ଖଣ୍ଡେ ଚିରା କାଗଜ କଣ୍ଟାଯୁକ୍ତ କାନ୍ଥରେ ଝୁଲି ପବନରେ ଉଡ଼ୁଛି, ଏହାର ହଳଦିଆ ପୃଷ୍ଠ ଉପରେ ଅତି ଅସ୍ପଷ୍ଟ ଭାବେ ‘ବେଆଇନ’ ଏବଂ ‘ଜବରଦଖଲ’ ଶବ୍ଦ ଦେଖାଯାଉଛି ଏବଂ ଏଥିରେ ଦିଆଯାଇଥିବା ‘ଉଚ୍ଛେଦ’ର ଚେତାବନୀ କାଦୁଅରେ ଲୁଚିଯାଇଛି । ଏକ ଦେଶର ଇତିହାସ ଏହାର କାନ୍ଥରେ ସୀମିତ ରହିପାରିବ ନାହିଁ । ଏହା ଉତ୍ପୀଡ଼ନ, ସାହସିକତା ଏବଂ ବିପ୍ଳବର ପ୍ରତୀକକୁ ପାର କରି ଦୁର୍ବଳ ସୀମାଠାରୁ ଉର୍ଦ୍ଧ୍ୱରେ ଏବଂ ଆକାଶରେ ଉଡ଼ି ବୁଲିଥାଏ।
ସେ ସଡ଼କ ଉପରେ ପଥର ଏବଂ ଇଟା ଗଦା ହୋଇଥିବା ଦେଖୁଛି । ରାତିରେ ତା’ ଘର ଭାବେ ବଦଳି ଯାଇଥିବା ଦୋକାନରେ ମାତ୍ର ଏତିକି ବଞ୍ଚିଛି । ୧୬ ବର୍ଷ ପର୍ଯ୍ୟନ୍ତ ଏଠାରେ ସେ ସନ୍ଧ୍ୟାରେ ଚା’ ପିଉଥିଲା ଏବଂ ଦିନରେ ଅନେକ ଲୋକଙ୍କୁ ଚପଲ ବିକ୍ରି କରୁଥିଲା । ଆଜବେଷ୍ଟସ ଛାତ, ସିମେଣ୍ଟ ସ୍ଲାବ ଏବଂ ବଙ୍କା ହୋଇଯାଇଥିବା ଲୁହା ରଡ଼ ମଧ୍ୟରେ ଫୁଟପାଥ ଉପରେ ତା’ର ସାଧାରଣ ସିଂହାସନ - ଧ୍ୱଂସ ପାଇଯାଇଥିବା ଏକ ସମାଧି ଭଳି ଦିଶୁଛି ।
ଏକଦା ଏଠାରେ ଜଣେ ବେଗମ ରହୁଥିଲେ । ଅୱଧର ରାଣୀ ବେଗମ ହଜରତ ମହଲ । ସେ ନିଜ ଘରକୁ ବ୍ରିଟିଶ ଶାସନ ଠାରୁ ମୁକ୍ତ କରିବା ଲାଗି ସାହସର ସହ ଲଢ଼େଇ ଲଢ଼ିଥିଲେ ଏବଂ ତାଙ୍କୁ ବାଧ୍ୟ ହୋଇ ନେପାଳରେ ଆଶ୍ରୟ ନେବାକୁ ପଡ଼ିଲା । ଉପନିବେଶବାଦ ବିରୋଧରେ ଲଢ଼ିଥିବା ଏହି ସ୍ୱାଧୀନତା ସଂଗ୍ରାମୀ, ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ, ଅନେକ ଦିନ ଧରି ଲୋକଲୋଚନକୁ ଆସିପାରିନାହାନ୍ତି । ତାଙ୍କର ଐତିହ୍ୟକୁ ନଷ୍ଟ କରି ଦିଆଯାଇଛି ଏବଂ ଲିଭାଇ ଦିଆଯାଇଛି, କିନ୍ତୁ ସୀମା ଆରପଟେ ଶୀତଳ ପାହାଡ଼ରେ ତାହା ଏବେ ବି ଉଜ୍ଜିବୀତ ହୋଇ ରହିଛି ।
ଏମିତି ଅଗଣିତ ସମାଧି ରହିଛି, ଭାରତୀୟ ଉପମହାଦେଶରେ ପ୍ରତିରୋଧର ଅବଶେଷକୁ ଏମିତି ଭାବେ ଗଭୀର ଗର୍ତ୍ତରେ ପୋତି ଦିଆଯାଇଛି । କିନ୍ତୁ ଅହଂକାର ଓ ଘୃଣାର ଏହି ମାଟିକୁ ଅପସାରଣ କରିବା ଲାଗି କୌଣସି ବୁଲଡୋଜର ନାହିଁ, ପ୍ରତିରୋଧର ଏହି ବିସ୍ମୃତ ମୁଠାକୁ ଖୋଳିବା ପାଇଁ କୌଣସି ମେସିନ ନାହିଁ । ଏମିତି କୌଣସି ବୁଲଡୋଜର ନାହିଁ ଯାହା ଉପନିବେଶବାଦର ଇତିହାସକୁ ଭାଙ୍ଗି ସେହି ସ୍ଥାନରେ ନିର୍ଯାତିତଙ୍କ ସ୍ୱରକୁ ଉପସ୍ଥାପିତ କରିପାରିବ । ଅନ୍ୟାୟ ବିରୋଧରେ ଛିଡ଼ା ହେବାକୁ କୌଣସି ବୁଲଡୋଜର ନାହିଁ । ଏବେ ନାହିଁ ।


