ଅନନ୍ତପୁର ଜିଲ୍ଲାର ନାଗରୁର ଗ୍ରାମବାସୀ ଅତୀତର ସେଇ ସମୟକୁ ଝୁରି ହେଉଛନ୍ତି ଯେଉଁ ସମୟରେ ସେମାନଙ୍କ ଗାଁରେ ପ୍ରଚୁର ଭୂତଳ ଜଳ ରହିଥିଲା । ବେଳେବେଳେ ସେମାନେ ବର୍ତ୍ତମାନ କାଳରେ କହନ୍ତି ୨୦୦୭ ମସିହା ପୂର୍ବ ସମୟର କଥା। ବୋଧହୁଏ ସେଇ ଦିନଗୁଡ଼ିକର ଅପେକ୍ଷାକୃତ ସମୃଦ୍ଧ ବେଳାକୁ ସହଜରେ ଭୁଲିବାକୁ ସେମାନେ ସକ୍ଷମ ନୁହଁନ୍ତି ।
ଯଦିଓ ବୃଷ୍ଟିପାତ ହାର କମି ଯାଇଥିଲା, ତଥାପି ପାଖାପାଖି ୨୦୦୭ ବେଳକୁ ନାଗରୁର ଗାଁ ନିକଟ ହ୍ରଦଟି ଶେଷ ଥର ପାଇଁ ଉଛୁଳି ଉଠିଥିଲା । ଗାଁର ୪୨ ବର୍ଷୀୟ କୃଷକ ଭି. ରାମକ୍ରିଷ୍ଣା ନାଇଡୁ କହନ୍ତି, “ଏନ୍.ଟି. ରାମା ରାଓଙ୍କ (ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ) ସମୟରେ ନିୟମିତ ବର୍ଷା ହେଉଥିଲା । ଯେତେବେଳେ ୱାଇ.ଏସ୍.ରାଜଶେଖର ରେଡ୍ଡି (୨୦୦୪ରେ ଶାସନ କ୍ଷମତାକୁ) ଆସିଲେ (ପ୍ରବଳ ବର୍ଷା ହେତୁ) ସପ୍ତାହକ ପାଇଁ ହ୍ରଦଗୁଡ଼ିକରେ ପାଣି ଉଛୁଳିବାରେ ଲାଗିଥିଲା । ଏବଂ ତାହା ହିଁ ଥିଲା ଶେଷଥର ।”








