ପିଲି ପାର୍ଦ୍ଧି, ବୟସ ୫୦ରୁ ସାମାନ୍ୟ ଅଧିକ। କସ୍ତୁରବା ରୋଡ଼ର ଏକ ହୋଟେଲ ବାହାରେ ସେ ଗ୍ରାହକଙ୍କ ପାଇଁ ଅପେକ୍ଷା କରନ୍ତି। ସକାଳ ପ୍ରାୟ ୯ଟା ବେଳଠାରୁ ଅତିଥିମାନଙ୍କର ହୋଟେଲ୍ ଛାଡ଼ିବା ଆରମ୍ଭ ହୁଏ। ତାଙ୍କ ବୋହୁ ଅରୁଣା ମଧ୍ୟ ସେଠାରେ ଥିଲେ। ଏହି ଦୁଇ ମହିଳାଙ୍କ ସହ ପିଲିଙ୍କ ପୁଅ ମଧ୍ୟ ମାଥେରାନରେ କୁଲି ଭାବରେ କାମ କରନ୍ତି।
ଜୟା ପେଢ଼କାର ମଧ୍ୟ କୁଲି ଭାବରେ କାମ କରନ୍ତି। ତାଙ୍କ ବୟସ ୩୦ ଦଶକର ମଧ୍ୟ ପର୍ଯ୍ୟାୟରେ । ଅନ୍ୟମାନଙ୍କ ପରି ସେ ଦିନକୁ ୩-୪ ଥର ମୁଣ୍ଡରେ ୧୦ରୁ ୪୦ କେଜି ପର୍ଯ୍ୟନ୍ତ ଓଜନ ବହି ମାଥେରାନ ମୁଖ୍ୟ ବଜାରଠାରୁ ୩.୫ କି.ମି ଦୂର ଦାସ୍ତୁରି ପାର୍କିଙ୍ଗ୍ ସ୍ଥଳରୁ ବିଭିନ୍ନ ହୋଟେଲ ପର୍ଯ୍ୟନ୍ତ ଯାଇଥା’ନ୍ତି। ବେଳେବେଳେ ହିଲ୍ ଷ୍ଟେସନର ଆହୁରି ଅଧିକ ଉଚ୍ଚତାରେ ଥିବା ହୋଟେଲକୁ ମଧ୍ୟ ଲଗେଜ୍ ନେବାକୁ ହୋଇଥାଏ।





