାତ୍ରେ ଆମେ ଟାଙ୍କି ଭର୍ତ୍ତି କରିଦେଉଥିଲୁ,” ବୋଲି ସେ କହିଲେ । “ଆମେ ଆମ ଝିଅ ପାଇଁ ଚିନ୍ତିତ ଥିଲୁ । ହେଲେ ରୁବି ସ୍କୁଟରରେ ବସି ଖରା ଓ ଗରମ ପବନକୁ ସହିବାକୁ ସକ୍ଷମ ହୋଇପାରିଲା । ଆମେ ତା’ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଧରିଥିଲୁ ଓ ରାସ୍ତାରେ ଭଳ ଲୋକମାନେ ତାକୁ ବିସ୍କୁଟ ଦେଲେ’’।
ଗତ ଦଶ ବର୍ଷ ହେବ ବିମଳେଶ ମୁମ୍ବାଇରେ ରହି ଆସୁଛନ୍ତି । କିମ୍ବା ଏପରି ମଧ୍ୟ କୁହାଯାଇପାରେ ଯେ ତାଲାବନ୍ଦ ପର୍ଯ୍ୟନ୍ତ । “ଗତ ପାଞ୍ଚ ସପ୍ତାହ ହେବ ମୁଁ ନିଜକୁ ଅସୁରକ୍ଷିତ ମନେ କରୁଥିଲି,” ବୋଲି ସେ କହିଲେ । “ସଂକଟ ସମୟରେ ଆପଣ ଆପଣଙ୍କ ପରିବାର ସହିତ ରହିବାକୁ ଚାହାନ୍ତି । ନିଜ ଲୋକଙ୍କ ଗହଣରେ ରହିବାକୁ ଚାହାନ୍ତି । ମୁଁ ଯେଉଁଠାରେ ରୁହେ ସେଠାରେ କୌଣସି କାମଧନ୍ଦା ନମିଳିବାରୁ ମୁଁ ମୁମ୍ବାଇ ଆସିଥିଲି । ସେହି ସମସ୍ୟା ଆଜି ମଧ୍ୟ ରହିଛି ’’।
ହିନାଉତିରେ ତାଙ୍କର ନିଜସ୍ୱ ଜମି ବୋଲି କିଛି ନାହିଁ । ପରିବାରର ସମସ୍ତେ ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାଇବା ପାଇଁ ଅର୍ଥ ଉପାର୍ଜନ କରନ୍ତି । “ଯଦି ତମକୁ ଶାରୀରିକ ଶ୍ରମ ହିଁ କରିବାକୁ ଅଛି, ତାହାହେଲେ ଯେଉଁଠାରେ ତୁମକୁ ସବୁବେଳେ କାମ ଉପଲବ୍ଧ ହୋଇପାରିବ ସେଠାରେ କାମ କର ।’’ “ସବୁକିଛି ଠିକ୍ଠାକ୍ ହୋଇଗଲା ପରେ ମତେ ପୁଣି ମୁମ୍ବାଇ ଫେରିବାକୁ ହେବ । ଅଧିକାଂଶ ପ୍ରବାସୀ ଶ୍ରମିକ ସେମାନଙ୍କ ଗ୍ରାମରେ କାମଧନ୍ଦା ନମିଳିବା କାରଣରୁ ସହରକୁ ଆସନ୍ତି । ସହରରେ ରହିବାକୁ ସେମାନେ ଭଲ ପାଆନ୍ତି ସେହି କାରଣରୁ ନୁହେଁ ’’।
ଅନୁବାଦ: ଓଡ଼ିଶାଲାଇଭ୍