“ମୁଁ ସବୁପ୍ରକାରର ଝଡ଼ ଦେଖିଛି, କିନ୍ତୁ ଏହା ଭିନ୍ନ ଥିଲା। ଏହା ପାଖାପାଖି ୧୨ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ଅପରାହ୍ଣରେ, ପାଗଳ ଷଣ୍ଢ ଭଳି ଜଳପ୍ରଳୟ କ୍ଷେତରେ ପ୍ରବେଶ କରି ଆମ ଆଡ଼କୁ ମାଡ଼ି ଆସିଥିଲା। ମୁଁ ମୋ ଭାଇଙ୍କ ଭିନ୍ନକ୍ଷମ ପୁଅକୁ ଧରି ଦୌଡ଼ିଲି”, କୁହନ୍ତି ପଶ୍ଚିମବଙ୍ଗ ସୁନ୍ଦରବନ କ୍ଷେତ୍ରର ଦକ୍ଷିଣ କାସିଆବାଦ ଗ୍ରାମବାସିନ୍ଦା ପ୍ରାଥମିକ ସ୍କୁଲ ଶିକ୍ଷକ ସ୍ୱପନ ନାଏକ।
ମେ ୨୦ ତାରିଖରେ, ଘଣ୍ଟା ପ୍ରତି ୧୮୫ କିମି ବେଗରେ ପବନ ସହିତ ସାମୁଦ୍ରିକ ଝଡ଼ ଅମ୍ଫନ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର କାକଦ୍ୱୀପ ବ୍ଲକ ଅନ୍ତର୍ଗତ ରାମଗୋପାଳପୁର ପଞ୍ଚାୟତ ଅଧୀନ ଗ୍ରାମ ନିକଟରେ ସ୍ଥଳଭାଗ ଛୁଇଁଥିଲା।
ଏମିତି ଝଡ଼ ଗାଁ ଲୋକମାନେ ପୂର୍ବରୁ କେବେ ବି ଦେଖିନଥିଲେ। ଏଠାକାର ଲୋକମାନେ କୁହନ୍ତି, (୨୦୦୯)ରେ ଆଇଲା ଏବଂ (୨୦୧୯)ରେ ବୁଲବୁଲ ବାତ୍ୟା ମଧ୍ୟ ସୁନ୍ଦରବନ ଅଞ୍ଚଳରେ ସେତିକି କ୍ଷତି କରିନଥିଲା ଯେତିକି କ୍ଷୟକ୍ଷତି ଅମ୍ଫନ କାରଣରୁ ହୋଇଥିଲା।
“ଆମ ସ୍କୁଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଛାତ ଉଡ଼ିଯାଇଛି ଏବଂ ଚାରିଟି ଶ୍ରେଣୀଗୃହ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ପାଖାପାଖି ୧୦୦ ଜଣ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଏବେ ଅନ୍ଧାର ହୋଇଯାଇଛି,” ଦକ୍ଷିଣ କାସିଆବାଦରେ ଥିବା ଘରୋଇ ଭାବେ ପରିଚାଳିତ ମାନବ ତୀର୍ଥ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ାଉଥିବା ନାଏକ କୁହନ୍ତି।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ, ‘ମହାବାତ୍ୟା’ ମେ ୨୦ ତାରିଖରେ ସୁନ୍ଦରବନ ଅଭିମୁଖେ ଗତି କରିଥିଲା। ଅପରାହ୍ଣ ପ୍ରାୟ ସାଢ଼େ ଚାରିଟା ସମୟରେ କାକଦ୍ୱୀପର ଦକ୍ଷିଣ ପଶ୍ଚିମ ସ୍ଥିତ ସାଗର ଦ୍ୱୀପ ନିକଟରେ ଅମ୍ଫନ ସ୍ଥଳ ଭାଗରେ ମାଡ଼ ହୋଇଥିଲା। ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର କାକଦ୍ୱୀପ, କୁଲତାଲି, ନାମଖାନା, ପଥରପ୍ରତିମା ଏବଂ ସାଗର ବ୍ଲକ ଆଦି ଅମ୍ଫନ ସ୍ଥଳଭାଗ ଛୁଇଁବା ସ୍ଥାନର ଖୁବ ନିକଟରେ ରହିଥିଲା ଏବଂ ଏଗୁଡ଼ିକ ଦକ୍ଷିଣ ବଙ୍ଗର ସବୁଠୁ ପ୍ରଭାବିତ କ୍ଷେତ୍ର ମଧ୍ୟରେ ଅନ୍ୟତମ ଥିଲା, ଯେଉଁଠି ମହାବାତ୍ୟା ବ୍ୟାପକ କ୍ଷୟକ୍ଷତି କରିଥିଲା।
ମେ ୨୯ ତାରିଖରେ, ଆମେ କାକଦ୍ୱୀପ ବସଷ୍ଟାଣ୍ଡରୁ ଦକ୍ଷିଣ କାସିଆବାଦକୁ ଯିବା ସମୟରେ, ପ୍ରାୟ ୪୦ କିମି ରାସ୍ତାକୁ ପାଖାପାଖି ଦୁଇ ଘଣ୍ଟା ଲାଗିଥିଲା, ରାସ୍ତାର ଦୁଇ କଡ଼ରେ ଆମେ ପ୍ରଳୟଙ୍କରୀ ବାତ୍ୟାର ଧ୍ୱଂସାବଶେଷ ଦେଖିପାରିଲୁ, ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିଲା ଏବଂ ଘର ଓ ଦୋକାନ ଧ୍ୱସ୍ତବିଧ୍ୱସ୍ତ ହୋଇପଡ଼ିଥିଲା।
“ଦକ୍ଷିଣ କାସିଆବାଦ ଯିବା ବାଟରେ ନେତାଜୀ ପଞ୍ଚାୟତ ଅନ୍ତର୍ଗତ ମାଧବ ନଗର ପଡ଼ିଲା। ଏଠାରେ ନିଜ ଘର ପାଖରେ ଥିବା ମଧୁରଜଳ ପୋଖରୀରୁ ମାଛ ଧରୁଥିଲେ ରଞ୍ଜନ ଗାୟେନ ଓ ତାଙ୍କ ପରିବାରର ସଦସ୍ୟମାନେ। ବାତ୍ୟା ଯୋଗୁଁ ମାଡ଼ି ଆସିଥିବା ଲୁଣିପାଣି ପୋଖରୀ ପାଣିକୁ ସମ୍ପୂର୍ଣ୍ଣ ଦୂଷିତ କରି ଦେଇଥିଲା। “ଆମେ ଚଳିତ ବର୍ଷ ମଧୁର ଜଳରେ ମାଛ ଚାଷ କରିବା ଲାଗି ୭୦,୦୦୦ ଟଙ୍କା ନିବେଶ କରିଥିଲୁ। ଏବେ ସବୁ ମାଛ ମରିଯାଇଛନ୍ତି। ଆମେ ଦେଖୁଛୁ ଯଦି କିଛି ମାଛ ବଞ୍ଚିଯାଇଥିବେ ଆମେ ସେଗୁଡ଼ିକୁ ନେଇ ବଜାରରେ ବିକ୍ରି କରିବୁ। ମୋର ପାନ ପତ୍ରଗୁଡ଼ିକ ମଧ୍ୟ ନଷ୍ଟ ହୋଇଯାଇଛି ଏବଂ ମୋ ପରିବାର ଋଣ ଭାରରେ ବୁଡ଼ିଛି,” ବୋଲି ଗାୟେନ କୁହନ୍ତି, ଯାହାଙ୍କ ପରିବାର ପାଖାପାଖି ୧ ଲକ୍ଷ ଟଙ୍କାର କ୍ଷତି ସହିଛି। “ଆମ ପାଇଁ ଭଲ ଦିନଗୁଡ଼ିକ କେବେ ବି ଫେରିଆସିବ ନାହିଁ, କେବେବି ନୁହେଁ,”।



















